କ୍ଷୁଦ୍ର ଏକ ଧୂଳିର ବାଦଲ ଭିତର ଦେଇ ଶୁଭୁଥାଏ ଇଞ୍ଜିନ୍ର ଫଟ୍ଫଟ୍ ଶବ୍ଦ: ନୀଳ ରଙ୍ଗର ଶାଢ଼ି, ବଡ଼ ନାକଫୁଲ ସହିତ ମୁହଁରେ ସ୍ମିତହାସ୍ୟ ଫୁଟାଇ ବାଇକ୍ ଚଢ଼ି ଆସି ପହଞ୍ଚନ୍ତି ଆଡ଼େକାଲାସେଲ୍ଭି । କିଛି ମିନିଟ୍ ପୂର୍ବରୁ, ସେ ନିଜର ଲଙ୍କା କ୍ଷେତରେ ଥାଇ ତାଲା ପଡ଼ିଥିବା ତାଙ୍କ ଘର ବାହାରେ ଅପେକ୍ଷା କରିବା ପାଇଁ ଆମକୁ କହିଥିଲେ । ମଧ୍ୟାହ୍ନ ଗଡ଼ିବା ଉପରେ । ମାର୍ଚ୍ଚ ମାସ ହୋଇଥିଲେ ହେଁ ରାମନାଥପୁରମର ସୂର୍ଯ୍ୟତାପ ଥିଲା ଖୁବ୍ କଷ୍ଟଦାୟକ । ଆମମାନଙ୍କ ଛାଇ ଛୋଟ ହେଉଥିଲେ ହେଁ ଶୋଷ ବଢ଼ିବାରେ ଲାଗିଥିଲା । ପିଜୁଳି ଗଛର ଶୀତଳ ଛାଇରେ ତାଙ୍କ ଦୁଇ ଚକିଆକୁ ଠିଆ କରାଇ ଦେଇ ତରବର ହୋଇ ଘରର ସାମନା ପଟ ଦୁଆର ଖୋଲି ଆମକୁ ଭିତରକୁ ଯିବା ପାଇଁ ନିମନ୍ତ୍ରଣ କରନ୍ତି ଆଡ଼େକାଲାସେଲ୍ଭି । ପାଖ ଗୀର୍ଜାଘରେ ଘଣ୍ଟି ବାଜି ଉଠେ । ସେ ଆମ ପାଇଁ ପାଣି ଆଣନ୍ତି ଏବଂ ଆମେ ଗପସପ କରିବାକୁ ବସି ପଡୁ ।
ଆମେ ତାଙ୍କ ବାଇକ୍ରୁ ହିଁ କଥା ଆରମ୍ଭ କରୁ। ଛୋଟିଆ ଗାଁଟିରେ, ତାଙ୍କ ବୟସର ଜଣେ ମହିଳା ବାଇକ୍ ଚଳାଇବା ସାଧାରଣତଃ ଦେଖାଯାଏନି । “କିନ୍ତୁ ଏଇଟା ଖୁବ୍ କାମରେ ଲାଗେ,” ହସି ହସି କହନ୍ତି ୫୧ ବର୍ଷୀୟା ଆଡ଼େକାଲାସେଲ୍ଭି । “ମୁଁ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ମୋ ଭାଇ ମୋତେ ଶିଖାଇ ଦେଇଥିଲେ । ମୁଁ ସାଇକେଲ ଚଲେଇ ଜାଣିଥିଲି । ତେଣୁ ଏଇଟା ଏତେ କଷ୍ଟକର ନଥିଲା ।”
ଏହି ଦୁଇଚକିଆଟି ନଥିଲେ ତାଙ୍କ ଜୀବନଚର୍ଯ୍ୟା କଷ୍ଟକର ହୋଇପଡ଼ିଥାନ୍ତା ବୋଲି ସେ ସୂଚାଇ ଦିଅନ୍ତି । “ମୋ ସ୍ୱାମୀ ବହୁ ବର୍ଷ ଧରି ଘରୁ ଦୂରରେ ରହିଥିଲେ । ପ୍ରଥମେ ସିଙ୍ଗାପୁରରେ ଏବଂ ପରେ ଦୁବାଇ ଓ କାତାରରେ, ସେ ପାଇପ ମିସ୍ତ୍ରୀ ଭାବରେ କାମ କରୁଥିଲେ । ମୁଁ ମୋ ଝିଅମାନଙ୍କର ଲାଳନପାଳନ କଲି ଏବଂ ଜମିବାଡ଼ି କଥା ବୁଝିଲି ।” ଏକା ଏକା ।
ସାରା ଜୀବନ ଜଣେ ଚାଷୀ ଭାବରେ ବିତାଇ ଆସିଛନ୍ତି ଜେ. ଆଡ଼େକାଲାସେଲ୍ଭି । ଘର ଚଟାଣରେ ସେ ଚକାମୁଣ୍ଡି ପକାଇ ବସି ପଡ଼ନ୍ତି, ଗୋଟିଏ ଲେଖାଏଁ ଚୂଡ଼ିରେ ସଜ୍ଜିତ ତାଙ୍କ ହାତ ଦୁଇଟିକୁ ଦୁଇ ଆଣ୍ଠୁ ଉପରେ ରଖନ୍ତି । ଶିବଗଙ୍ଗାଇ ଜିଲ୍ଲାର କାଳୟାକୋଏଲର ଏକ ଚାଷୀ ପରିବାରରେ ତାଙ୍କର ଜନ୍ମ । ମୁଦୁକୁଲାଥୁର ବ୍ଲକ୍ର ତାଙ୍କ ପଲ୍ଲୀ ଗାଁ ପି. ମୁଥୁବିଜୟପୁରମ୍ଠାରୁ ଦେଢ଼ ଘଣ୍ଟାର ବାଟ ଶିବଗଙ୍ଗାଇ । “ମୋ ଭାଇମାନେ ଶିବଗଙ୍ଗାଇରେ ରହନ୍ତି । ସେଠାରେ ସେମାନଙ୍କର ବହୁତ ବୋର୍ୱେଲ ଅଛି । ଆଉ ଏଠି ମୁଁ ଜଳସେଚନ ପାଇଁ ଘଣ୍ଟାକୁ ୫୦ ଟଙ୍କା ହିସାବରେ ପାଣି କିଣୁଛି ।” ପାଣି କାରବାର ରାମନାଥପୁରମର ବଡ଼ ବ୍ୟବସାୟ ।




























