ସୁଖରାନୀ ସିଂଙ୍କର ଏପରି କୌଣସି ଗୋଟିଏ ବର୍ଷ ମନେ ନାହିଁ ଯେତେବେଳେ ସେ ଜଙ୍ଗଲକୁ ଯାଇ ମହୁଲ ଫୁଲ ଏକାଠି କରିନଥିବେ। ୪୫ ବର୍ଷୀୟା ସୁଖରାନୀ କୁହନ୍ତି, “ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ନିଜ ମା’ଙ୍କ ସହିତ ଜଙ୍ଗଲକୁ ଯାଉଥିଲି। ଏବେ ମୁଁ ନିଜ ପିଲାମାନଙ୍କ ସହିତ ଯାଉଛି।” ସେ ସକାଳ ପ୍ରାୟ ୫ ଟାରେ ଘରୁ ମହୁଲ ସଂଗ୍ରହ କରିବା ଲାଗି ବାହାରି ଯାଇଥାନ୍ତି। ସକାଳୁ ସକାଳୁ ଗଛରୁ ମହୁଲ ଫୁଲ ପଡ଼ିଥାଏ। ସେ ସେଠାରେ ଅପରାହ୍ଣ ପର୍ଯ୍ୟନ୍ତ ରହିଥାନ୍ତି ଏବଂ ଗରମ ବଢ଼ିବା ସମୟରେ ଖସୁଥିବା ମହୁଲକୁ ଏକାଠି କରିଥାନ୍ତି। ଘରେ ପହଞ୍ଚିବା ପରେ ସେ ସେଗୁଡ଼ିକୁ ଖରାରେ ଶୁଖିବା ଲାଗି ଚଟାଣରେ ଖେଳାଇ ଦେଇଥାନ୍ତି।
ସୁଖରାନୀଙ୍କ ଭଳି ଛୋଟ ଚାଷୀଙ୍କ ପାଇଁ ମହୁଆ ଫୁଲ ଆୟର ଏକ ସୁନିଶ୍ଚିତ ମାଧ୍ୟମ, ଯିଏକି ମଧ୍ୟପ୍ରଦେଶର ଉମରିଆ ଜିଲ୍ଲାର ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟର ଅତି ନିକଟରେ ରହିଥାନ୍ତି। ମାନପୁର ବ୍ଲକସ୍ଥିତ ତାଙ୍କ ଗ୍ରାମ ପରାସୀଠାରୁ ପାଖାପାଖି ୩୦ କିଲୋମିଟର ଦୂରରେ ଥିବା ଉମରିଆ ବଜାରରେ ଗୋଟିଏ କିଲୋ ଶୁଖିଲା ମହୁଲ ଫୁଲ ବିକିଲେ ୪୦ ଟଙ୍କା ରୋଜଗାର ହୋଇଥାଏ। ଗୋଟିଏ ଋତୁରେ ସେ ପାଖାପାଖି ୨୦୦ କିଲୋ ମହୁଲ ଫୁଲ ସଂଗ୍ରହ କରି ନେଇଥାନ୍ତି। ମହୁଲ ଫୁଲର ଋତୁ ଏପ୍ରିଲ ମାସରେ ୨-୩ ସପ୍ତାହ ପର୍ଯ୍ୟନ୍ତ ରହିଥାଏ। ସୁଖରାନୀ କୁହନ୍ତି, “ମହୁଲ ଗଛ ଆମ ପାଇଁ ଅତ୍ୟନ୍ତ ମୂଲ୍ୟବାନ।” ମହୁଲ ଫୁଲ ବ୍ୟତୀତ ଏହାର ଫଳ ଓ ଗଛ ଛାଲିରେ ପୋଷକ ଓ ଔଷଧିୟ ଗୁଣ ରହିଥିବା କାରଣରୁ ଏହାର ବିଶେଷ ମହତ୍ୱ ରହିଛି।
ମହୁଲ ଫୁଲ ୠତୁରେ ସୁଖରାନୀ ଅପରାହ୍ଣ ୧ ଟା ପାଖାପାଖି ଘରକୁ ଫେରିଥାନ୍ତି ଓ ରୋଷେଇ କରିଥାନ୍ତି, ଏଥିରେ ତାଙ୍କ ସ୍ୱାମୀ ଓ ୫ ପିଲାଙ୍କ ପେଟ ପୂରିଥାଏ। ଏହାପରେ ଅପରାହ୍ଣ ପାଖାପାଖି ୩ଟା ବେଳେ ସେ ନିଜ ସ୍ୱାମୀଙ୍କ ସହିତ ଗହମ ଫସଲ କାଟିବା ଓ ଏକତ୍ରିତ କରିବା ଲାଗି ଯାଇଥାନ୍ତି। ସୁଖରାନୀ ଏବଂ ତାଙ୍କର ସ୍ୱାମୀ ଗୋଣ୍ଡ ଆଦିବାସୀ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରିଥାନ୍ତି, ସେମାନଙ୍କ ପାଖରେ ପାଖାପାଖି ୪ ବିଘା ଜମି (ପ୍ରାୟ ଗୋଟିଏ ଏକର)ରହିଛି, ଯେଉଁଠାରେ ସେମାନେ ବର୍ଷା ଜଳ ସାହାଯ୍ୟରେ ଗହମ ଚାଷ କରିଥାନ୍ତି। ସାଧାରଣତଃ ଏହି ଶସ୍ୟ ପରିବାରର ଉପଯୋଗ ପାଇଁ ହୋଇଥାଏ।











