ବାଲାଜୀ ହଟ୍ଟଗାଲେ ଦିନେ ଆଖୁ କାଟୁଥିଲେ। ପରଦିନ ସେ ଆଉ ନଥିଲେ। ତାଙ୍କ ପିତାମାତା କହିଲେ ଯେ ସେମାନେ ଯଦି ଅଧିକ ଜାଣିଥାନ୍ତେ। ତାଙ୍କ ପିତା ବାବାସାହେବ ହଟ୍ଟଗାଲେ କୁହନ୍ତି, "ଏହି ଅନିଶ୍ଚିତତା ଆମକୁ ମୃତ୍ୟୁମୁଖକୁ ଠେଲି ଦେଉଛି"। ଜୁଲାଇ ମାସର ଏକ ସନ୍ଧ୍ୟାରେ, ଘନ ବାଦଲ ଦ୍ୱାରା ଆଚ୍ଛାଦିତ ତାଙ୍କର ଏକ କୋଠରୀ ବିଶିଷ୍ଟ ଇଟା ଘର ମଧ୍ୟରୁ ବାବାସାହେବ କଣ୍ଠରୁ ନିରାଶାରେ ଶୁଭୁଥିଲା,: “ଆମେ କେବଳ ଜାଣିବାକୁ ଚାହୁଁଛୁ ସେ ମୃତ ନା ଜୀବିତ ଅଛନ୍ତି"।
୨୦୨୦ ମସିହା ନଭେମ୍ବର ମାସରେ ବାବାବସାହେବ ଏବଂ ତାଙ୍କ ପତ୍ନୀ ସଙ୍ଗିତା ସେମାନଙ୍କର ୨୨ ବର୍ଷର ପୁଅକୁ ଶେଷଥର ପାଇଁ ଦେଖିଥିଲେ। ବାଲାଜୀ କର୍ଣ୍ଣାଟକର ବେଲାଗାଭି ଜିଲ୍ଲା (କିମ୍ବା ବେଲଗାମ୍) ର ଆଖୁ କ୍ଷେତରେ କାମ କରିବା ପାଇଁ ମହାରାଷ୍ଟ୍ରର ବିଡ୍ ଜିଲ୍ଲାର କାଡିୱାଡାଗାଁଓ ଗ୍ରାମରେ ଥିବା ନିଜ ଘରୁ ବାହାରି ଯାଇଥିଲେ।
ପଶ୍ଚିମ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଆଖୁ କାଟିବା ପାଇଁ ବର୍ଷର ୬ ମାସ ମରାଠାୱାଡା ସଂପ୍ରଦାୟରୁ କାମ ଅନ୍ୱେଷଣରେ ଯାଉଥିବା ଲକ୍ଷାଧିକ ଋତୁକାଳୀନ ଶ୍ରମିକମାନଙ୍କ ମଧ୍ୟରେ ସେ ଜଣେ ଥିଲେ। ପ୍ରତ୍ୟେକ ବର୍ଷ ଦୀପାବଳି ପର୍ବ ପରେ ନଭେମ୍ବର ମାସରେ ଶ୍ରମିକମାନେ ନିଜର ଗ୍ରାମରୁ ବାହାରି ଯାଇଥାନ୍ତି, ଏବଂ ମାର୍ଚ୍ଚ ବା ଏପ୍ରିଲ୍ ମାସରେ ଫେରିଆସନ୍ତି। କିନ୍ତୁ ବାଲାଜୀ ଏହି ବର୍ଷ ଫେରିଲେ ନାହିଁ।
ବାଲାଜୀ ପ୍ରଥମ ଥର ପାଇଁ ଏହି କାମ କରିବାକୁ ଘର ପରିତ୍ୟାଗ କରି ବାହାରକୁ ଯାଇଥିଲେ ଯେଉଁ କାମ ତାଙ୍କର ପିତା ମାତା ଦୀର୍ଘ ଦୁଇ ଦଶନ୍ଧି ଧରି କରିଆସୁଥିଲେ। ବାବାସାହେବ କୁହନ୍ତି, "ମୋର ସ୍ତ୍ରୀ ଓ ମୁଁ ପ୍ରାୟ ୨୦ ବର୍ଷ କିମ୍ବା ତାଠାରୁ ଅଧିକ ସମୟ ହେବ ଆଖୁ କାଟିବା ପାଇଁ ଯାଉଛୁ। [ଉଭୟ] ଆମେ ଗୋଟିଏ ଋତୁରେ ୬୦,୦୦୦ ରୁ ୭୦,୦୦୦ ହଜାର ଟଙ୍କା ରୋଜଗାର କରିଥାଉ।" ଏହା ଆମ ନିଶ୍ଚିତ ରୋଜଗାରର ଏକମାତ୍ର ଉତ୍ସ। ବିଡ୍ରେ ସାଧାରଣ ସମୟରେ ମଧ୍ୟ ଦିନ ମଜୁରିଆ କାମ ପାଇବା କଷ୍ଟକର ଅଟେ, ଏବଂ କୋଭିଡ ପରେ ଏହା ଆହୁରି ଖରାପ ହେଇଯାଇଛି।"
ପରିବାର ପାଇଁ ମହାମାରୀ ସମୟରେ କୃଷିକ୍ଷେତ୍ର ଓ ନିର୍ମାଣ ସ୍ଥଳରେ କାମ ଖୋଜିପାଇବା କଷ୍ଟକର ଥିଲା। ବାବାସାହେବ କୁହନ୍ତି, "୨୦୨୦ ମସିହା ମାର୍ଚ୍ଚ ମାସରୁ ନଭେମ୍ବର ମାସ ମଧ୍ୟରେ ଆମେ କୌଣସି ଟଙ୍କା ରୋଜଗାର କରିନଥିଲୁ"। କୋଭିଡ୍ -୧୯ ଆରମ୍ଭ ହେବା ପୂର୍ବ ମାସରେ ସେମାନେ ବିଡ୍ ୱାଡୱାନି ତାଲୁକାରେ ନିଜ ଗାଁରେ ରହୁଥିବା ସମୟରେ ବାବାସାହେବ ସାଧାରଣତଃ ସପ୍ତାହରେ ୨-୩ ଦିନ କାମ କରି ପ୍ରାୟ ଦିନକୁ ୩୦୦ ଟଙ୍କା ରୋଜଗାର କରୁଥିଲେ ।
ଗତ ବର୍ଷ ଯେତେବେଳେ ପୁଣିଥରେ କାମ ପାଇଁ ବାହାରକୁ ଯିବା ସମୟ ଆସିଲା, ବାବାସାହେବ ଓ ସଙ୍ଗୀତା ଘରେ ରହିବାକୁ ସ୍ଥିର କରିଥିଲେ କାରଣ ବାବାସାହେବଙ୍କ ବୃଦ୍ଧ ମା’ ରୋଗଗ୍ରସ୍ତ ଥିଲେ ଓ ତାଙ୍କର ସବୁସମୟରେ ସେବା ଆବଶ୍ୟକ ହେଉଥିଲା। ଵାବାସାହେବ କୁହନ୍ତି, ‘‘କିନ୍ତୁ ଆମକୁ ବଞ୍ଚିବା ପାଇଁ କିଛି କରିବାର ଥିଲା"। ତେଣୁ ଆମ ପରିବର୍ତ୍ତେ ମୋର ପୁଅ କାମ କରିବାକୁ ଯାଇଥିଲା।
ଦେଶରେ କୋଭିଡ -୧୯ ର ସଂକ୍ରମଣକୁ ରୋକିବା ପାଇଁ ୨୦୨୦ ମସିହା ମାର୍ଚ୍ଚ ମାସରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ହଠାତ୍ ତାଲାବନ୍ଦ, ବାବାସାହେବ ଏବଂ ସଙ୍ଗୀତାଙ୍କ ପରି ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଜୀବିକାକୁ ସଂକଟରେ ପକାଇ ଦେଇଥିଲା। ଅନେକ ଚାକିରି ହରାଇଲେ, ଏବଂ ଅନେକ ଦିନ ମଜୁରୀ କାମ ପାଇଲେ ନାହିଁ । ଜୁନ୍ ମାସରେ ତାଲାବନ୍ଦ ହଟାଯିବା ପରେ ମଧ୍ୟ ସେମାନେ ମାସ ମାସ ଧରି ରୋଜଗାର କରିବା ପାଇଁ ସଂଘର୍ଷ ଜାରି ରଖିଥିଲେ।
ହଟ୍ଟଗାଲେ ପରିବାରର ଅବସ୍ଥା ଭିନ୍ନ ନଥିଲା। ୨୦୨୦ ମସିହାରେ କାମ ଅଭାବରୁ ହତାଶ ଥିବା ବାଲାଜୀ ଆଖୁ କାଟିବା ଋତୁ ଆସିବା ପରେ ବିଡ୍ରୁ ସ୍ଥାନାନ୍ତର ହେବା ପାଇଁ ବାଧ୍ୟ ହୋଇଥିଲେ। ସେ ପର୍ଯ୍ୟନ୍ତ ସେ କେବଳ ଗାଁ ଭିତରେ ଓ ଆଖପାଖ ଅଂଚଳରେ କାମ କରୁଥିଲେ।
ନବବିବାହିତା ପତ୍ନୀ ଏବଂ ତାଙ୍କର ପିତାମାତାଙ୍କ ସହ ସେ ଘରଠାରୁ ପ୍ରାୟ ୫୫୦ କିଲୋମିଟର ଦୂର ବେଲାଗାଭିର ବାସପୁର ଗ୍ରାମକୁ ଆଖୁ କାଟିବାକୁ ଯାଇଥିଲେ। ସଙ୍ଗୀତା କାନ୍ଦି କାନ୍ଦି କୁହନ୍ତି, "ସେ ସେଠାରୁ ଆମକୁ ନିୟମିତ ଫୋନ୍ କରୁଥିଲେ ତେଣୁ ଆମର କିଛି ଚିନ୍ତା ନଥିଲା।
ଡିସେମ୍ବର ମାସର ଏକ ସନ୍ଧ୍ୟାରେ ଯେତେବେଳେ ସଙ୍ଗୀତା ତାଙ୍କ ପୁଅକୁ ଫୋନ୍ କଲେ, ତାଙ୍କ ପୁଅର ଶ୍ୱଶୁର ତାଙ୍କ ବଦଳରେ ଫୋନର ଉତ୍ତର ଦେଇଥିଲେ। ସେ ତାଙ୍କୁ କହିଥିଲେ ଯେ ବାଲାଜୀ ବାହାରକୁ ଯାଇଛନ୍ତି। ସେ କୁହନ୍ତି, “ଯେତେବେଳେ ଆମେ ପରେ ଫୋନ୍ କରିଥିଲୁ ତାଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା"।
ପରବର୍ତ୍ତୀ ୨-୩ ଦିନ ପାଇଁ ଯେତେବେଳେ ବାଲାଜୀଙ୍କ ଫୋନ୍ ବନ୍ଦ ରହିଥିଲା, ବାବାସାହେବ ଏବଂ ସଙ୍ଗୀତା ଚିନ୍ତିତ ହୋଇଗଲେ। ସେ ଠିକ୍ ଅଛି କି ନାହିଁ ତାହା ଯାଞ୍ଚ କରିବାକୁ ସେମାନେ ବେଲାଗାଭି ଯିବାକୁ ସ୍ଥିର କଲେ। କିନ୍ତୁ ଯାତ୍ରା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥିଲା। ପରିବାର ପାଇଁ ସେମାନେ ଦିନକୁ ଦୁଇଟି ଭୋଜନ ଯୋଗାଡ଼ କରିବାକୁ ସମର୍ଥ ହେଉଥିଲେ, ଯେଉଁଥିରେ ୧୫ ବର୍ଷର ଝିଅ ଅଲକା, ଏବଂ ଅନ୍ୟ ଏକ ୧୩ ବର୍ଷର ପୁଅ ତାନାଜୀ ରହିଥିଲେ। ଏହି ପରିବାର ମହାରାଷ୍ଟ୍ରର ଏକ ଦଳିତ ସମ୍ପ୍ରଦାୟର ମାତଙ୍ଗ ଜାତିର ଅଟନ୍ତି।
ବାବାସାହେବ ଜଣେ ମହାଜନ ଠାରୁ ୩୦,୦୦୦ ଟଙ୍କା ଋଣରେ ଆଣିଥିଲେ-୩୬ ପ୍ରତିଶତ ସୁଧ ହାରକୁ ନ ଡରି। ସେ କେବଳ ତାଙ୍କ ପୁଅକୁ ଦେଖିବାକୁ ଚାହୁଁଥିଲେ।
ବାବାସାହେବ ଏବଂ ସଙ୍ଗୀତା ଏକ ଭଡ଼ା ଗାଡ଼ିରେ ବେଲାଗାଭି ଅଭିମୁଖେ ଯାତ୍ରା ଆରମ୍ଭ କଲେ। ବାବାସାହେବ କୁହନ୍ତି, “ଯେତେବେଳେ ଆମେ ସେଠାରେ ପହଞ୍ଚିଲୁ, ତାଙ୍କ ଶାଶୁ-ଶ୍ୱଶୁର ଆମକୁ ଅସମ୍ମାନ କରିଥିଲେ। ଯେତେବେଳେ ଆମେ ସେମାନଙ୍କୁ ବାଲାଜୀ ବିଷୟରେ ପଚାରିଥିଲୁ ସେମାନଙ୍କ ପାଖରେ କୌଣସି ଉତ୍ତର ନଥିଲା"। କିଛି ଅନ୍ୟାୟ ହୋଇଥିବା କଥା ସନ୍ଦେହ କରି ସେମାନେ ସ୍ଥାନୀୟ ପୋଲିସ ଷ୍ଟେସନରେ ନିଖୋଜ ବ୍ୟକ୍ତିଙ୍କ ଅଭିଯୋଗ ଦାଖଲ କରିଥିଲେ। "ସେମାନେ ଏପର୍ଯ୍ୟନ୍ତ ମାମଲାର ତଦନ୍ତ ଜାରି ରଖିଛନ୍ତି।”
ବାବାସାହେବ କୁହନ୍ତି, ଯଦି ସେ ବାଲାଜୀକୁ ପଠାଇବା ପାଇଁ ରାଜି ହୋଇନଥାନ୍ତେ ତେବେ, ତାଙ୍କ ପୁଅ ଏବେବି ତାଙ୍କ ସହିତ ଥାଆନ୍ତା। "କ,ଣ କରିବୁ? ଆମେ ତ ପ୍ରବାସୀ ଶ୍ରମିକ। ଏବଂ ତାଲାବନ୍ଦ ପରେ ନିକଟସ୍ଥ ଗାଁ ଓ ସହରରେ କାମ କିଛି ମିଳୁନଥିଲା।" ସେ କୁହନ୍ତି, ଆଖୁ କାଟିବା ଆମ ପାଖରେ ଏକମାତ୍ର ବିକଳ୍ପ ଥିଲା। "ଯଦି ମୁଁ ନିକଟ ଅଞ୍ଚଳରେ କିଛି କାମ ପାଇବାକୁ ନିଶ୍ଚିନ୍ତ ହୋଇଥାଆନ୍ତି ତେବେ ମୁଁ ତାଙ୍କୁ ରହିବାକୁ କହିଥାନ୍ତି।"
ଦୀର୍ଘକାଳୀନ କୃଷି ସଙ୍କଟ ଏବଂ ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜୀବିକା ଉତ୍ପାର୍ଜନର ସୀମିତ ସୁଯୋଗ ବିଡ୍ର ଲୋକଙ୍କୁ କାମ ପାଇଁ ବାହାରକୁ ଯିଵାକୁ ବାଧ୍ୟ କରିଛି। ଆଖୁ କ୍ଷେତକୁ ଯିବା ବ୍ୟତୀତ ଅନେକ ମୁମ୍ବାଇ, ପୁଣେ ଏବଂ ଔରଙ୍ଗାବାଦ ଭଳି ସହରକୁ ଯାଇ ଶ୍ରମିକ, ଡ୍ରାଇଭର, ସୁରକ୍ଷାକର୍ମୀ ଏବଂ ଘରୋଇ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି।
ଗତ ବର୍ଷ ଦେଶବ୍ୟାପୀ ତାଲାବନ୍ଦ ପରେ ଗାଁକୁ ଫେରିବାର ସେମାନଙ୍କର ଯାତ୍ରା ଦୁଇ ମାସ ଧରି ଚାଲିଥିଲା ଯାହାକି ଦେଶରେ ପୂର୍ବରୁ ଦେଖାଯାଇନଥିଲା। ଘରକୁ ଫେରିବା ପାଇଁ ଶ୍ରମିକମାନେ ଭୋକ ଉପାସରେ ବହୁ ଦୂର ଚାଲିକରି ଯାତ୍ରା କଲେ। ବାଟରେ, ସେମାନଙ୍କ ମଧ୍ୟରୁ କେତେକ ଭୋକ, ଥକାପଣ ଏବଂ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଏବଂ ଯଦିଓ ସେମାନଙ୍କର ଘରକୁ ଫେରିବା ଦୃଶ୍ୟ ଗଣମାଧ୍ୟମରେ ବ୍ୟାପକ ଭାବରେ ପ୍ରଚାର ଓ ପ୍ରସାର କରାଯାଇଥିଲା, କିନ୍ତୁ ଗତ ଦେଢ଼ ବର୍ଷରେ ସେମାନେ କିପରି ଏହାର ମୁକାବିଲା କରିଛନ୍ତି ସେ ବିଷୟରେ ଖୁବ୍ କମ୍ ପ୍ରଚାର କରାଯାଇଛି।
ଗତ ବର୍ଷ ମେ ମାସରେ ଯେତେବେଳେ ୫୦ ବର୍ଷୀୟା ସଞ୍ଜୀବନୀ ସାଲଭେ ନିଜ ପରିବାର ସହିତ ପୁଣେଠାରୁ ୨୫୦ କିଲୋମିଟର ଦୂରରେ ଥିବା ବିଡ୍ରେ ଥିବା ନିଜ ଗ୍ରାମ ରାଜୁରୀ ଘୋଡକାକୁ ଫେରିଥିଲେ। ସଞ୍ଜୀବନୀ କୁହନ୍ତି, “ଆମେ କୌଣସି ପ୍ରକାରେ ଏକ ମାସ ଚଳିଲୁ। କିନ୍ତୁ ଆମେ ହୃଦୟଙ୍ଗମ କରିଲୁ ଯେ ସବୁକିଛି ସମାଧାନ ହେବା ପାଇଁ କିଛି ସମୟ ଲାଗିବ, ତେଣୁ ଆମେ ଏକ ଟେମ୍ପୋ ଭଡ଼ା କରି ଫେରି ଆସିଲୁ। ପୁଣେରେ ସେ ଜଣେ ଘରୋଇ ସହାୟିକା ଭାବରେ କାମକରି ମାସକୁ ୫୦୦୦ ଟଙ୍କା ରୋଜଗାର କରୁଥିଲେ। ତାଙ୍କର ଦୁଇ ପୁଅ ୩୦ ବର୍ଷୀୟ ଅଶୋକ ଏବଂ ୨୬ ବର୍ଷୀୟ ଅମର ଏବଂ ଝିଅ ୩୩ ବର୍ଷୀୟ ଭାଗ୍ୟଶ୍ରୀ ସହରରେ ଦିନ ମଜୁରିଆ ଭାବରେ କାମ କରୁଥିଲେ। ସେମାନେ ସଞ୍ଜୀବନୀଙ୍କ ସହ ଫେରି ଆସିଥିଲେ। ସେବେଠାରୁ ନବ ବୌଦ୍ଧ (ପୂର୍ବରୁ ଦଳିତ) ସମ୍ପ୍ରଦାୟର ଏହି ପରିବାର କାମ ଖୋଜିବା ପାଇଁ ସଂଘର୍ଷ କରିଆସୁଛନ୍ତି।
ଭାଗ୍ୟଶ୍ରୀ ନିକଟରେ ପୁଣେ ଫେରିଆସିଲେ, କିନ୍ତୁ ତାଙ୍କର ଭାଇମାନେ ବିଡ୍ରେ ରହିବା ପାଇଁ ସ୍ଥିର କଲେ। ଅଶୋକ କୁହନ୍ତି, "ଆମେ ଆଉ ସହରକୁ ଯିବାକୁ ଚାହୁଁ ନାହୁଁ। ଭାଗ୍ୟଶ୍ରୀ ବାଧ୍ୟବାଧକତା କାରଣରୁ [ତାଙ୍କ ପୁଅର ପାଠପଢା ପାଇଁ] ଫେରିଗଲେ। କିନ୍ତୁ ସେ କାମ ପାଇବା ସହଜ ନଥିଲା। ସହର ଆଉ ପୂର୍ବ ଭଳି ହୋଇ ରହିନାହିଁ।’’
ତାଲାବନ୍ଦ ସମୟରେ ପୁଣେରେ ସେମାନଙ୍କର ଦୁର୍ଦ୍ଦଶାକୁ ମନେ ପକାଇ ଅଶୋକ ମ୍ରିୟମାଣ ହୋଇପଡ଼ିଥିଲେ। ସେ ପଚାରନ୍ତି, "ଯଦି ତୃତୀୟ ଲହର କୋଭିଡ୍ ଆସେ ଏବଂ ଆମକୁ ପୁନର୍ବାର ଏହି ସବୁ ଦୁର୍ଗତି ମଧ୍ୟରେ ଗତି କରିବକୁ ପଡ଼ିବ? ”। “ଆମକୁ ନିଜର କଥା ବୁଝିବାକୁ ପଡ଼ିଥିଲା। ଆମ ପାଖରେ ଖାଦ୍ୟ କି ପାଣି ଅଛି କି ନାହିଁ ବୋଲି କେହି ପଚାରି ନଥିଲେ। ଆମେ ହୁଏତ ମରିଯାଇଥାନ୍ତୁ ଏବଂ ଏଥିରେ କାହାକୁ କିଛି ଫରକ ପଡିନଥାନ୍ତା।”
ଗାଁର ଏକ ଗୋଷ୍ଠୀ ଅଶୋକଙ୍କୁ ଆଶ୍ୱାସନା ଦେଇଥିଲେ। “ଏଠାରେ କିଛି ଲୋକ ଅଛନ୍ତି ଯାହା ଉପରେ ମୁଁ ନିର୍ଭର କରିପାରିବି। ଏବଂ ଏଠାରେ ଖୋଲା ସ୍ଥାନ ଅଛି। ସହରର ଏକ ଛୋଟ କୋଠରୀରେ ବନ୍ଦ ହୋଇ ରହିଲେ ଶ୍ୱାସରୁଦ୍ଧ ହୋଇଯିବ। ”
ଅଶୋକ ଏବଂ ଅମର ବିଡ୍ରେ ବଢ଼େଇ ଭାବରେ କାର୍ଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ଅଶୋକ କୁହନ୍ତି, “କାର୍ଯ୍ୟ ନିୟମିତ ମିଳେ ନାହିଁ। କିନ୍ତୁ ଗାଁରେ ଚଳିବା ପାଇଁ ଖର୍ଚ୍ଚ ଅଧିକା ଲାଗେ ନାହିଁ। ଆମେ ଚଳିଯାଉଛୁ।" ଯଦି ଜରୁରୀକାଳୀନ ପରିସ୍ଥିତି ଉପୁଜେ ତେବେ ଆମେ ସେଠାରେ ଅସୁବିଧାରେ ପଡ଼ିବୁ।
ଅନେକ ଲୋକ ଗତ କିଛି ମାସ ମଧ୍ୟରେ ସହରକୁ ଫେରି ଆସିଥିବାବେଳେ ଯେଉଁମାନେ ପଛରେ ରହିଛନ୍ତି ସେମାନଙ୍କୁ ଅଳ୍ପ କାମ ଏବଂ ସ୍ୱଳ୍ପ ରୋଜଗାରରେ ଚଳିବାକୁ ପଡ଼ିବ। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆରଇଜିଏସ୍) ଅଧୀନରେ ଜାରି ହୋଇଥିବା ଜବକାର୍ଡର କ୍ରମାଗତ ବୃଦ୍ଧି ଦର୍ଶାଉଛି ଯେ ଅନେକ ଲୋକ କାମ ଖୋଜୁଛନ୍ତି।
୨୦୨୦-୨୧ ମସିହାରେ, ମହାରାଷ୍ଟ୍ରର ୮.୫୭ ଲକ୍ଷ ପରିବାରକୁ ଏମ୍ଜିଏନ୍ଆରଇଜିଏସ୍ ଜବ କାର୍ଡ ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଥିଲା - ପୂର୍ବ ଆର୍ଥିକ ବର୍ଷରେ ପରିବାର ପାଇଁ ଦିଆଯାଇଥିବା କାର୍ଡର ତିନି ଗୁଣରୁ ଅଧିକ ୨.୪୯ ଲକ୍ଷ କାର୍ଡ ଦିଆଯାଇଥିଲା।
ଅବଶ୍ୟ, ତାଲାବନ୍ଦ ପରେ ମଧ୍ୟ ଗୋଟିଏ ବର୍ଷରେ ନିଶ୍ଚିତ କରାଯାଇଥିବା ୧୦୦ ଦିନ ରୋଜଗାର ଯୋଗାଇବାରେ ଏହି ଯୋଜନା ବିଫଳ ହୋଇଛି। ମହାରାଷ୍ଟ୍ରରେ, ୨୦୨୦-୨୧ ରେ ନିଯୁକ୍ତି ଦାବି କରୁଥିବା ୧୮.୮୪ ଲକ୍ଷ ପରିବାର ମଧ୍ୟରୁ କେବଳ ୭ ପ୍ରତିଶତ - ୧.୩୬ ଲକ୍ଷ ପରିବାର ୧୦୦ ଦିନ କାମ ସମାପ୍ତ କରିଛନ୍ତି। ବିଡ୍ରେ ଏହି ହାର ସମାନ।
ଗତ କିଛି ମାସ ମଧ୍ୟରେ ଅନେକ ଶ୍ରମିକ ସହରକୁ ଫେରିଥିବାବେଳେ ଯେଉଁମାନେ ଗାଁରେ ରହିଥିଲେ ସେମାନଙ୍କୁ ଅଳ୍ପ କାମ ଓ ସ୍ୱଳ୍ପ ରୋଜଗାରରେ ଚଳିବାକୁ ପଡ଼ିବ । ଏମ୍ଜିଏନ୍ଆର୍ଇଜିଏସ୍ ଅଧୀନରେ ଦିଆଯାଇଥିବା ଜବ କାର୍ଡ଼ଗୁଡ଼ିକର ଅହେତୁକ ବୃଦ୍ଧି ଦର୍ଶାଏ ଯେ ଆହୁରି ଅନେକ ଲୋକ କାମ ଖୋଜୁଛନ୍ତି
ଘରେ ଜୀବିକା ନିର୍ବାହର ଅଭାବ ଏବଂ ସହରରେ ଫସି ରହିବାର ଆଶଙ୍କା ମଧ୍ୟରେ ପ୍ରବାସୀ ଶ୍ରମିକ - ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଦଳିତ ସମ୍ପ୍ରଦାୟର ଅଟନ୍ତି - ମହାମାରୀରେ ସେମାନେ ଦ୍ୱିଧାରେ ଅଛନ୍ତି। ବିଡ୍ ତାଲୁକାର ମାସେୱାଡ଼ି ଗାଁରେ ଥିବା ତାଙ୍କ କୁଡ଼ିଆର ପାଣି ଗଳୁଥିବା ଟିଣ ଛାତ ତଳେ ବସି ୪୦ ବର୍ଷୀୟ ଅର୍ଚ୍ଚନା ମାଣ୍ଡୱେ କୁହନ୍ତି, "ତାଲାବନ୍ଦର ଏକ ମାସ ପରେ ଆମେ ଗ୍ରାମକୁ ଫେରିଥିଲୁ"। ତାଙ୍କ ପରିବାର ରାତିରେ ପ୍ରାୟ ୨୦୦ କିଲୋମିଟର ଯାତ୍ରା କରିଥିଲା। ସେ କହନ୍ତି, “ଗୋଟିଏ ମୋଟରସାଇକେଲରେ ଆମର ପାଞ୍ଚ ଜଣ ଆସିବା ବିପଜ୍ଜନକ ଥିଲେ। କିନ୍ତୁ ଆମକୁ ଏହା କରିବାକୁ ପଡ଼ିଥିଲା। କୌଣସି ରୋଜଗାର ନ ଥିବାରୁ ତାଲାବନ୍ଦ ପରେ ଆମର ଟଙ୍କା ସରିଯାଇଥିଲା।
ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଚିନ୍ତାମଣି ଏବଂ ସେମାନଙ୍କର ତିନି ସନ୍ତାନ -୧୮ ବର୍ଷର ଅକ୍ଷୟ,୧୫ ବର୍ଷର ବିଶାଲ ଏବଂ ୧୨ ବର୍ଷର ମହେଶଙ୍କ ସହିତ ଔରଙ୍ଗାବାଦ ସହରରେ ରହୁଥିଲେ। ଚିନ୍ତାମଣି ଏକ ଟ୍ରକ୍ ଚଳାଉଥିଲେ ଏବଂ ଅର୍ଚ୍ଚନା ଏମ୍ବ୍ରୋଡୋରୀ କାମ କରୁଥିଲେ। ସେମାନେ ଉଭୟେ ମାସକୁ ପ୍ରାୟ ୧୨,୦୦୦ ଟଙ୍କା ରୋଜଗାର କରୁଥିଲେ। ଅର୍ଚ୍ଚନା କୁହନ୍ତି, "ଆମେ ଔରଙ୍ଗାବାଦରେ ପାଞ୍ଚ ବର୍ଷ ଏବଂ ତା ପୂର୍ବରୁ ପୁଣେରେ ୧୦ ବର୍ଷ ରହିଥିଲୁ। ସେ [ଚିନ୍ତାମଣି] ସର୍ବଦା ଟ୍ରକ୍ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ।"
ମାସେୱାଡ଼ିରେ, ଚିନ୍ତାମଣି ନିଜକୁ ବାହାରର ବୋଲି ଅନୁଭବ କରିବାକୁ ଲାଗିଲେ। ଅର୍ଚ୍ଚନା କୁହନ୍ତି, "ସେ ପୂର୍ବରୁ ଚାଷ ଜମିରେ କାମ କରିନଥିଲେ। ସେ ଚେଷ୍ଟା କରିଥିଲେ, କିନ୍ତୁ ସେତେ ଭଲ କରିପାରିଲେ ନାହିଁ। ମୁଁ ମଧ୍ୟ କୃଷି କ୍ଷେତ୍ରରେ କାର୍ଯ୍ୟ ଖୋଜୁଥିଲି। କିନ୍ତୁ ଅଧିକ କାର୍ଯ୍ୟ ଉପଲବ୍ଧ ନଥିଲା"।
ବେରୋଜଗାର ହୋଇ ଘରେ ରହିବା ଫଳରେ ଚିନ୍ତାମଣିଙ୍କ ଦୁଶ୍ଚିନ୍ତା ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଲା। ଅର୍ଚ୍ଚନା କୁହନ୍ତି, ସେ ତାଙ୍କ ପିଲାମାନଙ୍କ ବିଷୟରେ ଏବଂ ସେମାନଙ୍କ ଶିକ୍ଷା ବିଷୟରେ ଭାବି ଚିନ୍ତିତ ଥିଲେ, “ସେ ନିଜକୁ ମୂଲ୍ୟହୀନ ମନେ କରୁଥିଲେ”। “ଆମର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଥିଲା ଏବଂ ସେ ଏ ବିଷୟରେ କିଛି କରିପାରୁ ନଥିଲେ। ତାଙ୍କର ଆତ୍ମ ସମ୍ମାନରେ ହାନି ପହଞ୍ଚିଥିଲା। ସେ ମାନସିକ ଅବସାଦର ଶିକାର ହୋଇଗଲେ।’’
ଗତ ବର୍ଷ ଜୁଲାଇ ମାସର ଏକ ଦିନରେ, ଅର୍ଚ୍ଚନା ସନ୍ଧ୍ୟାରେ ଘରକୁ ଫେରିବାପରେ ଟିଣ ଛାତରୁ ଦଉଡିରେ ତାଙ୍କର ସ୍ୱାମୀଙ୍କୁ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଗୋଟିଏ ବର୍ଷ ବିତିଗଲାଣି, ସେ ନିଜେ ରୋଜଗାର କରିବାକୁ ସଂଘର୍ଷ କରୁଛନ୍ତି। ସେ କୁହନ୍ତି, “ମୁଁ କୃଷି ଶ୍ରମିକ ଭାବରେ ସପ୍ତାହକୁ କ୍ୱଚିତ୍ ୮୦୦ ଟଙ୍କା ରୋଜଗାର କରୁଛି। କିନ୍ତୁ ମୁଁ ଔରଙ୍ଗାବାଦକୁ ଫେରିବା କଥା ଚିନ୍ତା କରିପାରିବି ନାହିଁ। “ମୁଁ ସହରରେ ଏକାକୀ ଚଳିପାରିବି ନାହିଁ। ଯେତେବେଳେ ସେ ପାଖରେ ଥିଲେ ଠିକ୍ ଥିଲା। ଗାଁରେ ଅନେକ ଲୋକ [ସାହାଯ୍ୟ ପାଇଁ] ଯେଉଁମାନଙ୍କୁ ମୁଁ ବିଶ୍ୱାସ କରିପାରିବି। ”
ଅର୍ଚ୍ଚନା ଏବଂ ତାଙ୍କ ପିଲାମାନେ ନିଜ କୁଟୀରରୁ ବାହାରକୁ ଯିବାକୁ ଚାହାଁନ୍ତି। ସେ କୁହନ୍ତି, “ପ୍ରତ୍ୟେକ ଥର ମୁଁ ଭିତରକୁ ଯିବାବେଳେ ଏହା ମୋତେ ତାଙ୍କ କଥା ମନେ ପକାଇଥାଏ। ସେଦିନ ମୁଁ ଘରକୁ ଆସିବା ପରେ ଯାହା ଦେଖିଲି ତାହା ସବୁବେଳେ ଚିନ୍ତା କରୁଛି। ”
କିନ୍ତୁ ସେ ଏବେବି ଏକ ନୂତନ ଘର ଖୋଜିବା କଥା ଚିନ୍ତା କରିପାରୁ ନାହାନ୍ତି। ସେ ପଚାରୁଛନ୍ତି ଯେ ସ୍ଥାନୀୟ ସରକାରୀ ବିଦ୍ୟାଳୟରେ ପଢୁଥିବା ତାଙ୍କ ପିଲାମାନେ ସେମାନଙ୍କ ଶିକ୍ଷା ଜାରି ରଖିପାରିବେ କି? ସେ କୁହନ୍ତି, "ମୁଁ ଜାଣେ ନାହିଁ ସେମାନଙ୍କ ଫିସ୍ କିପରି ଦେବି’’।
ତିନି ପୁଅଙ୍କୁ ଅନଲାଇନ୍ କ୍ଲାସରେ ଯୋଗଦେବା ପାଇଁ ଅର୍ଚ୍ଚନାଙ୍କ ଭାଇ ସ୍ମାର୍ଟଫୋନ୍ କିଣିଦେଇଥିଲେ। ଇଞ୍ଜିନିୟର ହେବାକୁ ଇଚ୍ଛା କରୁଥିବା ଦ୍ୱାଦଶ ଶ୍ରେଣୀର ଛାତ୍ର ଅକ୍ଷୟ କୁହନ୍ତି, “ଏକ ଅନଲାଇନ୍ ଶିକ୍ଷକତାକୁ ଅନୁସରଣ କରିବା କଷ୍ଟକର। “(ମୋବାଇଲ) ନେଟୱାର୍କ ଆମ ଗାଁରେ ଅଧିକାଂଶ ସମୟରେ ଖରାପ ହୋଇଥାଏ। ମୁଁ ମୋର ବନ୍ଧୁଙ୍କ ଘରକୁ ଯାଇ ତା’ର ବହିଗୁଡ଼ିକ ଅଧ୍ୟୟନ କରେ।”
ପିତାଙ୍କ ଆତ୍ମହତ୍ୟା ପରେ ଅକ୍ଷୟ ଧୈର୍ଯ୍ୟର ସହିତ ନିଜ ଅଧ୍ୟୟନ ଉପରେ ଧ୍ୟାନ ଦେଉଥିବାବେଳେ, ତାନାଜୀ ହଟ୍ଟଗାଲେ ବାଲାଜୀଙ୍କ ନିଖୋଜ ଘଟଣାକୁ ସହଜରେ ଗ୍ରହଣ କରିବାକୁ ଚେଷ୍ଟା କରୁଛନ୍ତି। ସେ ଆହୁରି ଅଧିକ କହିବାକୁ ମନା କରି କହନ୍ତି, “ମୁଁ ମୋର ଭାଇଙ୍କୁ ମନେ ପକାଉଛି।
ବାବାସାହେବ ଏବଂ ସଙ୍ଗୀତା ବାଲାଜୀଙ୍କୁ ଖୋଜିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନଙ୍କ ପାଇଁ ଏହି ପ୍ରକ୍ରିୟା ସହଜ ହୋଇନାହିଁ। ବାବାସାହେବ କୁହନ୍ତି, "ଆମେ ବିଡ୍ [ଜିଲ୍ଲା] କଲେକ୍ଟରଙ୍କୁ ଭେଟି ତାଙ୍କୁ ଏହି ବିଷୟରେ ପଦେକ୍ଷେପ ନେବାକୁ ଅନୁରୋଧ କରିଥିଲୁ। ଆମ ପାଖରେ ବହୁତ କମ୍ ଟଙ୍କା ଅଛି ତେଣୁ ଆମେ ବେଲଗାମ୍ [ବେଲାଗାଭି] କୁ ବାରମ୍ବାର ଯାଇପାରିବୁ ନାହିଁ।"
ସାଧାରଣ ପରିସ୍ଥିତିରେ ମଧ୍ୟ ଏକ ଦଳିତ ସମ୍ପ୍ରଦାୟର ଗରିବ ପରିବାର ପୋଲିସ ପାଖରେ ଅଭିଯୋଗ କରି ତାକୁ ଅନୁସରଣ କରିବା କଷ୍ଟସାଧ୍ୟ ହେବ। କିନ୍ତୁ ରାଜ୍ୟ ଭ୍ରମଣ ଉପରେ ପ୍ରତିବନ୍ଧକ ଏବଂ ସମ୍ବଳ ଏବଂ ଟଙ୍କାର ଅଭାବ ସହିତ ମହାମାରୀ ଏହି କାର୍ଯ୍ୟକୁ ଅଧିକ କଷ୍ଟସାଧ୍ୟ କରିଦେଇଛି।
ଡିସେମ୍ବରରେ ସେମାନଙ୍କର ପ୍ରଥମ ଯାତ୍ରା ପରେ ବାବାସାହେବ ଏବଂ ସଙ୍ଗୀତା ପୁନର୍ବାର ବାଲାଜୀକୁ ଖୋଜିବାକୁ ଯାଇଥିଲେ। ସେହି ସମୟରେ ସେମାନେ ଏହି ଯାତ୍ରା କରିବା ପାଇଁ ସେମାନଙ୍କର ୧୦ଟି ମେଣ୍ଢା ୬୦,୦୦୦ ଟଙ୍କାରେ ବିକ୍ରି କରିଥିଲେ। ଗାଡିର ଓଡୋମିଟରରୁ ଲେଖି ରଖିଥିବା ବାବାସାହେବ କୁହନ୍ତି, "ଆମେ ମୋଟ ୧୩୦୦ କିଲୋମିଟର ଯାତ୍ରା କରିଥିଲୁ"। ସେହି ଟଙ୍କାରୁ ଏବେ ମଧ୍ୟ କିଛି ବାକି ଅଛି, କିନ୍ତୁ ଏହା ବେଶି ଦିନ ରହିବ ନାହିଁ। ”
ନଭେମ୍ବରରେ ଆଖୁ କାଟିବାର ନୂଆ ଋତୁ ଆରମ୍ଭ ହେବ। ଏବଂ ବାବାସାହେବଙ୍କ ମା’ ଅସୁସ୍ଥ ଥିଲେ ମଧ୍ୟ ସେ ଏବଂ ସଙ୍ଗୀତା ଆଖୁ କାଟିବାକୁ ଯିବାକୁ ଚାହୁଁଛନ୍ତି। ବାବାସାହେବ କୁହନ୍ତି, ପରିବାରର ଭରଣପୋଷଣ କଥା ସେମାନଙ୍କୁ ବୁଝିବାକୁ ପଡ଼ିବ। "ଆମକୁ ଆମର ଅବଶିଷ୍ଟ ପିଲାମାନଙ୍କର ଯତ୍ନ ନେବାକୁ ପଡ଼ିବ।”
ଏହି କାହାଣୀଟି ପୁଲିତ୍ଜର ସେଣ୍ଟର ଦ୍ୱାରା ସାମ୍ବାଦିକଙ୍କୁ ଦିଆଯାଉଥିବା ଏକ ସ୍ୱାଧିନ ସାମ୍ବାଦିକତା ଅନୁଦାନ ମାଧ୍ୟମରେ ପ୍ରକାଶିତ ଏକ ସିରିଜ୍ର ଅଂଶ।
ଅନୁବାଦ: ଓଡ଼ିଶାଲାଇଭ୍