୩୩ ବର୍ଷୀୟ ଆରେତୀ ବସୁ, ତାଙ୍କ ବିରୋଧରେ ୨୩ଟି ଅପରାଧିକ ମାମଲା ଦାୟର ହୋଇଛି। ତାଙ୍କ ମା’ ୫୫ ବର୍ଷୀୟା ଏ. ସତ୍ୟବତୀଙ୍କ ମୁଣ୍ଡରେ ୮ଟି ମାମଲା। ଆନ୍ଧ୍ରପ୍ରଦେଶ ତୁନ୍ଦୁରୁ ଗାଁର ବସୁଙ୍କୁ ଜୋର ଜବରଦସ୍ତ ତିନି ଥର ଜେଲରେ ଭର୍ତ୍ତି କରାଯାଇଛି। ସେପଟେମ୍ବର ୨୦୧୬ରୁ ବର୍ତ୍ତମାନ ସୁଦ୍ଧା ସେ ୬୭ ଦିନ ଜେଲରେ କାଟିସାରିଲେଣି। ତାଙ୍କ ମା’ ୪୫ ଦିନ ଜେଲ ଜୀବନ କାଟିଛନ୍ତି।
ସେ ଖୁବ ସରଳ ଭାବେ କହିଲେ, ‘‘ମୁଁ କେବଳ ଆରଟିଆଇରେ ଆବେଦନ କରିଥିଲି’’
ଏହି କାର୍ଯ୍ୟର ପରିଣାମ ଏତେ ସରଳ ନୁହେଁ। ପୋଲିସ ଚଢଉ, ଧମକ, ଘର ଭିତରୁ ଘୋଷାଡି ବାହାର କରିବା ଏବଂ ପ୍ରତିଷେଧକ ଭାବେ ହାଜତରେ ରଖିବା, ଏସବୁ ତୁନ୍ଦୁରୁରେ ଏବେ ସାଧାରଣ ଘଟଣା ହୋଇଯାଇଛି। ପଡ଼ୋଶୀ ଭୀମାବରମ ମଣ୍ଡଳର ଜୋନାଲାଗାରୁବୁ ଗାଁ ଏବଂ ନରସପୁର ମଣ୍ଡଳର କେ. ବେଥାପୁଡି ଗାଁରେ ମଧ୍ୟ ଏହି ଘଟଣା ଘଟୁଛି। ଏହି ତିନିଟି ଗାଁ ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଅବସ୍ଥିତ।
ଏଠିକାର ଗ୍ରାମବାସୀଙ୍କ ଭିତରୁ ଅଧିକାଂଶ କ୍ଷୁଦ୍ରଚାଷୀ, ଧୀବର ଏବଂ ଶ୍ରମିକ। ଏମାନେ ଗୋଦାବରୀ ମେଗା ଫୁଡ୍ ପାର୍କ ପ୍ରାଇଭେଟ୍ ଲିମିଟେଡ୍ (ଜିଏମଏଏଫପି) ପ୍ରତିଷ୍ଠା ନେଇ ଆନ୍ଦୋଳନ କରୁଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଭାବେ ବାୟୁ ଏବଂ ଜଳ ପ୍ରଦୂଷଣ ହେବ ଯାହା ଏମାନଙ୍କ ଜୀବନକୁ ଦୁର୍ବିସହ କରିବ। ୟୁରୋପ ଏବଂ ଆମେରିକା ଭଳି ବଜାରକୁ ରପ୍ତାନୀ ପାଇଁ ଏଭଳି ଫୁଡ୍ ପାର୍କରେ ମାଛ, ଚିଙ୍ଗୁଡି ଏବଂ କଙ୍କଡ଼ା ପ୍ରକ୍ରିୟାକରଣ ହୋଇଥାଏ। ଜିଏମ୍ଏଏଫପି ବିରୋଧରେ ଆନ୍ଦୋଳନ ପାଇଁ ଗଠିତ ହୋଇଥିବା କମିଟିର ଆକଳନ ଅନୁସାରେ ପ୍ରତିଦିନ ପ୍ରକ୍ରିୟାକରଣ ପାଇଁ ୧.୫ ଲକ୍ଷ ଲିଟର ପାଣି ବ୍ୟବହାର ହେବ। ସେମାନେ କହନ୍ତି, ‘‘ପ୍ରତିଦିନ କାରଖାନାରୁ ୫୦,୦୦୦ ଲିଟର ପ୍ରଦୂଷିତ ପାଣି ବାହାରିବ।’’ ଏହି ପାଣି ଏହି ଜିଲ୍ଲାରୁ ଗୋଣ୍ଟେରୁ ଡ୍ରେନ୍ ଦେଇ ସମୁଦ୍ରରେ ମିଶିବ।










