ଏକ ଉତ୍ତପ୍ତ ଅପରାହ୍ଣରେ ଧଡ଼ଗାଓଁ କ୍ଷେତ୍ରର ଅକ୍ରାନି ତାଲୁକାରେ ରହୁଥିବା ଶେୱନ୍ତା ତଡ଼ଭି ମୁଣ୍ଡରେ ଓଢ଼ଣି ଦେଇ ନିଜର ଛୋଟିଆ ଛେଳି ପଲଙ୍କ ପଛରେ ଦୌଡ଼ୁଥାନ୍ତି। ଯେବେ ଗୋଟିଏ ଛେଳି ଛୁଆ ବୁଦା କିମ୍ବା କାହାର କ୍ଷେତ ଭିତରକୁ ପଶିଯାଉଛି ଭୂମିରେ ବାଡ଼ି ପିଟି ସେ ତା’କୁ ପୁଣିଥରେ ଛେଳି ପଲ ଭିତରକୁ ନେଇ ଆସୁଛନ୍ତି। “ମୋତେ ସେମାନଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ପଡ଼ୁଛି। ଛୋଟ ଛେଳିଗୁଡ଼ିକ ଅଧିକ ଦୁଷ୍ଟ। ସେମାନେ ଯେକୌଣସି ସ୍ଥାନକୁ ଦୌଡ଼ି ଯାଇପାରନ୍ତି”, ହସି ହସି ସେ କୁହନ୍ତି। “ସେମାନେ ଏବେ ମୋ ପିଲାଙ୍କ ଭଳି”।
ନନ୍ଦୁରବର ଜିଲ୍ଲାର ହାରାଙ୍ଖୁରିର ଗ୍ରାମର ମହାରାଜପଡ଼ାରେ ଥିବା ନିଜ ଘର ପାଖରୁ ସେ ପାଖାପାଖି ୪କି.ମି. ଦୂର ଜଙ୍ଗଲ ଭିତରକୁ ଚାଲିଆସିଛନ୍ତି। ଏଠାରେ ସେ ଘଞ୍ଚ ଜଙ୍ଗଲ, ପକ୍ଷୀଙ୍କ କଳରବ ଏବଂ ନିଜ ଛେଳିମାନଙ୍କ ସହିତ ସେ ଏକୁଟିଆ ଏବଂ ମୁକ୍ତ । ବାହାଘରର ୧୨ ବର୍ଷ ହେବ ପିଲାଟିଏ ନଥିବାରୁ ଏଠି ତାଙ୍କୁ କେହି ବାଞ୍ଝ, ଅଭିଶପ୍ତ ଏବଂ ଡାହାଣୀ ବୋଲି କହିବାକୁ କେହି ନାହାନ୍ତି।
“ପିଲା ନଥିବା ପୁରୁଷଙ୍କ ପାଇଁ ଏପରି ଅପମାନସୂଚକ ଶବ୍ଦ କାହିଁକି ନାହିଁ?” ପଚାରନ୍ତି ଶେୱନ୍ତା ।
ଶେୱନ୍ତା (ଛଦ୍ମନାମ)ଙ୍କୁ ଏବେ ୨୫ ବର୍ଷ। ମାତ୍ର ୧୪ ବର୍ଷ ବୟସରେ ସେ ବାହା ହୋଇଥିଲେ। ତାଙ୍କ ସ୍ୱାମୀ ରବି (୩୨) ଜଣେ କୃଷି ଶ୍ରମିକ। କାମ ମିଳିଲେ ଦିନକୁ ୧୫୦ ଟଙ୍କା ରୋଜଗାର କରନ୍ତି । ସେ ମଧ୍ୟ ଜଣେ ମଦ୍ୟପ। ମହାରାଷ୍ଟ୍ରର ଏହି ଆଦିବାସୀ ବହୁଳ ଜିଲ୍ଲାରେ ସେମାନେ ଭିଲ ନାମକ ଆଦିବାସୀ ସମୁଦାୟରୁ ଆସିଥାନ୍ତି । ଗତ ରାତିରେ, ଶେୱନ୍ତା କୁହନ୍ତି, ରବି (ଛଦ୍ମନାମ) ତାଙ୍କୁ ପିଟିଥିଲେ। “ଏଥିରେ ନୂଆ କିଛି ନାହିଁ”, ସେ କୁହନ୍ତି। “ମୁଁ ତାଙ୍କୁ ପିଲାଟିଏ ଦେଇପାରୁନାହିଁ । ଡାକ୍ତର କହିଛନ୍ତି, ମୋ ଗର୍ଭାଶୟରେ ସମସ୍ୟା ରହିଛି ତେଣୁ ମୁଁ ଆଉଥରେ ଗର୍ଭଧାରଣ କରିପାରିବି ନାହିଁ।
୨୦୧୦ରେ ଧଡ଼ଗାଓଁ ଗ୍ରାମାଞ୍ଚଳ ଡାକ୍ତରଖାନାରେ ଶେୱନ୍ତାଙ୍କର ଗର୍ଭପାତ ହୋଇଥିଲା। ଏହାପରେ ତାଙ୍କଠାରେ ପଲିସିଷ୍ଟିକ ଓଭାରିଆନ ସିଣ୍ଡ୍ରୋମ (ପିସିଓଏସ) ନାମକ ରୋଗ ଥିବା ଜଣାପଡ଼ିଥିଲା। ଏହି କାରଣରୁ ତାଙ୍କ ଗର୍ଭାଶୟ ନଷ୍ଟ ହୋଇଯାଇଥିଲା। ଏହି ଅଘଟଣ ସମୟରେ ସେ ତିନି ମାସର ଗର୍ଭବତୀ ଥିଲେ, ତାଙ୍କୁ ସେତେବେଳେ ମାତ୍ର ୧୫ ବର୍ଷ ହୋଇଥିଲା।







