ସୟଦ ଖୁର୍ସିଦ ବଜେଟ ଉପରେ ଖୁବ୍ କମ୍ ଧ୍ୟାନ ଦେଇଥିଲେ। ୭୨ ବର୍ଷ ବୟସ୍କ ଖୁର୍ସିଦ କୁହନ୍ତି, ‘‘ମୁଁ ନ୍ୟୁଜ୍ ଚାନେଲ ଦେଖିବାକୁ ଚେଷ୍ଟା ସୁଦ୍ଧା କରିନଥିଲି। ଆପଣ ଜାଣିନାହାନ୍ତି ଯେ, ଏଥିରେ କେତେ ସତ୍ୟତା ଏବଂ କେତେ ଅପପ୍ରଚାର ରହିଛି।’’
ଚଳିତ ବଜେଟରେ ଟିକସ ସ୍ଲାବରେ ହୋଇଥିବା ପରିବର୍ତ୍ତନ ବିଷୟରେ ସେ ଶୁଣିଛନ୍ତି କାରଣ କେହି ଜଣେ ଏହା ବିଷୟରେ ଆଲୋଚନା କରୁଥିଲା। ସେ ହସି ହସି କୁହନ୍ତି, ‘‘କିନ୍ତୁ ମୁଁ ମୋ ପଡ଼ାରେ ଏମିତି ଜଣେ ବ୍ୟକ୍ତିଙ୍କୁ ଜାଣେ ନାହିଁ, ଯାହାଙ୍କୁ ଏହାର ଲାଭ ମିଳିବ। ‘‘ହମ୍ ଆପନା କମାତେ ହୈ ଔର ଖାତେ ହେଁ (ଆମେ ନିଜେ ରୋଜଗାର କରୁ ଓ ଖାଇଥାଉ)।
୬୦ ବର୍ଷରୁ ଅଧିକ ସମୟ ହେବ ମହାରାଷ୍ଟ୍ର ପରଭଣୀ ଜିଲ୍ଲାରେ ଥିବା ଗଙ୍ଗାଖେଡ଼ ସହରରେ ସୟଦ ଦରଜି ଭାବେ କାମ କରି ଆସୁଛନ୍ତି। ମାତ୍ର ଆଠ ବର୍ଷ ବୟସରେ ସେ ତାଙ୍କ ବାପାଙ୍କ ଠାରୁ ଏହି କାମ ଶିଖିଥିଲେ। ତେବେ ତାଙ୍କ ବ୍ୟବସାୟରୁ ଆଉ ଆଗ ଭଳି ଲାଭ ହେଉନାହିଁ। ‘‘ଯୁବପିଢ଼ି ରେଡିମେଡ ପୋଷାକକୁ ପସନ୍ଦ କରୁଛନ୍ତି,’’ ସେ କହିଥା’ନ୍ତି।




