ତାରାବନ୍ତି କୌର ଚିନ୍ତିତ ଅଛନ୍ତି । ସେ କହନ୍ତି,‘‘ବର୍ତ୍ତମାନ ଯାହା କିଛି କାମ ମିଳୁଛି, ଏହି କୃଷି ଆଇନଗୁଡ଼ିକ ପାସ୍ ହେବା ପରେ ତାହା ବି ମିଳିବ ନାହିଁ ।’’
ତେଣୁ ସେ ପଞ୍ଜାବର କିଲାନୱାଲି ଗାଁରୁ ସେ ପଶ୍ଚିମଦିଲ୍ଲୀର ଟିକ୍ରି ଆନ୍ଦୋଳନସ୍ଥଳକୁ ଆସିଛନ୍ତି । ରାଜ୍ୟର ଭଟିଣ୍ଡା, ଫରିଦକୋଟ, ଜଳନ୍ଧର, ମୋଗା, ମୁକ୍ତଶର, ପଟିୟାଲା ଓ ସଙ୍ଗରୁର ଭଳି ଜିଲ୍ଲାରୁ ଜାନୁଆରୀ ୭ ତାରିଖରେ ଯେଉଁ ୧,୫୦୦ କୃଷି ଶ୍ରମିକ ଏଠାରେ ପହଞ୍ଚିଛନ୍ତି, ସେମାନଙ୍କ ମଧ୍ୟରେ ତାରାବନ୍ତି ଓ ଅନ୍ୟ ୩୦୦ ମହିଳା ସାମିଲ । ସେମାନେ ସମସ୍ତେ ପଞ୍ଜାବ କ୍ଷେତ ମଜଦୁର ୟୁନିୟନର ସଦସ୍ୟ, ଯାହାକି ଦଳିତମାନଙ୍କର ଜୀବିକା, ଭୂମି ଅଧିକାର ଏବଂ ଜାତିପ୍ରଥା ପ୍ରସଙ୍ଗରେ କାମ କରେ।
ଏବଂ ସେ ଭାରତର ସେହି ଲକ୍ଷ ଲକ୍ଷ ମହିଳାଙ୍କ ମଧ୍ୟରୁ ଜଣେ ଯିଏ ଜୀବିକା ପାଇଁ କୃଷି କ୍ଷେତ୍ରରେ କାମ ଉପରେ ନିର୍ଭର କରନ୍ତି । ଦେଶର ୧୪୪.୩ ନିୟୁତ କୃଷି ଶ୍ରମିକଙ୍କ ମଧ୍ୟରୁ ଅତି କମ୍ରେ ୪୨ ପ୍ରତିଶତ ମହିଳା ।
୭୦ ବର୍ଷୀୟା ତାରାବନ୍ତି ମୁକ୍ତସର ଜିଲ୍ଲା ମଲୌଟ ତହସିଲ ଅଧୀନରେ ଥିବା ନିଜ ଗାଁରେ ଗହମ, ଧାନ ଓ କପା କ୍ଷେତରେ କାମ କରି ଦିନକୁ ୨୫୦-୩୦୦ ଟଙ୍କା ରୋଜଗାର କରନ୍ତି । ୧୯୬୦ ଦଶକ ଓ ତା’ ପର ସମୟ, ଯେତେବେଳେ ପଞ୍ଜାବରେ କୃଷିକ୍ଷେତ୍ରରେ ପରିବର୍ତ୍ତନ, ଯାନ୍ତ୍ରିକୀକରଣ ବ୍ୟାପକ ହେଲା ସେ ସମୟର କଥା ଦର୍ଶାଇ ସେ କହନ୍ତି, ‘‘ପୂର୍ବଭଳି ଏବେ ଆଉ ଅଧିକ କାମ ମିଳୁନାହିଁ । ହରିତ କ୍ରାନ୍ତି (ସବୁଜ ବିପ୍ଳବ) ପରଠାରୁ ଶ୍ରମିକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି’’।





