ଅତିକୁଶଳୀ କୋରାଇ କଟାଳୀମାନଙ୍କୁ ଗଛଟି କାଟିବାକୁ ୧୫ ସେକେଣ୍ଡ ଲାଗିଥାଏ, ଝାଡିବା ପାଇଁ ଅଧ ମିନିଟ୍ ଏବଂ ଆଉ କିଛି ମିନିଟ୍ ବିଡା ବାନ୍ଧିବା ପାଇଁ ଲାଗିଥାଏ। ଏହି ଘାସ ଜାତୀୟ ଗଛଟି ସେମାନଙ୍କଠାରୁ ଅଧିକ ଉଚ୍ଚ ଅଟେ ଏବଂ ପ୍ରତ୍ୟେକ ବିଡାର ଓଜନ ପାଖାପାଖି ପାଞ୍ଚ କିଲୋଗ୍ରାମ୍। ମହିଳାମାନେ ଅକ୍ଳେଶରେ ୧୨-୧୫ ବିଡା ନିଜ ମୁଣ୍ଡ ଉପରେ ଲଦି ଖରାରେ ପ୍ରାୟ ଅଧକିଲୋମିଟର ଚାଲି କରି ଯାଆନ୍ତି - କେବଳ ପ୍ରତି ବିଡାକୁ ୨ ଟଙ୍କା ହିସାବରେ ରୋଜଗାର କରିବାପାଇଁ।
ସଂଧ୍ୟା ସୁଦ୍ଧା, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଅତିକମ୍ରେ ୧୫୦ ବିଡା ଲେଖାଏଁ କୋରାଇ ପ୍ରସ୍ତୁତ କରିଥାଆନ୍ତି, ଯାହାକି ତାମିଲନାଡୁର କରୁର ଜିଲ୍ଲାର ଉପକୂଳବର୍ତ୍ତି ଚାଷ ଜମିରେ ଅଧିକ ମାତ୍ରାରେ ହୋଇଥାଏ।
କାବେରୀ ନଦୀର କୂଳରେ ଥିବା କରୁର’ର ମନଭାସି ଗାଁର ଏକ ଛୋଟ ବସତି ନାଥମେଡୁରେ କୋରାଇ କାଟାଳିମାନେ-ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା-ଦିନକୁ ଆଠ ଘଣ୍ଟା କୌଣସି ବିରତି ବିନା କାମ କରନ୍ତି। ସେମାନେ ନଇଁକରି ଘଞ୍ଚ ଗଛର ପତ୍ରସମୂହକୁ କାଟିଥାଆନ୍ତି, ନିଜର ଖାଲିହାତରେ ଡେମ୍ପଗୁଡିକୁ ଝାଡି ବିଡା ବାନ୍ଧନ୍ତି, ଯାହାକୁ ସେମାନେ ସଂଗ୍ରହ କେନ୍ଦ୍ରରେ ନେଇ ରଖନ୍ତି। ଏହା କୌଶଳ ଓ ସାମର୍ଥ୍ୟ ଆବଶ୍ୟକ କରେ ଏବଂ ଏହା କଷ୍ଟକର କାର୍ଯ୍ୟ ଅଟେ।
ସେମାନେ କୁହନ୍ତି, ଯୁବତୀ ଅବସ୍ଥାରୁ ସେମାନଙ୍କ ମଧ୍ୟରୁ ଅନେକ କୋରାଇ କାଟି ଆସୁଛନ୍ତି। ୫୯ ବର୍ଷୀୟା ଏ.ସୌଭାଗ୍ୟମ କୁହନ୍ତି "ମୁଁ ଜନ୍ମ ହେବା ଦିନ ଠାରୁ,ଏହି କୋରାଇ ଜଙ୍ଗଲ[’ଜଙ୍ଗଲ’] ମୋ ଦୁନିଆ ପାଲଟି ଯାଇଛି। ମୁଁ ୧୦ ବର୍ଷ ବୟସରୁ କ୍ଷେତରେ କାମ କରିବା ଆରମ୍ଭ କରି, ଦିନକୁ ତିନି ଟଙ୍କା ରୋଜଗାର କରୁଥିଲି,"। ତାର ରୋଜଗାର ଏବେ ପାଞ୍ଚ ଜଣିଆ ପରିବାରକୁ ଆହାର ଯୋଗାଉଛି।
ସ୍କୁଲ ଯାଉଥିବା ଦୁଇ ପୁଅଙ୍କର ବିଧବା ମା ୩୩ ବର୍ଷୀୟା ଏମ୍.ମାଗେସ୍ୱରି ମନେପକାନ୍ତି ତାଙ୍କ ବାପା ତାଙ୍କୁ ଗାଈ ଜଗିବା ଏବଂ କୋରାଇ କାଟିବା ପାଇଁ ପଠାଉଥିଲେ। "ମୁଁ ଏମିତିକି ସ୍କୁଲରେ ପାଦବି ରଖିନି" ସେ କହନ୍ତି। ମା’ଙ୍କ ଚଲାପଥରେ ଯାଉଥିବା, ୩୯ ବର୍ଷୀୟା, ଆର.ସେଲଭି କୁହନ୍ତି, "ଏହି କ୍ଷେତଗୁଡିକ ମୋର ଦ୍ୱିତୀୟ ଘର।" ସେ କୁହନ୍ତି,"ସେ ମଧ୍ୟ ଜଣେ କୋରେଇ କଟାଳି ଥିଲେ। ମୁଁ ଏହି କାମ ମୋ ଜୀବନରେ ଅତି କମ୍ ବୟସରୁ ଆରମ୍ଭ କରିଦେଇଥିଲି।"























