“ସ୍କୁଲ ପୁଣି କେବେ ଖୋଲିବ ଅମ୍ମି?”, ପଚାରେ ମୁନ୍ନି। ସହାରା ଝୋଟକୁ ପତଳା କରିବା କାମର ଶେଷ ପର୍ଯ୍ୟାୟରେ ବ୍ୟସ୍ତ ଥାଏ। ତା’ ପାଖରେ ଥିବା ୧୦ ଡିସିମିଲ ଜାଗାରେ ଏବେ କାମରେ ବ୍ୟସ୍ତ ରହିବା ସମୟ। ମୁନ୍ନିୟା ପ୍ରଶ୍ନର ଜବାବ ଦେବାକୁ ତା’ ପାଖରେ ବେଳ ନାହିଁ।
“ସ୍କୁଲ କାହିଁକି ଖୋଲୁ ନାହିଁ?” – କୁନି ଝିଅଟି ଏଇ ପ୍ରଶ୍ନକୁ ବାରମ୍ବାର ପଚାରି ଚାଲିଥାଏ। ଏଥର ସହାରା ଅଟକିଲା ଓ ସ୍ଵରର ନିରାଶାକୁ ଯଥାସମ୍ଭବ ନିୟନ୍ତ୍ରଣ କରି ମୁନ୍ନି ଆଡକୁ ବୁଲିପଡ଼ି କହିଲା, “ଦେଖିସ ନା କି ଗ୍ରମ? (ଦେଖି ପାରୁନୁ କି କେତେ ଗରମ ହଉଚି?) ଆଠ ମାସ ହେଲା ବର୍ଷା ହେଇନି”।
“ତା’ ହେଲେ ସେମାନେ କାହିଁକି ଏସି ଲଗେଇ ଦଉ ନାହାନ୍ତି?”, ମୁନ୍ନିୟାର ନିର୍ଦ୍ଦୟ ପ୍ରଶ୍ନ ଯେମିତି ସରିବାର ନାହିଁ।
“ସରକାରଙ୍କ ପାଖେ ଟଙ୍କା ନାହିଁ”, ସହାରା ଧୈର୍ଯ୍ୟ ହରାଉ ଥିଲା।
“ତା’ହେଲେ ବୋରୋଲୋକଙ୍କ (ବଡଲୋକଙ୍କ) ଇଂଲିଶ ମିଡିୟମ ସ୍କୁଲରେ ଏତେ ଏସି କେମିତି ଲାଗିଛି?”
ଅପରାହ୍ନ ପର୍ଯ୍ୟନ୍ତ ସହାରା କଠିନ ପରିଶ୍ରମ ଆଉ ନୀରବତା ଭିତରେ ବୁଡ଼ି ରହେ। ତାକୁ ଆଜି କାମ ଅଧାରେ ଛାଡ଼ି ମୁନ୍ନିୟାକୁ ଧରି ଘରକୁ ଶୀଘ୍ର ଫେରିବାକୁ ହେବ। ଆଜି ମତଦାନ ଦିବସ। ମୁନ୍ନିୟାକୁ ସାଙ୍ଗରେ ଧରି ପ୍ରାଥମିକ ବିଦ୍ୟାଳୟରେ ଖୋଲିଥିବା ମତଦାନ କେନ୍ଦ୍ର ଆଡ଼େ ନିଜ ଭୋଟ ଦେବାକୁ ସହାରା ଧାଇଁଥିଲା।
“ଆମେ କାହିଁକି ଭୋଟ ଦେବା ଅମ୍ମି?”, ମୁନ୍ନିୟାର କଥା ଆଜି ବନ୍ଦ ହଉନି। ଅନ୍ତତଃ ବର୍ତ୍ତମାନ ପାଇଁ ବିଷୟ ବଦଳି ଯାଇଥିବାରୁ ସହାରା ଟିକିଏ ଆଶ୍ଵସ୍ତ ହେଲା, କିନ୍ତୁ ଝିଅ ସାଙ୍ଗେ କଥା ହେବାକୁ ତା’ର ଆଉ ବଳ ନଥିଲା।
“ଦିନେ ମୁଁ ଟିଭିରେ ଶୁଣିଥିଲି। ଜଣେ ବଡ଼ ନେତା କହୁଥିଲେ ଯେ ସେମାନଙ୍କର ମୁସଲିମ ଭୋଟ ଦରକାର ନାହିଁ। ଅମ୍ମି, ଆମେ ତ ମୁସଲିମ। ତେଣୁ, ଆମେ ଭୋଟ କାହିଁକି ଦେବା?”
ବାଟ ଚାଲିଲା ବେଳେ ସହାରା ଟିକେ ଅଟକି ଟିକି ଝିଅଟିକୁ ଚାହିଁଲା। ସେହି ଶୀତଳ ଦୃଷ୍ଟିର ଅର୍ଥ କ'ଣ ମୁନ୍ନିୟା ଜାଣେ। ସେ ଚୁପ ରହିଲା।


