ପ୍ରାତଃ କାଳରେ, ସୁନିତା ସାହୁ କଷ୍ଟରେ କର ଲେଉଟାଇ ପଚାରିଲେ,"ପିଲାମାନେ କେଉଁଠାରେ?" ତାଙ୍କର ସ୍ୱାମୀ ବୋଧରାମ କହିଲେ ସେମାନେ ଶୋଇଛନ୍ତି। ସେ ଦୀର୍ଘ ନିଶ୍ୱାସ ଛାଡିଲେ। ଗତ ରାତିରେ ସେ ଶୋଇନଥିଲେ। ଯାହାକି ବୋଧରାମଙ୍କୁ ବିଚଳିତ କରିଥିଲା। ସେ ତାଙ୍କୁ ଅନେକ ସମୟରେ ଥଟ୍ଟା କରି କହୁଥିଲେ ଯେ ଯେକୌଣସି ସମୟରେ, ଯେ କୌଣସି ସ୍ଥାନରେ ସେ ଶୋଇପାରିବେ।
କିନ୍ତୁ ଏପ୍ରିଲ୍ ମାସ ୨୮ ତାରିଖର ରାତିରେ ବୋଧରାମ ଓ ସୁନିତା ସାହୁଙ୍କର ତିନି ପୁଅ(୧୨ ବର୍ଷ ରୁ ୨୦ ବର୍ଷ ବୟସ ମଧ୍ୟରେ) ପାଳି କରି ନିଜ ମାଙ୍କର ବାହୁ, ଗୋଡ,ହାତ ଓ ପେଟକୁ ଗରମ ସୋରିଷ ତେଲରେ ମାଲିସ କରିବା ବେଳେ ସେ ଯନ୍ତ୍ରଣାରେ ଚିତ୍କାର କରୁଥିଲେ। ସେ ଧୀର ସ୍ୱରରେ କହୁଥିଲେ,"ମୋର କିଛି ହେଇଯାଉଛି"- ଏହା ହେଉଛି ବୋଧରାମଙ୍କ ସକାଳର ସ୍ମୁତି।
ସାହୁ ପରିବାର ଲକ୍ଷ୍ନୌ ଜିଲ୍ଲାର ଖରଗପୁର ଜାଗିର ଗାଁରେ ଏକ ଝୁମ୍ପୁଡି ଘରେ ରୁହନ୍ତି।ସେମାନେ ଦୁଇ ଦଶନ୍ଧି ପୂର୍ବରୁ ଛତିଶଗଡର ବେମେଟ୍ରା ଜିଲ୍ଲାର ନିଜ ଗ୍ରାମ ମାରୋଠାରୁ ଚିନହାଟ ବ୍ଲକର ଏହି ଗ୍ରାମକୁ ଚାଲିଆସିଥିଲେ। ୪୨ ବର୍ଷୀୟ ବୋଧରାମ ନିର୍ମାଣ ସ୍ଥାନରେ ରାଜମିସ୍ତ୍ରୀ ଭାବରେ କାମ କରନ୍ତି; ୩୯ ବର୍ଷୀୟା ସୁନିତା ଜଣେ ଗୃହିଣୀ ଥିଲେ।
ଏପ୍ରିଲ୍ ମାସରେ କୋଭିଡ-୧୯ ର ଦ୍ୱିତୀୟ ଲହର ଉତ୍ତରପ୍ରଦେଶକୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା। ଏପ୍ରିଲ୍ ମାସ ୨୪ ତାରିଖରେ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୩୮୦୫୫ ଥିଲା - ଏହା ସର୍ବାଧିକ ଥିଲା, ୟୁପି ଲିଖିତ ବିବରଣୀରେ ଏହି ସଂଖ୍ୟାକୁ କମ୍ ଦର୍ଶାଇବା ଚିନ୍ତାର ବିଷୟ ଥିଲା।
ଲକ୍ଷ୍ନୌର ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଆରଏମଏଲଆଇଏମଏସ) ର କମ୍ୟୁନିଟି ମେଡିସିନ ବିଭାଗରେ ସହାୟକ ଅଧ୍ୟାପକ,ରଶ୍ମୀ କୁମାରୀ କୁହନ୍ତି,"ପ୍ରକୃତ ସଂକ୍ରମିତ ସଂଖ୍ୟା ଚାରି ରୁ ପାଞ୍ଚ ଗୁଣା ଅଧିକ ହେଇପାରେ।। ଲିଖିତ ବିବରଣୀରେ ସଂଖ୍ୟା କମ୍ ରହିଛି କାରଣ ଜନସାଧାରଣ ଅପବାଦର ଭୟରେ ପରୀକ୍ଷା ପାଇଁ ଆସୁନାହାଁନ୍ତି। ଏହିପରି ପରିସ୍ଥିତିରେ ପ୍ରକୃତ ସଂଖ୍ୟା ପାଇବା କଷ୍ଟସାଧ୍ୟ।"
ସାହୁ ପରିବାର ନିଶ୍ଚିତ ଥିଲେ କି ସୁନିତାଙ୍କୁ କୋଭିଡ-୧୯ ସଂକ୍ରମିତ ହୋଇନଥିଲା କାରଣ ପରିବାରର ଅନ୍ୟ କେହି ସଂକ୍ରମିତ ହୋଇନଥିଲେ, ଯଦିଓ ତାଙ୍କର ଜ୍ୱର, ଶରୀର ଯନ୍ତ୍ରଣା ଓ ଅତିରିକ୍ତ ତରଳଝାଡ଼ା ହେଉଥିଲା - ଯାହାକି କରୋନା ଭୂତାଣୁରେ ସଂକ୍ରମିତ ହେବାର ଲକ୍ଷଣ ଅଟେ।












