ସମତାଳରେ ଚାଲିଥିବା ତନ୍ତର ପ୍ୟାଡ଼େଲ ଶବ୍ଦ ଓନପୁରମ୍ର ଅପରାହ୍ଣକୁ ଗୁଞ୍ଜରିତ କରୁଥିଲା। ୬୭-ବର୍ଷୀୟ ଏମ. କେ. ଗୋଧଣ୍ଡାବନି ମୋତେ କହିଲେ, ‘‘ସକାଳ ୫ଟାରେ ଆସନ୍ତୁ, ସେତେବେଳେ ଆମେ ସିଲ୍କି ସୂତାରେ କାମ ଆରମ୍ଭ କରୁଥିବୁ।’’ ଓନ୍ନପୁରମକୁ ଲମ୍ବିଛି ରଂଗ ଦିଆଯାଇନଥିବା ବଣ୍ଡଲ ବଣ୍ଡଲ ସିଲ୍କା ସୂଚା, ଯାହା ଶାଢୀ ପାଇଁ ପ୍ରସ୍ତୁତ ହୋଇନାହିଁ। ଏହି ସୂତାରେ ଗୋଧଣ୍ଡାବନୀ ଓ ଅନ୍ୟ ବୁଣାକାରମାନେ କାମ କରନ୍ତି। ଏଥିରୁ ତିଆରି ହୁଏ ୬ ଗଜର ଦାମି ଶାଢୀ, ଯାହା ଏଠାରୁ ୧୫୦ କିଲୋମିଟର ଦୂରରେ ଥିବା ଚେନ୍ନାଇ ଏବଂ ଅନ୍ୟ ବଜାରର ବଡ଼ବଡ଼ ସୋ’ରୁମ୍କୁ ଯାଏ।
ତାମିଲନାଡ଼ୁ ତିରୁବନ୍ନାମଲାଇ ଜିଲ୍ଲା ପଶ୍ଚିମ ଆରାନି ବ୍ଲକର ଓନ୍ନୁପୁରମ ଗାଁର ଅଧିକାଂଶ ବୁଣାକାର ପରିବାରଙ୍କ ମଧ୍ୟରେ ପାରିବାରିକ ସଂପର୍କ ରହିଛି, ସିଧାସଳଖ ବା ବିବାହ ମାଧ୍ୟମରେ। ପ୍ରତି ଘରେ ଅନ୍ତତଃ ଗୋଟିଏ ତନ୍ତ ମିଳିବ, ଏହା ପୁରୁଷାନୁକ୍ରମିକ। ୫୭-ବର୍ଷୀୟ ଦେବସେନାଥିପତି ରାଜଗୋପାଳଙ୍କ ୧୬- ବର୍ଷର ପୁଅ ଏକ ଗାଢ ପିଙ୍କ ରଙ୍ଗର ସିଲ୍କ ଶାଢୀ ବୁଣୁଥିଲେ। ଶେଷ ପର୍ଯ୍ୟାୟ କାମରେ ଦେବସେନାଥିପତି ସହଯୋଗ କରୁ କରୁ କହିଲେ, ‘‘ଆମ ପିଲାମାନେ ବାହାରକୁ ଯାଇ ପାଠ ପଢୁଛନ୍ତି, କିନ୍ତୁ ତା ସାଙ୍ଗରେ ବୁଣିବା କଳା ବି ଶିଖୁଛନ୍ତି। ଏହା ଆମର ପରଂପରା।’’
ଆରନୀ ବ୍ଲକ୍ରେ ଅନେକ ସମବାୟ ସମିତି ଓ କ୍ଷୁଦ୍ର ଉତ୍ପାଦନକାରୀ ଅନୁଷ୍ଠାନ ଅଛନ୍ତି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ପ୍ରତିଷ୍ଠିତ ବୁଣକାର ପରିବାରମାନଙ୍କ ଦ୍ୱାରା ସ୍ଥାପିତ ହୋଇଛି। ଏମାନେ ବୁଣାକାରମାନଙ୍କଠାରୁ ଶାଢୀ କିଣନ୍ତି ଓ ସେଗୁଡ଼ିକୁ ନାମୀ କମ୍ପାନୀ ଏବଂ ସୋ’ରୁମ୍ଗୁଡ଼ିକୁ ଦିଅନ୍ତି। ଏହି ଗ୍ରାହକମାନେ ଲୋକଙ୍କ ଚାହିଦା ମୁତାବକ ଡିଜାଇନ୍ ପ୍ରସ୍ତୁତ କରିବାକୁ କହିଥାନ୍ତି। ବେଳେବେଳେ ପାରଂପରିକ ଡିଜାଇନ୍ ବଦଳରେ ଆଧୁନିକ ଡିଜାଇନ ପ୍ରସ୍ତୁତ କରିବାକୁ କହିଥାନ୍ତି।
ପ୍ରତିବଦଳରେ, ବୁଣାକାରମାନେ ଭଲ ଦି ପଇସା ରୋଜଗାର ପାଇଥାନ୍ତି। ପାଭୁ ପୁନାଇଥାଲ ର ପ୍ରତିଷ୍ଠା କରିଛନ୍ତି ସରସ୍ୱତୀ ଈଶ୍ୱରାୟନ। ଏହା ମହିଳାଙ୍କ ଦ୍ୱାରା ତିଆରି ହୋଇଥାଏ। ଗୋଟିଏ ଶାଢୀ ବୁଣିବା ପାଇଁ ଏମାନେ ତନ୍ତରେ ୪,୫୦୦-୪,୮୦୦ ଥର ସୂତା ବୁଲାନ୍ତି। ଏହି କାମ ପାଇଁ ତାଙ୍କୁ ସମବାୟ ସମିତି ବା ମଜୁରୀରେ ଆଣିଥିବା ବ୍ୟକ୍ତି ୨୫୦ ଟଙ୍କା ଦେଇଥାନ୍ତି। ସେମାନେ ମାସରେ ଏଭଳି ୬ ରୁ ୮ଟି କାମ ପାଇଥାନ୍ତି।
ସାଦା ଡିଜାଇନ୍ର ୪ଟି ଶାଢୀ ବୁଣିବାକୁ ଏଠାରେ ବୁଣାକାରମାନେ ସାଧାରଣତଃ ୨,୫୦୦ ଟଙ୍କା ପାଇଥାନ୍ତି। ତନ୍ତ ଉପରେ ଆଖି ସ୍ଥିର ରଖି ସରସ୍ୱତୀ ଗଙ୍ଗାଧରନ୍ କହିଲେ, ‘‘ଆମେ ସପ୍ତାହର ସାତ ଦିନ କାମ କରୁ। କେବଳ ପୂର୍ଣ୍ଣିମା ଦିନ ଛୁଟି, ମାସକରେ ଗୋଟିଏ ଥର।’’ ‘‘ଏହି ଗୋଟିଏ ଦିନ ଆମେ ଭଗବାନଙ୍କୁ ଭକ୍ତି ନିବେଦନ କରୁ ଯିଏ ଆମକୁ ସୌଭାଗ୍ୟ ସହ ଆଶୀର୍ବାଦ ଦେଇଛନ୍ତି।’’ ଅନ୍ୟ ବୁଣାକାରଙ୍କ ଭଳି ସରସ୍ୱତୀ ମଧ୍ୟ ସମବାୟ ସମିତିରୁ ଶାଢୀ ତିଆରି ପାଇଁ ବରାଦ ପାଆନ୍ତି। ଗୋଟିଏ ମାସରେ ସେ ୧୫ ରୁ ୨୦ ଖଣ୍ଡ ଶାଢୀ ବୁଣନ୍ତି ଏବଂ ପ୍ରାୟ ୧୦,୦୦୦ ଟଙ୍କା ରୋଜଗାର କରନ୍ତି।
ଜରିଲଗା ଏକ ଓଜନିଆ ଶାଢୀ ବୁଣୁବୁଣୁ ଜଗଦେଶାନ ଗୋପାଲ କହିଲେ, ‘‘ଏହା ଆମକୁ ଖାଇବାକୁ ଦେଉଛି। ଆମେ ୟାକୁ ଛାଡିବାକୁ ଚାହୁଁନୁ। ଯେଉଁଦିନ କାମ ନାହିଁ, ସେଦିନ ରୋଜଗାର ନାହିଁ।’’
୨୦୧୮ , ଫେବ୍ରୁଆରୀ ୨୮ରେ ପଞ୍ଚ ପତ୍ରିକାରେ ଏହି ଫଟୋ କାହାଣୀର ଅନ୍ୟ ଏକ ସଂସ୍କରଣ ପ୍ରକାଶ ପାଇଥିଲା