‘‘ସାର୍, ଏଠି ଅଳ୍ପ କେଇଜଣ ଗ୍ରାହକ ଅଛନ୍ତି, ଦୟାକରି ମୁଁ ସେମାନଙ୍କ କଥା ବୁଝିପାରିବି ? ମୋର ଇୟରଫୋନ୍ ଅନ୍ ଅଛି, ମୁଁ ଆପଣଙ୍କ କଥା ଶୁଣୁଥିଲି।’’ ନିଜକୁ କିଛି ସମୟ ପାଇଁ ଅନମ୍ୟୁଟ୍ କରି ମୁଜାଫର କୁଣ୍ଠିତ ଭାବରେ ତା’ ଠେଲାଗାଡ଼ି ପାଖରେ ପରିବାର କିଣିବା ପାଇଁ ଅପେକ୍ଷା କରିଥିବା ଅଳ୍ପ କେଇଜଣ ଗ୍ରାହକଙ୍କ କଥା ବୁଝିବା ପାଇଁ ନିଜ ଶିକ୍ଷକଙ୍କ ଅନୁମତି ଚାହିଁଥିଲା । ସ୍ମାର୍ଟଫୋନ୍ରେ ବିଜ୍ଞାନ ଶ୍ରେଣୀକୁ ଫେରିଯିବା ପୂର୍ବରୁ ସେ ପୁଣି ଥରେ ପାଟି କରି ଡାକିଲା ‘‘ତାଜି… ସବ୍ଜି ଲେ-ଲୋ…’’
ଏହା ଥିଲା ଜୁନ୍ ୧୫ ତାରିଖରେ ମୁଜାଫର ଶେଖ୍ଙ୍କର ଅନ୍ଲାଇନ୍ କ୍ଲାସର ପ୍ରଥମ ଦିନ । ଅଷ୍ଟମ ଶ୍ରେଣୀ ଛାତ୍ର ୧୪ ବର୍ଷ ବୟସ୍କ ମୁଜାଫର କହିଥିଲେ, ‘‘ମୁଁ ସବୁବେଳେ ପଛପଟୁ ଟ୍ରାଫିକ୍ର ଶବ୍ଦ, କୋଳାହଳ କରୁଥିବା ଗ୍ରାହକମାନଙ୍କର ଶବ୍ଦ ଶୁଣୁଥାଏ । ମୁଁ ଏହା ସ୍ଥିର କରିବାକୁ ଅସମର୍ଥ ଥିଲି ଯେ, ମୁଁ ପାଠପଢ଼ାରେ ଧ୍ୟାନ ଦେବି ନା ପରିବା ବିକ୍ରି କରିବାରେ ।’’ ସେ ସେହି ଅନ୍ଲାଇନ୍ ଶ୍ରେଣୀରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଉତ୍ତର ମୁମ୍ବାଇର ମାଲାଡ ଅଞ୍ଚଳରେ ମାଲବାଣିରେ ଥିବା ବ୍ୟସ୍ତ ବଜାରରେ ବାଇଗଣ, ବିଟ୍, କାକୁଡ଼ି, ପତ୍ରକୋବି ଏବଂ ଅନ୍ୟାନ୍ୟ ପନିପରିବା ତାଙ୍କ ଠେଲା ଗାଡ଼ିରୁ ବିକୁ ଥିବା ସମୟରେ ଯୋଗ ଦେଇଥିଲେ ।
ମୁଜାଫର ସେହି କ୍ଲାସ ପାଇଁ ଜଣେ ସାଙ୍ଗଠାରୁ କେଇ ଘଣ୍ଟା ନିମନ୍ତେ ଗୋଟିଏ ଫୋନ୍ ଉଧାର ଆଣିଥିଲେ । ତାଙ୍କର ନିଜର ସ୍ମାର୍ଟଫୋନ୍ ନାହିଁ । ‘‘ସେହି ସମୟରେ ମୋ ବଡ଼ ଭାଇ ମୁବାରକ [ଜଣେ ୯ମ ଶ୍ରେଣୀ ଛାତ୍ର] ମଧ୍ୟ ତାଙ୍କ ସାଙ୍ଗ ଘରେ ଅନ୍ଲାଇନ୍ କ୍ଲାସରେ ଯୋଗ ଦେଇଥିଲେ । ବାପା କାମକୁ ଯାଇଥିଲେ ମୁଁ ଠେଲାଗାଡ଼ି ବନ୍ଦ କରିପାରିଲି ନାହିଁ । ଦୁଇମାସ ପରେ ଗତ ଜୁନ୍ ୧୦ ତାରିଖରେ ଆମେ ପୁନଃ [କାମ] ଆରମ୍ଭ କରିଥିଲୁ,’’ ସେ କହିଥିଲେ ।
ଏହି ବାଳକମାନଙ୍କର ପିତା ଇସଲାମ ଜାନୁଆରୀ ମାସରେ ଠେଲା ଗାଡ଼ିଟି ଭଡ଼ା ନେଇଥିଲେ। ପରିବାରର ଖର୍ଚ୍ଚ ବଢ଼ୁଥିଲା ଏବଂ ସେମାନେ ଆୟର ଆଉ ଏକ ଉତ୍ସ ଆବଶ୍ୟକ କରୁଥିଲେ । ବର୍ତ୍ତମାନ ୪୦ ବର୍ଷ ବୟସରେ ପହଞ୍ଚିଥିବା ଇସ୍ଲାମ୍ ସାଧାରଣତଃ ଜଣେ ଟ୍ରକ୍ ଡ୍ରାଇଭରଙ୍କ ସହାୟକ ଭାବରେ କାମ କରୁଥିଲେ, କିନ୍ତୁ କମ୍ ଆୟ କାରଣରୁ ସେ ସେହି କାମ ଛାଡ଼ି ଦେଇଥିଲେ (ଯଦିଓ ସେ ଏହା ଜୁନ୍ରେ ପୁଣି ଆରମ୍ଭ କରିଥିଲେ)। ବାଳକମାନଙ୍କର ମାଆ ୩୫ ବର୍ଷ ବୟସ୍କା ମୋମିନା, ହେୟାରକ୍ଲିପ୍ ତିଆରି କରନ୍ତି ଏବଂ ଗାଉନ୍ ସିଲେଇ କରନ୍ତି । ୭ ଜଣିଆ ପରିବାରରେ ଦୁଇବର୍ଷ ବୟସ୍କ ହାସନୈନ୍ ଏବଂ ଦୁଇ ଝିଅ ୭ମ ଶ୍ରେଣୀରେ ପଢ଼ୁଥିବା ଫର୍ଜାନା,୧୩ ଏବଂ ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ଅଫସାନା,୧୨ ଅଛନ୍ତି ।
କିନ୍ତୁ ସେହି ଠେଲାଗାଡ଼ି ଭଡ଼ାରେ ନିଆଯିବାର ମାତ୍ର ଦୁଇମାସ ପରେ ମାର୍ଚ୍ଚ ୨୫ ତାରିଖରୁ କୋଭିଡ୍-୧୯ ଲକ୍ଡାଉନ୍ ପରିବାରର ଅନଭିଜ୍ଞ ପନିପରିବା ବ୍ୟବସାୟକୁ ବନ୍ଦ କରିଦେଇଥିଲା। ମୁଜାଫର କୁହନ୍ତି, ‘‘ବାପା ପ୍ରଥମେ ଠେଲା ଗାଡ଼ି ଚଳାଉଥିଲେ, ଯେତେବେଳେ କି ସେ ଏବଂ ୧୭ ବର୍ଷ ବୟସ୍କ ମୁବାରକ ସକାଳ ୭ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଯାଉଥିଲେ। ସ୍କୁଲ୍ ପରେ ଉଭୟ ବାଳକ ସେମାନଙ୍କ ବାପାଙ୍କୁ ପରିବା ବିକ୍ରି କରିବାରେ ସାହାଯ୍ୟ କରୁଥିଲେ ।










