ଦୀପା ଯେତେବେଳେ ହସ୍ପିଟାଲ ଛାଡ଼ିଲେ, ସେ ଜାଣିନଥିଲେ ଯେ ତାଙ୍କ ଶରୀର ମଧ୍ୟରେ ଏକ କପର-ଟି ଭର୍ତ୍ତି କରାଯାଇଛି।
ସେ ତାଙ୍କର ଦ୍ୱିତୀୟ ପ୍ରସବରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ଏବଂ ଏକ ବନ୍ଧ୍ୟାକରଣ କରିବାକୁ ଚାହୁଁଥିଲେ। କିନ୍ତୁ ସି-ସେକ୍ସନ୍ ସର୍ଜରୀ ମାଧ୍ୟମରେ ପ୍ରସବ କରାଯାଇଥିଲା ଏବଂ ଦୀପା କୁହନ୍ତି, “ଡାକ୍ତର ମୋତେ କହିଥିଲେ ଯେ ଉଭୟ ଅପରେସନ୍ ଏକ ସମୟରେ କରାଯାଇପାରିବ ନାହିଁ।”
ଡାକ୍ତର ଏହା ବଦଳରେ ଏକ କପର-ଟି ସୁପାରିଶ କରିଥିଲେ। ଦୀପା ଏବଂ ତାଙ୍କ ସ୍ୱାମୀ ନବୀନ (ସେମାନଙ୍କର ପ୍ରକୃତ ନାମ ନୁହେଁ) ଏହା କେବଳ ଏକ ପରାମର୍ଶ ବୋଲି ବିଶ୍ୱାସ କରିଥିଲେ।
୨୦୧୮ ମସିହା ମଇ ମାସରେ ପ୍ରସବ କରିବାର ପ୍ରାୟ ଚାରି ଦିନ ପରେ, ୨୧ ବର୍ଷୀୟା ଦୀପାଙ୍କୁ ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଦିନ୍ଦୟାଲ ଉପାଧ୍ୟାୟ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ନବୀନ କୁହନ୍ତି, "ଡାକ୍ତର ତାଙ୍କର ଶରୀରରେ ଏକ କପର-ଟି ଭର୍ତ୍ତି କରିବା ବିଷୟରେ ଆମେମାନେ ଅବଗତ ନଥିଲୁ।"
ପ୍ରାୟ ଏକ ସପ୍ତାହ ପରେ, ଯେତେବେଳେ ସେମାନଙ୍କ ଅଞ୍ଚଳର ଆଶା କର୍ମୀ ଦୀପାଙ୍କ ହସ୍ପିଟାଲ୍ର ଡିସଚାର୍ଜ ରିପୋର୍ଟ ପଢ଼ିଥିଲେ - ଯାହାକି ଦୀପା ଏବଂ ନବୀନ ପଢ଼ିନଥିଲେ - ସେତେବେଳେ ସେମାନେ କ’ଣ ଘଟିଥିଲା ତାହା ବିଷୟରେ ଜାଣିବାକୁ ପାଇଥିଲେ।
କପର-ଟି ହେଉଛି ଏକ ଇଣ୍ଟ୍ରାୟୁଟେରାଇନ୍ ଗର୍ଭନିରୋଧକ ଉପକରଣ (ଆଇୟୁଡି) ଯାହା ଗର୍ଭଧାରଣକୁ ଏଡ଼ାଇବା ପାଇଁ ଗର୍ଭାଶୟରେ ଭର୍ତ୍ତି କରାଯାଇଥାଏ। ୨୦୧୩ ମସିହାରୁ ଦୀପାଙ୍କ ଗାଁରେ ଆଶା (ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତା) କର୍ମୀ ଭାବରେ କାର୍ଯ୍ୟ କରୁଥିବା ୩୬ ବର୍ଷୀୟା ସୁଶୀଲା ଦେବୀ ସ୍ପଷ୍ଟ କରିଛନ୍ତି, “ଏହା ଆଡଜଷ୍ଟ ହେବା ପାଇଁ ତିନି ମାସ ପର୍ଯ୍ୟନ୍ତ ସମୟ ନେଇପାରେ, ଏବଂ ବେଳେବେଳେ କେତେକଙ୍କ ପାଇଁ ଅଶ୍ୱସ୍ତିକର ହୋଇଥାଏ। ଏହି କାରଣରୁ ଆମେ ପ୍ରାୟତଃ ରୋଗୀମାନଙ୍କୁ ଡିସପେନସାରିରେ ନିୟମିତ ଯାଞ୍ଚ ପାଇଁ [ଛଅ ମାସ ପର୍ଯ୍ୟନ୍ତ] ଆସିବାକୁ କହିଥାଉ।
କିନ୍ତୁ ଦୀପା ପ୍ରଥମ ତିନିମାସ ମଧ୍ୟରେ କୌଣସି ଅସୁବିଧା ଅନୁଭବ କଲେ ନାହିଁ, ଏବଂ ବଡ ପୁଅର ଅସୁସ୍ଥତାକୁ ନେଇ ବ୍ୟସ୍ତ ଥିବାରୁ ସେ ଚେକ୍ ଅପ୍ କରିବାକୁ ଯାଇ ନଥିଲେ। ସେ ଟିର ବ୍ୟବହାର ଜାରି ରଖିବାକୁ ସ୍ଥିର କରିଥିଲେ।










