ପ୍ରତିଦିନ ଶଙ୍କରଦା ଗାଁରୁ ନିକଟସ୍ଥ ଧମତରି ସହରକୁ ପାଦରେ ଚାଲି ଚାଲି ଯାଆନ୍ତି ଭଗାଉଲି ସାହୁ। କାନ୍ଧରେ ଥାଏ ଦୁଇ ଗୋଛା ନଡ଼ା କିମ୍ବା ଘାସ, ତାହା ଋତୁ ଅନୁସାରେ। ଗୋଟିଏ ବାଡ଼ି ସାହାଯ୍ୟରେ ସେ ଘାସ ବା ନଡ଼ା ଗୋଛାକୁ ବାନ୍ଧି କାନ୍ଧରେ ଝୁଲେଇଥାନ୍ତି। ସେହି ବାଡ଼ିକୁ କନୱାର କହନ୍ତି। ଛତିଶଗଡ଼ର ରାଜଧାନୀ ରାୟପୁରଠାରୁ ୭୦ କିଲୋମିଟର ଦୂରରେ ଧମତରି ଅବସ୍ଥିତ। ଭଗାଉଲି ଏହି ଘାସ ଗୋଛାକୁ ଗୋଖାଦ୍ୟ ଭାବେ ବିକ୍ରି କରନ୍ତି। ଗାଈ ଗୋରୁ ପାଳିଥିବା ଲୋକ ତାଙ୍କ ଗ୍ରାହକ।
ବର୍ଷ ବର୍ଷ ଧରି ସେ ଏମିତି ଧମତରିକୁ ଯାଆସ କରୁଛନ୍ତି - ସପ୍ତାହରେ ୪ ଦିନ, ବେଳେବେଳେ ୬ ଦିନ। ସକାଳୁ ସକାଳୁ ପିଲାମାନେ ସାଇକେଲ ନେଇ ସ୍କୁଲକୁ ଯାଆନ୍ତି, ଶ୍ରମିକ, କାରିଗର ଏବଂ ନିର୍ମାଣ ଶ୍ରମିକମାନେ କାମ ଖୋଜିବା ପାଇଁ ବି ସହରମୁହାଁ ହୁଅନ୍ତି। ଏମାନଙ୍କ ସହ ଥାଆନ୍ତି ଭଗାଉଲି।
ଭଗାଉଲିଙ୍କୁ ଏବେ ୭୦। ଧମତରିରେ ପହଞ୍ଚିବାକୁ ତାଙ୍କୁ ପ୍ରାୟ ଏକ ଘଣ୍ଟା ଲାଗେ। ଧମତରି ଏଠାରୁ ୪.୫ କିଲୋମିଟର ଦୂର। ଧମତରିକୁ ସେ ଦୁଇ ଥର ଯିବା ଆସିବା କରନ୍ତି - ମୋଟ ୧୮ କିଲୋମିଟର। ଏହା ବାଦ ଚାଷୀଙ୍କଠାରୁ ନଡ଼ା କିଣିବା କିମ୍ବା କେନାଲ ପାଖରେ ବଢିଥିବା ଜଂଗଲୀ ଘାସ କାଟିବା ବା ଧାନ ବିଲରୁ ବା ରାସ୍ତାକଡ଼ରୁ ଘାସ କାଟିବା ପାଇଁ ତାଙ୍କୁ ଅଲଗା ସମୟ ଦେବାକୁ ପଡ଼େ।




