“ଏଇ ଗାଛ୍, ଏଇ ଘର, ଏଇ ମାଟିର୍ ଯେ ମାୟା, ସେଇ ମାୟା ଲିୟେ ଆମ୍ରା କୁଥାୟେ ଯାବୋ? ( ଏହି ଗଛ... ଏଇ ଘର, ଏଇ ମାଟିର ମାୟା... ସେହି ମାୟାକୁ ସାଙ୍ଗରେ ନେଇ ଆମେ କୁଆଡ଼େ ଯିବୁ?)”
ଆପନକୁଡ଼ି ହେମ୍ବ୍ରମଙ୍କ ମନରେ ଊଭୟ ଦୁଃଖ ଓ ରାଗ। ଚାରିଆଡ଼େ ଆଖି ବୁଲାଇ ଆଣି ଏହି ସାନ୍ତାଳ ଆଦିବାସୀ ମହିଳା କହନ୍ତି, “ଏ ସବୁ ମୋର।” ଜମିରେ ଦିଆଯାଇଥିବା ଗୋଟିଏ ଚିହ୍ନରୁ ଆଉ ଗୋଟିଏ ଚିହ୍ନ ପର୍ଯ୍ୟନ୍ତ ହାତରେ ଦେଖାଇ ଏହି ୪୦ ବର୍ଷୀୟା ମହିଳା ଆହୁରି କହନ୍ତି, “ଏଠି ମୋ ନିଜର ଜମି ଅଛି।” ତାଙ୍କର ୫-୬ ବିଘା (ମୋଟାମୋଟି ଦେଢ଼ ଏକର) ଜମିରେ ସେ ଧାନଚାଷ କରନ୍ତି।
“ଏତେ ବର୍ଷ ଧରି ମୁଁ ଏଠାରେ ଯାହା ସବୁ ଗଢ଼ିଛି, ସରକାର କ’ଣ ସେସବୁ ଦେଇପାରିବେ?” ପଶ୍ଚିମ ବଙ୍ଗର ବୀରଭୂମ ଜିଲ୍ଲାରେ ପ୍ରସ୍ତାବିତ ଦେଓଚା ପାଚମୀ (ଦେଉଚା ପାଚମୀ ଭାବେ ମଧ୍ୟ ଉଚ୍ଚାରିତ) କୋଇଲା ଖଣି ପ୍ରକଳ୍ପ ଯୋଗୁଁ ଆପନକୁଡ଼ିଙ୍କ ହୋରିନ୍ସିଙ୍ଗା ଗାଁ ସମେତ ୧୦ଟି ଗାଁ ନିଶ୍ଚିହ୍ନ ହୋଇଯିବ।
“ଏ ସବୁକୁ ପଛରେ ଛାଡ଼ି ଆମେ କେଉଁଠିକି ଯିବୁ? ଆମେ କେଉଁଠାକୁ ହେଲେ ଯିବୁ ନାହିଁ,” ଦୃଢ଼ କଣ୍ଠରେ କହନ୍ତି ଆପନକୁଡ଼ି। ଏହି ଖଣି ପ୍ରକଳ୍ପ ବିରୋଧରେ ଆନ୍ଦୋଳନର ପୁରୋଭାଗରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ସେ ଜଣେ। ତାଙ୍କ ଭଳି ମହିଳାମାନେ ବିଭିନ୍ନ ସ୍ଥାନରେ ବୈଠକ ଓ ଶୋଭାଯାତ୍ରାର ଆୟୋଜନ କରୁଛନ୍ତି, ପୋଲିସ ଓ ଶାସକ ଦଳର ସମ୍ମିଳିତ ବଳର ମୁହାଁମୁହିଁ ମୁକାବିଲା କରୁଛନ୍ତି। ରନ୍ଧାଘର ଉପକରଣ ସହିତ ଲାଠି, ଝାଡ଼ୁ, ଦାଆ ଏବଂ କାଟାରି (ବଡ଼ ଛୁରୀ ଭଳି କଟାକଟିରେ ବ୍ୟବହୃତ ଉପକରଣ) ଭଳି ଚାଷକାମରେ ବ୍ୟବହୃତ ଉପକରଣକୁ ଅସ୍ତ୍ର ରୂପେ ବ୍ୟବହାର କରି ଲଢ଼ିବାକୁ ବାହାରିଛନ୍ତି।
ହୋରିନ୍ସିଙ୍ଗା ଗାଁରେ ଚମକୁଛି ଶୀତ ଅପରାହ୍ଣର ଉଜ୍ଜ୍ୱଳ ସୂର୍ଯ୍ୟ। ଗାଁର ପ୍ରବେଶ ପଥରେ ଅବସ୍ଥିତ ତାଙ୍କ ପଡ଼ୋଶୀ ଲବସାଙ୍କ ଟାଇଲ୍ ଛାତ ଓ ଇଟା ତିଆରି ଘର ଅଗଣାରେ ଠିଆ ହୋଇ ଆମ ସହ କଥାବାର୍ତ୍ତା କରୁଛନ୍ତି ଆପନକୁଡ଼ି।
“ଆମ ଜମି ନେବାକୁ ହେଲେ ସେମାନଙ୍କୁ ଆମ ଜୀବନ ନେବାକୁ ପଡ଼ିବ,” ଆଲୋଚନାରେ ଭାଗ ନେଇ ଲବସା ହେମ୍ବ୍ରମ୍ କହନ୍ତି। ପାଣି ମିଶା ଭାତ ସହିତ ଗତ ରାତିର ବଳକା ପରିବା ତରକାରିକୁ ନେଇ ମଧ୍ୟାହ୍ନ ଭୋଜନ ଆରମ୍ଭ କରନ୍ତି ସେ। ୪୦ ବର୍ଷୀୟ ଲବସା ଏକ କ୍ରସରରେ କାମ କରନ୍ତି। ସେଠାରେ ବଡ଼ ବଡ଼ ପଥରକୁ ମେସିନ୍ରେ ଭଙ୍ଗାଯାଏ। କ୍ରସରରେ କାମ କଲେ ଦିନକୁ ୨୦୦ରୁ ୫୦୦ ଟଙ୍କା ଯାଏ ମଜୁରି ମିଳେ।








