ଯେତେବେଳେ ୨୩ ବର୍ଷ ବୟସ୍କା ରାନୋ ସିଂହଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା ତାଙ୍କ ସ୍ୱାମୀ ଏବଂ ଶାଶୂ ପାହାଡ଼ କଡ଼ରେ ଥିବା ସେମାନଙ୍କର ଛୋଟ ଘରୁ ତରବର ହୋଇ ବାହାରକୁ ଚାଲି ଯାଇଥିଲେ । ଏହା ଭୋର ସମୟ ଥିଲା, ସକାଳ ପ୍ରାୟ ୫ଟା । ସେମାନଙ୍କ ଆଗରେ ଥିଲା ୧.୫ କିଲୋମିଟର ପାହାଡ଼ ଉପରକୁ ଚଢ଼ିବା ରାସ୍ତା, ଯାହା ସେମାନଙ୍କୁ ମୁଖ୍ୟ ରାସ୍ତାକୁ ନେଇଥାଆନ୍ତା ଯେଉଁଠାରେ ଏକ ଭଡ଼ା ଗାଡ଼ି ତାଙ୍କୁ ରାଣୀ କ୍ଷେତରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ନେଇଥାଆନ୍ତା । ଏହି ଡାକ୍ତରଖାନା ସେମାନଙ୍କ ଗ୍ରାମ ସିୱାଲିଠାରୁ ପ୍ରାୟ ୧୨ କିଲୋମିଟର ଦୂର ।
ସେମାନେ ଗୋଟିଏ ଡୋଲି ବ୍ୟବସ୍ଥା କରିବାକୁ ଚେଷ୍ଟା କରିଥିଲେ – ସେମାନଙ୍କ ଠାକୁ ସମୂହରେ ଗର୍ଭବତୀ ମହିଳାମାନେ ପାଲିଙ୍କିରେ ପାହାଡ଼ ଉପରକୁ ନିଆଯାଆନ୍ତି । ଚାରି ଜଣ ପୁରୁଷ ଲୋକ ଚାରୋଟି କଣକୁ କାନ୍ଧେଇ ଥାଆନ୍ତି । ଏହି ଡୋଲି ତାଙ୍କୁ ରାସ୍ତାକୁ ନେଇଯାଏ, ସାଧାରଣତଃ ଅପେକ୍ଷା କରିଥିବା ଏକ ଗାଡ଼ିକୁ ଯାହା ତାଙ୍କୁ ଡାକ୍ତରଖାନାକୁ ନେଇଯିବ କିନ୍ତୁ ସେହି ସକାଳେ କୌଣସି ଡୋଲି ନଥିଲା ଏବଂ ସେମାନେ ଚାଲିବା ଆରମ୍ଭ କଲେ ।
ରାନୋ ମାତ୍ର ଅଧା ରାସ୍ତା ଚଢ଼ିପାରିଲେ । ‘‘ଆମେ ମାତ୍ର ଅଧା ଦୂରତା ଅତିକ୍ରମ କରିଥିଲୁ ଯେତେବେଳେ ମୁଁ ବୁଝିପାରିଲି ଯେ ମୁଁ ଆଉ ଯାଇପାରିବି ନାହିଁ [ଯନ୍ତ୍ରଣା କାରଣରୁ] । ସେହି ମୁହୂର୍ତ୍ତରେ ମୁଁ ଚାଲିବା ବନ୍ଦ କଲି ଏବଂ ରାସ୍ତା ଉପରେ ବସିପଡ଼ିଲି । ମୋ ସ୍ୱାମୀ ବୁଝିପାରିଲେ ଏବଂ ପାଖରେ ଥିବା ଏକ ପରିବାର ପାଖକୁ ଦୌଡ଼ିଲେ । ସେମାନେ ଆମର ଜଣାଶୁଣା ଥିଲେ ଏବଂ ଚାଚି କିଛି ପାଣି ଓ ଗୋଟିଏ ବେଡ୍ସିଟ୍ ନେଇ ୧୦ ମିନିଟ୍ ଭିତରେ ଆସିଲେ ଏବଂ ମୋ ଶାଶୂ ଏବଂ ଚାଚିଙ୍କ ସାହାଯ୍ୟରେ ସନ୍ତାନ ପ୍ରସବ କଲି ।’’ (ରାନୋଙ୍କ ସ୍ୱାମୀଙ୍କ ବୟସ ୩୪ ଏବଂ ସେ ଏକ ରାସନ ଦୋକାନରେ ସହାୟକ ଭାବରେ କାର୍ଯ୍ୟ କରନ୍ତି, ମାସକୁ ଟ. ୮,୦୦୦ ଆୟ କରନ୍ତି । ଏହା ତିନି ଜଣ ପ୍ରାପ୍ତ ବୟସ୍କ ଏବଂ ଗୋଟିଏ ଶିଶୁ ଥିବା ତାଙ୍କ ପରିବାରର ଏକମାତ୍ର ଆୟ; ସେ ତାଙ୍କ ସ୍ୱାମୀଙ୍କ ନାମ କହିବାକୁ ଚାହୁଁନଥିଲେ ।)
ସେ ବୃକ୍ଷ ପରିବେଷ୍ଟିତ ଏକ ଅଣଓସାରିଆ ପାହାଡ଼ି ରାସ୍ତାରେ ପ୍ରଥମ ସନ୍ତାନ ପ୍ରସବର ଯନ୍ତ୍ରଣାଦାୟକ ଅଭିଜ୍ଞତାକୁ ମନେପକାଇ ସେ କହିବା ଜାରି ରଖନ୍ତି, ‘‘ମୋ ପୁଅ [ଜଗତ] ଏହି ଜଙ୍ଗଲରେ ଜନ୍ମ ନେଇଥିଲା ଯେତେବେଳେ ଆମେ ମୁଖ୍ୟ ରାସ୍ତାରେ ପହଞ୍ଚିବା ପାଇଁ ଚାଲୁଥିଲୁ । ମୁଁ କେବେବି ଏପରି ଏକ ପ୍ରସବ ବିଷୟରେ କଳ୍ପନା କରିନଥିଲି । ଏବେବି ଏ ସମ୍ପର୍କରେ ଚିନ୍ତା କଲେ ପେଟ ହାକୁ ହାକୁ ହୋଇଯାଏ । କିନ୍ତୁ ଭଗବାନଙ୍କୁ ଧନ୍ୟବାଦ, ମୋ ସନ୍ତାନ ସୁରକ୍ଷିତ ଥିଲା । ତାହାହିଁ ସବୁଠାରୁ ମୂଲ୍ୟବାନ୍ ଜିନିଷ ।’’
୨୦୨୦ ଫେବୃଆରୀର ସେହି ସକାଳରେ, ଜଗତ ଜନ୍ମ ହେବାର ତୁରନ୍ତ ପରେ, ରାନୋ ତାଙ୍କ ଶାଶୂ, ୫୮ ବର୍ଷ ବୟସ୍କା ପ୍ରତୀମା ସିଂହଙ୍କ ସହିତ ଶିଶୁକୁ ଧରି ଘରକୁ ଫେରିଥିଲେ ।










