‘‘ବଜେଟକୁ ନେଇ ପ୍ରତିବର୍ଷ ହେଉଥିବା ଏହି ହୋହଲ୍ଲା ଆମ ଜୀବନରେ କିଛି ପରିବର୍ତ୍ତନ ଆଣିବ କି?’’ ବୋଲି ପ୍ରଶ୍ନ କରନ୍ତି ଦୁଇ ପିଲାଙ୍କ ଏକାକିନୀ ମା’ କେ. ନାଗମ୍ମା। ୨୦୦୭ରେ ସେପ୍ଟିକ୍ ଟାଙ୍କି ସଫା କରିବା ସମୟରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଘଟଣା ପରେ ସେ ସଫେଇ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଥିଲେ ଏବଂ ବର୍ତ୍ତମାନ ସୁଦ୍ଧା ଜଣେ ସଂଯୋଜକ ଭାବେ କାମ କରୁଛନ୍ତି। ତାଙ୍କର ସବୁଠୁ ବଡ଼ ଝିଅ ଶାୟଲା ଜଣେ ନର୍ସ ଏବଂ ସାନ ଝିଅ ଆନନ୍ଦୀ ଗୋଟିଏ ଅସ୍ଥାୟୀ ସରକାରୀ ଚାକରି କରନ୍ତି।
‘ବଜେଟ୍’ ଆମ ପାଇଁ କେବଳ ଏକ ଆକର୍ଷଣୀୟ ଶବ୍ଦ। ଆମେ ନିଜ ରୋଜଗାରରେ ଘର ବଜେଟ ସୁଦ୍ଧା ପ୍ରସ୍ତୁତ କରିପାରିବୁ ନାହିଁ ଏବଂ ଆମକୁ ସରକାରଙ୍କ ଯୋଜନାରୁ ମଧ୍ୟ ବାହାରେ ରଖାଯାଇଥାଏ। ତେବେ ଏହି ବଜେଟ୍ କ’ଣ? ଏଥିରେ ମୋ ଝିଅମାନଙ୍କର ବାହାଘର ହୋଇପାରିବ କି?’’
ନାଗମ୍ମାଙ୍କ ଜନ୍ମ ପୂର୍ବରୁ ତାଙ୍କ ବାପାମା’ ଚେନ୍ନାଇକୁ ଚାଲି ଆସିଥିଲେ ତେଣୁ ସେ ଏଠାରେ ଜନ୍ମ ନେଇଥିଲେ ଓ ବଡ଼ ହୋଇଥିଲେ। ସେମାନଙ୍କ ନିଜ ସହର ନାଗଲପୁରମରେ ରହୁଥିବା ତାଙ୍କର ପିଉସୀ ପୁଅ ସହିତ ୧୯୯୫ରେ ତାଙ୍କ ବାପା ତାଙ୍କର ବାହାଘର କରେଇ ଦେଇଥିଲେ। ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଥିବା ପାମୁରୁ ନିକଟବର୍ତ୍ତୀ ଏହି ଗ୍ରାମରେ, ତାଙ୍କର ସ୍ୱାମୀ କନ୍ନନ ଜଣେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ସେମାନଙ୍କ ପରିବାର ଅନୁସୂଚିତ ଜାତି ଭାବେ ମାଦିଗା ସମ୍ପ୍ରଦାୟର ପ୍ରତିନିଧିତ୍ୱ କରନ୍ତି। ‘‘୨୦୦୪ରେ, ଦୁଇଟି ପିଲା ହେବା ପରେ ଆମେ ଆମ ଝିଅଙ୍କ ପାଠପଢ଼ା ପାଇଁ ଚେନ୍ନାଇ ଆସିବାକୁ ନିଷ୍ପତ୍ତି ନେଲୁ,’’ ନାଗମ୍ମା ସ୍ମରଣ କରି କୁହନ୍ତି। ଏହାର ତିନି ବର୍ଷ ପରେ, କନ୍ନନଙ୍କ ପରଲୋକ ହୋଇଥିଲା।




