ସୋମବାର ସକାଳବେଳା ସଦର ଟାଉନରେ ଅବସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବାର ଅଳ୍ପ କିଛି ସମୟ ପରେ ସୁନିତା ଦତ୍ତ ତାଙ୍କ ସ୍ୱାମୀଙ୍କ ସହିତ ସେଠାକୁ ଆସି ପହଞ୍ଚିଲେ । ହେଲେ, ସହାୟକ ନର୍ସ ଧାଇ (ଏଏନ୍ଏମ୍) ଦମ୍ପତ୍ତିକୁ ପ୍ରସବ ୱାର୍ଡକୁ ନେବା ପରେ ସେମାନେ ଅତିଶୀଘ୍ର ସେହି ସ୍ଥାନ ଛାଡି ଚାଲିଗଲେ । “ଇସ୍ମେ ବଚ୍ଚା କୈସେ ହୋଗା, ବହୁତ ଗନ୍ଦଗି ହେ ଇଧର [ ଏହି ସ୍ଥାନରେ ପିଲା କେମିତି ଜନ୍ମ ହେବ, ଏହା ବହୁତ ଅପରିଷ୍କାର ଅଟେ], ବୋଲି ସୁନିତା ସେମାନେ ଯେଉଁ ରିକ୍ସାରେ ସେଠାକୁ ଆସିଥିଲେ, ସେହି ରିକ୍ସାରେ ବସିବାବେଳେ କହିଲେ ।
“ ଆଜି ହେଉଛି ତାଙ୍କର ପ୍ରସବର ସମ୍ଭାବ୍ୟ ତାରିଖ – ଏଣୁ ଆମକୁ ଯେକୌଣସି ଏକ ଘରୋଇ ଡାକ୍ତରଖାନାକୁ ଯିବାକୁ ହେବ,” ବୋଲି ତାଙ୍କ ସ୍ୱାମୀ ଅମର ଦତ୍ତ ସେମାନଙ୍କ ରିକ୍ସା ସେହି ସ୍ଥାନ ଛାଡିବାବେଳେ କହିଲେ । ସୁନିତା ଏକ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି. ତାଙ୍କର ତୃତୀୟ, ଏହି ପିଏଚ୍ସିରେ । ହେଲେ, ଚଳିତଥର ସେ ଅନ୍ୟ ସ୍ଥାନକୁ ଯିବାକୁ ଠିକ୍ ଭାବିଲେ ।
ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମଧ୍ୟ ସଦର ପିଏଚ୍ସିର ରକ୍ତଦାଗ ଯୁକ୍ତ ଚଟାଣକୁ ପୋଛି ପରିଷ୍କାର କରିବାକୁ ଝାଡୁଦାର ଆହୁରି ଆସିନଥିଲା – ଯାହା ପୂର୍ବ ଦିନିର ପ୍ରସବ କାରଣରୁ ଏପର୍ଯ୍ୟନ୍ତ ଅପରିଷ୍କାର ହୋଇ ପଡିରହିଛି ।
“ ମୋର ସ୍ୱାମୀ ମତେ ନେବାକୁ ଆସିବେ, ସେଥିପାଇଁ ମୁଁ ଅପେକ୍ଷା କରି ରହିଛି । ଆଜି ପାଇଁ ମୋର କାର୍ଯ୍ୟ ସମୟ ଶେଷ ହୋଇଛି। ମୋର ରାତି ସିଫ୍ଟ ଥିଲା ଓ ସେତେବେଳେ କୌଣସି ରୋଗୀ ନଥିଲେ, ହେଲେ, ମଶାଗୁଡିକ କାରଣରୁ ମୁଁ ବହୁତ କମ୍ ସମୟ ଶୋଇପାରିଲି,"ବୋଲି ୪୩ ବର୍ଷ ବୟସ୍କ ପୁଷ୍ପା ଦେବୀ ( ନାମ ବଦଳାଯାଇଛି ) କୁହନ୍ତି । ପୁଷ୍ପା ବିହାରର ଦରଭଙ୍ଗା ଜିଲ୍ଲା ସଦର ଟାଉନ୍ ପିଏଚ୍ସିରେ ଏଏନ୍ଏମ୍ ଭାବେ କାର୍ଯ୍ୟ କରନ୍ତି । ସେ କାର୍ଯ୍ୟାଳୟ ପରିସର ମଧ୍ୟରେ ଆମ ସହିତ, ଏଏନ୍ଏମ୍ଙ୍କ ପାଇଁ କାର୍ଯ୍ୟ ସମୟରେ ବସିବା ପାଇଁ ରହିଥିବା ଚୌକି ଉପରେ ବସି କଥା ହେଉଥିଲେ । ଚୌକି ପଛରେ ଏକ ଟେବୁଲ୍ ଥିଲା, ଯେଉଁଥିରେ କିଛି ପେପର୍ ପଡିଥିଲା ଓ ଗୋଟିଏ କାଠ ଶଯ୍ୟା ଥିଲା । ସେହି ଶଯ୍ୟା, ଯାହା ଉପରେ ଗତକାଲି ପୁଷ୍ପା ତାଙ୍କର ଅସୁବିଧାପୂର୍ଣ୍ଣ ରାତ୍ରି ବିତାଇଥିଲେ ।
ଖଟ ଉପରେ ଝୁଲୁଥିବା ସେହି କ୍ରୀମ ରଙ୍ଗର ମଶାରୀ ଯାହାର ରଙ୍ଗ ବର୍ତ୍ତମାନ ଫିକା ହୋଇଯାଇଛି, ସେଥିରେ ବିଭିନ୍ନ କୀଟପତଙ୍ଗ ମାନେ ପ୍ରବେଶ କରିବାକୁ ଯଥେଷ୍ଟ ବଡ ଆକାରର କଣାମାନ ରହିଛି । ତଳେ ଥିବା ବେଡିଂକୁ ଗୁଡାଇ ଦିଆଯାଇଥିଲା ଓ ଏହାକୁ ତକିଆ ସହିତ ଅନ୍ୟ ସ୍ଥାନରେ ରଖାଯାଇଥିଲା – ଯାହାକୁ ପରବର୍ତ୍ତୀ ରାତି ସିଫ୍ଟରେ ଥିବା ଏଏନ୍ଏମ୍ ବ୍ୟବହାର କରିବେ।







