ରମେଶ ଶର୍ମା ମନେ ପକାଇ ପାରନ୍ତିନି ଯେ, ଶେଷ ଥର ପାଇଁ ସେ କେବେ ନିଜ ଘରେ ପୂରା ବର୍ଷଟିଏ କାଟିଥିଲେ । ହରିଆଣାର କରନାଲ ଜିଲ୍ଲା ଅନ୍ତର୍ଗତ ଗଗସିନା ଗାଁର ଏକ କ୍ଷେତରୁ ଆଖୁ କାଟୁ କାଟୁ ସେ କହନ୍ତି, “ଗତ ୧୫-୨୦ ବର୍ଷ ହେଲା ମୁଁ ଏହା କରିଆସୁଛି ।”
ବର୍ଷକରେ ଛଅ ମାସ - ଅକ୍ଟୋବରରୁ ମାର୍ଚ୍ଚ ମାସ ଯାଏ- କୃଷି ଶ୍ରମିକ ଭାବେ କାମ କରିବା ଲାଗି ବିହାରର ଅରରିୟା ଜିଲ୍ଲା ଅନ୍ତର୍ଗତ ତାଙ୍କ ଗାଁ ଶୋଇରଗାଓଁରୁ ହରିଆଣା ଓ ପଞ୍ଜାବକୁ ଚାଲି ଆସନ୍ତି ୪୪ ବର୍ଷୀୟ ରମେଶ । ସେ କହନ୍ତି, “ବିହାରର ଜଣେ କୃଷକ ତୁଳନାରେ ହରିଆଣାର ଜଣେ ଶ୍ରମିକ ଭାବେ ମୁଁ ବେଶୀ ଟଙ୍କା ରୋଜଗାର କରେ ।”
ଶୋଇରଗାଓଁରେ ରମେଶଙ୍କର ତିନି ଏକର ଚାଷଜମି ରହିଛି ଏବଂ ସେଥିରେ ସେ ବର୍ଷକୁ ଛଅ ମାସ ଚାଷବାସ କରନ୍ତି । ଖରିଫ ଋତୁରେ (ଜୁନ୍ରୁ ନଭେମ୍ବର) ସେ ଧାନଚାଷ କରନ୍ତି । କାଟୁଥିବା ଆଖୁ ଉପରୁ ନଜର ନ ହଟାଇ ସେ କହନ୍ତି, “ଏଥିରୁ ବେଶୀ ଭାଗ ନିଜେ ଖାଇବା ପାଇଁ”।
ଶର୍ମାଙ୍କ ପାଇଁ ବର୍ଷର ମୁଖ୍ୟ ଅର୍ଥକରୀ ଫସଲ ହେଉଛି ମକା । ଯାହାକୁ ସେ ରବି ଋତୁରେ (ଡିସେମ୍ବରରୁ ମାର୍ଚ୍ଚ) ଚାଷ କରନ୍ତି । କିନ୍ତୁ ଏହି ଚାଷରୁ ତାଙ୍କୁ ସେତେ ବେଶୀ ଟଙ୍କା ମିଳେନାହିଁ । ସେ କହନ୍ତି, “ଗତ ବର୍ଷ (୨୦୨୦) ମୁଁ ମୋ ଫସଲକୁ କୁଇଣ୍ଟାଲ ପିଛା ୯୦୦ ଟଙ୍କାରେ ବିକିଥିଲି ।” ସେତେବେଳେ ସେ ୬୦ କୁଇଣ୍ଟାଲ ମକା ଅମଳ କରିଥିଲେ । “କମିଶନ ଏଜେଣ୍ଟ ଆମ ଗାଁରୁ ହିଁ ଏହାକୁ କିଣି ନେଇଥିଲା । ବର୍ଷ ବର୍ଷ ଧରି ଏମିତି ହିଁ ଚାଲୁଛି ।”
ରମେଶଙ୍କୁ ଯେଉଁ ମୂଲ୍ୟ ମିଳିଥିଲା, ତାହା କେନ୍ଦ୍ର ସରକାରଙ୍କ ଦ୍ଵାରା ୨୦୧୯-୨୦ ମସିହାରେ ମକା ପାଇଁ ସ୍ଥିରୀକୃତ ନ୍ୟୂନତମ ସମର୍ଥନ ମୂଲ୍ୟ (MSP)- କୁଇଣ୍ଟାଲ ପିଛା ୧,୭୬୦ ଟଙ୍କା- ତୁଳନାରେ ପ୍ରାୟ ୫୦ ପ୍ରତିଶତ କମ ଥିଲା । ସରକାରଙ୍କ ଦ୍ଵାରା ନିୟନ୍ତ୍ରିତ ମଣ୍ଡିରେ ନ୍ୟୂନତମ ସମର୍ଥନ ମୂଲ୍ୟରେ ଫସଲ ବିକ୍ରିର ବିକଳ୍ପ ସୁଯୋଗ ଆଉ ବିହାରରେ ନାହିଁ । ତେଣୁ ଶର୍ମାଙ୍କ ଭଳି କ୍ଷୁଦ୍ର ଚାଷୀମାନେ ସିଧାସଳଖ କମିଶନ ଏଜେଣ୍ଟମାନଙ୍କ ସହିତ ମୂଲଚାଲ କରିବା ଲାଗି ବାଧ୍ୟ ହେଉଛନ୍ତି ।
୨୦୦୬ ମସିହାରେ ବିହାର ସରକାର ବିହାର କୃଷିଜାତ ଦ୍ରବ୍ୟ ବିପଣନ ଆଇନ-୧୯୬୦କୁ ପ୍ରତ୍ୟାହାର କରିନେଲେ । ଏହା ଫଳରେ ରାଜ୍ୟରେ କୃଷିଜାତ ଦ୍ରବ୍ୟ ବଜାର କମିଟି (APMC) ଦ୍ଵାରା ପରିଚାଳିତ ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ହୋଇଗଲା । ସରକାର କହିଲେ ଯେ, ଏହି ପଦକ୍ଷେପ ଯୋଗୁଁ କୃଷକମାନେ ଘରୋଇ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାର ସୁଯୋଗ ପାଇବେ ଏବଂ କୃଷି କ୍ଷେତ୍ରରେ ଉଦାରୀକରଣ ଧାରା ପ୍ରଚଳିତ ହେବ । କିନ୍ତୁ କୃଷିଜାତ ଦ୍ରବ୍ୟ ବଜାର କମିଟି ଉଚ୍ଛେଦ ଫଳରେ ବିହାରର ଚାଷୀମାନେ ଉପକୃତ ହେଲେ ନାହିଁ । ବରଂ ସେମାନେ ମଧ୍ୟସ୍ଥମାନଙ୍କ ଉପରେ ଅଧିକ ନିର୍ଭରଶୀଳ ହେଲେ ଓ ବ୍ୟବସାୟୀଙ୍କ ଦ୍ଵାରା ଦରଦାମ ସ୍ଥିର କରାଗଲା ।








