ପୂର୍ବଘାଟର ବନ୍ଧୁର ପର୍ବତମାଳା ପଛରେ ସୂର୍ଯ୍ୟ ଛପି ଯାଉଥିବା ବେଳେ, ଅର୍ଦ୍ଧସୈନିକ ବଳ ଯବାନମାନଙ୍କ ଓଜନିଆ ଜୋତାର ଶବ୍ଦ ତଳେ ଦବିଯାଏ ପାଖ ଜଙ୍ଗଲରେ ପାହାଡ଼ି ବଣିମାନଙ୍କର କର୍କଶ ଧ୍ଵନି। ପୁଣି ଥରେ ସେମାନେ ଗାଁ ଗାଁରେ ପଇଁତରା ମାରୁଛନ୍ତି । ଏଥିପାଇଁ ସବୁ ସନ୍ଧ୍ୟାବେଳକୁ ସେ ଖୁବ୍ ଡରନ୍ତି ।
ସେ ଜାଣନ୍ତିନି କାହିଁକି ତାଙ୍କ ନାଁ ଦେମତି ଦିଆଯାଇଥିଲା । ଉତ୍ସାହଭରା ସ୍ଵରରେ, ମାଆ ସେହି କାହାଣୀ ଶୁଣାନ୍ତି, “ସେ ଥିଲେ ଆମ ଗାଁର ଜଣେ ନିର୍ଭୀକ ମହିଳା, ଯେ କି ଏକୁଟିଆ ବ୍ରିଟିଶ ସେନାକୁ ଘଉଡ଼ାଇ ଦେଇଥିଲେ ।” କିନ୍ତୁ ସେ ଆଦୌ ଦେମତିଙ୍କ ଭଳି ନଥିଲେ- ସେ ଥିଲେ ଭୟାଳୁ ।
ଆଉ ସେ, ପେଟଯନ୍ତ୍ରଣାରେ, ଭୋକରେ, ପର୍ଯ୍ୟାପ୍ତ ପାଣି ବିନା, ଘରେ ଅନେକ ଦିନ ଯାଏ ପଇସାଟିଏ ନଥିବା ଅବସ୍ଥାରେ, ସନ୍ଦେହଭରା ଆଖି ଆଗରେ, ଧମକପୂର୍ଣ୍ଣ ନଜର ଆଗରେ, ନିତିଦିନିଆ ଗିରଫଦାରି, ନିର୍ଯାତନା, ମରିଯାଉଥିବା ଲୋକଙ୍କସହିତ ବଞ୍ଚି ରହିବାକୁ ଶିଖିଥିଲେ । ହେଲେ ଏସବୁ ଭିତରେ ବି ତାଙ୍କ ସପକ୍ଷରେ ଥିଲା ଜଙ୍ଗଲ, ଗଛ ଏବଂ ଏକ ଝରଣା । ଶାଳ ଫୁଲରୁ ହିଁ ସେ ତାଙ୍କ ମାଆଙ୍କର ବାସ୍ନା ବାରିପାରୁଥିଲେ, ଜଙ୍ଗଲରେ ପ୍ରତିଧ୍ଵନିତ ଜେଜେମାଆଙ୍କ ଗୀତ ଶୁଣିପାରୁଥିଲେ । ଯେଉଁ ପର୍ଯ୍ୟନ୍ତ ସେମାନେ ତାଙ୍କ ସହିତ ଥିଲେ, ସେ ଜାଣିଥିଲେ ଯେ ସବୁ ବାଧାବିଘ୍ନ ସତ୍ତ୍ଵେ ସେ ବଞ୍ଚି ରହିବେ ।
କିନ୍ତୁ ଏବେ ସେମାନେ ତାଙ୍କୁ ବାହାର କରିଦେବାକୁ ଚାହୁଁଥିଲେ, ତାଙ୍କ କୁଡ଼ିଆରୁ, ତାଙ୍କ ଗାଁରୁ ଏବଂ ତାଙ୍କ ଜମିରୁ- ଯଦି ସେ ଏମିତି ଏକ କାଗଜ ଦେଖାଇ ପାରିବେନି, ଯେଉଁଥିରୁ କି ଯାହା ସବୁ ସେ ଜାଣିଛନ୍ତି, ତାହା ପ୍ରମାଣିତ ହେବ । ଏତିକି ଯଥେଷ୍ଟ ନୁହେଁ ଯେ ତାଙ୍କ ବାପା ତାଙ୍କୁ ବିଭିନ୍ନ ଗଛ ଏବଂ ଗୁଳ୍ମର ନାଁ କହିଥିଲେ, କେଉଁ ଗଛର ବକଳ ଏବଂ ପତ୍ରରେ ରୋଗ ଭଲ କରିବାର ଶକ୍ତି ଅଛି ତାହାବି ଶିଖାଇଥିଲେ । ସବୁଥର, ମାଆଙ୍କ ସହିତ ଜଙ୍ଗଲରୁ ଫଳ, କୋଳି ଏବଂ ଜାଳେଣି କାଠ ଆଣିବାକୁ ଯାଇଥିବା ବେଳେ ମାଆ ତାଙ୍କୁ ସେହି ଗଛଟିକୁ ଦେଖାଇ ଦିଅନ୍ତି, ଯାହା ତଳେ ସେ ଜନ୍ମ ନେଇଥିଲେ । ତାଙ୍କ ଜେଜେମାଆ ତାଙ୍କୁ ଜଙ୍ଗଲ ସଂପର୍କରେ ଗୀତ ଶିଖାଇଥିଲେ । ଏଇ ଜାଗାରେ, ପକ୍ଷୀମାନଙ୍କୁ ଦେଖି ଦେଖି, ସେମାନଙ୍କ ସ୍ଵରର ନକଲ କରି ସେ ତାଙ୍କ ଭାଇଙ୍କ ସହ କେତେ ବୁଲିଛନ୍ତି ।
କିନ୍ତୁ ଏଭଳି ଜ୍ଞାନ, ଏଇ ସବୁ କାହାଣୀ, ଗୀତ ଆଉ ପିଲାଦିନର ଖେଳ କ’ଣ କୌଣସି କଥାର ପ୍ରମାଣ ହୋଇପାରିବ? ସେ ସେଠାରେ ବସି ତାଙ୍କ ନାଁର ଅର୍ଥ ଖୋଜିଲେ ଏବଂ ସେଇ ମହିଳାଙ୍କ ସଂପର୍କରେ ଭାବିଲେ ଯାହାଙ୍କର ନାଁ ଅନୁସାରେ ତାଙ୍କୁ ନାଁ ଦିଆଯାଇଥିଲା । ଦେମତି, ଏଇ ନାଁରୁ କେମିତି ପ୍ରମାଣିତ ହୋଇଥିବ ଯେ ସେ ଏହି ଜଙ୍ଗଲର ବୋଲି ?



