ଅହମ୍ମଦ ତରତରରେ କହିଲେ, ‘‘କିତ୍ କିତ୍ [ହପ୍ ସ୍କଚ୍], ଲାଟ୍ଟୁ [ସ୍ପିନିଂ ଟପ୍] ଏବଂ ତାସ୍ ଖେଳ [କାର୍ଡସ୍ ଗେମ୍]’’। ସେହି ୧୦ ବର୍ଷୀୟ ତତ୍କାଳ ନିଜକୁ ସୁଧାରିନେଲେ ଏବଂ ସ୍ପଷ୍ଟୀକରଣ ଦେଲେ ଯେ, ‘‘ମୁଁ ନୁହେଁ, ଆଲ୍ଲାରଖା ହିଁ କିତ୍ କିତ୍ ଖେଳେ।’’
ବର୍ଷକର ଅନ୍ତରକୁ ପ୍ରତିପାଦିତ କରିବା ଏବଂ ନିଜର ଉନ୍ନତ ଖେଳ ଦକ୍ଷତାକୁ ପ୍ରଦର୍ଶନ କରିବାକୁ ଉତ୍ସୁକ ଅହମ୍ମଦ କହିଲେ, ‘‘ମୋତେ ଏ ଝିଅମାନଙ୍କ ଖେଳ ପସନ୍ଦ ନୁହେଁ। ମୁଁ ସ୍କୁଲ ପଡ଼ିଆରେ ବ୍ୟାଟ୍-ବଲ୍ [କ୍ରିକେଟ୍] ଖେଳିଥାଏ। ବର୍ତ୍ତମାନ ସ୍କୁଲ ବନ୍ଦ ରହିଛି, କିନ୍ତୁ ଆମେ କାନ୍ଥ ଉପରେ ଚଢ଼ିଯାଉଛୁ ଏବଂ ପଡ଼ିଆରେ ପ୍ରବେଶ କରୁଛୁ!’’
ଏହି ସଂପର୍କୀୟ ଭାଇମାନେ ଆଶ୍ରମପଡ଼ା ଅଞ୍ଚଳରେ ଥିବା ବାଣୀପୀଠ ପ୍ରାଥମିକ ସ୍କୁଲର ଛାତ୍ର -ଆଲ୍ଲାରଖା ତୃତୀୟ ଶ୍ରେଣୀରେ ଏବଂ ଅହମ୍ମଦ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି।
ଏହା ୨୦୨୧ ଡିସେମ୍ବର ମାସର ପ୍ରଥମ ଭାଗ ଏବଂ ଜୀବନଯାପନ ଲାଗି ବିଡ଼ି ବଳୁଥିବା ମହିଳାମାନଙ୍କୁ ଭେଟିବାକୁ ଆମେମାନେ ପଶ୍ଚିମବଙ୍ଗର ବେଲଡାଙ୍ଗା-୧ ବ୍ଲକ୍ରେ ଅଛୁ।
ଆମେ ଯେଉଁଠି ଅଟକିଥିଲୁ ସେଠି କେବଳ ଗୋଟିଏ ଆମ୍ବଗଛ ଥିଲା। ଏହା ଏକ ଅଣଓସାରିଆ ରାସ୍ତା କଡ଼ରେ ରହିଛି ଯାହାକି ଏକ ପୁରୁଣା କବରସ୍ତାନ ଦେଇ ଯାଇଛି; ଦୂରରେ ହଳଦିଆ ସୋରିଷ କ୍ଷେତଗୁଡ଼ିକ ରହିଛି। ମୃତ ଆତ୍ମାମାନେ ସେଠି ମହା ନିଦ୍ରାରେ ଶୟନ କରୁଛନ୍ତି। ଏହା ନୀରବତା ଓ ଶାନ୍ତିର ଏକ ଦୁନିଆ; ବିଶାଳକାୟ ଉପସ୍ଥିତି ଥିବା ଏକାତ୍ମ ଗଛଟି ନୀରବତାର ସହ ସଜାଗ ଭାବେ ଛିଡ଼ା ହୋଇଛି। ଏପରିକି ବସନ୍ତରେ ପୁନର୍ବାର ଫଳ ଧାରଣ କରିବା ଯାଏ ପକ୍ଷୀମାନେ ବି ଗଛଟିକୁ ଛାଡ଼ି ଦେଇଛନ୍ତି।
ଦୌଡିବାର ଶବ୍ଦ ଦ୍ୱାରା ନୀରବତା ଭଙ୍ଗ ହେଲା-ଅହମ୍ମହ ଏବଂ ଆଲ୍ଲାରଖା ହଠାତ୍ ଉଭାହେଲେ। ସେମାନେ ସ୍କିପିଂ, ଡେଇଁବା, ହପିଂ-ସମୟ ସମୟରେ ଏକାଥରକେ ସବୁ କିଛି କରିବା ସହ ଆସିଲେ। ସେମାନେ ଆମର ଉପସ୍ଥିତିକୁ ନଜର କରିବା ଭଳି ଲାଗିଲା ନାହିଁ।







