ଭାରତୀୟ ରାଜନୀତିର ଦିଗବଳୟରେ ଡକ୍ଟର ବି. ଆର. ଆମ୍ବେଦକରଙ୍କ ଉଦୟ ହେବା ପରେ ମହାରାଷ୍ଟ୍ରର ସବୁ କୋଣଅନୁକୋଣରେ ଜନଜାଗରଣ ପାଇଁ ତାଙ୍କ ଆନ୍ଦୋଳନର ପ୍ରଚାର ଓ ପ୍ରସାର ଲାଗି କବି-ଗାୟକ ଭାବେ ପରିଚିତ ‘ଶାହିର୍’ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେମାନେ ଆମ୍ବେଦକରଙ୍କ ଜୀବନୀ, ତାଙ୍କର ବାର୍ତ୍ତା ଏବଂ ଦଳିତମାନଙ୍କ ସଂଘର୍ଷରେ ତାଙ୍କର ଭୂମିକା ସମ୍ପର୍କରେ ସମସ୍ତେ ବୁଝିପାରିବା ଭଳି ଭାଷାରେ ପ୍ରଚାର କରିଥିଲେ। ସେମାନେ ଗାଉଥିବା ଗୀତ ଗାଁରେ ଦଳିତମାନଙ୍କ ପାଇଁ ଏକମାତ୍ର ବିଶ୍ୱବିଦ୍ୟାଳୟ ଥିଲା ଏବଂ କେବଳ ସେମାନଙ୍କ ଜରିଆରେ ପରବର୍ତ୍ତୀ ପିଢ଼ି ବୁଦ୍ଧ ଓ ଆମ୍ବେଦକରଙ୍କ ସମ୍ପର୍କରେ ପରିଚିତ ହୋଇପାରିଥିଲେ ।


Beed, Maharashtra
|FRI, APR 15, 2022
ଆମ୍ବେଦକରଙ୍କ ଦ୍ୱାରା ଅନୁପ୍ରାଣିତ: ସାଲଭେଙ୍କ ମୁକ୍ତି ସଙ୍ଗୀତ
ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ, ଶାହିର ଆତ୍ମାରାମ ସାଲଭେଙ୍କ କବିତା ଶ୍ରୋତାମାନଙ୍କୁ ପୁରୁଣା ପଦ୍ଧତି ତ୍ୟାଗ କରିବା ଏବଂ ବାବାସାହେବଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗରେ ଆଗକୁ ବଢ଼ିବା ପାଇଁ ଆହ୍ଵାନ କରିଥାଏ
Author
Illustration
Translator

ଆତ୍ମାରାମ ସାଲଭେ (୧୯୫୩-୧୯୯୧) ଶାହିର ସମ୍ପ୍ରଦାୟର ପ୍ରତିନିଧି ଥିଲେ, ସେ ୭୦ଦଶକରେ ପୁସ୍ତକ ମାଧ୍ୟମରେ ବାବାସାହେବଙ୍କ ମିଶନ ସହ ପରିଚିତ ହୋଇଥିଲେ। ଡକ୍ଟର ଆମ୍ବେଦକର ଏବଂ ତାଙ୍କର ମୁକ୍ତିର ବାର୍ତ୍ତା ପ୍ରଚାର କରିବା ଲାଗି ସାଲଭେ ତାଙ୍କର ସମ୍ପୂର୍ଣ୍ଣ ଜୀବନକୁ ସମର୍ପି ଦେଇଥିଲେ। ତାଙ୍କର ଉତ୍ସାହପ୍ରଦ କବିତା ଦୁଇ ଦଶନ୍ଧିରୁ ଲମ୍ବା ସମୟ ଧରି ଚାଲିଥିବା ନମନ୍ତର ଆନ୍ଦୋଳନକୁ ରୂପ ଦେଇଥିଲା – ଏଥିରେ ମରାଠୱାଡ଼ା ବିଶ୍ୱବିଦ୍ୟାଳୟର ନାମକରଣ ଡକ୍ଟର ଆମ୍ବେଦକରଙ୍କ ନାମ ଅନୁସାରେ କରିବା ଲାଗି ଦାବି କରାଯାଇଥିଲା, ଯାହାକି ମରାଠାୱାଡ଼ା କ୍ଷେତ୍ରକୁ ଜାତିଗତ ସଂଘର୍ଷର ଯୁଦ୍ଧଭୂମିରେ ପରିଣତ କରିଥିଲା। ନିଜର ସ୍ୱର, ନିଜର ଶବ୍ଦ, ନିଜର ଶାହିରୀ ବଳରେ ସାଲଭେ ବିନା କୌଣସି ମାଧ୍ୟମରେ ପାଦରେ ଚାଲି ଚାଲି ମହାରାଷ୍ଟ୍ରର ବିଭିନ୍ନ ଗ୍ରାମରେ ଅତ୍ୟାଚାର ବିରୋଧରେ ଜନଜାଗରଣର ମଶାଲ ଜାଳିଥିଲେ । ଆତ୍ମାରାମଙ୍କ ସଙ୍ଗୀତ ଶୁଣିବା ଲାଗି ହଜାର ହଜାର ଲୋକ ଏକତ୍ରିତ ହୋଇଯାଉଥିଲେ । ସେ କହୁଥିଲେ, ‘‘ଯେତେବେଳେ ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କରାଯିବ ମୁଁ ବିଶ୍ୱବିଦ୍ୟାଳୟର ପ୍ରବେଶ ପଥରେ ଆମ୍ବେଦକରଙ୍କ ନାମକୁ ସୁବର୍ଣ୍ଣ ଅକ୍ଷରରେ ଲେଖିବି ।’’
ଶାହିର ଆତ୍ମାରାମ ସାଲଭେଙ୍କ ପ୍ରେରଣାଦାୟୀ ଶବ୍ଦ ଆଜି ବି ମରାଠୱାଡ଼ାର ଦଳିତ ଯୁବକମାନଙ୍କୁ ଜାତିଗତ ନିର୍ଯାତନା ବିରୋଧରେ ସେମାନଙ୍କ ସଂଘର୍ଷରେ ଅନୁପ୍ରାଣିତ କରିଥାଏ। ଆତ୍ମାରାମ ତାଙ୍କ ଜୀବନକୁ କେତେମାତ୍ରାରେ ପ୍ରଭାବିତ କରିଛନ୍ତି ସେ ସମ୍ପର୍କରେ ବୀଡ଼ ଜିଲ୍ଲା ଫୁଲେ ପିଁପଲଗାଓଁ ଗ୍ରାମର ୨୭ ବର୍ଷୀୟ ଛାତ୍ର ସୁମିତ ସାଲଭେ କୁହନ୍ତି, ‘‘ତାଙ୍କ ବିଷୟରେ ବର୍ଣ୍ଣନା କରିବା ଲାଗି ଗୋଟିଏ ସାରା ରାତି ଏବଂ ସାରା ଦିନ ମଧ୍ୟ ଯଥେଷ୍ଟ ହେବ ନାହିଁ ।’’ ସୁମିତ ଡକ୍ଟର ଆମ୍ବେଦକର ଏବଂ ଆତ୍ମାରାମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆତ୍ମାରାମଙ୍କର ଏକ ପ୍ରେରଣାଦାୟୀ ଗୀତ ଗାଇବା ସହିତ ଶ୍ରୋତାମାନଙ୍କୁ ଆମ୍ବେଦକରଙ୍କ ମାର୍ଗ ଅନୁସରଣ କରିବା ଏବଂ ପୁରୁଣା ପଦ୍ଧତି ତ୍ୟାଗ କରିବା ଲାଗି ଆହ୍ଵାନ କରିଥାନ୍ତି । ସେ ଏକ ପ୍ରଶ୍ନ ମାଧ୍ୟମରେ ନିଜର ଶ୍ରୋତାମାନଙ୍କୁ ଆହ୍ଵାନ କରନ୍ତି, ‘‘କେତେଦିନ ଯାଏ ନିଜକୁ ଶହ ଶହ ବର୍ଷ ପୁରୁଣା କମ୍ବଳରେ ଘୋଡ଼େଇ ରଖିବ?’’ ଶାହିର ଆମକୁ ସ୍ମରଣ କରାଇ ଦିଅନ୍ତି, ‘‘ସମ୍ବିଧାନକୁ ନିଜ ସିଦ୍ଧାନ୍ତ ରୂପରେ ଗ୍ରହଣ କରି, ତୁମମାନଙ୍କ ତ୍ରାଣକର୍ତ୍ତା ଭୀମ ଗୋଲାମୀର ଶିକୁଳି ଖୋଲି ଦେଇଛନ୍ତି ।’’ ସୁମିତଙ୍କ ଗୀତ ଶୁଣନ୍ତୁ ।
ସମ୍ବିଧାନର ସିଦ୍ଧାନ୍ତକୁ ସାଥୀରେ ନେଇ
ତୁମମାନଙ୍କ ତ୍ରାଣକର୍ତ୍ତା ଭୀମ
ଗୋଲାମୀର ଶିକୁଳି ଖୋଲି ଦେଲେ
ଶହ ଶହ ବର୍ଷ ପୁରୁଣା କମ୍ବଳକୁ ଆଉ କେତେଦିନ ନିଜ ଚାରିପାଖେ ଘୋଡ଼େଇ ରଖିବ?
ତୁମ ଜୀବନ ଅସ୍ତବ୍ୟସ୍ତ ହୋଇ ରହିଥିଲା
ଭୀମଜୀ ତୁମମାନଙ୍କୁ ମଣିଷ ଭାବେ ବଦଳାଇଦେଲେ
ମୋ କଥା ଶୁଣ, ରେ ବୋକା
ନିଜର ଦାଢ଼ି ଓ କେଶ ବଢ଼ାଇବା ବନ୍ଦ କର
ରଣୋବା (ଜଣେ ଦେବତା)ଙ୍କ ଅନ୍ଧ ଅନୁଗାମୀ ହୁଅ ନାହିଁ
ଶହ ଶହ ବର୍ଷ ପୁରୁଣା କମ୍ବଳକୁ ଆଉ କେତେଦିନ ନିଜ ଚାରିପାଖେ ଘୋଡ଼େଇ ରଖିବ?
ସେହି କମ୍ବଳରେ ଚାରି ବର୍ଣ୍ଣର ରଙ୍ଗ ଅଛି
ଭୀମ ଏହାକୁ ଜାଳି ଦେଇଛନ୍ତି ଓ ଶକ୍ତିହୀନ କରି ଦେଇଛନ୍ତି
ତୁମେ ଏକ ବୁଦ୍ଧ ନଗରୀରେ ରହୁଛ
କିନ୍ତୁ ଅନ୍ୟ କେଉଁଠି ରହିବାକୁ ଚାହୁଁଛ
ଭୀମୱାଡ଼ି (ଦଳିତ ବସ୍ତି) କିପରି ଭଲ ଦିନ ଦେଖିବ?
ଶହ ଶହ ବର୍ଷ ପୁରୁଣା କମ୍ବଳକୁ ଆଉ କେତେଦିନ ନିଜ ଚାରିପାଖେ ଘୋଡ଼େଇ ରଖିବ?
କମ୍ବଳରୁ ବାହାରିଥିବା ଉକୁଣି ତୁମ ଇଚ୍ଛା ବିରୋଧରେ ତୁମର ମଇଳା କେଶକୁ ଖାଇଗଲେଣି
ତଥାପି, ତୁମେ ଘରେ ଓ ମଠରେ ରଣୋବାଙ୍କ ପୂଜା ଜାରି ରଖିଛ
ଅନ୍ଧବିଶ୍ୱାସର ମାର୍ଗ ଛାଡ଼
ସାଲଭେଙ୍କୁ ଗୁରୁ ଭାବେ ଗ୍ରହଣ କର
ତୁମେ ଲୋକମାନଙ୍କୁ ଭୂଆଁ ବୁଲାଅ ନାହିଁ, ନୁହେଁ କି?
ଶହ ଶହ ବର୍ଷ ପୁରୁଣା କମ୍ବଳକୁ ଆଉ କେତେଦିନ ନିଜ ଚାରିପାଖେ ଘୋଡ଼େଇ ରଖିବ?
ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ସହଭାଗିତାରେ ଇଣ୍ଡିଆ ଫାଉଣ୍ଡେସନ ଫର୍ ଦ ଆର୍ଟସ୍ ପକ୍ଷରୁ ସେମାନଙ୍କର ଆର୍କାଇଭ୍ସ ଓ ମ୍ୟୁଜିୟମ ପ୍ରୋଗ୍ରାମ ଅଧୀନରେ କାର୍ଯ୍ୟକାରୀ କରାଯାଉଥିବା ‘ଇନଫ୍ଲୁଏନ୍ସିଆଲ ଶାହିର୍ସ, ନ୍ୟାରେଟିଭ୍ସ ଫ୍ରମ ମରାଠୱାଡ଼ା’ ଶୀର୍ଷକ ପ୍ରକଳ୍ପ ସଂଗ୍ରହର ଏକ ଅଂଶବିଶେଷ ଭାବେ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି। ନୂଆଦିଲ୍ଲୀର ଗୋଏଥ ଇନଷ୍ଟିଚ୍ୟୁଟ/ମାକ୍ସ ମୁଲର ଭବନର ଆଂଶିକ ସହଯୋଗରେ ଏହା ସମ୍ଭବ ହୋଇପାରିଛି ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଆମ୍ବେଦକରଙ୍କ-ଦ୍ୱାରା-ଅନୁପ୍ରାଣିତ-ସାଲଭେଙ୍କ-ମୁକ୍ତି-ସଙ୍ଗୀତ

