ପୂରା କ୍ଲାସ୍ ଚୁପଚାପ୍ ବସି ଧ୍ୟାନ ଦେଇ ଶୁଣୁଛନ୍ତି। ବାୟୋଲୋଜି ଶିକ୍ଷକ ପଢ଼ାଉଛନ୍ତି କିପରି କ୍ରୋମୋଜୋମ୍ ମଣିଷର ଲିଙ୍ଗ ନିର୍ଣ୍ଣୟ କରେ। “ମହିଳାମାନଙ୍କର ଦୁଇଟି X କ୍ରୋମୋଜୋମ୍ ଥିବାବେଳେ ପୁରୁଷମାନଙ୍କର ଗୋଟିଏ X ଏବଂ ଗୋଟିଏ Y କ୍ରୋମୋଜୋମ୍ ଥାଏ। ଯଦି ଦୁଇଟି XX କ୍ରୋମୋଜୋମ୍ ଗୋଟିଏ Y ସହିତ ଯୋଡ଼ି ହୁଅନ୍ତି, ତେବେ ତୁମେମାନେ ସେଇଠି ବସିଥିବା ଭଳି ଜଣଙ୍କୁ ପାଇବ,” ଶିକ୍ଷକ ଜଣେ ଛାତ୍ର ଆଡକୁ ଦେଖାଇ କହିଲେ। ଛାତ୍ରଟି ଅସହଜବୋଧ କରି ଠିଆ ହେବା ପରେ କ୍ଲାସରେ ସମସ୍ତେ ଠୋ ଠୋ ହୋଇ ହସିଲେ।
କିନ୍ନର ସମ୍ପ୍ରଦାୟ ଉପରେ ଆଧାରିତ ନାଟକ ସାନ୍ଦାକାରଙ୍ଗା (ଯୁଦ୍ଧ କରିବାକୁ ଦୃଢ଼-ମନସ୍କ)ର ପ୍ରଥମ ଦୃଶ୍ୟ। ନାଟକର ପ୍ରଥମ ଭାଗରେ ନିର୍ଦ୍ଦିଷ୍ଟ ଲିଙ୍ଗ ସ୍ୱୀକୃତ ଭୂମିକାରେ ଖାପ ଖୁଆଇ ପାରି ନ ଥିବାରୁ ଜଣେ ପିଲାକୁ ସମସ୍ତେ ଅପମାନିତ କରୁଥିବା ଦର୍ଶାଯାଇ ଥିବାବେଳେ ଦ୍ୱିତୀୟାର୍ଦ୍ଧରେ ହିଂସାର ଶିକାର ହୋଇଥିବା କିନ୍ନର ମହିଳା ଏବଂ କିନ୍ନର ପୁରୁଷଙ୍କ ଜୀବନକୁ ଉପସ୍ଥାପିତ କରାଯାଇଛି।
ଦ ଟ୍ରାନ୍ସ ରାଇଟ୍ସ ନାଓ କଲେକ୍ଟିଭ୍ (ଟିଆରଏନ୍ସି) ସମଗ୍ର ଭାରତରେ କିନ୍ନରମାନଙ୍କର ଦଳିତ, ବହୁଜନ ଏବଂ ଆଦିବାସୀମାନଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେଉଛି। ନଭେମ୍ବର ୨୩, ୨୦୨୨ ରେ ସେମାନେ ତାମିଲନାଡୁର ଚେନ୍ନାଇରେ ସାନ୍ଦାକାରଙ୍ଗାର ପ୍ରଥମ ପ୍ରଦର୍ଶନ ଉପସ୍ଥାପନ କରିଥିଲେ। ଏକ ଘଣ୍ଟାର ଏହି ନାଟକ ନଅ ଜଣ କିନ୍ନରଙ୍କର ଏକ ଗ୍ରୁପ୍ ଦ୍ୱାରା ନିର୍ଦ୍ଦେଶିତ, ପ୍ରଯୋଜିତ ଏବଂ ଅଭିନୀତ ହୋଇଥିଲା।
“ମୃତ୍ୟୁବରଣ କରିଥିବା କିନ୍ନର ବ୍ୟକ୍ତିବିଶେଷମାନଙ୍କ ସ୍ମୃତିରେ ନଭେମ୍ବର ୨୦ରେ ‘ଇଣ୍ଟରନ୍ୟାସନାଲ୍ ଟ୍ରାନ୍ସ ଡେ ଅଫ୍ ରିମେମ୍ବ୍ରାନ୍ସ’ ପାଳନ କରାଯାଏ। ସେମାନଙ୍କ ଜୀବନ ସହଜ ନୁହେଁ କାରଣ ସେମାନେ ପ୍ରାୟତଃ ସେମାନଙ୍କ ନିଜ ପରିବାର ଦ୍ୱାରା ଅବହେଳିତ ହୋଇ ସମାଜରୁ ନିର୍ବାସିତ ହୋଇଥାନ୍ତି ଏବଂ ଅନେକଙ୍କୁ ହତ୍ୟା କରାଯାଇଥାଏ କିମ୍ୱା ସେମାନେ ଆତ୍ମହତ୍ୟା କରିଥାନ୍ତି,” କୁହନ୍ତି ଟିଆରଏନସିର ପ୍ରତିଷ୍ଠାତା ଗ୍ରେସ ବାନୁ।
“ପ୍ରତିବର୍ଷ ଏହି ସଂଖ୍ୟା ବୃଦ୍ଧି ପାଉଛି। ଯେତେବେଳେ କିନ୍ନର ସମ୍ପ୍ରଦାୟ ବିରୁଦ୍ଧରେ ହିଂସା ହୁଏ, କେହି ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତି ନାହିଁ।” ଆମ ସମାଜ ସମ୍ପୂର୍ଣ୍ଣ ନୀରବ ରହୁଛି,” ବୋଲି ଜଣେ କଳାକାର ତଥା କାର୍ଯ୍ୟକର୍ତ୍ତା ବାନୁ କୁହନ୍ତି। “ଆମକୁ କଥାବାର୍ତ୍ତା ଆରମ୍ଭ କରିବାକୁ ପଡ଼ିଲା। ସେହି କାରଣରୁ ଆମେ [ନାଟକର ନାମ] ସାନ୍ଦାକାରଙ୍ଗା ରଖିଛୁ।”
୨୦୧୭ ରେ, ଏହି ନାଟକଟି 'ସାନ୍ଦକାରାଇ' ଭାବରେ ମଞ୍ଚସ୍ଥ ହୋଇଥିଲା ଏବଂ ପରେ ୨୦୨୨ ରେ ଏହାର ନାମ 'ସାନ୍ଦାକାରଙ୍ଗା'କୁ ବଦଳାଇ ଦିଆଗଲା। ଗ୍ରେସ୍ ବାନୁ କହନ୍ତି, “ଆମେ ଏହାକୁ ସବୁ କିନ୍ନରମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବଦଳାଇଛୁ।” ଏହି ନାଟକର ନଅ ଜଣ କଳାକାର ଅଭିନୟ ମାଧ୍ୟମରେ ପୀଡ଼ା ଏବଂ ଯନ୍ତ୍ରଣାର ଉପସ୍ଥାପନ କରିଛନ୍ତି ଏବଂ କିନ୍ନର ସମ୍ପ୍ରଦାୟ ପ୍ରତି ମୌଖିକ ତଥା ଶାରୀରିକ ହିଂସାକୁ ନେଇ ଅଜ୍ଞାନତା ଏବଂ ନୀରବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ସାନ୍ଦାକାରଙ୍ଗାର ଲେଖକ ତଥା ନିର୍ଦ୍ଦେଶକ ନେଘା କହିଛନ୍ତି, “ଏହି ନାଟକରେ ପ୍ରଥମ ଥର କିନ୍ନର ପୁରୁଷ ଏବଂ କିନ୍ନର ମହିଳାମାନେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି।”
“ଆମେ ସବୁବେଳେ ବଞ୍ଚିବା ପାଇଁ ସଂଘର୍ଷ କରୁଛୁ। ଆମର ମାସିକ ବିଲ୍ ପୈଠ କରିବାକୁ କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଆମେ ଲଗାତାର କାମ କରିଚାଲିଛୁ। ଏହି ସ୍କ୍ରିପ୍ଟରେ କାମ କରିବାବେଳେ ମୁଁ ଉତ୍ସାହିତ ଥିଲି କିନ୍ତୁ ରାଗ ବି ଲାଗୁଥିଲା ଯେ କିନ୍ନର ପୁରୁଷ ଏବଂ କିନ୍ନର ମହିଳାମାନେ କେବେ ବି ଥିଏଟର କିମ୍ବା ସିନେମାରେ ଅଭିନୟ କରିବାର ସୁଯୋଗ ପାଉ ନହାଁନ୍ତି। ମୁଁ ଭାବିଲି, ବଞ୍ଚିବା ପାଇଁ ତ ଆମେ ନିଜ ଜୀବନକୁ ବିପଦରେ ପକାଉଛୁ, ତାହେଲେ ନାଟକ ପ୍ରଯୋଜନା ପାଇଁ ବି ରିସ୍କ ନେଇ ଦେଖିବା କ’ଣ ହେଉଛି?” ନେଘା କହିଛନ୍ତି।
ଏହି ଫଟୋ କାହାଣୀ ସେହି ମୂହୁର୍ତ୍ତଗୁଡ଼ିକୁ ତୋଳି ଧରିଛି ଯାହା କିନ୍ନର ସମ୍ପ୍ରଦାୟର ଲିଭି ଯାଇଥିବା ଇତିହାସକୁ ଜୀବନ୍ତ କରୁଛି, ସେମାନଙ୍କର ବଞ୍ଚିବାର ଅଧିକାରକୁ ପୁଣି ସାବ୍ୟସ୍ତ କରୁଛି ଏବଂ ସେମାନଙ୍କ ଶରୀର ପ୍ରତି ସମ୍ମାନ ପ୍ରଦର୍ଶନ କରୁଛି।
ଅନୁବାଦ: ଓଡ଼ିଶାଲାଇଭ୍