‘‘ସ୍କୁଲ ଯିବା ପୂର୍ବରୁ ମୋତେ ଏହିସବୁ କାମ କରିବାକୁ ହୋଇଥାଏ, ନହେଲେ କିଏ କରିବ?’’ ଛୋଟ ବାଛୁରୀକୁ କ୍ଷୀର ଖାଇବା ପାଇଁ ତା’ର ମା’ ପାଖକୁ ଛାଡ଼ିବା ବେଳେ ୧୫ ବର୍ଷ ବୟସ୍କା କିରଣ ପ୍ରଶ୍ନ କରିଥାନ୍ତି। ସମୟ ସକାଳ ୫ଟା। ସେତେବେଳକୁ ତାଙ୍କର ବଖୁରିକିଆ ଘରେ ଅସୁସ୍ଥ ମା’ ଏବଂ ସାନ ଭାଇ ରବି ଶୋଇଥାନ୍ତି। ଘର ସଫା କରିବା ପୂର୍ବରୁ ତାଙ୍କୁ ବାଛୁରୀକୁ ନେଇ ଗୁହାଳରେ ବାନ୍ଧିବାକୁ ହେବ। ଏହାପରେ ତାଙ୍କର ଜେଜେବାପା ଗାଈ ଦୁହିଁବେ।
ସବୁଦିନ ଭଳି ସେ ବଡ଼ି ଭୋରୁ ଉଠିଛନ୍ତି, କିନ୍ତୁ ଆଜି କିରଣ କାମ କରିବା କିମ୍ବା ସ୍କୁଲକୁ ଯିବା ଭଳି ଦେଖାଯାଉନାହାନ୍ତି। ଏହା ସେହି ଦିନଗୁଡ଼ିକ ମଧ୍ୟରୁ ଅନ୍ୟତମ, ଅର୍ଥାତ୍ ତାଙ୍କ ଋତୁସ୍ରାବ ଚକ୍ରର ପ୍ରଥମ ଦିନ, ଯେତେବେଳେ ଖୁବ୍ ଅଧିକ ଥକ୍କା ଲାଗିଥାଏ। ଏହାଛଡ଼ା ମହାମାରୀ ପରଠାରୁ ତାଙ୍କର ଖୁବ୍ ଜୋରରେ ପେଟ ବ୍ୟଥା ମଧ୍ୟ ହେଉଥିବା ସେ ଅନୁଭବ କରୁଛନ୍ତି। ତଥାପି ସକାଳ ସାଢ଼େ ୬ଟା ପୂର୍ବରୁ ସବୁ ଘର କାମ ତାଙ୍କୁ ସାରିବାକୁ ହେବ। ‘‘୭ଟାରେ ସକାଳ ପ୍ରାର୍ଥନା ଆରମ୍ଭ ହୋଇଯାଏ ଏବଂ ସ୍କୁଲରେ ଚାଲି ଚାଲି ପହଞ୍ଚିବାକୁ ମୋତେ ୨୦-୨୫ ମିନିଟ୍ ସମୟ ଲାଗିଥାଏ,’’ ସେ କୁହନ୍ତି।
ଉତ୍ତରପ୍ରଦେଶର ଚିତ୍ରକୂଟ ଜିଲ୍ଲା ଅନ୍ତର୍ଗତ କରୱି ତହସିଲ ଅଧୀନରେ ଥିବା କିରଣ ଦେବୀଙ୍କ ଘରଠାରୁ ୨ କିଲୋମିଟର ଦୂରରେ ସରକାରୀ ସ୍କୁଲ ରହିଛି । ଏଠାରେ ସେ ଏକାଦଶ ଶ୍ରେଣୀରେ ପାଠ ପଢ଼ନ୍ତି। କିରଣଙ୍କ ଘରେ ତାଙ୍କ ଭାଇ ରବି, ସେମାନଙ୍କ ମା’ ପୁନମ ଦେବୀ (୪୦), ଜେଜେବାପା ଖୁସିରାମ (୬୭) ଅଛନ୍ତି। ସେମାନଙ୍କ ଘର ପଛପଟେ ଥିବା ୮୦୦ ବର୍ଗଫୁଟ ଜମିରେ ତାଙ୍କର ଜେଜେବାପା ଚାଷ କରନ୍ତି। ସେଠାରେ ସେମାନେ ଗହମ, ଚଣା ଏବଂ ଅନ୍ୟାନ୍ୟ ଋତୁକାଳୀନ ପନିପରିବା ଚାଷ କରିଥାନ୍ତି। ପୁନମଙ୍କ ଆଣ୍ଠୁଗଣ୍ଠିରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ, ଏହି କାରଣରୁ ସେ ଘର କାମ କରିପାରନ୍ତି ନାହିଁ। ତେଣୁ କିରଣଙ୍କ ଉପରେ ସବୁ ଦାୟିତ୍ୱର ବୋଝ ପଡ଼ିଥାଏ।
କିରଣଙ୍କ ପାଇଁ ଦିନଚର୍ଯ୍ୟା ଏକ କଷ୍ଟଦାୟକ ଶ୍ରମରେ ପରିଣତ ହୋଇଯାଇଛି। ‘‘ଏହି ଛୋଟମୋଟ ଘର କାମ କରିବାରେ ମୋର କୌଣସି ଆପତ୍ତି ନାହିଁ, ତେବେ ଏହା ସେତିକିବେଳେ ଏକ ସମସ୍ୟା ପାଲଟିଯାଏ ଯେତେବେଳେ ମୋର ଋତୁସ୍ରାବ ଜନିତ ପେଟ ଯନ୍ତ୍ରଣା ହୋଇଥାଏ।’’












