“ଆମେମାନେ ସଠିକ୍ ଭାବେ ଶ୍ୱାସକ୍ରିୟା ସମ୍ପାଦାନ କରିପାରୁନୁ,” ବୋଲି ଶ୍ରମିକମାନେ କହୁଛନ୍ତି ।
ତେଲେଙ୍ଗାନାର ଏହି କେନ୍ଦ୍ରରେ କାମ କରୁଥିବା ଶ୍ରମିକମାନେ ଯେଉଁ ମାସ୍କ ପିନ୍ଧିଛନ୍ତି ତାହା ଝାଳରେ ସମ୍ପୂର୍ଣ୍ଣ ଓଦା ହୋଇଯାଇଛି । ଧାନ ଗଦାରୁ ଉପରକୁ ଉଠୁଥିବା ଧୂଳି ଯୋଗୁଁ ସେମାନଙ୍କ ଚର୍ମ କୁଣ୍ଡେଇ ହେଉଛି ଓ ସେମାନେ ଛିଙ୍କୁଛନ୍ତି ତଥା ସେମାନଙ୍କର କଫ ହେଉଛି । ସେମାନେ କେତୋଟି ମାସ୍କ ବଦଳାଇବେ? କେତେଥର ସେମାନେ ସେମାନଙ୍କର ହାତ ଓ ମୁହଁ ଧୋଇବେ ଓ ପୋଛିବେ? ସେମାନେ କେତେଥର ସେମାନଙ୍କ ମୁହଁ ଘୋଡାଇ ପାରିବେ – ଯେତେବେଳେକି ସେମାନଙ୍କୁ ୩୨୦୦ ମୋଟା ଝୋଟ ଥଳି –ଭର୍ତ୍ତି କରି, ସେଗୁଡିକୁ ଘୋଷାଡି, ସିଲେଇ, ବୋହିକି ନେଇ ଟ୍ରକ୍ରେ ଲଦିବାକୁ ହେବ – ପ୍ରତ୍ୟେକ ଥଳିର ଓଜନ ୪୦ କିଲୋଗ୍ରାମ - ମାତ୍ର ୧୦ଘଣ୍ଟା ସମୟରେ ।
୪୮ ଜଣ ଶ୍ରମିକ ମିଳିତ ଭାବେ ୧୨୮ଟନ୍ ଧାନ କଥା ବୁଝୁଛନ୍ତି – ବା ମିନିଟ୍କୁ ୨୧୩ କିଲୋଗ୍ରାମ କୁହାଯାଇ ପାରିବ - ୪୩ -୪୪ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରାରେ । ସେମାନଙ୍କ କାମ ପୂର୍ବାହ୍ନ ୩ଟା ବେଳେ ଆରମ୍ଭ ହୁଏ ଓ ମଧ୍ୟାହ୍ନ ୧ଟା ବେଳେ ସରେ – ଅର୍ଥାତ୍ ପୂର୍ବାହ୍ନ ୯ଟାରୁ ପ୍ରାୟ ଚାରି ଘଣ୍ଟା ପର୍ଯ୍ୟନ୍ତ ସେମାନେ ଅତ୍ୟନ୍ତ ଉତ୍ତପ୍ତ ଓ ଶୁଷ୍କ ଜଳବାୟୁରେ କାମ କରିଥାନ୍ତି ।
ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଯେତେ ଯୁକ୍ତିଯୁକ୍ତ ଦେଖାଗଲେ ମଧ୍ୟ କଙ୍ଗଳ ମଣ୍ଡଳର କଙ୍ଗଳ ଗ୍ରାମର ଏକ ଧାନ ସଂଗ୍ରହ କେନ୍ଦ୍ରର ଏହି ଫଟୋଗ୍ରାଫ୍ରେ ଦେଖାଯାଇଥିବା ଭଳି ଏକ ସ୍ଥାନରେ ଯଦି ଆପଣ କାମ କରନ୍ତି, ତାହାହେଲେ ଏସବୁ ପାଳନ କରିବା ନିହାତି ଅସମ୍ଭବ । ଆଉ ରାଜ୍ୟ କୃଷି ମନ୍ତ୍ରୀ ନିରଞ୍ଜନ ରେଡ୍ଡି ଏପ୍ରିଲ୍ରେ ସ୍ଥାନୀୟ ଗଣମାଧ୍ୟମକୁ ଜଣାଇଛନ୍ତି ଯେ ତେଲେଙ୍ଗାନାରେ ଏହିପରି ୭,୦୦୦ଟି କେନ୍ଦ୍ର ରହିଛି ।
ଆଉ ଏଥିରୁ ସେମାନେ କେତେ ଉପାର୍ଜନ କରନ୍ତି? ସେଠାରେ ଚାରିଟି ଦଳ ଅଛନ୍ତି, ପ୍ରତି ଦଳର ଶ୍ରମିକ ସଂଖ୍ୟା ୧୨ ଓ ପ୍ରତ୍ୟେକ ଶ୍ରମିକ ଦିନକୁ ପ୍ରାୟ ୯୦୦ଟଙ୍କା ଉପାର୍ଜନ କରନ୍ତି । ହେଲେ, ଆପଣଙ୍କୁ ଏହି କାମ ଦିନେ ଛଡା ଦିନେ ମିଳିବ । ଏଠାରେ କାମ କରୁଥିବା ପ୍ରତ୍ୟେକ ଶ୍ରମିକକୁ ୨୩ ଦିନ କାମ କରିବାକୁ ସୁଯୋଗ ମିଳିଥାଏ – ବା ଏପରି କୁହାଯାଇ ପାରେ କି ଏହି ୪୫ ଦିନର ସଂଗ୍ରହ ସମୟ ମଧ୍ୟରେ ସେମାନେ ୨୦,୭୫୦ ଟଙ୍କା ଉପାର୍ଜନ କରନ୍ତି ।
ଚଳିତ ବର୍ଷ, ରବି ଋତୁ ପାଇଁ ଧାନ ସଂଗ୍ରହ କାମ ଏପ୍ରିଲ ମାସର ପ୍ରଥମ ସପ୍ତାହରେ ଆରମ୍ଭ ହେଲା, ଯେଉଁ ସମୟରେ କୋଭିଡ୍- ୧୯ କାରଣରୁ ତାଲାବନ୍ଦ ମଧ୍ୟ ଘୋଷଣା କରାଯାଇଥିଲା, ମାର୍ଚ୍ଚ ୨୩ ରୁ ମେ ୩୧ ପର୍ଯ୍ୟନ୍ତ ।ଅନୁବାଦ: ଓଡ଼ିଶାଲାଇଭ୍