ରୁକ୍ସାନା ଖାତୁନ ଭାବିଥିଲେ ତାଙ୍କୁ ପରିବାରର ପେଟ ଚିନ୍ତା ଆଉ କରିବାକୁ ପଡ଼ିବ ନାହିଁ। ଏହା ନଭେମ୍ବର ୨୦୨୦ର କଥା, ଦୀର୍ଘ ଦୁଇ ବର୍ଷ ଧରି ସଂଘର୍ଷ କରିବା ପରେ, ତୃତୀୟ ପ୍ରୟାସରେ ତାଙ୍କୁ ରାସନ କାର୍ଡ ଖଣ୍ଡେ ମିଳିଥିଲା। ଅଚାନକ, ମହାମାରୀ ବର୍ଷର ସବୁଠୁ ଖରାପ ସମୟ ତାଙ୍କ ଜୀବନରେ ଆସିଥିଲା।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ), ୨୦୧୩ ଅଧୀନରେ ତାଙ୍କୁ ‘ପ୍ରାଥମିକତା ପରିବାର’ ବର୍ଗରେ ରାସନ କାର୍ଡ ମିଳିଥିଲା, ଏଥିପାଇଁ ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରିଥାନ୍ତି।
ସେତେବେଳେ ସେମାନେ ରହୁଥିବା ପୈତୃକ ଘର ଠିକଣା ସେଥିରେ ରହିଥିଲା – ଯାହାକି ଏବେ ବିହାର ଦରଭଙ୍ଗା ଜିଲ୍ଲାର ଧୂଳିଧୂସରିତ ନଗର ନିଗମ ଅଞ୍ଚଳରେ ସାମିଲ ହୋଇଥିବା ଏକ ଗାଁର ମାନ୍ୟତା ପାଇଛି। ଶେଷରେ ରୁକ୍ସାନାଙ୍କୁ ସାତ ଜଣିଆ ସଦସ୍ୟ ବିଶିଷ୍ଟ ନିଜ ପରିବାର ଲୋକଙ୍କ ପାଇଁ ସବସିଡିଯୁକ୍ତ ରାସନ ମିଳିଯାଇଥିଲା।
ଏହାପରେ ଅଗଷ୍ଟ ୨୦୨୧ରେ ସମସ୍ତେ ଦିଲ୍ଲୀ ଚାଲିଆସିଲେ, ଏବଂ ଆଇନଗତ ଭାବେ ସେମାନଙ୍କ ପରିବାରକୁ ମିଳୁଥିବା ଖାଦ୍ୟଶସ୍ୟ ମିଳିବା କ୍ଷେତ୍ରରେ ପୁଣି ଏକ ବାଧା ଉତ୍ପନ୍ନ ହେଲା।
କେନ୍ଦ୍ର ସରକାରଙ୍କ ‘ଏକ ରାଷ୍ଟ୍ର, ଏକ ରାସନ କାର୍ଡ (ଓଏନଓଆରସି) ଯୋଜନା ଅଧୀନରେ, ଏନଏଫଏସଏ ହିତାଧିକାରୀ – ଯେଉଁମାନେ ‘ପ୍ରାଥମିକତା ପରିବାର’ ଏବଂ ‘ଦରିଦ୍ରରୁ ଦରିଦ୍ରତମ’ ବର୍ଗରେ ଶ୍ରେଣୀଭୁକ୍ତ ହୋଇଛନ୍ତି, ସେମାନେ ନିଜ କୋଟା ବାବଦ ଖାଦ୍ୟଶସ୍ୟ ଦେଶର ଯେକୌଣସି ସରକାରୀ ରାସନ କେନ୍ଦ୍ରରୁ ନେଇପାରିବେ। ଆଧାର-ସଂଯୁକ୍ତ ବାୟୋମେଟ୍ରିକ ପ୍ରାମାଣୀକରଣ ବ୍ୟବହାର କରି ସାଧାରଣ ବଣ୍ଟନ ପ୍ରଣାଳୀ (ପିଡିଏସ), ଅଧୀନରେ ଖାଦ୍ୟ ସାମଗ୍ରୀ ବିତରଣ କରିବା ଲାଗି ଏସବୁ କେନ୍ଦ୍ରକୁ ଲାଇସେନ୍ସ ପ୍ରଦାନ କରାଯାଇଛି। କିନ୍ତୁ ନିକଟସ୍ଥ ପଶ୍ଚିମ ଦିଲ୍ଲୀ ଶାଦୀପୁର ମୁଖ୍ୟ ବଜାରରେ ଥିବା ସରକାରୀ ରାସନ କେନ୍ଦ୍ରକୁ ରୁକ୍ସାନା ଯେତେଥର ନିଜ ମାସିକ ରାସନ କୋଟା ଆଣିବାକୁ ଯାଇଛନ୍ତି, ସେଠାରେ ଥିବା ଇଲେକ୍ଟ୍ରୋନିକ ପଏଣ୍ଟ ଅଫ୍ ସେଲ (ଇ-ପିଓଏସ) ମେସିନ୍ ଦେଖାଇଛି : ‘Ration card not found in IMPDS’ (ଆଇଏମପିଡିଏସରେ ରାସନ କାର୍ଡ ଉପଲବ୍ଧ ନାହିଁ)।
ପିଡିଏସ ଅଧୀନରେ ବିତରଣ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଖାଦ୍ୟ ଶସ୍ୟ ଯୋଗାଇ ଦେଇଥାନ୍ତି। ତେବେ ଓଏନଓଆରସି ଯୋଜନା ଅଧୀନରେ ଯୋଗ୍ୟ ପ୍ରବାସୀମାନଙ୍କୁ ଦେଶର ଯେକୌଣସି ସ୍ଥାନରୁ ସେମାନଙ୍କ ଭାଗର ଖାଦ୍ୟଶସ୍ୟ ପାଇବା ଲାଗି ୨୦୧୮ରେ ‘ସାଧାରଣ ବଣ୍ଟନ ପ୍ରଣାଳୀର ସମନ୍ୱିତ ପରିଚାଳନା’ (ଆଇଏମପିଡିଏସ) ବ୍ୟବସ୍ଥା ଆରମ୍ଭ କରାଯାଇଥିଲା।













