“ଏଠାକାର ଗାଁ ସ୍କୁଲରେ ଶିକ୍ଷାଦାନର ମାନ ଏତେ ଭଲ ନୁହେଁ । ତେଣୁ ମୁଁ ମୋ ଝିଅମାନଙ୍କୁ ବାରଣାସୀ ନେଇଗଲି । କିଏ ଜାଣିଥିଲା ଯେ, ସହରର ସ୍କୁଲ୍ରେ ସେମାନଙ୍କ ନାମ ଲେଖାଇବାର ତିନି ମାସ ଭିତରେ ମୋତେ ସେମାନଙ୍କୁ ପୁଣି ଗାଁକୁ ଫେରାଇ ଆଣିବାକୁ ପଡ଼ିବ ବୋଲି ?” ଏହା କହନ୍ତି ଅରୁଣ କୁମାର ପାଶୱାନ । ମାର୍ଚ୍ଚ ମାସରେ କୋଭିଡ୍- ୧୯ ଲକ୍ଡାଉନ୍ ଜାରି ଯୋଗୁଁ ଦୋକାନବଜାର ବନ୍ଦ ନହେବା ପର୍ଯ୍ୟନ୍ତ, ଅରୁଣ, ଉତ୍ତର ପ୍ରଦେଶର ବାରଣାସୀ ସହରରେ ଥିବା ଏକ ରେସ୍ତାରାଁର ରୋଷେଇ ଶାଳରେ ମାସକୁ ୧୫,୦୦୦ ଟଙ୍କା ଦରମାରେ କାମ କରୁଥିଲେ ।
ମେ ମାସ ପ୍ରଥମ ଭାଗରେ, ତାଙ୍କ ପରିବାର ପାଇଁ ଖାଦ୍ୟ ଯୋଗାଡ଼ କରିବା ଆଉ ସମ୍ଭବ ନହେବାରୁ, ବାରଣାସୀରୁ ପ୍ରାୟ ୨୫୦ କିଲୋମିଟର ଦୂର ବିହାରର ଗୟା ଜିଲ୍ଲା ଅନ୍ତର୍ଗତ ସେମାନଙ୍କ ଗାଁ ମାୟାପୁରକୁ ଫେରିଯିବା ପାଇଁ ପାଶୱାନ ସ୍ଥିର କଲେ । ମେ ୮ ତାରିଖ ଦିନ ଫୋନ୍ରେ ପାଶୱାନ ମୋତେ କହିଲେ, “ଆସନ୍ତାକାଲି ଭୋର ୩ଟାରେ ମୋ ପରିବାର ସହିତ ମୁଁ ଓ ଆଉ କେତେ ଜଣ ଏଠାରୁ ବାହାରିବୁ । ଆମେ (ଉତ୍ତର ପ୍ରଦେଶ-ବିହାର) ସୀମା ଯାଏଁ ଚାଲି ଚାଲି ଯିବୁ ଏବଂ ସେଠାରୁ ବସ୍ରେ ଯିବୁ । ବୋଧହୁଏ ଆମ ପାଇଁ ସେଠାରୁ ବସ୍ରେ ଯିବା ବ୍ୟବସ୍ଥା କରାଯାଇଛି । ରାସ୍ତାରେ ଯଦି ଟ୍ରକ୍ ମିଳିଯାଏ, ତେବେ ଆମକୁ ସୀମାରେ ଛାଡ଼ି ଦେବା ପାଇଁ ସେମାନଙ୍କୁ କହିବୁ ।”
ପରଦିନ ସକାଳେ, ପାଶୱାନ ଏବଂ ତାଙ୍କର ୨୭ ବର୍ଷୀୟା ସ୍ତ୍ରୀ ସବିତା, ସେମାନଙ୍କର ତିନିଟି ଛୋଟ ପିଲାଙ୍କୁ - ୮ ବର୍ଷର ଝିଅ ରୋଲି ଓ ୬ ବର୍ଷର ଝିଅ ରାନୀ ଏବଂ ୩ ବର୍ଷର ପୁଅ ଆୟୁଷକୁ - ସାଙ୍ଗରେ ନେଇ ବାହାରି ପଡ଼ିଲେ । ସେମାନେ ୫୩ କିଲୋମିଟର ଦୂର ରାଜ୍ୟ ସୀମା ସଂଲଗ୍ନ କର୍ମନାସା ଚେକ୍ ପୋଷ୍ଟ ଯାଏଁ ଚାଲି ଚାଲି ଗଲେ । ସେଠାରେ କୌଣସି ବସ୍ରେ ବସିବାକୁ ଅନୁମତି ମିଳିବା ପୂର୍ବରୁ, ବିହାରର କୈମୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାପିତ ସ୍ୱାସ୍ଥ୍ୟସେବା ଶିବିରରେ ସେମାନଙ୍କୁ ଥର୍ମାଲ୍ ସ୍କାନିଂ କରାଇବାକୁ ପଡ଼ିଥିଲା । ମେ ୧୧ ତାରିଖ ଦିନ ମାୟାପୁରରେ ପହଞ୍ଚିବା ପରେ ସେ ମୋତେ କହିଲେ, “ଭାଗ୍ୟକୁ ଆମକୁ ସେଠାରୁ ଗୋଟିଏ ସରକାରୀ ବସ୍ ମିଳିଗଲା, ଯେଉଁଥିରେ ଆସି ଆମେ ଗୟାରେ ପହଞ୍ଚିଲୁ ।” ଥରେ ଗୟାରେ ପହଞ୍ଚିଯିବା ପରେ ଗାଁକୁ ଯିବା ପାଇଁ ସେମାନଙ୍କୁ ଆଉ ଏକ ବସ୍କୁ ଅପେକ୍ଷା କରିବାକୁ ପଡ଼ିଲା ଏବଂ ଗାଁରେ ପହଞ୍ଚିବା ପରଠାରୁ ସେମାନେ ନିଜେ ନିଜେ ପୃଥକ୍ବାସରେ ରହିଛନ୍ତି ।
ଗାଁର ପୁରୁଣା ଘରକୁ ଫେରି ରାନୀ ଖୁସି ହୋଇଥିବା ବେଳେ, ସହର ବାଲା ସ୍କୁଲ (ସହରୀ ସ୍କୁଲ) ୟୁନିଫର୍ମକୁ ମନେ ପକାଇ ରୋଲି ଅଝଟ ହେଉଛି ବୋଲି ପାଶୱାନ କହନ୍ତି ।
ବାରଣାସୀର ଯେଉଁ ରେସ୍ତୋରାଁରେ ୨୦୧୯ ଅଗଷ୍ଟରୁ ପାଶୱାନ କାମ କରିଆସୁଥିଲେ, ତାହା ପ୍ରଥମେ ମାର୍ଚ୍ଚ ୨୨ ତାରିଖ ଦିନ ଜନତା କର୍ଫ୍ୟୁ ପାଇଁ ବନ୍ଦ ରହିଲା ଏବଂ ଦେଶବ୍ୟାପୀ ଲକ୍ଡାଉନ୍ ଲାଗୁ ହେବା ପରେ ପୁଣି ମାର୍ଚ୍ଚ ୨୫ରୁ ବନ୍ଦ ହୋଇଗଲା । ମାର୍ଚ୍ଚ ମଧ୍ୟ ଭାଗରେ ସେ ଶେଷ ଥର ପାଇଁ ଦରମା ପାଇଥିଲେ। ହେଲେ ଏପ୍ରିଲ ଦ୍ୱିତୀୟ ସପ୍ତାହ ବେଳକୁ ପରିସ୍ଥିତି କଷ୍ଟଦାୟକ ହୋଇଗଲା । ବାରଣାସୀ ଜିଲ୍ଲା ପ୍ରଶାସନ ଦ୍ୱାରା ବଣ୍ଟା ହେଉଥିବା ଖାଦ୍ୟ ପୁଡ଼ିଆ ସଂଗ୍ରହ କରିବା ପାଇଁ ତାଙ୍କୁ ଦିନକୁ ଦୁଇ ଥର ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡୁଥିଲା ।
ହେଲେ ମେ ୮ ତାରିଖ, ଦିନ ପାଶୱାନ ମୋତେ କହିଥିଲେ, “ଗତ ଚାରି ଦିନ ହେଲା ଆମକୁ ଖାଦ୍ୟ ପୁଡ଼ିଆ ମିଳିବା ବନ୍ଦ ହୋଇଯାଇଛି । ଆମ ପାଖରେ ଖାଇବାକୁ କିଛି ନାହିଁ । ଏ ସ୍ଥାନ ଛାଡ଼ି ଯିବା ବ୍ୟତୀତ ଆମ ପାଖରେ ଆଉ କିଛି ବାଟ ନାହିଁ ।”
ଘରେ ପହଞ୍ଚିବା ପାଇଁ ଅରୁଣ ପାଶୱାନ ଏବଂ କାମେଶ୍ୱର ଯାଦବଙ୍କୁ ୨୫୦ କିଲୋମିଟର ଯାତ୍ରା କରିବାକୁ ପଡ଼ିଥିବା ବେଳେ ୨୩୮୦ କିଲୋମିଟର ଦୂର ତାମିଲନାଡୁରେ ଅଟକି ରହିଛନ୍ତି ଅମରିତ ମାଂଝୀ
ଗୟାର ଗୁରାରୁ ବ୍ଲକ୍ ଅନ୍ତର୍ଗତ ଘାଟେରା ଗାଁର ନିଜ ଘରେ ପହଞ୍ଚିବାକୁ କାମେଶ୍ୱର ଯାଦବଙ୍କୁ ବି ଦୁଇ ଦିନ ଲାଗିଥିଲା । ବାରଣାସୀଠାରୁ ପ୍ରାୟ ୧୭ କିଲୋମିଟର ଦୂର, ପଡ଼ୋଶୀ ଚନ୍ଦୌଲି ଜିଲ୍ଲା ଅନ୍ତର୍ଗତ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ନଗରର (ଡିଡିୟୁ ନଗର; ପୂର୍ବରୁ ମୋଗଲସରାଇ ନାଁରେ ପରିଚିତ) ଏକ ରେସ୍ତୋରାଁର ମୁଖ୍ୟ ରୋଷେୟା ଭାବେ ସେ କାମ କରୁଥିଲେ ।
ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ ସଂପ୍ରସାରିତ ହୋଇଥିବା ସମୟରେ, ଏପ୍ରିଲ ୧୫ ତାରିଖ ଦିନ ଯାଦବ ଡିଡିୟୁ ନଗରରୁ ଯାତ୍ରାରମ୍ଭ କରିଥିଲେ, । “ରେସ୍ତୋରାଁ ବନ୍ଦ ହୋଇଯିବାରୁ ମୋର ସଞ୍ଚିତ ଅର୍ଥ ବି ଶେଷ ହୋଇଗଲା ଏବଂ ଏଠାରେ ରହୁଥିବା ମୋ ପରିବାରର ଖାଦ୍ୟ ସାମଗ୍ରୀ ବି ସରିବା ଆରମ୍ଭ ହୋଇଗଲା । ଯେତେ ଶୀଘ୍ର ସମ୍ଭବ, ମୋତେ ସେମାନଙ୍କ ପାଖରେ ପହଞ୍ଚିବାର ଥିଲା ।” ରାସ୍ତାର ଅଧିକାଂଶ ଭାଗ ପାଦରେ ଚାଲି ଚାଲି ଏବଂ ବାକି ତକ ଟ୍ରକ୍ ଉପରେ ବସି ପ୍ରାୟ ୨୦୦ କିଲୋମିଟରକୁ ସେ ଦୁଇ ଦିନରେ ଯାତ୍ରା କରିଥିଲେ । ଏପ୍ରିଲ ୧୭ ତାରିଖ ଦିନ ଯାଦବ ତାଙ୍କ ଗାଁରେ ପହଞ୍ଚିଲେ ।
ମାର୍ଚ୍ଚ ୨୩ ତାରିଖରେ ଉତ୍ତର ପ୍ରଦେଶର ସୀମା ସିଲ୍ କରିଦିଆଯିବା ବେଳେ ଯାଦବ ଓ ତାଙ୍କର ତିନି ଜଣ ଅନ୍ୟ ସହକର୍ମୀ ରେସ୍ତୋରାଁ ଭିତରେ ରହିବାକୁ ପଳାଇଥିଲେ ଏବଂ ସେଠାରେ ତାଙ୍କ ମାଲିକ ସେମାନଙ୍କୁ ଖାଦ୍ୟ ଯୋଗାଇ ଦେଉଥିଲେ । କିନ୍ତୁ ସେ ଘଟେରା ଗାଁରେ ରହୁଥିବା ତାଙ୍କ ସ୍ତ୍ରୀ ରେଖା ଦେବୀ ଏବଂ ତିନି ପିଲା -୧୦ ବର୍ଷୀୟା ଝିଅ ସନ୍ଧ୍ୟା, ୮ ବର୍ଷର ସୁଗନ୍ଧା ଓ ୩ ବର୍ଷର ପୁଅ ସାଗର- ସହିତ ତାଙ୍କ ବାପାମାଆଙ୍କ ପାଇଁ ଚିନ୍ତିତ ଥିଲେ । ଯାଦବ କହନ୍ତି, “ଫୋନ୍ରେ ମୋ ପିଲାମାନେ କାନ୍ଦିବାରେ ଲାଗିଥିଲେ । ଲକ୍ଡାଉନ୍ ସମୟ ବଢ଼ାଇ ଦିଆଗଲା ଏବଂ ଅପେକ୍ଷା କରିବାର ସମୟ ବି ବଢ଼ିଗଲା ଭଳି ଲାଗିଲା ।”
ସ୍ତ୍ରୀ ରେଖାଦେବୀ ଓ ବାପାମାଆଙ୍କ ଦେଖାରଖାରେ ତାଙ୍କ ପରିବାରର ୩ ବିଘା (୧.୯ ଏକର) ଜମିରେ ଚାଷ କରାଯାଉଥିବା ମୁଗ ଓ ଗହମ ଉପରେ ନିର୍ଭର କରି ଚଳିବାକୁ ସେ ଆଶା ରଖିଥିଲେ । କିନ୍ତୁ ପୂର୍ବରୁ, ଏପ୍ରିଲ ମାସରେ ହୋଇଥିବା ବର୍ଷା ଫସଲକୁ ନଷ୍ଟ କରିଦେଇଥିଲା । ବର୍ଷା ଯୋଗୁଁ ଗହମ ଚାଷ ବି କ୍ଷତିଗ୍ରସ୍ତ ହୋଇଥିଲା ଏବଂ ୭୦ କିଲୋ ଅମଳ ହେବା ଆଶା ରହିଥିବା ବେଳେ ମାତ୍ର ୪୦ କିଲୋ ଅମଳ ହୋଇଥିଲା, ଯାହାକୁ କି ସେ ନିଜ ପରିବାରର ଖାଦ୍ୟ ପାଇଁ ରଖିଦେଇଥିଲେ । ଯାଦବ କହନ୍ତି, “ଏବେ ମୋର ସବୁ ଆଶା ଜୁନ୍ରେ ଅମଳ ହେବାକୁ ଥିବା ନୂଆ ମୁଗ ଫସଲ ଉପରେ ହିଁ ରହିଛି।”
ପାଶୱାନ ଓ ଯାଦବଙ୍କୁ ୨୫୦ କିଲୋମିଟରର ଅପେକ୍ଷାକୃତ କମ୍ ଦୂରତା ଯାତ୍ରା କରିବାକୁ ପଡ଼ିଥିବା ବେଳେ ଗୟାର ଅମରିତ ମାଂଝୀ ଏବଂ ତାଙ୍କ ଜିଲ୍ଲାର ଅନ୍ୟ ୨୦ ଜଣ ପ୍ରବାସୀ, ଏବେ ବି ୨୩୮୦ କିଲୋମିଟର ଦୂର ତାମିଲନାଡୁରେ ଅଟକି ରହିଛନ୍ତି । ତାମିଲନାଡୁର ତିରୁପୁର ଜିଲ୍ଲା ଅନ୍ତର୍ଗତ ଅବିନାଶି ତାଲୁକା ସଦର ମହକୁମାରେ ଅବସ୍ଥିତ ଘର ଛାତରେ ବ୍ୟବହୃତ ଚାଦର ତିଆରି କାରଖାନାରେ କାମ କରିବା ଲାଗି ୨୦୧୯ ଅକ୍ଟୋବରରେ ବରଚାତି ବ୍ଲକ୍ ଅନ୍ତର୍ଗତ ତାଙ୍କ ଗାଁ ତୁଲା ଚାକ ଛାଡ଼ିଥିଲେ ୨୮ ବର୍ଷୀୟ ମାଂଝୀ ।
କାରଖାନାରେ ସେ ମାସକୁ ୮,୦୦୦ ଟଙ୍କା ରୋଜଗାର କରୁଥିଲେ ଏବଂ ବିହାରରୁ ଆସି ସେଠାରେ କାମ କରୁଥିବା ଅନ୍ୟ ପ୍ରାୟ ୧୫୦ ଜଣ ଶ୍ରମିକଙ୍କ ସହ ରହୁଥିଲେ । କାରଖାନା ମାଲିକ ସମସ୍ତଙ୍କୁ ରହିବା ପାଇଁ ଘର ଦେଇଥିଲେ ।
ମେ ୧୨ ତାରିଖ ଦିନ ମାଂଝୀ ଏବଂ ତାଙ୍କ ସହ କାମ କରୁଥିବା ଅନ୍ୟ ନଅ ଜଣ (ଉପର କଭର ଫଟୋରେ) ଘରକୁ ଫେରିବା ଲାଗି ପାଦରେ ଚାଲି ଚାଲି ଖୁବ୍ ଏକ ଲମ୍ବା ରାସ୍ତାରେ ଯିବାକୁ ଗୋଡ଼ କାଢ଼ିଲେ । କିନ୍ତୁ ସେମାନେ ୨-୩ କିଲୋମିଟର ବାଟ ଚାଲିଥିବେ କି ନାହିଁ, ପୋଲିସ ସେମାନଙ୍କୁ ଅଟକାଇଲା । ସେମାନେ କହନ୍ତି ଯେ ସେମାନଙ୍କୁ ବାଡ଼େଇ ବାଡ଼େଇ ପୁଣି ନିଜ ନିଜ କୋଠରିରେ ଛାଡ଼ି ଦିଆଗଲା । ମେ ୧୬ ତାରିଖ ଦିନ ମାଂଝୀ ମୋତେ କହିଲେ, “ଆମେ ଲକ୍ଡାଉନ୍ (ନିୟମ) ଭାଙ୍ଗୁଥିଲୁ ବୋଲି ପୋଲିସ ଆମକୁ କହିଲା ଏବଂ ଜୋରିମାନା କଲା । ପୋଲିସ ମାଡ଼ରେ ଆମ ଦଳର ଜଣେ ସଦସ୍ୟଙ୍କ ହାତରେ ଗୁରୁତର ଆଘାତ ଲାଗିଥିଲା ଏବଂ ତାଙ୍କ ଚିକିତ୍ସା ପାଇଁ ଆମକୁ ୨,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା ।”
ମାଂଝୀ କହନ୍ତି, “ପୋଲିସ ଆମକୁ ବାଡ଼େଇବା ବଦଳରେ ଆମେ କେମିତି ନିଜ ସହରରେ ପହଞ୍ଚିପାରିବୁ ବୋଲି ବାଟ ବତାଇ ପାରିଥାଆନ୍ତା । ନା କାରଖାନା ମାଲିକ, ନା ସ୍ଥାନୀୟ ପ୍ରଶାସନ, ଆମକୁ କାହାରିଠାରୁ କିଛି ହେଲେ ସାହାଯ୍ୟ ମିଳିନାହିଁ ।” ସେ ସମୟରେ, ପ୍ରବାସୀ ଶ୍ରମିକମାନଙ୍କ ପାଇଁ ତାମିଲନାଡୁ ଓ ବିହାର ମଧ୍ୟରେ ଚଳାଚଳ କରୁଥିବା ‘ଶ୍ରମିକ ସ୍ପେସିଆଲ୍’ ଟ୍ରେନ୍ ସଂପର୍କରେ ସେ ଓ ଅନ୍ୟମାନେ ଜାଣି ନଥିଲେ । ସେ କହିଲେ, “ଯେଉଁ ବାଟରେ ହେଲେ ବି ଆମକୁ ଘରେ ପହଞ୍ଚିବାକୁ ପଡ଼ିବ । ଏବେ ଆମେ ଆଉ କରୋନା ଭାଇରସ୍ କି ଗରମକୁ ଡରୁନାହୁଁ । ହୁଏତ ଆମକୁ ପହଞ୍ଚିବା ପାଇଁ ୧୪ ଦିନ ଲାଗିଯାଇପାରେ, କିନ୍ତୁ ଆମେ ଚାଲୁଥିବୁ ।”
ସେପଟେ ତାଙ୍କ ଗାଁ ତୁଲା ଚାକରେ ଥିବା ଘରେ ରହିଥିଲେ ତାଙ୍କ ତିନି ଭାଇଙ୍କ ସହ ମିଶି ମାଂଝୀ ପରିବାରର ଚାଷଜମିରେ କାମ କରିଥାଆନ୍ତେ । ସାଧାରଣତଃ ତାଙ୍କ ଜମିରେ ଗହମ ଓ ମକା ଚାଷ କରାଯାଏ । କିନ୍ତୁ ୨ ବିଘା (୧.୨ ଏକର) ଜମିର ଫସଲରୁ ତାଙ୍କୁ ଯେଉଁ ଭାଗ ମିଳିଥାଆନ୍ତା, ତାହା ତିରୁପୁରରେ ତାଙ୍କ ରୋଜଗାର ତୁଳନାରେ କମ୍ ହୋଇଥାଆନ୍ତା । ସେଥିପାଇଁ ଘର ଛାଡ଼ି କାମ କରିବାକୁ ଯାଇଥିଲେ ବୋଲି ସେ କହନ୍ତି । ତାଙ୍କ ଅନୁପସ୍ଥିତିରେ ତାଙ୍କ ୨୬ ବର୍ଷୀୟା ସ୍ତ୍ରୀ କିରନ ଦେବୀ ସେମାନଙ୍କ ଜମିର ଦେଖାରଖା କରନ୍ତି ।
ମେ ୧୯ ତାରିଖରୁ କାରଖାନା ମାଲିକ ଖାଦ୍ୟ ସାମଗ୍ରୀ ପଠାଇବା ଆରମ୍ଭ କରିବା ପରେ ମାଂଝୀ ଓ ତାଙ୍କ ସହକର୍ମୀଙ୍କ ପରିସ୍ଥିତି ସୁଧୁରିଲା । ତାଙ୍କ ପାଖରେ ୫୦୦ ଟଙ୍କା ବାକି ଅଛି ଏବଂ କାରଖାନା ଶୀଘ୍ର ଖୋଲିଲେ ସେ ରୋଜଗାର କରି ଘରକୁ ଟଙ୍କା ପଠାଇବେ ବୋଲି ଆଶା ବାନ୍ଧିଛନ୍ତି ।
ତେଣେ ଘଟେରା ଗାଁରେ, ଯାଦବ ବିକଳ୍ପ ଅବଲମ୍ବନର ପନ୍ଥା ଖୋଜୁଛନ୍ତି । ସେ କହନ୍ତି, “ମୁଁ ଏନ୍ଆରଇଜିଏ (ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନାର କାର୍ଯ୍ୟସ୍ଥଳରେ) କାମ ଖୋଜିବି, ଯାହାକି ଏଠାରେ ଏବେ ବି ଆରମ୍ଭ ହୋଇନାହିଁ ।”
ବାରଣାସୀର ଫ୍ଲେବର୍ସ ରେସ୍ତୋରାଁର ମାଲିକ ଏବଂ ଯାଦବଙ୍କ ନିଯୁକ୍ତିଦାତା ଅବିନାଶ କୁମାର କହନ୍ତି ଯେ, ତାଙ୍କର ସମସ୍ତ ୧୬ ଜଣ ଯାକ କର୍ମଚାରୀ ବିହାର ଓ ତାମିଲନାଡୁରେ ଥିବା ନିଜ ନିଜ ସହରକୁ ଫେରିଯାଇଛନ୍ତି । ସେ କହନ୍ତି, “ଅଧିକାଂଶ ରୋଷେୟା ଏଠାକୁ ଫେରିବାକୁ ମନା କରିଦେଇଛନ୍ତି । ଲକ୍ଡାଉନ୍ ପ୍ରତ୍ୟାହୃତ ହୋଇଗଲେ ବି ମୁଁ ଆଉ ଥରେ ବ୍ୟବସାୟ ଆରମ୍ଭ କରିପାରିବି ନାହିଁ ।”
ପାଶୱାନ ମଧ୍ୟ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଆଇନ ଅନୁସାରେ ମାୟାପୁରରେ ଆରମ୍ଭ ହେବାକୁ ଥିବା କାର୍ଯ୍ୟସ୍ଥଳୀରେ କାମ କରିବାକୁ ଅପେକ୍ଷା କରିଛନ୍ତି ଏବଂ ସେଠାକାର ଭୋଜନାଳୟରେ ମଧ୍ୟ ସେ କାମ ଖୋଜିବେ । ସେ କହନ୍ତି, ମାୟାପୁରରେ ତାଙ୍କ ପରିବାରର ଚାଷଜମିରୁ ଯାହା ରୋଜଗାର ହୁଏ, ତାହା ଯୌଥ ପରିବାରର ୧୦ ଜଣ ସଦସ୍ୟଙ୍କ ମଧ୍ୟରେ ଭାଗ ବଣ୍ଟା ହୁଏ ଏବଂ ତାଙ୍କ ଭାଗରେ ଯେତିକି ପଡ଼େ ତାହା ତାଙ୍କ ପରିବାର ଚଳାଇବା ପାଇଁ ଖୁବ୍ କମ୍ ।
ବାରଣାସୀକୁ ଫେରିଯିବା ପାଇଁ ଆଉ ଏକ ସୁଯୋଗ ମିଳିବ ବୋଲି ସେ ଆଶାବାଦୀ । ସେଠାକାର ଭଡ଼ାଘରେ ସେ ଓ ସବିତା ସେମାନଙ୍କର ସବୁ ଜିନିଷପତ୍ର ଛାଡ଼ି ଆସିଛନ୍ତି । ପାଶୱାନ କହନ୍ତି, “ଘରମାଲିକ ଭଡ଼ା ଛାଡ଼ିବାକୁ ରାଜି ହେଲେ ନାହିଁ । ମୁଁ ସେଠାରେ ରହିନଥିଲେ ହେଁ ଫେରିଯିବା ପରେ ସେହି ସମୟ ପାଇଁ ବି ମୋତେ ତାଙ୍କୁ ମାସକୁ ୨,୦୦୦ ଟଙ୍କା ହିସାବରେ ଦେବାକୁ ପଡ଼ିବ ।”
ସେତେବେଳ ଯାଏଁ ତାଙ୍କୁ ରାସ୍ତା ତିଆରି କାମ କିମ୍ବା ଗାତ ଖୋଳିବାକୁ ପଡ଼ିବ । ସେ ପଚାରନ୍ତି, “ମୋ ପାଖରେ ଆଉ କିଛି ବାଟ ଅଛି କି ? ମୋ ପିଲାମାନଙ୍କୁ ଖାଇବାକୁ ଦେବା ପାଇଁ ଯାହା ବି କିଛି କାମ ମିଳିବ, ମୋତେ କରିବାକୁ ହିଁ ପଡ଼ିବ ।”
ଅନୁବାଦ: ଓଡ଼ିଶାଲାଇଭ୍