ବର୍ତ୍ତମାନ ସକାଳ ୬ଟା ବାଜିଛି ଏବଂ ସରନ୍ୟା ବାଲାରମଣ ଗୁମ୍ମିଦିପୁଣ୍ଡିରେ ଥିବା ନିଜ ଘର ଛାଡୁଛନ୍ତି । ଚେନ୍ନାଇ ନିକଟସ୍ଥ ତିରୁବଲ୍ଲୁର ଜିଲ୍ଲାରେ ଏହି ଛୋଟ ସହରରେ ଥିବା ରେଳ ଷ୍ଟେସନରେ ସେ ତାଙ୍କର ୩ ପିଲାଙ୍କ ସହିତ ଏକ ଲୋକାଲ୍ ଟ୍ରେନ୍ ଚଢ଼ନ୍ତି । ପ୍ରାୟ ୨ ଘଣ୍ଟା ପରେ ସେ ୪୦ କିମି ଦୂରରେ ଥିବା ଚେନ୍ନାଇ ସେଣ୍ଟ୍ରାଲ ଷ୍ଟେସନରେ ପହଞ୍ଚନ୍ତି । ସ୍କୁଲରେ ପହଞ୍ଚିବା ଲାଗି ଏଠାରୁ ମା’ ଓ ତାଙ୍କର ପିଲାମାନେ ଲୋକାଲ୍ ଟ୍ରେନରେ ଆଉ ୧୦-୧୨ କିମି ଯାତ୍ରା କରନ୍ତି ।
ସନ୍ଧ୍ୟାରେ ୪ଟା ସମୟରେ ଏହି ଯାତ୍ରା ବିପରୀତ ଦିଗରେ ଆରମ୍ଭ ହୁଏ ଏବଂ ବର୍ତ୍ତମାନ ୭ଟା ବାଜିଛି । ଏହି ସମୟ ବେଳକୁ ସେମାନେ ଘରେ ପହଞ୍ଚି ଯାଆନ୍ତି ।
ଘରୁ ସ୍କୁଲ ଏବଂ ସେଠାରୁ ପୁଣି ଫେରିବାର ଏହି ୧୦୦ କିମିରୁ ଅଧିକ ଯାତ୍ରା ସପ୍ତାହରେ ୫ ଥର କରାଯାଇଥାଏ । ଏହା ସରନ୍ୟାଙ୍କ ଲାଗି ଏକ ଉପଲବ୍ଧି, ଯେପରିକି ସେ କହନ୍ତି: ‘‘ଏହା ପୂର୍ବରୁ [ତାଙ୍କ ବାହାଘର ଆଗରୁ], କେଉଁଠାରେ ବସ୍ ବା ଟ୍ରେନ୍ ଚଢ଼ିବାକୁ ହୋଇଥାଏ ତାହା ମୁଁ ଜାଣିନଥିଲି। କିମ୍ବା କେଉଁଠାରେ ଓହ୍ଲାଇବାର ଅଛି ତାହା ଜାଣିନଥିଲି ।’’

























