ଏକ ଦେଶ ଗଠିତ ହେଉଥିବା ସମୟରେ ଜାଲିଆନାୱାଲାବାଗ ଘଟଣା ତାର ଚେତନାରେ ଟର୍ଣ୍ଣିଂ ପଏଣ୍ଟ ଥିଲା । ଆମ ମଧ୍ୟରୁ ଅନେକ ଏହା ଶିଖି ବଡ଼ ହୋଇଥିଲୁ ଯେ ସେଠାରୁ ଭଗତ ସିଂହଙ୍କ କାହାଣୀ ଆରମ୍ଭ ହୋଇଥିଲା । ମାତ୍ର ୧୦ ବର୍ଷର ହୋଇଥିବା ବେଳେ ସେ ସେହି ସ୍ଥାନକୁ ପରିଦର୍ଶନ କରିଥିଲେ ଏବଂ ରକ୍ତର ଛିଟା ପଡିଥିବା ମାଟିକୁ ଏକ ଛୋଟିଆ ବୋତଲରେ ପୂରାଇ ସେ ତାଙ୍କର ଗାଁକୁ ନେଇଯାଇଥିଲେ । ସେଠାରେ ତାଙ୍କର ଜେଜେବାପାଙ୍କ ଘରେ ସେ ତାଙ୍କର ଭଉଣୀଙ୍କ ସହିତ ମିଶି ବଗିଚାରେ ଗୋଟିଏ ସ୍ଥାନରେ ସେହି ମାଟିକୁ ବାହାର କରିଥିଲେ । ପରେ ସେହି ସ୍ଥାନରେ ପ୍ରତିବର୍ଷ ସେମାନେ ଫୁଲଗଛ ଲଗାଉଥିଲେ ।
ପଞ୍ଜାବର ଅମୃତସରରେ ଏପ୍ରିଲ ୧୩, ୧୯୧୯ ମସିହାରେ ଶହ ଶହ ନିରସ୍ତ୍ର ଲୋକଙ୍କୁ (ବ୍ରିଟିଶମାନଙ୍କ କହିବାନୁସାରେ ୩୭୯ ଜଣଙ୍କୁ) ନରସଂହାର କରାଯିବା ଏହାର ଷଡ଼ଯନ୍ତ୍ରକାରୀ ବା ସେମାନଙ୍କର ପରବର୍ତ୍ତୀ ସରକାରଙ୍କ ଚେତନାକୁ ଅଦ୍ୟାବଧି ଛୁଇଁପାରିନାହିଁ । ବ୍ରିଟିଶ ପ୍ରଧାନମନ୍ତ୍ରୀ ଥେରେସା ମେ ଚଳିତ ସପ୍ତାହରେ ତାଙ୍କର ସଂସଦରେ ଏ ସଂପର୍କରେ ଶୋକ ବ୍ୟକ୍ତ କରିଥିଲେ-କିନ୍ତୁ ଏହି ଭୟାନକ ନରସଂହାର ପାଇଁ କ୍ଷମା ମାଗିନଥିଲେ ।




