ଅକ୍ଟୋବର ପ୍ରାରମ୍ଭରେ ସେହି ରାତିରେ ସେମାନଙ୍କ କୁଡ଼ିଆରେ ବିଜୁଳି ଚାଲିଯିବା କ୍ଷଣି, ଶୋଭା ଚଭନଙ୍କ ପରିବାର ଅନୁଭବ କଲେ ଯେ କିଛି ଭୁଲ୍ ଅଛି । କିନ୍ତୁ ସେମାନେ ଏ ସମ୍ପର୍କରେ ଯାଞ୍ଚ କରିବା ପୂର୍ବରୁ, ଗୋଟିଏ ଗୋଷ୍ଠୀର ପୁରୁଷମାନେ ବାଡ଼ି ଓ ରଡ୍ ଧରି ତାଙ୍କର ଆଠ ଜଣିଆ ପରିବାରକୁ ନିର୍ଦ୍ଦୟ ଭାବରେ ପିଟିବାକୁ ଭିତରକୁ ପଶିଆସିଲେ । ଏକ ଘଣ୍ଟା ପରେ, ସେମାନେ ସାତ ଜଣ ଥିଲେ - ଏହି ଆକ୍ରମଣରେ ଶୋଭାଙ୍କର ଦୁଇ ବର୍ଷର ନାତିର ମୃତ୍ୟୁ ହୋଇଥିଲା । ପରଦିନ ସେମାନେ ଛଅ ଜଣ ହୋଇଯାଇଥିଲେ, ଯେତେବେଳେ ଶୋଭାଙ୍କ ଆହତ ସ୍ୱାମୀ ଡାକ୍ତରଖାନାରେ ପ୍ରାଣ ହରାଇଲେ ।
ଠିକ୍ ମଧ୍ୟରାତ୍ରି ପୂର୍ବରୁ ଆକ୍ରମଣକାରୀମାନେ ସେମାନଙ୍କ ଘରେ ପ୍ରବେଶ କରି ପରିବାରର ସମସ୍ତ ସଦସ୍ୟ ୬୫ ବର୍ଷୀୟା ଶୋଭା, ତାଙ୍କର ୭୦ ବର୍ଷ ବୟସ୍କ ସ୍ୱାମୀ ମାରୁତି, ସେମାନଙ୍କ ପୁଅ ଓ ବୋହୂ, ନାତି, ନାତୁଣି, ଝିଆରୀ ଏବଂ ଶୋଭାଙ୍କ ନଣନ୍ଦଙ୍କୁ ଲାତ, ମୁଥ ମାରିବା ସହ ପିଟିଥିଲେ । ମହାରାଷ୍ଟ୍ର ବିଡ୍ ଜିଲ୍ଲାରେ ଥିବା ସେମାନଙ୍କ ଗାଁ ସୀମାରେ ଅବସ୍ଥିତ ଏହି ପରିବାରର କୁଡ଼ିଆ ଓ ମେଣ୍ଢାଶାଳ ପୋଡ଼ି ପାଉଁଶ ହୋଇଯାଇଥିଲା । ଶୋଭା ସେହି ରାତିର ଘଟଣାକୁ ପୋଲିସ ନିକଟରେ ଦାଖଲ କରିଥିବା ଏତଲା (FIR) ରେ ବର୍ଣ୍ଣନା କରିଥିଲେ ।
ଶୋଭାଙ୍କ ୩୦ ବର୍ଷୀୟା ବିବାହିତା ଝିଅ ଅନୀତା କହିଲେ, “ସେହି ରାତିରେ ଆମ ତିନିଜଣଙ୍କୁ ବଳାତ୍କାର କରାଯାଇଥିଲା।’’ ସେ କହିଲେ, ଆକ୍ରମଣକାରୀମାନେ ତାଙ୍କୁ, ତାଙ୍କର ୨୩ ବର୍ଷୀୟା ଭାଉଜ ଏବଂ ୧୭ ବର୍ଷର ଝିଆରୀକୁ ବଳାତ୍କାର କରିଥିଲେ।
ହିଂସୁକ ଗଣ୍ଡଗୋଳକାରୀମାନେ ତାଙ୍କ ମା’ଙ୍କଠାରୁ ଘରଠାରୁ ଏକ କିଲୋମିଟର ଦୂରରେ ଥିବା ଅନୀତାଙ୍କ କୁଡ଼ିଆକୁ ଯାଇ ରାତ୍ରିରେ ପରିବାରକୁ ଆତଙ୍କିତ କରିଥିଲେ । ଅନୀତା କୁହନ୍ତି, “ସେମାନେ ରାତି ପ୍ରାୟ ୨ଟା ସମୟରେ ଆମ ଘରେ ପହଞ୍ଚିଲେ। ସେମାନେ ଆମକୁ ଗାଁରୁ ବାହାର କରିଦେବାକୁ ଚାହୁଁଥିଲେ । ଆମର ଥିବା ଗୋଟିଏ ମୋଟରସାଇକେଲକୁ ସେମାନେ ନିଆଁ ଲଗାଇ ଦେଇଥିଲେ ଏବଂ ଆମ ଗୃହପାଳିତ ପଶୁଙ୍କୁ ଚୋରି କରିନେଇଥିଲେ ।” ସେମାନେ ତାଙ୍କ କୁଡ଼ିଆକୁ ମଧ୍ୟ ଜାଳି ଦେଇଥିଲେ ।
ଏତଲାରେ ଶୋଭା ଦର୍ଶାଇଛନ୍ତି, ଯେତେବେଳେ ଅଭିଯୁକ୍ତମାନେ ଚଭନ ପରିବାର ଉପରେ ଆକ୍ରମଣ କରୁଥିଲେ, ସେମାନେ କହୁଥଲେ: “ତୁମେମାନେ ଚୋର । ତୁମେ ପାର୍ଢୀମାନେ ଆମ ଗାଁରେ ରହିବା ଆମେ ଚାହୁଁ ନାହୁଁ ।”
ଚଭନମାନେ ପାର୍ଢୀ ସମ୍ପ୍ରଦାୟର ଅଟନ୍ତି, ଯାହା ମହାରାଷ୍ଟ୍ରର ଅନୁସୂଚିତ ଜନଜାତି ଭାବରେ ତାଲିକାଭୁକ୍ତ । ପାର୍ଢୀମାନେ ଏକଦା ଶିକାରୀ ଥିଲେ, କିନ୍ତୁ ଔପନିବେଶିକ ଶାସନ କାଳରେ, ଅପରାଧ ଜନଜାତି ଅଧିନିୟମ ୧୮୭୧(CTA) ଅନୁଯାୟୀ ଏହି ସମ୍ପ୍ରଦାୟ ଏକ 'ଅପରାଧୀ ଜନଜାତି' ଭାବରେ ସୂଚିତ କରାଯାଇଥିଲା । ସେମାନଙ୍କ ଉପରେ କଡ଼ା ନଜର ରଖାଯାଉଥିଲା, ସେମାନଙ୍କୁ ‘ଆଜନ୍ମ ଅପରାଧୀ’ କୁହାଯାଉଥିଲା ଏବଂ ସେମାନଙ୍କର ଗତିବିଧି ସୀମିତ କରାଯାଇଥିଲା । ଯେତେବେଳେ ଭାରତ ସରକାର CTA ଉଚ୍ଛେଦ କଲେ, ପାର୍ଢୀଙ୍କ ସମେତ ୧୯୮ଟି ‘ଅପରାଧୀ ଜନଜାତି’ଙ୍କୁ ସେଥିରୁ ବାଦ୍ ଦିଆଗଲା। କିନ୍ତୁ CTAକୁ ଉଚ୍ଛେଦ କରି ତା’ ବଦଳରେ ଯେଉଁ – ‘ହାବିଚୁଆଲ୍ ଅଫେଣ୍ଡର୍ସ ଆଇନ ୧୯୫୨’ ଅଣାଗଲା ତାହା ସେହି ସମ୍ପ୍ରଦାୟଗୁଡ଼ିକୁ ‘ଅପରାଧୀ’ ମାନ୍ୟତା ହଟାଇବାରେ ସାହାଯ୍ୟ କରିପାରିଲା ନାହିଁ ।







