ଧିରେ ଧିରେ ପବନ ବହୁଥିବା ଏକ ଅପରାହ୍ନରେ, ଉଷା ଶିନ୍ଦେ ନିଜ ନାତିକୁ କାଖ କରି ନଦୀ ପାରି କରିବା ପାଇଁ ଏକ ରାପ୍ଟରେ ଚଢିବାକୁ ଯାଉଥିଲେ। ସେହି ଅସ୍ଥିର ବୋଟ୍ଟି ତାଙ୍କ ଆଶାଠାରୁ ଅଧିକ ହଲିଗଲା ଓ ଉଷା ସେଥିରୁ ଖସି ପଡିଥିଲେ। ଶିଶୁ ସହ ନଦୀରେ ଖସି ପଡିବା ମାତ୍ରେ ସେମାନେ ମୃତ୍ୟୁବରଣ କରିବାକୁ ଯାଉଛନ୍ତି ବୋଲି ଭାବି ସେ ଡରିଯାଇଥିଲେ।
ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହା ଘଟିଥିଲା, ଯେତେବେଳେ କୋଭିଡ -୧୯ ର ଦ୍ୱିତୀୟ ଲହର ସାରା ଦେଶରେ ବ୍ୟାପୁଥିଲା। ଉଷାଙ୍କ ନାତି ଚାରି ବର୍ଷର ଶମ୍ଭୁ ଜ୍ୱରରେ ପୀଡିତ ଥିଲେ। ୬୫ ବର୍ଷୀୟା ଉଷା କୁହନ୍ତି, "ମୁଁ ଭୟ କରୁଥିଲି ଯେ ସେ କରୋନା [ଭୂତାଣୁ] ଦ୍ୱାରା ସଂକ୍ରମିତ ହୋଇଥାଇପାରେ। ତା’ର ବାପା-ମା ଏଠାରୁ ଦୂରରେ ଥିବା ପଶ୍ଚିମ ମହାରାଷ୍ଟ୍ରର ଏକ ଚିନି କଳରେ ଋତୁକାଳୀନ ଶ୍ରମିକ ଭାବରେ କାମ କରୁଛନ୍ତି। ତେଣୁ ମୁଁ ତାକୁ ଡାକ୍ତରଙ୍କ ପାଖକୁ ତୁରନ୍ତ ନେବାକୁ ସ୍ଥିର କଲି।"
କିନ୍ତୁ ଏହି ଯାତ୍ରା କରିବା ପାଇଁ ତାଙ୍କ ଗାଁ ଦେଇ ଯାଇଥିବା ନଦୀକୁ ଏକ କାମଚଳା ରାପ୍ଟରେ ପାର କରିବାକୁ ପଡିଥାଏ। ଉଷା କୁହନ୍ତି,"ମୁଁ ନିଜକୁ ସନ୍ତୁଳିତ କରି ପାରିଲି ନାହିଁ ଏବଂ ଶମ୍ଭୁଙ୍କ ସହ ଖସି ପଡିଲି। "ମୁଁ ପହଁରି ପାରିବି ନାହିଁ। ସୌଭାଗ୍ୟବଶତଃ, ମୋ ଭଣଜା ପାଖରେ ଥିଲେ। ସେ ପାଣି ଭିତରକୁ ଡେଇଁ ଆମକୁ ବାହାରକୁ ଆସିବାରେ ସାହାଯ୍ୟ କଲେ। ମୁଁ ଡରି ଯାଇଥିଲି’ ମୋ କାରଣରୁ ମୋ ନାତି ସହ କିଛି ଘଟିଯାଉ ବୋଲି ମୁଁ ଚାହୁଁନଥିଲି।"
ମହାରାଷ୍ଟ୍ରର ବିଡ ଜିଲ୍ଲାର ବିଞ୍ଚର୍ଣ୍ଣା ନଦୀ କୂଳରେ ଉଷାଙ୍କ ଗାଁ ସୌତଡା। ୨୨୫ ଫୁଟ ଉଚ୍ଚରୁ ମହାନଦୀକୁ ଯାଇଥିବା ଚମତ୍କାର ରାମେଶ୍ୱର ଜଳପ୍ରପାତ ପାଟୋଡା ତାଲୁକା ଗାଁଠାରୁ ପ୍ରାୟ ୧.୫ କିଲୋମିଟର ଦୂରରେ ଅବସ୍ଥିତ। ଏହି ନଦୀ ସୌତଡାକୁ ଦୁଇ ଭାଗରେ ବିଭକ୍ତ କରି ଗାଁର ଏକ ଅଂଶକୁ ମୁଖ୍ୟ ଭାଗରୁ ବିଚ୍ଛିନ୍ନ କରି ଦେଇଛି। ଏକ ସେତୁ ନଥିବାରୁ, ସତୌଡ଼ାର ବିଚ୍ଛିନ୍ନ ଅଂଚଳର ଶିନ୍ଦେ ବସ୍ତିର ଲୋକମାନଙ୍କୁ ଦୋକାନ ସଉଦାଠାରୁ ଆରମ୍ଭ କରି ଡାକ୍ତରଖାନା ଯିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରିବା ପାଇଁ ନଦୀ ପାରି ହେଵାକୁ ପଡୁଛି।









