ସୁଖରାନୀ ସିଂଙ୍କର ଏପରି କୌଣସି ଗୋଟିଏ ବର୍ଷ ମନେ ନାହିଁ ଯେତେବେଳେ ସେ ଜଙ୍ଗଲକୁ ଯାଇ ମହୁଲ ଫୁଲ ଏକାଠି କରିନଥିବେ। ୪୫ ବର୍ଷୀୟା ସୁଖରାନୀ କୁହନ୍ତି, “ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ନିଜ ମା’ଙ୍କ ସହିତ ଜଙ୍ଗଲକୁ ଯାଉଥିଲି। ଏବେ ମୁଁ ନିଜ ପିଲାମାନଙ୍କ ସହିତ ଯାଉଛି।” ସେ ସକାଳ ପ୍ରାୟ ୫ ଟାରେ ଘରୁ ମହୁଲ ସଂଗ୍ରହ କରିବା ଲାଗି ବାହାରି ଯାଇଥାନ୍ତି। ସକାଳୁ ସକାଳୁ ଗଛରୁ ମହୁଲ ଫୁଲ ପଡ଼ିଥାଏ। ସେ ସେଠାରେ ଅପରାହ୍ଣ ପର୍ଯ୍ୟନ୍ତ ରହିଥାନ୍ତି ଏବଂ ଗରମ ବଢ଼ିବା ସମୟରେ ଖସୁଥିବା ମହୁଲକୁ ଏକାଠି କରିଥାନ୍ତି। ଘରେ ପହଞ୍ଚିବା ପରେ ସେ ସେଗୁଡ଼ିକୁ ଖରାରେ ଶୁଖିବା ଲାଗି ଚଟାଣରେ ଖେଳାଇ ଦେଇଥାନ୍ତି।
ସୁଖରାନୀଙ୍କ ଭଳି ଛୋଟ ଚାଷୀଙ୍କ ପାଇଁ ମହୁଆ ଫୁଲ ଆୟର ଏକ ସୁନିଶ୍ଚିତ ମାଧ୍ୟମ, ଯିଏକି ମଧ୍ୟପ୍ରଦେଶର ଉମରିଆ ଜିଲ୍ଲାର ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟର ଅତି ନିକଟରେ ରହିଥାନ୍ତି। ମାନପୁର ବ୍ଲକସ୍ଥିତ ତାଙ୍କ ଗ୍ରାମ ପରାସୀଠାରୁ ପାଖାପାଖି ୩୦ କିଲୋମିଟର ଦୂରରେ ଥିବା ଉମରିଆ ବଜାରରେ ଗୋଟିଏ କିଲୋ ଶୁଖିଲା ମହୁଲ ଫୁଲ ବିକିଲେ ୪୦ ଟଙ୍କା ରୋଜଗାର ହୋଇଥାଏ। ଗୋଟିଏ ଋତୁରେ ସେ ପାଖାପାଖି ୨୦୦ କିଲୋ ମହୁଲ ଫୁଲ ସଂଗ୍ରହ କରି ନେଇଥାନ୍ତି। ମହୁଲ ଫୁଲର ଋତୁ ଏପ୍ରିଲ ମାସରେ ୨-୩ ସପ୍ତାହ ପର୍ଯ୍ୟନ୍ତ ରହିଥାଏ। ସୁଖରାନୀ କୁହନ୍ତି, “ମହୁଲ ଗଛ ଆମ ପାଇଁ ଅତ୍ୟନ୍ତ ମୂଲ୍ୟବାନ।” ମହୁଲ ଫୁଲ ବ୍ୟତୀତ ଏହାର ଫଳ ଓ ଗଛ ଛାଲିରେ ପୋଷକ ଓ ଔଷଧିୟ ଗୁଣ ରହିଥିବା କାରଣରୁ ଏହାର ବିଶେଷ ମହତ୍ୱ ରହିଛି।
ମହୁଲ ଫୁଲ ୠତୁରେ ସୁଖରାନୀ ଅପରାହ୍ଣ ୧ ଟା ପାଖାପାଖି ଘରକୁ ଫେରିଥାନ୍ତି ଓ ରୋଷେଇ କରିଥାନ୍ତି, ଏଥିରେ ତାଙ୍କ ସ୍ୱାମୀ ଓ ୫ ପିଲାଙ୍କ ପେଟ ପୂରିଥାଏ। ଏହାପରେ ଅପରାହ୍ଣ ପାଖାପାଖି ୩ଟା ବେଳେ ସେ ନିଜ ସ୍ୱାମୀଙ୍କ ସହିତ ଗହମ ଫସଲ କାଟିବା ଓ ଏକତ୍ରିତ କରିବା ଲାଗି ଯାଇଥାନ୍ତି। ସୁଖରାନୀ ଏବଂ ତାଙ୍କର ସ୍ୱାମୀ ଗୋଣ୍ଡ ଆଦିବାସୀ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରିଥାନ୍ତି, ସେମାନଙ୍କ ପାଖରେ ପାଖାପାଖି ୪ ବିଘା ଜମି (ପ୍ରାୟ ଗୋଟିଏ ଏକର)ରହିଛି, ଯେଉଁଠାରେ ସେମାନେ ବର୍ଷା ଜଳ ସାହାଯ୍ୟରେ ଗହମ ଚାଷ କରିଥାନ୍ତି। ସାଧାରଣତଃ ଏହି ଶସ୍ୟ ପରିବାରର ଉପଯୋଗ ପାଇଁ ହୋଇଥାଏ।
ପରାସୀ ଗ୍ରାମରେ ରହୁଥିବା କୁମ୍ଭାର ସମୁଦାୟର ସୁରଜନ ପ୍ରଜାପତି ମଧ୍ୟ ଜଙ୍ଗଲକୁ ଯାଇ ମହୁଲ ଗୋଟାଇଥାନ୍ତି। ୬୦ ବର୍ଷୀୟ ସୁରଜନ କୁମ୍ଭାର (ଉମରିଆରେ ଓବିସି ବର୍ଗ ଭାବେ ତାଲିକାଭୁକ୍ତ) ଜାତିର ଅଟନ୍ତି, ସେ କୁହନ୍ତି, “ଜଣେ ବ୍ୟବସାୟୀ ଗାଁକୁ ଆସି ମୋ ଠାରୁ ମହୁଲ ଫୁଲ କିଣି ନେଇଥାନ୍ତି ଏବଂ ବେଳେ ବେଳେ ମୁଁ ଏହାକୁ ହାଟ (ସ୍ଥାନୀୟ ବଜାର)ରେ ବିକ୍ରି କରିଥାଏ। ମାଟି ପାତ୍ର ତିଆରି କରି ସେଥିରୁ ହେଉଥିବା ଆୟରେ ପେଟ ପୋଷିବା ସମ୍ଭବପର ନୁହେଁ। ଅପରାହ୍ଣରେ ଘରକୁ ଫେରିଲେ ଶ୍ରମ-ମଜୁରି ସନ୍ଧାନରେ ବାହାରି ଯାଇଥାଏ।” ତାଙ୍କ ଘରେ ଲୁଣ କିମ୍ବା ତେଲ ସରିଗଲେ ଅଭାବ ଦୂର କରିବା ଲାଗି ସେ କିଛି କିଲୋ ଶୁଖିଲା ମହୁଲ ଫୁଲ ବିକ୍ରି କରିଦେଇଥାନ୍ତି।
ଉମରିଆରେ ସ୍ଥାନୀୟ ଲୋକମାନେ କୁହନ୍ତି ଯେ ଜଙ୍ଗଲରେ ଗଛ କଟାଗଲେ, ମହୁଲ ଗଛକୁ ସବାଶେଷରେ କଟାଯାଇଥାଏ। ଜିଲ୍ଲାର ଆଦିବାସୀ ସମୁଦାୟ ପାଇଁ ମହୁଲ ଗଛ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ସେମାନେ କୁହନ୍ତି ଯେ ଏ ଗଛ ଥିଲେ କେହି ଭୋକରେ ରହିବେ ନାହିଁ। ଗଛର ଫଳ ଓ ଫୁଲ ଖାଇବା ଯୋଗ୍ୟ ହୋଇଥାଏ। ଶୁଖିଲା ମହୁଲ ଗୁଣ୍ଡ କରି ଅଟା ପ୍ରସ୍ତୁତ କରାଯାଇଥାଏ ଏବଂ ମଦ ପ୍ରସ୍ତୁତିରେ ଏହାର ଉପଯୋଗ କରାଯାଇଥାଏ।
ମଧ୍ୟପ୍ରଦେଶ, ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଥିବା ମହୁଲ ଗଛ (ମଧୁକା ଲଙ୍ଗନିଫୋଲିୟା) ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଲଘୁ ବନଜାତ ଉତ୍ପାଦ (ଏମଏଫପି)। ଭାରତୀୟ ଆଦିବାସୀ ସମବାୟ ବିପଣନ ଉନ୍ନୟନ ମହାସଂଘ (ଟ୍ରାଇଫେଡ)ର ତଥ୍ୟ ଅନୁଯାୟୀ, ମଧ୍ୟପ୍ରଦେଶ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ପାଖାପାଖି ୭୫%ରୁ ଅଧିକ ଆଦିବାସୀ ପରିବାର ମହୁଲ ଫୁଲ ଗୋଟାଇବା କାମ କରିଥାନ୍ତି ଏବଂ ସେଥିରୁ ସେମାନେ ବର୍ଷକୁ ହାରାହାରି ୫୦୦୦ ଟଙ୍କା ରୋଜଗାର କରିଥାନ୍ତି।
ବାନ୍ଧବଗଡ଼ ପାରିପାର୍ଶ୍ୱିକ ଅଞ୍ଚଳରେ ରହୁଥିବା ସମୁଦାୟଙ୍କୁ ମହୁଲ ଫୁଲ ଗୋଟାଇବା ଲାଗି ଜଙ୍ଗଲରେ ପ୍ରବେଶ କରିବା ଲାଗି ଅନୁମତି ଦିଆଯାଇଛି। ମହୁଲ ଗଛରୁ ଫୁଲ ଖସିବା ଏପ୍ରିଲ ମାସ ପ୍ରାରମ୍ଭରେ ଆରମ୍ଭ ହୋଇଥାଏ
୧୫୩୭ ବର୍ଗ କିଲୋମିଟର ପରିଧିରେ ପରିବ୍ୟାପ୍ତ ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟର ପାରିପାର୍ଶ୍ୱିକ ଅଞ୍ଚଳରେ ରହୁଥିବା ସମୁଦାୟମାନେ ହୋଲିର ଠିକ୍ ପରେ ଏପ୍ରିଲ ମାସ ପ୍ରାରମ୍ଭରେ ଗଛରୁ ଖସୁଥିବା ମହୁଲ ଫୁଲ ଗୋଟାଇବା ପାଇଁ ଯାଇଥାନ୍ତି। ସେମାନଙ୍କୁ ଜଙ୍ଗଲରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି। ଅଧିକାଂଶ ବୟସ୍କ, ଶିଶୁମାନଙ୍କ ସହିତ ଜଙ୍ଗଲକୁ ଆସିଥାନ୍ତି, ଯେଉଁମାନେ ମହୁଲ ଫୁଲ ଦେଖିବା ଏବଂ ସେଗୁଡ଼ିକୁ ଟୋକେଇରେ ଏକାଠି କରିବାରେ ଅପେକ୍ଷାକୃତ ଚଞ୍ଚଳ ହୋଇଥାନ୍ତି।
ଜଙ୍ଗଲରେ ପ୍ରତି ୧୦୦-୨୦୦ ମିଟର ବ୍ୟବଧାନରେ ଏହି ଗଛ ଦେଖିବାକୁ ମିଳିଥାଏ। ଫୁଲ ଆସିବାର ଋତୁରେ ପ୍ରତ୍ୟେକ ଗଛର ନିମ୍ନ ଡାଳରେ ପୁରୁଣା କପଡ଼ା ଟଙ୍ଗା ଯାଇ ଚିହ୍ନଟ କରାଯାଇଥାଏ। ସୁରଜନ କୁହନ୍ତି, “ଗାଁର ପ୍ରତ୍ୟେକ ପରିବାରକୁ କିଛି ଗଛ ଆବଣ୍ଟିତ କରାଯାଇଥାଏ। ଏହି ଆବଣ୍ଟନ ବହୁ ପିଢ଼ି ଆଗରୁ କରାଯାଇଥିଲା।” ସେ ଏକଥା ମଧ୍ୟ କହିଥିଲେ ଯେ ବେଳେ ବେଳେ ଯେଉଁ ଲୋକମାନଙ୍କର ଗଛରୁ କିଛି ଅଧିକ ଆୟ ହୋଇଥାଏ ସେଥିମଧ୍ୟରୁ ସେ କିଛି ଅନ୍ୟ ଅଭାବୀ ଲୋକଙ୍କୁ ଦେଇଥାନ୍ତି।
୨୦୦୭ରେ ବାନ୍ଧବଗଡ଼କୁ ବ୍ୟାଘ୍ର ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯାଇଥିଲା। ବର୍ତ୍ତମାନ ଏହାର କୋର ଜୋନରେ କୌଣସି ପ୍ରକାର ମାନବୀୟ ଗତିବିଧି ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ଏହାର ଆଖପାଖର ଲୋକମାନଙ୍କ ପ୍ରବେଶକୁ ସୀମିତ କରି ବଫର ଜୋନ ତିଆରି କରାଯାଇଥିଲା। ସୁଖରାନୀଙ୍କ ପରିବାର ସେହି ଆଦିବାସୀ କୃଷକ ପରିବାର ମଧ୍ୟରୁ ଅନ୍ୟତମ ଯେଉଁମାନଙ୍କର ଚାଷଯୋଗ୍ୟ ଜମି ଜାତୀୟ ଉଦ୍ୟାନକୁ ସମ୍ପୂର୍ଣ୍ଣ ଲାଗି ରହିଥିଲା, ପରେ ଏହାକୁ ବଫର ଜୋନ କରି ଦିଆଯାଇଥିଲା। ସେ କୁହନ୍ତି, ବିଗତ ଦଶନ୍ଧିରେ ସେହି ଜମିକୁ ପତିତ କରି ଛାଡ଼ି ଦିଆଯାଇଛି। ସେ କୁହନ୍ତି, “ଜଙ୍ଗଲରେ କୌଣସି ଫସଲ ବଞ୍ଚିନଥାଏ। ସେଥିପାଇଁ ଆମେ ଜଙ୍ଗଲରେ କିଛି ଚାଷ କରିବା ବନ୍ଦ କରିଦେଲୁ, କାରଣ ଆମେ ଫସଲର ଯତ୍ନ ନେବା ଲାଗି ସେଠାକୁ ଯାଇପାରିବୁ ନାହିଁ। ଚଣା ଓ ହରଡ଼ ଡାଲି ମାଙ୍କଡ଼ ଖାଇ ଦେଇଥାନ୍ତି’’।
ଯେତେବେଳେ ବାନ୍ଧବଗଡ଼ କେବଳ ଜାତୀୟ ଉଦ୍ୟାନ ଥିଲା, ସେତେବେଳେ ଆଦିବାସୀ ଚାଷୀମାନେ ଫସଲ ଋତୁରେ ଜମି ପାଖରେ ଅସ୍ଥାୟୀ ମଞ୍ଚା ତିଆରି କରି ରହୁଥିଲେ, ଯାହାଫଳରେ ପଶୁମାନଙ୍କୁ ଜମିରେ ପ୍ରବେଶ କରିବାରୁ ଅଟକାଇ ପାରିବେ, କିନ୍ତୁ ଏବେ ଏପରି କରିବା ଲାଗି ଅନୁମତି ମିଳୁନାହିଁ। ଏବେ ସେମାନେ କେବଳ ମହୁଆ ଭଳି ଲଘୁ ବନଜାତ ଦ୍ରବ୍ୟ ଗୋଟାଇବା ଲାଗି ବଫର ଜୋନ ପର୍ଯ୍ୟନ୍ତ ହିଁ ଯାଇଥାନ୍ତି। ସୁଖରାନୀ କୁହନ୍ତି, “ଆମେ ଭୋରରୁ ହିଁ ଘରୁ ବାହାରିଥାଉ। ସେଥିପାଇଁ ଆମେ ସମସ୍ତେ ଏକାଠି ଯାଇଥାଉ, କାରଣ ଏକାକୀ ଗଲେ ରାସ୍ତାରେ ବାଘ ହାବୁଡ଼ରେ ପଡ଼ିଯିବାର ଡର ଥାଏ।” ତେବେ ସେ ଏକଥା ମଧ୍ୟ ସ୍ୱୀକାର କରିଥାନ୍ତି ଯେ ତାଙ୍କୁ କେବେ ବି ବାଘର ସାମ୍ନା କରିବାକୁ ପଡ଼ିନାହିଁ, କିନ୍ତୁ ଏପରି ହେବାର ଆଶଙ୍କା ତାଙ୍କ ମନରେ ସବୁବେଳେ ରହିଥାଏ।
ଭୋର ପାଖାପାଖି ସାଢ଼େ ୫:୩୦ରେ ଯେତେବେଳେ ସୂର୍ଯ୍ୟାଲୋକ ମଧ୍ୟ ଜଙ୍ଗଲ ମାଟିରେ ପଡ଼ିନଥାଏ, ମହୁଲ ଫୁଲ ଗୋଟାଳୀମାନେ କାମରେ ଲାଗିସାରିଥାନ୍ତି, ସେମାନେ ଗଛ ତଳେ ପଡ଼ିଥିବା ଶୁଖିଲା ପତ୍ରକୁ ଓଳେଇ ଏକତ୍ରିତ କରିଥାନ୍ତି। ସୁଖରାନୀଙ୍କ ୧୮ ବର୍ଷୀୟା ଝିଅ ରୋଶନୀ ସିଂହ ବିସ୍ତୃତ ଭାବେ କହିଥାନ୍ତି, “ପତ୍ର ତୁଳନାରେ ମହୁଲ ଫୁଲର ଓଜନ ଅଧିକ ହୋଇଥାଏ, ସେଥିପାଇଁ ଆମେ ଯେତେବେଳେ ପତ୍ରକୁ ଝାଡ଼ୁ କରି ହଟାଇ ଦେଇଥାଉ, ସେଗୁଡ଼ିକ ମାଟିରେ ପଡ଼ି ରହିଥାଏ।” ରୋଶନୀ ୨୦୨୦ରେ ନିଜର ସ୍କୁଲ ପାଠପଢ଼ା ଶେଷ କରିଥିଲେ ଏବଂ କଲେଜରେ ନାମ ଲେଖାଇବା ଆଶାରେ ରହିଥିଲେ। ହେଲେ କୋଭିଡ-୧୯ ସଂକ୍ରମଣ କାରଣରୁ ତାଙ୍କୁ ନିଜର ଯୋଜନା ସ୍ଥଗିତ ରଖିବାକୁ ପଡ଼ିଲା। ୧୪୦୦ ଜନସଂଖ୍ୟା ବିଶିଷ୍ଟ ପରାସୀରେ ୨୩% ଜନସଂଖ୍ୟା ଆଦିବାସୀ ସମ୍ପ୍ରଦାୟର ଏବଂ ୨୦୧୧ ଜନଗଣନା ଅନୁଯାୟୀ ଏଠାରେ ସାକ୍ଷରତା ହାର ୫୦%ରୁ ମଧ୍ୟ କମ୍। କିନ୍ତୁ ରୋଶନୀ, ନିଜ ପରିବାରରେ ପ୍ରଥମ ଶିକ୍ଷିତ ପିଢ଼ି, ଦୃଢ଼ ଆତ୍ମବିଶ୍ୱାସ ସହିତ ନିଜ ପରିବାରର ପ୍ରଥମ ବ୍ୟକ୍ତି ଭାବେ କଲେଜ ଯିବା ଲାଗି ସ୍ୱପ୍ନ ଦେଖୁଛନ୍ତି।
ସକାଳର ଶୀତଳ ପବନ ମହୁଲ ଗୋଟାଳୀମାନଙ୍କୁ ସାମାନ୍ୟ ସମସ୍ୟାରେ ପକାଇଥାଏ। ସୁଖରାନୀଙ୍କ ସହିତ ଆସିଥିବା ତାଙ୍କର ୧୭ ବର୍ଷୀୟା ଝିଆରୀ ଦୁର୍ଗା କୁହନ୍ତି ଯେ, “ଯେତେବେଳେ ଆମର ହାତ ଥଣ୍ଡାରେ ଥରିଥାଏ, (ଜଙ୍ଗଲ ମାଟିରେ ପଡ଼ିଥିବା) ଛୋଟ ମହୁଲ ଫୁଲ ଗୋଟାଇବାରେ ଟିକିଏ କଷ୍ଟ ହୋଇଥାଏ’’। ‘‘ଆଜି ରବିବାର ତେଣୁ ସ୍କୁଲ ଛୁଟି ଅଛି, ସେଥିପାଇଁ ମୁଁ ମୋ ବଡ଼ ମା’ଙ୍କୁ ସହାୟତା କରିବା ଲାଗି ଆସିଛି।” ପରାସୀ ଗ୍ରାମ ଠାରୁ ପାଖାପାଖି ଦୁଇ କିଲୋମିଟର ଦୂରରେ ଥିବା ସରକାରୀ ହାଇସ୍କୁଲରେ ଏକାଦଶ ଶ୍ରେଣୀର ଛାତ୍ରୀ ଦୁର୍ଗା ଇତିହାସ, ଅର୍ଥନୀତି, ହିନ୍ଦୀ ଏବଂ କଳା ଭଳି ବିଷୟରେ ପାଠ ପଢ଼ିଥାନ୍ତି। ବିଗତ ବର୍ଷ ଲକଡାଉନ କାରଣରୁ ବନ୍ଦ ହୋଇଯାଇଥିବା ବିଦ୍ୟାଳୟ ଚଳିତ ବର୍ଷ ଜାନୁଆରୀରେ ପୁଣିଥରେ ଖୋଲିଛି।
ସୁଉଚ୍ଚ ମହୁଲ ଗଛ ଆଡ଼କୁ ମୁଣ୍ଡ ଉଠାଇ ଦେଖୁଥିବା ସୁଖରାନୀ ନିଜର ମୁଣ୍ଡ ହଲାଇ କୁହନ୍ତି, “ଚଳିତ ବର୍ଷ ଭଲ ଅମଳ ହେବ ନାହିଁ, ଆମେ ସାଧାରଣତଃ ସଂଗ୍ରହ କରୁଥିବା ପରିମାଣର ଅଧା ସୁଦ୍ଧା ନୁହେଁ’’। ଡର ଓ ସନ୍ଦେହର ମିଶ୍ରିତ ଭାବ ନେଇ ସେ କରିଥିବା ଅନୁମାନ ପ୍ରତି ସହମତି ବ୍ୟକ୍ତ କରି ସୁରଜନ କୁହନ୍ତି, “ଚଳିତ ବର୍ଷ ଫୁଲ ଗଛରୁ ତଳକୁ ସୁଦ୍ଧା ପଡ଼ୁନାହିଁ।” ସେମାନେ ଦୁହେଁ କମ ଅମଳ ପାଇଁ ୨୦୨୦ରେ ହୋଇଥିବା ଅଭାବୀ ବର୍ଷାକୁ ଦାୟୀ କରିଥାନ୍ତି। କିନ୍ତୁ, ଅନେକ ଋତୁ ଧରି ମହୁଲ ଫୁଲ ସଂଗ୍ରହ କରି ଆସୁଥିବା ସୁରଜନ ଏହାକୁ ଏତେ ବଡ଼ ସମସ୍ୟା ବୋଲି ନକହି କେବଳ ଗୋଟିଏ ଖରାପ ବର୍ଷ ଭାବେ ଆଖ୍ୟା ଦେଇଥାନ୍ତି। ସେ କୁହନ୍ତି, “ବେଳେ ବେଳେ ଅମଳ ସାମାନ୍ୟ କମ୍ ହୋଇଥାଏ, ବେଳେ ବେଳେ ଅଧିକ ହୁଏ। ସବୁବେଳେ ତ’ ସମାନ ହୋଇପାରିବ ନାହିଁ।”
ପରାସୀଠାରୁ ପାଖାପାଖି ଛଅ କିଲୋମିଟର ଦୂର ଏବଂ ବ୍ୟାଘ୍ର ଅଭୟାରଣ୍ୟର ଅପର ପାର୍ଶ୍ୱରେ ମର୍ଦ୍ଦାରୀ ଗ୍ରାମର ମଣି ସିଂ ଘର ଅଗଣାରେ ମହୁଆ ଫୁଲ ଖରାରେ ଶୁଖାଉଥିଲେ। ଉଜ୍ଜ୍ୱଳ ସବୁଜ ହଳଦିଆ ରଙ୍ଗ ମିଶ୍ରିତ ଏହି ଫୁଲ ଧୀରେ ଧୀରେ ଇସତ୍ କମଳା ରଙ୍ଗ ହେବାକୁ ଲାଗିଛି। ମଣି ଓ ତାଙ୍କ ପତ୍ନୀ ସୁନୀତା ଉଭୟଙ୍କ ବୟସ ୫୦ ବର୍ଷରୁ ଅଧିକ। ଦୁହେଁ ସକାଳ ବେଳା ଜଙ୍ଗଲରେ ସେମାନଙ୍କର ପାଞ୍ଚଟି ଗଛରୁ ପଡ଼ୁଥିବା ଫୁଲ ଏକତ୍ରିତ କରିବାରେ ସମୟ ବିତାଇଥିଲେ। ସେମାନଙ୍କ ପିଲାମାନେ ବଡ଼ ହୋଇଯାଇଛନ୍ତି ଏବଂ ଅନ୍ୟତ୍ର ରହୁଛନ୍ତି, ସେଥିପାଇଁ ଏ କାମ ଲାଗି ସେ ଦୁଇ ଜଣ ହିଁ ଯାଇଥାନ୍ତି। ସେ କୁହନ୍ତି, “ଚଳିତ ବର୍ଷ ସଂଗ୍ରହ କରିବା ଲାଗି ସେତେ ଫୁଲ ମଧ୍ୟ ନାହିଁ। ଆମକୁ ସେଗୁଡ଼ିକୁ ଖୋଜିବାକୁ ପଡ଼ୁଛି। ବିଗତ ବର୍ଷ ଆମେ ୧୦୦ କିଲୋ ପାଖାପାଖି ମହୁଲ ଗୋଟାଇ ଥିଲୁ, କିନ୍ତୁ ଏ ବର୍ଷ ତା’ର ଅଧା ବି ମିଳିବ ନାହିଁ ବୋଲି ମୁଁ ଭାବୁଛି।”
ମଣି, ମହୁଲ ଅଟାକୁ ନଡ଼ା ସହିତ ମିଶାଇ ସେଗୁଡ଼ିକୁ ନିଜର ଦୁଇଟି ବଳଦକୁ ଖାଇବାକୁ ଦେଇଥାନ୍ତି। ଏହି ବଳଦଙ୍କ ସହାୟତାରେ ସେ ନିଜର ଗୋଟିଏ ଏକର ପାଖାପାଖି ଜମିରେ ହଳ କରିଥାନ୍ତି। ସେ କୁହନ୍ତି, “ଏହାକୁ ଖାଇବାକୁ ଦେବା ଫଳରେ ବଳଦମାନେ ଶକ୍ତିଶାଳୀ ହୋଇଥାନ୍ତି।”
ମର୍ଦ୍ଦାରୀରେ ୧୩୩ଟି ପରିବାରର ଏକ ଛୋଟିଆ ଗ୍ରାମ ରହିଛି ଏବଂ ପାଖାପାଖି ସବୁ ଘରେ ମହୁଲ ଫୁଲ ଶୁଖିବା ଲାଗି ଖରାରେ ଖେଳାଇ ରଖାଯାଇଥାଏ ପରେ ଏହାକୁ ବସ୍ତାରେ ପୂରାଇ ରଖି ଦିଆଯାଏ। ଚନ୍ଦାବାଈ ବେଗା ଅପରାହ୍ଣ ପରେ ପିଲାମାନଙ୍କର ଏକ ଦଳ ସହିତ ଘରକୁ ଫେରିଥାନ୍ତି, ଏମାନଙ୍କ ମଧ୍ୟରେ ତାଙ୍କର ଓ ତାଙ୍କ ସମ୍ପର୍କୀୟମାନଙ୍କର ପିଲାମାନେ ରହିଥାନ୍ତି। ପ୍ରତ୍ୟେକଙ୍କ ପାଖରେ ସଂଗୃହିତ ମହୁଲ ଫୁଲ ଟୋକେଇରେ ଭର୍ତ୍ତି ହୋଇ ରହିଥାଏ। ସେ ସେମାନଙ୍କୁ ଅପରାହ୍ଣର ଭୋଜନ ଲାଗି ଧୂଆଧୋଇ ହେବାକୁ କହିବା ସହ କଥାବାର୍ତ୍ତା କରିବା ଲାଗି ବସିଯାଇଥାନ୍ତି।
ଚନ୍ଦାବାଈ ଏବଂ ତାଙ୍କର ସ୍ୱାମୀ ବିଶ୍ୱନାଥ ବୈଗାଙ୍କ ବୟସ ଚାଳିଶରୁ ଅଧିକ ହେବ ଏବଂ ସେ ବୈଗା ଆଦିବାସୀ ସମ୍ପ୍ରଦାୟର। ୨.୫ ଏକର ଜମିରେ ସେ ମୁଖ୍ୟତଃ ଚାଉଳ ଓ ହରଡ଼ ଚାଷ କରିଥାନ୍ତି, କିନ୍ତୁ ତାଙ୍କୁ ଯଦି କାମ ମିଳିଥାଏ, ସେ ମନରେଗା ଅନ୍ତର୍ଗତ ମିଳୁଥିବା କାମ ମଧ୍ୟ କରିଥାନ୍ତି।
ସକାଳ ବେଳାର ପରିଶ୍ରମରେ ଥକି ଯାଇଥିବା ଚନ୍ଦାବାଈ କୁହନ୍ତି, “ଏଥର ଆମେ ଅଧିକ ମହୁଲ ସଂଗ୍ରହ କରିପାରିବୁ ନାହିଁ। ଆବଶ୍ୟକତାଠାରୁ କମ୍ ବର୍ଷା ହେବା କାରଣରୁ ଏଥର କମ ଫୁଲ ଫୁଟିଛି।” ଅମଳ କମ୍ ହେବାକୁ ନେଇ ଚିନ୍ତିତ ସେ ଏଥିପାଇଁ ହରିଣମାନଙ୍କ ବୃଦ୍ଧି ପାଉଥିବା ସଂଖ୍ୟାକୁ ମଧ୍ୟ ଦୋଷ ଦେଇଥାନ୍ତି। “ସେମାନେ ସବୁକିଛି ଖାଇ ଦେଉଛନ୍ତି, ବିଶେଷ କରି ରାତିରେ ଯାହା ଗଛରୁ ପଡ଼ୁଛି, ସେଥିପାଇଁ ଆମକୁ ସକାଳୁ ଟିକିଏ ଶୀଘ୍ର ଯିବାକୁ ପଡ଼ୁଛି। ଏମିତି କେବଳ ମୋ ସହିତ ହେଉନାହିଁ, ଏହା ପ୍ରତ୍ୟେକଙ୍କ କାହାଣୀ।”
ପାଖାପାଖି ଏକ ମାସ ପରେ, ମଇ ମାସରେ ମର୍ଦ୍ଦାରୀ ଗ୍ରାମରୁ ଫୋନରେ କଥା ହୋଇ ଚନ୍ଦାବାଈ ନିଜର ଆଶଙ୍କାକୁ ସଠିକ ବୋଲି ସାବ୍ୟସ୍ତ କରିଥିଲେ। ସେ କହିଥିଲେ, “ଚଳିତ ବର୍ଷ ୧୫ ଦିନ ମଧ୍ୟରେ ମହୁଲ ଫୁଲ ସଂଗ୍ରହ କାମ ସରିଗଲା। ଆମେ ଏଥର ମାତ୍ର ଦୁଇ କୁଇଣ୍ଟାଲ (୨୦୦ କିଗ୍ରା) ମହୁଲ ସଂଗ୍ରହ କରିପାରିଲୁ। ହେଲେ ଗତବର୍ଷ ଏହା ତିନି କୁଇଣ୍ଟାଲରୁ ଅଧିକ ଥିଲା। କିନ୍ତୁ ଯୋଗାଣ କମ୍ ହେବା କାରଣରୁ ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇଥିବାରୁ ସେମାନେ ଟିକିଏ ଆଶ୍ୱସ୍ତ ହୋଇଛନ୍ତି। ଏଥର ମହୁଲ କିଲୋ ପ୍ରତି ଦର ୩୫-୪୦ ଟଙ୍କାରୁ ବୃଦ୍ଧି ପାଇ ୫୦ ଟଙ୍କା ହୋଇଯାଇଛି।
ସୁଖରାନୀ ଓ ସୁରଜନଙ୍କ ଅନୁମାନ ମୁତାବକ, ପରାସୀ ଗ୍ରାମରେ ମଧ୍ୟ ଏଥର କମ୍ ଅମଳ ହୋଇଛି। ସୁରଜନ ସାମାନ୍ୟ ଦାର୍ଶନିକ ଦୃଷ୍ଟିକୋଣ ନେଇ କହିଥାନ୍ତି, “ବେଳେ ବେଳେ ପେଟ ଭର୍ତ୍ତି ଭୋଜନ ମିଳିଥାଏ, କେବେ କେବେ ମିଳେନାହିଁ, ଠିକ୍ ନା? ଏହା ସେପରି ଏକ କଥା।”
ଏହି ଖବର ସଂଗ୍ରହରେ ସହାୟତା ପାଇଁ ଦିଲୀପ ଅଶୋକଙ୍କୁ ଲେଖକ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍