ଜୁଲାଇ ମଧ୍ୟ ଭାଗରେ, ଆଉ ଦିନେ, ଧମତରୀ ସହରଠାରୁ ପାଖାପାଖି ୧୫ କିମି ଦୂର, କୋଲିୟରି-ଖରେଙ୍ଗା ଗ୍ରାମ ସଡ଼କରେ, ଆମେ କୃଷି ଶ୍ରମିକମାନଙ୍କର ଆଉ ଏକ ଦଳକୁ ଭେଟିଲୁ। “ଯଦି ଆମେ କାମ କରିବୁ ନାହିଁ, ତା’ହେଲେ ଭୋକରେ ମରିଯିବୁ। ଆମେ (କୋଭିଡ-19 ବିପଦ କାରଣରୁ) ଘରେ ସୁରକ୍ଷିତ ରହିବାର ସୁଖ ଭୋଗିପାରିବୁ ନାହିଁ,” ଧମତରୀ ବ୍ଲକର ଖରେଙ୍ଗା ଗ୍ରାମର ଭୂଖିନ ସାହୁ କହିଥିଲେ। ସେ ୨୪ ଜଣ ଶ୍ରମିକଙ୍କୁ ନେଇ ଏକ ଦଳର ଠିକାଦାର ଅଟନ୍ତି। “ଆମେ ମଜୁରିଆ ଏବଂ ଆମ ପାଖରେ କେବଳ ହାତ-ଗୋଡ଼ ରହିଛି। କିନ୍ତୁ କାମ କରିବା ସମୟରେ ଆମେ ଶାରୀରିକ ଦୂରତା ବଜାୟ ରଖିଥାଉ…”।
ସେ ଓ ଅନ୍ୟ ମହିଳାମାନେ ରାସ୍ତାର ଉଭୟ ପାର୍ଶ୍ୱରେ ବସିଥିଲେ ଏବଂ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି ଓ ତରକାରୀ ଖାଉଥିଲେ, ଯାହାକୁ ସେମାନେ ଘରୁ ଆଣିଥିଲେ। ସେମାନେ ଭୋର ୪ଟାରେ ଉଠିଥାନ୍ତି, ଘରେ ଖାଇବା ପ୍ରସ୍ତୁତ କରିଥାନ୍ତି, ଘରର ସବୁ କାମ ଶେଷ କରିଥାନ୍ତି, ସକାଳୁ ଖାଇଥାନ୍ତି ଏବଂ ସକାଳ ୬ଟାରେ କ୍ଷେତରେ ପହଞ୍ଚିଯାଇଥାନ୍ତି। ୧୨ ଘଣ୍ଟା ପରେ ସନ୍ଧ୍ୟା ୬ଟାରେ ଘରକୁ ଫେରିଥାନ୍ତି। ପୁଣିଥରେ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ଏବଂ ଅନ୍ୟ କାମ କରିଥାନ୍ତି, ଭୂଖିନ ନିଜର ଏବଂ ଅନ୍ୟ ମହିଳାମାନଙ୍କର ଦିନଚର୍ଯ୍ୟା ବିଷୟରେ କହିଥିଲେ।
“ଆମେ ପ୍ରତ୍ୟେକ ଦିନ ପାଖାପାଖି ଦୁଇ ଏକର ଜମିରେ ଧାନ ରୁଆ କାମ କରିଥାଉ, ଏବଂ ଏକର ପ୍ରତି ୩୫୦୦ ଟଙ୍କା ପାଇଥାଉ,” ଭୁଖିନ କହିଥିଲେ। ଶ୍ରମିକ ଦଳର ଏହି ଏକର ପ୍ରତି ଦର (ଚଳିତ ଋତୁରେ, ଧମତରୀରେ) ଭିନ୍ନ ଭିନ୍ନ ହୋଇଥାଏ, ୩୫୦୦ ଟଙ୍କା ଠାରୁ ନେଇ ୪୦୦୦ ଟଙ୍କା ପର୍ଯ୍ୟନ୍ତ, ଏବଂ ଏହା ମୂଲଚାଲ ଏବଂ ଦଳର ଶ୍ରମିକମାନଙ୍କ ସଂଖ୍ୟା ଉପରେ ନିର୍ଭର କରିଥାଏ।
କିଛି ବର୍ଷ ପୂର୍ବରୁ ଭୁଖିନଙ୍କ ସ୍ୱାମୀ ଶ୍ରମିକ ଭାବେ କାମ କରିବା ଲାଗି ଭୋପାଳ ଯାଇଥିଲେ ଏବଂ ଆଉ କେବେ ଫେରିନଥିଲେ। “ସେ ଆମକୁ ଗାଁରେ ଛାଡ଼ି ଦେଇଗଲେ। ସେ ଆମ ସହିତ ଯୋଗାଯୋଗରେ ନାହାନ୍ତି”, ସେ କହିଥିଲେ। ତାଙ୍କ ପୁଅ କଲେଜରେ ପଢ଼ୁଛି, ଏବଂ ଭୁଖିନଙ୍କର ଏକମାତ୍ର ରୋଜଗାରରେ ହିଁ ଦୁଇ ଜଣିଆ ପରିବାରର ଗୁଜୁରାଣ ମେଣ୍ଟିଥାଏ।
ସେହି ସଡ଼କରେ, ଆମେ କୃଷି ଶ୍ରମିକମାନଙ୍କର ଆଉ ଏକ ଦଳକୁ ଭେଟିଲୁ- ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଆଉ କିଛି ପୁରୁଷ ଥିଲେ-ସେମାନଙ୍କୁ ଧାନ ରୁଆ କାମ ପାଇଁ କ୍ଷେତକୁ ନିଆଯାଉଥିଲା। “ଏହା ଆମ ଜୀବିକାର ଉତ୍ସ। ସେଥିପାଇଁ ଆମକୁ କାମ କରିବାକୁ ପଡ଼ୁଛି। ଆମେ କାମ ନକଲେ, ଫସଲ କିଏ ଫଳାଇବ? ସମସ୍ତଙ୍କୁ ଖାଇବା ଲାଗି ଭୋଜନ ଆବଶ୍ୟକ”, ଧମତରୀ ବ୍ଲକର ଦରୀ ଗ୍ରାମର ମହିଳା ଶ୍ରମିକ ଠିକାଦାର ସବିତା ସାହୁ କହିଥିଲେ। “ଯଦି ଆମେ କରୋନାକୁ ଡରିବୁ, ଆମେ ବିଲକୁଲ କାମ କରିପାରିବୁ ନାହିଁ। ଆମ ପିଲାମାନଙ୍କୁ ଖାଇବାକୁ କିଏ ଦେବ? ତା’ଛଡ଼ା ଆମ କାମ ଏମିତି ଯେ ଆମେ ସେମିତିରେ ଦୂରତା (ଧାନ କ୍ଷେତରେ) ବଜାୟ ରଖି କାମ କରିଥାଉ।” ଜୁଲାଇ ମଧ୍ୟଭାଗରେ, ମୁଁ ଯେତେବେଳେ ସେମାନଙ୍କୁ ଭେଟିଲି, ସେତେବେଳେ ସବିତା ଏବଂ ତାଙ୍କର ଦଳର ୩୦ ଜଣ ମହିଳା ଏକର ପ୍ରତି ୩୬୦୦ ଟଙ୍କା ଦରରେ ଧାନ ରୁଆ କାମ ସାରି ଦେଇଥିଲେ।