ଗୁଲାମ ମୋହି-ଉଦ୍-ଦିନ ମୀରଙ୍କ ୧୩-ଏକର ବିଶିଷ୍ଟ ଫଳ ବଗିଚାରେ ୩୦୦ – ୪୦୦ ସେଓ ଗଛ ଅଛି, ଯେଉଁଥିରୁ ପ୍ରତିବର୍ଷ ସେମାନେ ୩୬୦୦ ବକ୍ସ ଫଳ ପାଇଥାନ୍ତି, ପ୍ରତ୍ୟେକ ବକ୍ସରେ ୨୦କିଲୋ ଫଳ ରହିଥାଏ । “ଆମେ ଗୋଟିଏ ବକ୍ସକୁ ସାଧାରଣତଃ ୧୦୦୦ଟଙ୍କାରେ ବିକ୍ରି କରିଥାଉ । କିନ୍ତୁ ବର୍ତ୍ତମାନ ଗୋଟିଏ ବକ୍ସ ପିଛା ଆମକୁ କେବଳ ୫୦୦ ରୁ ୭୦୦ଟଙ୍କା ମିଳୁଛି,” ବୋଲି ସେ କୁହନ୍ତି ।
ବଦ୍ଗାମ୍ ଜିଲ୍ଲାର କ୍ରେମ୍ସୋରା ଗ୍ରାମ ନିବାସୀ ୬୫-ବର୍ଷ ବୟସ୍କ ମୀର୍ଙ୍କ ପରି କଶ୍ମୀରର ଅନେକ ଚାଷୀ ବର୍ତ୍ତମାନ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କ ଆୟ ବହୁ ପରିମାଣରେ ହ୍ରାସ ପାଇଛି । ଅଗଷ୍ଟ ୫ରେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ଓ ଏହି ରାଜ୍ୟକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତନ କରିବା ପରେ ଏଠାରେ ଥିବା ସମଗ୍ର ସେଓ ଶିଳ୍ପକୁ ଘୋର ସଙ୍କଟ ମଧ୍ୟରେ ଗତି କରିବାକୁ ପଡ଼ୁଛି ।
ସ୍ଥାନୀୟ ଅର୍ଥନୀତିରେ ଫଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଜମ୍ମୁ ଓ କଶ୍ମୀରର ପ୍ରାୟ ୧୬୪, ୭୪୨ ହେକ୍ଟର ଜମିରେ ସେଓ ଚାଷ କରାଯାଏ, ଯେଉଁଥିରେ ୨୦୧୮-୧୯ରେ ପ୍ରାୟ ୧.୮ ମିଲିୟନ (୧୮, ୮୨, ୩୧୯) ମେଟ୍ରିକ ଟନ୍ ଫଳ ଉତ୍ପାଦନ ହୋଇଥିଲା (ଡାଇରେକ୍ଟୋରେଟ୍ ଅଫ୍ ହର୍ଟିକଲ୍ଚର୍, କଶ୍ମୀରର ଡାଟା )। ଜମ୍ମୁ ଓ କଶ୍ମୀର ସରକାରଙ୍କ ଉଦ୍ୟାନ କୃଷି ବିଭାଗ ଦ୍ୱାରା କରାଯାଇଥିବା ଏକ ଏଷ୍ଟିମେଟ ମୁତାବକ ଜମ୍ମୁ ଓ କଶ୍ମୀରରେ ପ୍ରାୟ ୩. ୩ ମିଲିୟନ ଲୋକଙ୍କ ପାଇଁ ହର୍ଟିକଲ୍ଚର୍ ହେଉଛି ଜୀବିକା ନିର୍ବାହ କରିବାର ପନ୍ଥା ଓ ଏହି ଉଦ୍ୟୋଗର ବାର୍ଷିକ ଆୟ ୮, ୦୦୦ ରୁ ୧୦,୦୦୦ କୋଟି ବୋଲି ହର୍ଟିକଲ୍ଚର୍ ନିର୍ଦ୍ଦେଶକ ଅଜିଜ୍ ଅମମ୍ମଦ୍ ଭଟ୍ କହିଛନ୍ତି ।
ଅଧିକନ୍ତୁ, କଶ୍ମୀର ଉପତ୍ୟକାରେ ଥିବା ଫଳବଗିଚାଗୁଡ଼ିକରେ କର୍ମନିଯୁକ୍ତି ପାଇବା ପାଇଁ ରାଜ୍ୟ (ବର୍ତ୍ତମାନ ୟୁଟି) ବାହାରରୁ ଶ୍ରମିକମାନ ଆସିଥାନ୍ତି । କିନ୍ତୁ ଏହି ପ୍ରକାରର ରାଜନୈତିକ ଅସ୍ଥିରତା ଲାଗି ରହିବାରୁ ସେମାନ ମଧ୍ୟ ଅଗଷ୍ଟ ପ୍ରଥମ ଭାଗରେ ଏଠାରୁ ଚାଲିଗଲେ । ଅକ୍ଟୋବର ମାସରେ ଅନ୍ୟ ସ୍ଥାନରୁ ଆସିଥିବା ୧୧ଜଣଙ୍କୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ହତ୍ୟା କରିଥିବା ଜଣାପଡ଼ିଛି, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଟ୍ରକ୍ ଡ୍ରାଇଭର୍ ଓ ଶ୍ରମିକ । ଏହା ଦ୍ୱାରା ସମଗ୍ର ଦେଶରେ ବିଭିନ୍ନ ବଜାରକୁ କାଶ୍ମୀରର ସେଓ ପହଞ୍ଚାଇବା ନେଇ ସମସ୍ୟା ସୃଷ୍ଟି ହୋଇଛି ।
ଏବେ ମଧ୍ୟ କଶ୍ମୀରରେ ସାଧାରଣ ପରିବହନ ବ୍ୟବସ୍ଥା, ବସ୍ ଚଳାଚଳ ଓ ସେୟାର୍ଡ ଟ୍ୟାକ୍ସି ବ୍ୟବସ୍ଥା ଅଚଳ ଅବସ୍ଥାରେ ରହିଥିବାରୁ ଏଠାରେ ବାସ କରୁଥିବା ସ୍ଥାନୀୟ ଲୋକ ମଧ୍ୟ ସାଧାରଣ କଶ୍ମୀରର ବିଭିନ୍ନ ଜିଲ୍ଲା ମଧ୍ୟରେ ଓ ଗୋଟିଏ ଜିଲ୍ଲାରୁ ଅନ୍ୟ ଏକ ଜିଲ୍ଲାକୁ ଯାତାୟତ କରିବାରେ ସମାନ ଅସୁବିଧା ସମ୍ମୁଖୀନ ହେଉଛନ୍ତି ।
ଫଳ ବଗିଚା ମାଲିକଙ୍କଠାରୁ ଫଳ କିଣୁଥିବା କିଛି ବ୍ୟବସାୟୀ ସେଗୁଡ଼ିକୁ ସିଧାସଳଖ ଦିଲ୍ଲୀର ବିଭିନ୍ନ ବଜାରକୁ ପଠାଇ ଦିଅନ୍ତି, ଯେଉଁଠି ସେମାନେ ଗୋଟିଏ ବକ୍ସ ସେଓ ୧୪୦୦- ୧୫୦୦ ଟଙ୍କାରେ ବିକ୍ରି କରିଥାନ୍ତି । ଅନ୍ୟ ବ୍ୟବସାୟୀମାନେ, ଯେଉଁମାନେ ସରକାରଙ୍କ ଜରିଆରେ ବିକ୍ରି କରିଥାନ୍ତି, ସେମାନେ ଏବେ ମଧ୍ୟ କିଣାବିକା ପ୍ରକ୍ରିୟା ଆଗେଇବାକୁ ଅପେକ୍ଷା କରି ରହିଛନ୍ତି । ଇତିମଧ୍ୟରେ, ସେମାନଙ୍କ ମଧ୍ୟରୁ କେତେଜଣ ରାତ୍ରି ସମୟରେ ଲଗାଯାଇଥିବା ପୋଷ୍ଟରରେ (କିଏ ଲଗେଇଛି ତାହା ଏବେ ମଧ୍ୟ ଅସ୍ପଷ୍ଟ ହୋଇ ରହିଛି) ସେମାନେ ସରକାରଙ୍କୁ ସେମାନଙ୍କ ସେଓ ବିକ୍ରି କରିବା ମନା କରାଯାଇଥିବା ବିଷୟରେ କହୁଛନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍