କୁଣ୍ଡଲି ଶିଳ୍ପାଞ୍ଚଳରେ ଥିବା ଗୋଟିଏ ଘରକରଣା ସାମଗ୍ରୀ କାରଖାନାରେ ସିକ୍ୟୁରିଟି ସୁପର ଭାଇଜର ଥିବା ୨୨ ବର୍ଷୀୟ ନିଜାମୁଦ୍ଦିନ୍ ଅଲୀ କହନ୍ତି, ‘‘ତେବେ ନିଶ୍ଚିତ ଭାବେ କମ୍ପାନୀରେ କାମ କରୁଥିବା ଲୋକେ ଏଠାରେ ଚାଲୁଥିବା ଆନ୍ଦୋଳନ ଦ୍ୱାରା ବିରକ୍ତ ହେଉଛନ୍ତି । ଏହା ପରିବହନକୁ ଗୁରୁତର ଭାବେ ପ୍ରଭାବିତ କରିଛି ଏବଂ ବ୍ୟବସାୟ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଚାଲୁଛି।’’ ହରିୟାଣା-ଦିଲ୍ଲୀ ସୀମାରେ ସିଂଘୁସ୍ଥିତ ଚାଷୀଙ୍କ ବିକ୍ଷୋଭ ସ୍ଥଳଠାରୁ ପ୍ରାୟ ୬ କିଲୋମିଟର ଦୂରରେ ସେ ରହନ୍ତି। (କୁଣ୍ଡଲି ଏକ ପୁରୁଣା ଗାଁ, ଏବେ ହରିୟାଣା ସୋନିପତ ଜିଲ୍ଲାର ନଗରପାଳିକା ଅନ୍ତର୍ଭୁକ୍ତ)।
ଏହି ବ୍ୟାଘାତ ଯୋଗୁଁ, ନିଜାମୁଦ୍ଦିନଙ୍କୁ ତାଙ୍କ କମ୍ପାନୀଠାରୁ ୨ ମାସରୁ ଅଧିକ ସମୟ ହେଲା ଦରମା ମିଳିନାହିଁ, କିନ୍ତୁ ସେ ଆନ୍ଦୋଳନରତ ଚାଷୀଙ୍କ ସମର୍ଥନରେ ଅଛନ୍ତି । ସେ କହନ୍ତି, ‘‘ଏବେ ମୋ କାରଖାନା ଯେଉଁ ସମସ୍ୟାର ସାମ୍ନା କରୁଛି ମୁଁ ତାକୁ ବୁଝୁଛି, ଏହା ମୋ ଦରମାକୁ ପ୍ରଭାବିତ କରିଛି । ତଥାପି ମୁଁ ଚାଷୀଙ୍କୁ ସମର୍ଥନ କରୁଛି ।’’ କିନ୍ତୁ ତାଙ୍କର ନିଷ୍ଠା ସମାନ ଭାବରେ ଭାଗ ହୋଇନାହିଁ । ‘‘ମୁଁ ଯଦି ମୋ କାରଖାନାକୁ ୨୦ ପ୍ରତିଶତ ସମର୍ଥନ କରୁଛି, ଚାଷୀଙ୍କ ପ୍ରତି ଏହା ୮୦ ପ୍ରତିଶତ ।’’
ବିହାର ସିୱାନ୍ ଜିଲ୍ଲା ସ୍ଥିତ ନିଜ ଗାଁରୁ କିଛି ବର୍ଷ ପୂର୍ବରୁ ନିଜାମୁଦ୍ଦିନ୍ କୁଣ୍ଡଲି ଆସିଥିଲେ । ଗାଁରେ ଥିବା ୬.୫ ବିଘା ଜମି (ବିହାରରେ ପ୍ରାୟ ୪ ଏକର)ରେ ତାଙ୍କ ପରିବାର ଗହମ, ଧାନ, ହରଡ଼ ଡାଲି, ଶୋରିଷ, ମୁଗ ଡାଲି ଓ ତମ୍ବାଖୁ ଚାଷ କରନ୍ତି । ସେ କହନ୍ତି, ‘‘ଚାଷୀମାନେ ହିଁ ନିଜ ଗୁଜରାଣ ମେଣ୍ଟାଇବାକୁ ଏହି ଶସ୍ୟଗୁଡ଼ିକୁ ଉତ୍ପାଦନ କରନ୍ତି, ସରକାର ନୁହେଁ ବା ଅମ୍ବାନି କି ଅଦାନି ନୁହନ୍ତି। ମୁଁ ସାରା ଦେଶର ଚାଷୀଙ୍କର କଷ୍ଟ ଅନୁଭବ କରିପାରୁଛି । ଯଦି ଏହି ନୂଆ ଆଇନଗୁଡ଼ିକ ଲାଗୁ କରାଯାଏ, ତେବେ ଆମେ ଆଉ ରାସନ ପାଇପାରିବୁ ନାହିଁ । ସ୍କୁଲରେ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଯିବ । ’’
‘‘ବିହାରରେ ଆମକୁ କୁହାଯାଇଥିଲା (କିଛି ବର୍ଷ ପୂର୍ବରୁ) ଯେ ଗହମ ମୂଲ୍ୟ କିଲୋ ପିଛା ୨୫ ଟଙ୍କା ହୋଇଯିବ। ବିହାରର ପ୍ରତ୍ୟେକ କୃଷକ ପରିବାର ସେମାନଙ୍କ ଆକାଉଣ୍ଟରେ (ପିଏମ୍ କିଷାନ ଯୋଜନାରେ) ୨,୦୦୦ ଟଙ୍କା ପାଇଲେ । କିନ୍ତୁ ପରେ କିଲୋ ପିଛା ସେହି ୨୫ ଟଙ୍କା ମୂଲ୍ୟ କିଲୋ ପିଛା ୭ ଟଙ୍କାକୁ ଖସିଆସିଲା । ଆମେ ଆଗକୁ ବଢ଼ିବାକୁ ଚାହୁଁ, କିନ୍ତୁ ସ୍ପଷ୍ଟ ଭାବେ ସରକାର ଆମକୁ ପଛକୁ ଠେଲି ଦେଉଛି ।’’










