ଡ୍ରାଇଭର ତାଙ୍କୁ ଘରେ ଛାଡ଼ି ଦେବା ପାଇଁ ପ୍ରତିଶ୍ରୁତି ଦେଲା, କିନ୍ତୁ କାର୍‌ଟି ବିପରୀତ ଦିଗରେ ଖୁବ ଜୋରରେ ଦୌଡ଼ିବାକୁ ଲାଗିଲା। ଯେତେବେଳେ ସେ ରାଜପଥର ପ୍ରଥମ ୟୁ ଟର୍ଣ୍ଣ ନେଲେ ନାହିଁ, ନେହା ଭାବିଲେ ସେ ହୁଏତ’ ଅଜାଣତରେ ରାସ୍ତା ଛାଡ଼ି ଦେଲା। ଦ୍ୱିତୀୟ ୟୁ-ଟର୍ଣ୍ଣ ଆସିବା ଏବଂ ଚାଲି ଯିବା ପରେ ଏହି ୧୫ ବର୍ଷୀୟା କିଶୋରୀ ମନରେ ସନ୍ଦେହ ବଢ଼ିବାକୁ ଲାଗିଲା। ତୃତୀୟ ଥର ପାଇଁ ଏପରି ହେବାରୁ, ସେ ଚିନ୍ତାରେ ପଡ଼ିଲେ। ତାଙ୍କ ଆଖିରେ ଲୁହ ଚାଲି ଆସିଲା; ସେ ଭାଙ୍ଗି ପଡ଼ିଲେ।

ଅସ୍ୱସ୍ତିକର ଓ ଅନିଶ୍ଚିତତାର ଅନୁଭବ ମଧ୍ୟରେ ସେ ନିଜ ବାପାମା’ଙ୍କୁ ଦେଖିବା ପାଇଁ କାନ୍ଦିବାକୁ ଲାଗିଲେ। କାରରେ ତାଙ୍କ ପାଖରେ ବସିଥିବା ମହିଳା ଓ ଡ୍ରାଇଭର ତାଙ୍କୁ ଶାନ୍ତ୍ୱନା ଦେବାକୁ ଚେଷ୍ଟା କଲେ, ବ୍ୟସ୍ତ ନହେବାକୁ କହିଲେ।

କିନ୍ତୁ ମନ ଭିତରେ, ନେହା ଜାଣିଥିଲେ ଯେ ସେ ଏକ ବଡ଼ ସଙ୍କଟ ମଧ୍ୟରେ ପଡ଼ିଯାଇଛନ୍ତି। ଘର ଛାଡ଼ି ଚାଲି ଆସିବା ଏକ ଆବେଗପୂର୍ଣ୍ଣ ନିଷ୍ପତ୍ତି ଥିଲା ଏବଂ ସେ ଏଥିପାଇଁ ପଶ୍ଚାତାପ କରୁଥିଲେ।

ଚଳିତ ବର୍ଷ ପ୍ରାରମ୍ଭରେ, ୨୦୨୩ ମେ ମାସରେ, ଏହି କିଶୋରୀ ଜଣଙ୍କ ନିଜ ବାପାମା’ଙ୍କ ସହ ଝଗଡ଼ା କରିଥିଲେ। ଝଗଡ଼ାର କାରଣ ଥିଲା ସେ ପାଠପଢ଼ାରେ କମ୍‌ ସମୟ ଦେଉଛନ୍ତି ଏବଂ ମୋବାଇଲରେ ଅଧିକ ସମୟ ନଷ୍ଟ କରୁଛନ୍ତି। ବାପାମା’ ଏହାର ପ୍ରତିବାଦ କରିଥିଲେ ଏବଂ ନେହାଙ୍କଠାରୁ ତାଙ୍କ ଫୋନ୍‌ ଛଡ଼ାଇ ନିଆଯାଇଥିଲା।

ତଳକୁ ମୁହଁ କରି ଅତି ଧୀର ସ୍ୱରରେ ସେ କୁହନ୍ତି, ‘‘ବାପାମା’ ମୋ ଠାରୁ ମୋବାଇଲ ଫୋନ୍‌ ଛଡ଼ାଇ ନେଇଥିବାରୁ ମୁଁ ଖୁବ୍‌ ଜୋରରେ ରାଗିଯାଇଥିଲି। ମୁଁ ସେମାନଙ୍କ ଠାରୁ ଦୂରେଇ ଯିବାକୁ ଚାହିଁଥିଲି।’’

ତେଣୁ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସେ ଘର ଛାଡ଼ି ନିଜ ଘର ପାଖ ଗଳି ଅତିକ୍ରମ କରିବା ପରେ ରାଜପଥରେ ପହଞ୍ଚିଥିଲେ। ବାପାମା’ଙ୍କ ଉପରେ ଏବେ ବି ରାଗିଥିବା କାରଣରୁ ସେ ରାଜପଥରେ ୭-୮ କିଲୋମିଟର ବାଟ ଚାଲି ଆସିଥିଲେ। ଏହାପରେ ଘର ଠାରୁ ବହୁଦୂରକୁ ଚାଲି ଆସିଥିବା ସେ ହୃଦୟଙ୍ଗମ କରିଥିଲେ। ସେତେବେଳକୁ ସୂର୍ଯ୍ୟ ବୁଡ଼ିବାର କିଛି ଘଣ୍ଟା ବିତିସାରିଥାଏ ଏବଂ ତାଙ୍କୁ ଶୋଷ ଲାଗୁଥାଏ, ହେଲେ ପାଣି ବୋତଲଟିଏ କିଣିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା।

ଏହି ସମୟରେ ଏକ ଚିକ୍କଣ କଳା ରଙ୍ଗର ଲମ୍ବା କାର୍‌ ତାଙ୍କ ଆଗରେ ଅଟକିଥିଲା। ‘‘ଜଣେ ପୁରୁଷ କାର୍‌ ଚଳାଉଥିଲା ଏବଂ ପଛରେ ଜଣେ ମହିଳା ବସିଥିଲା,’’ ନେହା ମନେ ପକାଇ କୁହନ୍ତି। ମହିଳା ଜଣକ କାର୍‌ କାଚ ତଳକୁ ଖସାଇ ନେହାଙ୍କୁ ଘରେ ଛାଡ଼ି ଦେବାକୁ କହିଲା। ‘‘ସେମାନେ ଭଲ ଲୋକ ଭଳି ଜଣାପଡ଼ୁଥିଲେ। ମୁଁ ଥକି ଯାଇଥିବାରୁ ଘରକୁ ଚାଲି ଚାଲି ଫେରିବା ସମ୍ଭବପର ନଥିଲା ଏବଂ ବସ୍‌ ଟିକେଟ୍‌ ପାଇଁ ମୋ ପାଖରେ ଟଙ୍କା ନଥିଲା।’’

ନେହା ସେମାନଙ୍କ ପ୍ରସ୍ତାବକୁ ଗ୍ରହଣ କଲେ। କାର୍‌ ଭିତରେ ଏସି ଚାଲୁଥିବାରୁ ତାଙ୍କୁ ଆରାମ ଲାଗିଲା, ସେ ମୁଣ୍ଡ ପଛକୁ ଡେରି ବସିପଡ଼ିଲେ ଏବଂ ରୁମାଲରେ କପାଳର ଝାଳକୁ ପୋଛିଦେଲେ। ମହିଳା ଜଣକ ତାଙ୍କୁ ପାଣି ବୋତଲ ପିଇବାକୁ ଦେଲା।

କିନ୍ତୁ ନେହାଙ୍କ ଆଶ୍ୱସ୍ତି ଖୁବ୍‌ଶୀଘ୍ର ବ୍ୟଗ୍ରତାରେ ପରିଣତ ହୋଇଗଲା। କାରଣ ପୁରୁଷ ଜଣଙ୍କ ତାଙ୍କ ଘରଠାରୁ ବିପରୀତ ଦିଗରେ ଦୂରକୁ କାର୍‌ ନେଇ ଯାଉଥିଲା। ସେ ପାଟିକରି ଚିଲ୍ଲାଇଲେ ଏବଂ ପ୍ରତିବାଦ କଲେ କିନ୍ତୁ କାର୍‌ ଶେଷରେ ଏକ ଘଣ୍ଟା ପରେ ଗୋଟିଏ ଜାଗାରେ ରହିଲା। ସେମାନେ ଭୋପାଳରେ ପହଞ୍ଚି ସାରିଥିଲେ। ନେହାଙ୍କୁ ଅପହରଣ କରି ନିଆଯାଇଥିଲା।

ମଧ୍ୟପ୍ରଦେଶରେ ଲଗାତାର ଭାବେ ସବୁଠୁ ଅଧିକ ଶିଶୁ ନିଖୋଜ ଘଟଣା ଘଟିଥାଏ। ୨୦୧୬ରୁ ୨୦୨୧ ମଧ୍ୟରେ ରାଜ୍ୟରେ ୬୦,୦୩୧ଟି ଘଟଣା ଘଟିଛି (ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ)। ଚାଇଲ୍ଡ ରାଇଟ୍ସ ଏଣ୍ଡ ୟୁ (ସିଆରୱାଇ) ପକ୍ଷରୁ ଆବେଦନ କରାଯାଇଥିବା ଏକ ସୂଚନା ଅଧିକାର ତଥ୍ୟ ଅନୁଯାୟୀ, ୨୦୨୨ରେ ୧୧,୭୧୭ ଶିଶୁ ନିଖୋଜ ହୋଇଯାଇଥିଲେ। ମଧ୍ୟପ୍ରଦେଶରେ ବାର୍ଷିକ ହାରାହାରୀ ୧୦,୨୫୦ ଏବଂ ଦୈନିକ ହାରାହାରୀ ୨୮ ଜଣ ଶିଶୁ ନିଖୋଜ ହୋଇଯାଆନ୍ତି - ଯାହା ଭାରତର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଧିକ।

Madhya Pradesh consistently has the highest numbers of children that go missing in India

ଭାରତରେ ସବୁଠୁ ଅଧିକ ଶିଶୁ ନିଖୋଜ ଘଟଣା ଲଗାତାର ଭାବେ ମଧ୍ୟପ୍ରଦେଶରେ ଘଟି ଆସୁଛି

ଆହୁରି ଆଶ୍ଚର୍ଯ୍ୟର ବିଷୟ ହେଉଛି ନେହାଙ୍କ ଭଳି ୭୭ ପ୍ରତିଶତ ନିଖୋଜ ଶିଶୁ ଅର୍ଥାତ୍‌ ୫୫,୦୭୩ ଜଣ ହେଉଛନ୍ତି ଝିଅ। ‘‘କିନ୍ତୁ ଏହି ସଂଖ୍ୟା (ନିଖୋଜ ଶିଶୁମାନଙ୍କର) ରକ୍ଷଣଶୀଳ ଆକଳନ ହୋଇପାରେ କାରଣ ଉପାନ୍ତ ଅଞ୍ଚଳରେ ଅଧିକାଂଶ ନିଖୋଜ ମାମଲା ସମ୍ପର୍କରେ ରିପୋର୍ଟ ହୋଇନଥାଏ,’’ ସଚିନ ଜୈନ କୁହନ୍ତି । ମଧ୍ୟପ୍ରଦେଶରେ ନିଖୋଜ ଶିଶୁଙ୍କ ତଥ୍ୟ ରଖୁଥିବା ଶିଶୁ ଅଧିକାର ପ୍ରତି ସମର୍ପିତ ଏକ ସ୍ୱେଚ୍ଛାସେବୀ ସଂସ୍ଥା ବିକାଶ ସମ୍ବାଦ ସମିତିରେ ଜଣେ ଶିଶୁ ଅଧିକାର କର୍ମୀ ଭାବେ ସଚିନ କାମ କରୁଛନ୍ତି।

ଇତିମଧ୍ୟରେ, ସହର ଉପକଣ୍ଠରେ ଥିବା ସେମାନଙ୍କ ଗୋଟିଏ ବଖୁରିକିଆ ଘରେ ନେହାଙ୍କ ବାପାମା’ ଝିଅକୁ ବିବ୍ରତ ହୋଇ ଖୋଜିବା ଆରମ୍ଭ କରି ଦେଇଥିଲେ। ସେମାନେ ପଡ଼ୋଶୀଙ୍କ ଘରେ ଖୋଜିଥିଲେ ଏବଂ ସମ୍ପର୍କୀୟମାନଙ୍କୁ କଲ୍‌ କରିଥିଲେ। ‘‘ମୁଁ ଦୋଷୀ ଅନୁଭବ କରୁଥିଲି ଏବଂ ନିଜକୁ ଦାୟୀ କରୁଥିଲି,’’ ପ୍ରୀତି କୁହନ୍ତି। ‘‘ଆମେ ଆଖପାଖ ଅଞ୍ଚଳରେ ବ୍ୟସ୍ତବିବ୍ରତ ହୋଇ ଖୋଜିଲୁ, କିନ୍ତୁ ତା’ର ଖୋଜଖବର ପାଇଲୁ ନାହିଁ। ସେ ସନ୍ଧ୍ୟା ସୁଦ୍ଧା ଫେରିଆସିବ ବୋଲି ଆମେ ଭାବିଥିଲୁ।’’ ସେମାନେ ପରଦିନ ସ୍ଥାନୀୟ ଥାନାରେ ଅଭିଯୋଗ କଲେ ଏବଂ ନିଖୋଜ ମାମଲା ଦାଏର କଲେ।

ଏହି ଦମ୍ପତି ଭୋପାଳ ଏବଂ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ କାରଖାନାରେ ଦିନ ମଜୁରିଆ ଶ୍ରମିକ ଭାବେ କାମ କରନ୍ତି, ଉଭୟ ମିଶି ମାସିକ ୮,୦୦୦-୧୦,୦୦୦ ଟଙ୍କା ରୋଜଗାର କରିଥାନ୍ତି। ‘‘ଆମେ ସବୁବେଳେ ଯେକୌଣସି ପରିସ୍ଥିତିରେ ପିଲାକୁ ପାଠ ପଢ଼ାଇବାକୁ ଚାହିଁଥିଲୁ ତେଣୁ ସେମାନେ ଭଲ ଚାକିରି ପାଇପାରିବେ,’’ ପ୍ରୀତି କୁହନ୍ତି।

ସେ ଓ ତାଙ୍କ ସ୍ୱାମୀ ଭୂମିହୀନ ପ୍ରବାସୀ ଶ୍ରମିକ ଭାବେ ୨୦ ବର୍ଷ ପୂର୍ବରୁ ଉତ୍ତରପ୍ରଦେଶରୁ ଚାଲି ଆସିଥିଲେ; ସେମାନେ ଅନ୍ୟାନ୍ୟ ପଛୁଆ ବର୍ଗ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିଥାନ୍ତି। ‘‘ନିଜ ପିଲା ଯେମିତି ଜଣେ ଶ୍ରମିକ ଭାବେ ନିର୍ଯାତନା ଓ ଶୋଷଣର ଶିକାର ହେବେ ନାହିଁ ତାହା ଆପଣ ନିଶ୍ଚୟ ଚାହିଁବେ। ତେଣୁ ଆମେ ତା’ର ପାଠପଢ଼ାକୁ ନେଇ ସାମାନ୍ୟ କଠୋର ହୋଇଯାଇଥିଲୁ।’’

କିଶୋରୀ ନେହାଙ୍କ ଭଳି, ମାତାପିତାଙ୍କ ସହ ଝଗଡ଼ା କରି ନିଜ ଘର ଛାଡ଼ି ଦେଉଥିବା କିଶୋରୀକିଶୋରମାନେ, ପ୍ରେମରେ ପଡ଼ି ଘରୁ ଲୁଚି ପଳାଉଥିବା କିଶୋରାବସ୍ଥାର ପିଲାମାନେ, ନିଖୋଜ ଶିଶୁଙ୍କ ଅନେକ ବର୍ଗ ମଧ୍ୟରୁ ଗୋଟିଏ ବର୍ଗର ହୋଇଥାନ୍ତି। ଏମାନଙ୍କୁ ଯୌନଶୋଷଣ କିମ୍ବା ଶ୍ରମିକ ଭଳି ସବୁଠୁ ଘାତକ କାର୍ଯ୍ୟ ପାଇଁ ବେଆଇନ ଭାବେ ଚାଲାଣ କରାଯାଏ। ‘‘ଠିକାଦାରମାନେ ପିଲାମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯାଆନ୍ତି। ଏଭଳି ଶିଶୁ ଶ୍ରମ ପଛରେ ଏକ ସମ୍ପୂର୍ଣ୍ଣ ମିଳିତ ଗୋଷ୍ଠୀ ସମ୍ପୃକ୍ତ ରହିଛି।’’

*****

ନେହାଙ୍କୁ ଭୋପାଳର ଏକ ଫ୍ଲାଟକୁ ନିଆଗଲା ଏବଂ ବାହାରକୁ ନଯିବା ଓ କାହା ସହ ଯୋଗାଯୋଗ କରିବା ପାଇଁ ତାଙ୍କୁ ଛଡ଼ାଗଲା ନାହିଁ। ସେହି ଦମ୍ପତି ସେମାନଙ୍କ ପଡ଼ୋଶୀଙ୍କୁ ସମ୍ପର୍କୀୟଙ୍କ ଝିଅ ବୋଲି ନେହାଙ୍କ ପରିଚୟ ଦେଲେ ଏବଂ ତା’ଙ୍କୁ ସାନା ବୋଲି ଡାକୁଥିଲେ; ନୂଆ ସମ୍ବୋଧନର ଉତ୍ତର ନଦେଲେ ତାଙ୍କୁ ମାଡ଼ ମରାଯାଉଥିଲା।

ଘରୁ ଚାଲି ଆସିଥିବା ଏହି କିଶୋରୀଙ୍କୁ ଶାରୀରିକ ଓ ଯୌନ ନିର୍ଯାତନା ଦିଆଯାଉଥିଲା। ଦମ୍ପତି ତାଙ୍କୁ ସବୁ ଘର କାମ କରାଇବା, ଘର ସଫା କରିବା ଏବଂ ବାସନ ମାଜିବା ଆଦି କାମ କରାଉଥିଲେ। ଥରେ ସେ ସାହସ କରି ଲୁଚି ପଳାଇବାକୁ ଚେଷ୍ଟା କଲେ, କିନ୍ତୁ ଧରାପଡ଼ି ଦଣ୍ଡିତ ହେଲେ। ‘‘ମୁଁ ଘରକୁ ଫେରିବାର ଆଶା ଛାଡ଼ି ଦେଇଥିଲି। ତେଣୁ ପୁଲିସ ଯେତେବେଳେ ମୋତେ ଉଦ୍ଧାର କଲା ମୁଁ ବିଶ୍ୱାସ କରିପାରିଲି ନାହିଁ,’’ ସେ କୁହନ୍ତି ।

ରାଜପଥରେ ସେ ଚାଲି ଯାଉଥିବାର ସିସିଟିଭି ଫୁଟେଜ୍‌କୁ ଉଦ୍ଧାର କରି ପୁଲିସ ତାଙ୍କୁ ଠାବ କରିଥିଲା କିନ୍ତୁ ତାଙ୍କୁ ଭୋପାଳରେ ପାଇବା ଲାଗି କିଛି ସମୟ ଲାଗି ଯାଇଥିଲା । ତାଙ୍କୁ ଅପହରଣ କରିବା ଅଭିଯୋଗରେ ଦମ୍ପତିଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ବିରୋଧରେ ଯୌନ ଅପରାଧଠାରୁ ଶିଶୁଙ୍କ ସୁରକ୍ଷା (ପୋକ୍ସୋ) ଆଇନ, ୨୦୧୨ ଏବଂ ଶିଶୁ ଶ୍ରମିକ (ନିବାରଣ ଓ ନିୟାମକ) ଆଇନ, ୧୯୮୬ ଅଧୀନରେ ମାମଲା ରୁଜୁ ହୋଇଥିଲା।

ନେହା ଘରକୁ ଫେରିବା ପରେ ତାଙ୍କର ବାପାମା’ ଆଶ୍ୱସ୍ତ ହୋଇଥିଲେ। ‘‘ଆମେ ସବୁଦିନ ପାଇଁ ପୁଲିସ ନିକଟରେ କୃତଜ୍ଞ ରହିବୁ,’’ ପ୍ରୀତି କୁହନ୍ତି।

PHOTO • Priyanka Borar

କିଶୋରୀ ନେହାଙ୍କ ଭଳି, ମାତାପିତାଙ୍କ ସହ ଝଗଡ଼ା କରି ନିଜ ଘର ଛାଡ଼ି ଦେଉଥିବା କିଶୋରୀକିଶୋରମାନେ, ପ୍ରେମରେ ପଡ଼ି ଘରୁ ଲୁଚି ପଳାଉଥିବା କିଶୋରାବସ୍ଥାର ପିଲାମାନେ, ନିଖୋଜ ଶିଶୁଙ୍କ ଅନେକ ବର୍ଗ ମଧ୍ୟରୁ ଗୋଟିଏ ବର୍ଗର ହୋଇଥାନ୍ତି। ଏମାନଙ୍କୁ ଯୌନଶୋଷଣ କିମ୍ବା ଶ୍ରମିକ ଭଳି ସବୁଠୁ ଘାତକ କାର୍ଯ୍ୟ ପାଇଁ ବେଆଇନ ଭାବେ ଚାଲାଣ କରାଯାଏ

ନେହାଙ୍କର ଭାଗ୍ୟ ଭଲ ଥିବା କାରଣରୁ ତାଙ୍କୁ ଅପେକ୍ଷାକୃତ ଶୀଘ୍ର ଠାବ କରାଯାଇ ପାରିଥିଲା କିନ୍ତୁ ଅଧିକାଂଶ ମାମଲାରେ ଏପରି ଘଟିନଥାଏ, ଯାହାକି ଚିନ୍ତାର ବିଷୟ ବୋଲି ଜୈନ ମତବ୍ୟକ୍ତ କରିଥାନ୍ତି। ‘‘ଏହା ଏକ ଆଇନ ଶୃଙ୍ଖଳା ପ୍ରସଙ୍ଗ ନୁହେଁ,’’ ସେ କୁହନ୍ତି । ‘‘ଏହା ଏକ ସାମାଜିକ ସମସ୍ୟା। ବର୍ତ୍ତମାନ ସମୟରେ ଶିଶୁ ଓ କିଶୋରମାନଙ୍କ ଶାରୀରିକ, ଭାବଗତ ଓ ମାନସିକ ଆହ୍ୱାନକୁ ପରିଚାଳନା କରିବାରେ ସମାଜକୁ ସଂଘର୍ଷ କରିବାକୁ ପଡ଼ୁଛି।’’

ବିଗତ ସାତ ବର୍ଷ ମଧ୍ୟରେ ମଧ୍ୟପ୍ରଦେଶରେ ୭୦,୦୦୦ ଶିଶୁ ନିଖୋଜ ହୋଇଯାଇଥିବା ବେଳେ ରାଜ୍ୟ ପୁଲିସ ପ୍ରତି ବର୍ଷ ୬୦-୬୫ ପ୍ରତିଶତ ଶିଶୁଙ୍କୁ ଠାବ କରିବାର ହାର ବଜାୟ ରଖିପାରିଛି । କିନ୍ତୁ ଗୋଟିଏ ଶିଶୁ ନିଖୋଜ ହୋଇଯିବା ମଧ୍ୟ ବଡ଼ କଥା। ବର୍ତ୍ତମାନ ୧୧,୦୦୦ରୁ ଅଧିକ ଶିଶୁ ଏପରି ଜୀବନଯାପନ କରୁଛନ୍ତି ଯାହା ହୁଏତ’ ସେମାନଙ୍କ ଭାଗ୍ୟରେ ନଥିଲା ଏବଂ ସେମାନଙ୍କର ବାପାମା’ ଓ ପରିବାର ଲୋକମାନେ ନିଜ ପିଲାଙ୍କ ଉପରେ କିଭଳି ଅତ୍ୟାଚାର ହେଉଥିବ ତା’କୁ ନେଇ ଭୟ ଓ ଅନିଶ୍ଚିତତାରେ ଦିନ କାଟୁଚନ୍ତି।

ଅଗଷ୍ଟ ମଧ୍ୟଭାଗରେ ସେମାନଙ୍କ ୧୪ ବର୍ଷର ଝିଅ ପୂଜା ନିଖୋଜ ହୋଇଯିବା ପରେ ଲକ୍ଷ୍ମୀ ଓ ନୀତିଶଙ୍କ ମସ୍ତିଷ୍କରେ ଏଣୁତେଣୁ ଚିନ୍ତା ମୁଣ୍ଡ ଟେକୁଛି। ପୁଲିସ ବର୍ତ୍ତମାନ ସୁଦ୍ଧା ପୂଜାଙ୍କୁ ଖୋଜି ପାଇନାହିଁ। ବର୍ତ୍ତମାନ ସୁଦ୍ଧା ମାମଲା ଚାଲିଛି।

‘‘ ଦୀମାଗ୍‌ ଖରାବ୍‌ ହୋ ଗୟା (ଆମ ମୁଣ୍ଡ ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି),’’ ନୀତିଶ କୁହନ୍ତି। ‘‘ଆମେ ଯଥାସମ୍ଭବ ସକାରାତ୍ମକ ଚିନ୍ତା କରିବାକୁ ଚାହୁଁଛୁ। କିନ୍ତୁ ଆମ ଝିଅ କ’ଣ କରୁଥିବ ସେ କଥା ଭାବିବା ଛଡ଼ା ଆମ ମୁଣ୍ଡରେ ଆଉ କିଛି କଥା ପଶୁନାହିଁ।’’

ଦିନେ ସକାଳେ, ପୂଜା ସ୍କୁଲ୍‌କୁ ବାହାରି ଯିବା ପରେ ଆଉ ଘରକୁ ଫେରିନଥିଲେ। ସିସିଟିଭି ଫୁଟେଜ୍‌ରେ ସେ ବିଦ୍ୟାଳୟର ଅଧାବାଟ ପର୍ଯ୍ୟନ୍ତ ଯାଇଥିବା ଦେଖାଯାଉଛି କିନ୍ତୁ ତା’ପର ଠାରୁ ତାଙ୍କର କୌଣସି ସନ୍ଧାନ ମିଳୁନାହିଁ। ବାପାମା’ଙ୍କ କହିବା କଥା ହେଉଛି ବୋଧହୁଏ ସେ ଏଥିପାଇଁ ପୂର୍ବରୁ ଯୋଜନା କରିଥିଲା କାରଣ ସେଦିନ ସେ ଘରେ ନିଜ ଫୋନ୍‌ ଛାଡ଼ି ଯାଇଥିଲା, ଯାହା ପୂର୍ବରୁ ସେ କେବେ ବି କରିନଥିଲା। ‘‘ପୁଲିସ ତାଙ୍କର କଲ୍ ରେକର୍ଡ ଯାଞ୍ଚ କରିବା ପରେ ସେ ଜଣେ ପୁଅ ସହିତ ନିୟମିତ କଥା ହେଉଥିବା ଜଣାପଡ଼ିଥିଲା,’’ ନୀତିଶ କୁହନ୍ତି। ‘‘ସେ ବହୁତ ସମୟ ଫୋନ୍‌ରେ କଥା ହେଉଥିଲା କିନ୍ତୁ ଆମେ ତା’ର ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦେଇ କିଛି ପଚାରୁନଥିଲୁ। ଆମେ ଭାବିଥିଲୁ ଏହି ବୟସରେ ପିଲାମାନେ ସେମାନଙ୍କ ସାଙ୍ଗମାନଙ୍କ ସହିତ ବହୁତ କଥା ହୋଇଥାନ୍ତି,’’ ପୂଜାଙ୍କ ୪୯ ବର୍ଷୀୟ ବାପା କୁହନ୍ତି।

ପୂଜା ଯେଉଁ ପୁଅ ସହିତ କଥା ହେଉଥିଲେ ସେ ତାଙ୍କର ସମବୟସ୍କ ଥିଲେ ଏବଂ ଉତ୍ତର ପ୍ରଦେଶରେ ଥିବା ତାଙ୍କ ଗାଁର ବାସିନ୍ଦା ଥିଲେ ଯାହାଙ୍କୁ ସେମାନେ ଜାଣିଛନ୍ତି। ପୁଲିସ ସେହି ପିଲା ଓ ପୂଜା ଉଭୟଙ୍କୁ ସନ୍ଧାନ କରିବାକୁ ଚାହିଁଲେ ସୁଦ୍ଧା ସଫଳ ହୋଇପାରିନାହିଁ।

ନୀତିଶ ଓ ଲକ୍ଷ୍ମୀ ଶେଷରେ ଭାଗ୍ୟକୁ ଆଦରି ନେଇ ସବୁଦିନ କାମକୁ ଯାଉଛନ୍ତି। ଉଭୟ ବର୍ତ୍ତମାନ ୫୦ ପାଖାପାଖି ବୟସରେ ପହଞ୍ଚି ସାରିଛନ୍ତି। ୩୦ ବର୍ଷ ପୂର୍ବରୁ ସେମାନେ କାମ ସନ୍ଧାନରେ ନିଜ ଗ୍ରାମ ପଶ୍ଚିମ ବିହାରରୁ ଏଠାକୁ ଚାଲି ଆସିଥିଲେ। ନୀତିଶ କୁହନ୍ତି, ‘‘ଏଠାକୁ ପ୍ରବାସ କରି ଆସିଥିବା ଜଣେ ଲୋକଙ୍କୁ ଆମେ ଜାଣିଥିଲୁ। ସେ ଆମକୁ ଏଠାରେ ଆସି କାମ କରିବା ପାଇଁ ପରାମର୍ଶ ଦେଇଥିଲେ।’’

ଏହି ଦମ୍ପତି ଦିନ ମଜୁରିଆ ଭାବେ କାମ କରନ୍ତି। ଏଥିରୁ ଯାହା ପାରିଶ୍ରମିକ ମିଳେ ସେଥିରେ ଗୁଜୁରାଣ ମେଣ୍ଟାଇବା ସହ ନିଜର କଚ୍ଚା ଘରୁ ଏକ ପକ୍କା ଘର ତୋଳିବା ଏବଂ ପିଲାମାନଙ୍କ ପାଠପଢ଼ା ଓ ବାହାଘର ପାଇଁ ଟଙ୍କା ମଧ୍ୟ ସଞ୍ଚୟ କରିଥାନ୍ତି। ଦିନକୁ ୧୨-୧୪ ଘଣ୍ଟା କାମ କରିବା ପରେ ସେମାନେ ମାସିକ ୯,୦୦୦ ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହୋଇପାରୁଛନ୍ତି। ଏତେ ସମୟ କାମ କରିବା କାରଣରୁ ତାଙ୍କ ଝିଅ ପ୍ରତି ଅବହେଳା ହୋଇଥିବା ନୀତିଶ ଭାବନ୍ତି। ‘‘ଆମ ପିଲାଙ୍କ ପାଇଁ ଭଲ ଜୀବନ ଚାହୁଁଥିବାରୁ ଯାହା କାମ ମିଳେ ଆମ କରିବାକୁ ପ୍ରସ୍ତୁତ ହୋଇଯାଉ। ମାତାପିତା ହିସାବରେ ଆମର ବୋଧେ କିଛି ତ୍ରୁଟି ରହିଗଲା କି ଯେଉଁଥି ପାଇଁ ସେ ଏ ବିଷୟରେ ଆମକୁ କହିଲା ନାହିଁ?’’

ପୂଜା ଜଣେ ମେଧାବୀ ଛାତ୍ରୀ ଥିଲେ ଏବଂ ଉଚ୍ଚ ଶିକ୍ଷା ଗ୍ରହଣ କରିବାର ସ୍ୱପ୍ନ ଦେଖିଥିଲେ । ତାଙ୍କ ବଡ଼ ଭଉଣୀମାନେ ୨୦ ଓ ୨୨ ବର୍ଷ ବୟସରେ ବିବାହ କରିଥିଲେ କିନ୍ତୁ ସେ ଜଣେ ପୁଲିସ ଅଫିସର ହେବାକୁ ଇଚ୍ଛା ରଖିଥିଲେ । ଏବେ ବାପାମା’ ଭାବୁଛନ୍ତି ପୂଜା ସେମାନଙ୍କୁ ଯଦି ମନେ ପକାଉଥିବେ ତା’ହେଲେ ସେ କ’ଣ ନିଜ ସ୍ୱପ୍ନକୁ ତ୍ୟାଗ କରି ଦେଇଛନ୍ତି। ତାଙ୍କୁ ନିଜ ଇଚ୍ଛା ବିରୋଧରେ ନିଆଯାଇଛି କି ଏବଂ ସେମାନେ ପୁଣିଥରେ ଝିଅକୁ ଦେଖିବା ପାଇଁ ସକ୍ଷମ ହୋଇପାରିବେ କି ବୋଲି ସେମାନେ ଚିନ୍ତା କରୁଛନ୍ତି।

PHOTO • Priyanka Borar

ପୂଜାର ମାତାପିତା ସେମାନଙ୍କ ଝିଅକୁ ଆଉ ଥରେ ଦେଖିବାକୁ ପାଇବେ କି ନାହିଁ ଭାବୁଛନ୍ତି

ଝିଅ ନିଖୋଜ ହୋଇଯିବା ପରେ ଆଖିରୁ ନିଦ ହରାଇଥିବା ଲକ୍ଷ୍ମୀ କୁହନ୍ତି, ‘‘ଖବରକାଗଜରେ ନିଖୋଜ ଝିଅମାନଙ୍କ ଅବସ୍ଥା କ’ଣ ହେଉଛି ସେ ସମ୍ପର୍କରେ ଅନେକ ଖବର ପ୍ରକାଶ ପାଉଛି। ମୋ ମନକୁ ବି ପାପ ଛୁଉଁଛି, ମନ ଅସ୍ଥିର ହୋଇଉଠୁଛି। ଘରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।’’

ମାନକ ପରିଚାଳନା ପଦ୍ଧତି ଅନୁଯାୟୀ, ଯଦି ଜଣେ ନିଖୋଜ ଶିଶୁକୁ ଚାରି ମାସ ମଧ୍ୟରେ ଠାବ କରାଯିବ ନାହିଁ ତା’ହେଲେ ମାମଲାକୁ ଜିଲ୍ଲାରେ ଥିବା ମାନବ ଚାଲାଣ ୟୁନିଟ୍‌ (ଏଏଚ୍‌ଟିୟୁ)କୁ ପଠାଇ ଦିଆଯିବ।

ଥରେ ୟୁନିଟ୍‌କୁ ମାମଲା ଚାଲିଯିବା ପରେ, ଅଧିକ ଗୁରୁତ୍ୱ ଓ ଧ୍ୟାନ ଦିଆଯାଇ ମାମଲାର ତଦନ୍ତ କରାଯିବ ବୋଲି ଜୈନ କୁହନ୍ତି। ‘‘କିନ୍ତୁ ସରକାର ଏହାକୁ ଏଡ଼ାଇବାକୁ ଚେଷ୍ଟା କରିଥାନ୍ତି କାରଣରୁ ମାନବ ଚାଲାଣ ବଢ଼ିବା ଦ୍ୱାରା ଭାବମୂର୍ତ୍ତି ମଳିନ ପଡ଼ିବାର ଆଶଙ୍କା ଥାଏ।’’ ଏହି ଦୁର୍ଭାଗ୍ୟଜନକ ମାମଲାଗୁଡ଼ିକ ସ୍ଥାନୀୟ ପୁଲିସ ଥାନାରେ ଚାପି ହୋଇ ରହିଯାଏ ଏବଂ ନିଖୋଜ ଶିଶୁଙ୍କୁ ଠାବ କରିବାରେ ବିଳମ୍ବ ହୋଇଥାଏ।

*****

ପିଲାଙ୍କୁ ଠାବ କରାଯିବା ପରେ, ସେମାନଙ୍କର ଥଇଥାନ କରିବା ଗୁରୁତ୍ୱପୂର୍ଣ୍ଣ କାରଣ ସେମାନେ ଏକ ଭୟାବହ ଅନୁଭୂତିରୁ ବାହାରକୁ ଆସିଥାନ୍ତି। ସେମାନଙ୍କ ମାନସିକ ସ୍ଥିତି ପ୍ରାୟତଃ ସମ୍ବେଦନଶୀଳ ଥାଏ।

ଭୋପାଳରେ ରହୁଥିବା ଶିଶୁ ଅଧିକାର କର୍ମୀ ରେଖା ଶ୍ରୀଧର କୁହନ୍ତି, ମଧ୍ୟପ୍ରଦେଶର ସରକାରୀ ଡାକ୍ତରଖାନାଗୁଡ଼ିକରେ ଯଥେଷ୍ଟ ସଂଖ୍ୟାରେ ମାନସିକ ରୋଗ ବିଶେଷଜ୍ଞ ନାହାନ୍ତି, ଅଧିକାଂଶ ସହରରେ ରୁହନ୍ତି। ‘‘ଏହାର ଅର୍ଥ ହେଉଛି ମାନସିକ ଆଘାତ ପାଇଥିବା ଉପାନ୍ତ ଅଞ୍ଚଳର ଶିଶୁମାନେ ଜରୁରି ମାନସିକ ପରାମର୍ଶଠାରୁ ବଞ୍ଚିତ ରହିଥାନ୍ତି,’’ ସେ କୁହନ୍ତି। ରେଖା ଆହୁରି କୁହନ୍ତି, ‘‘ବାପାମା’ ନିଜ ଆର୍ଥିକ ସମସ୍ୟାକୁ ନେଇ ସଂଘର୍ଷ କରୁଥିବାରୁ ଘରେ ପିଲାମାନଙ୍କୁ ଏପରି ମାନସିକ ସେବା ଦେବାରେ ସକ୍ଷମ ହୋଇନଥାନ୍ତି। ତା’ଛଡ଼ା ମାନସିକ ସ୍ୱାସ୍ଥ୍ୟ ରୋଗୀଙ୍କ ଯତ୍ନ ନେବା ସଂକ୍ରାନ୍ତରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି।’’

ରେଖା ଶ୍ରୀଧର ମାନସିକ ରୋଗ ପରାମର୍ଶ ଉପରେ ଗୁରୁତ୍ୱାରୋପ କରିଥାନ୍ତି। ସେ କୁହନ୍ତି, ‘‘ପିଲାମାନେ ଅବସାଦର ଶିକାର ହୋଇପାରନ୍ତି ଏବଂ ସେମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ସୃଷ୍ଟି ହୋଇପାରେ। ଏହା ସେମାନଙ୍କ ମାନସିକତା ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇଥାଏ ଏବଂ ଭବିଷ୍ୟତରେ ସେମାନଙ୍କ ପ୍ରତ୍ୟେକ ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିପାରେ।’’

ନେହା ଘରକୁ ଫେରିବାର ପାଞ୍ଚ ମାସ ବିତି ସାରିଲାଣି। ସେବେଠାରୁ ସେ ଚାରିରୁ ପାଞ୍ଚ ଥର ମାନସିକ ସ୍ୱାସ୍ଥ୍ୟ ସେବା ପାଇସାରିଛନ୍ତି, ତଥାପି ତାଙ୍କର ମନ ସ୍ଥିର ହୋଇପାରୁନାହିଁ। ସେ ଘରେ ପହଞ୍ଚି ସାରିଛନ୍ତି ଏବଂ ସୁରକ୍ଷିତ ଅଛନ୍ତି, ଏକଥା ବିଶ୍ୱାସ କରିବା ଲାଗି ତାଙ୍କୁ କିଛି ସମୟ ଲାଗିଥିଲା। ‘‘ସେହି ୧୭ ଦିନ ମୋତେ ଅସରନ୍ତି ସମୟ ଭଳି ଲାଗିଥିଲା,’’ ନେହା କୁହନ୍ତି।

ସେ ପୁଣିଥରେ ସ୍କୁଲ ଯିବା ଆରମ୍ଭ କରିଛନ୍ତି କିନ୍ତୁ ଏକାକୀ ଯିବା ପାଇଁ ତାଙ୍କର ସାହସ ହେଉନାହିଁ। ତାଙ୍କ ଭାଇ ସବୁଦିନ ତାଙ୍କୁ ନେଇ ସ୍କୁଲରେ ଛାଡ଼ୁଛନ୍ତି ଓ ଆଣୁଛନ୍ତି। ପୂର୍ବରୁ ଲୋକଙ୍କ ସହ ଖୋଲାଖୋଲି ମିଶି ଯାଉଥିବା ନେହା ଏବେ ନୂଆ ଲୋକଙ୍କୁ ଦେଖିଲେ ଡରୁଛନ୍ତି ଏବଂ ଆଖି ମିଶାଇ କଥା ହେବାକୁ ସଙ୍କୋଚ କରୁଛନ୍ତି।

ତାଙ୍କ ପରିବାର ଇଟା କାନ୍ଥ ଏବଂ ଟିଣ ଛପର ପଡ଼ି ରୋଷେଇ ଘର ସହ ମିଶି ରହିଥିବା ଥିବା ଗୋଟିଏ ବଖୁରିକିଆ ଘରେ ରୁହନ୍ତି ଯେଉଁଠି ସମସ୍ତେ ଚଟାଣ ଉପରେ ଶୁଅନ୍ତି। ନେହାଙ୍କର ସେହି ଭୟାନକ ଦିନଗୁଡ଼ିକ ମନେ ପଡ଼ିଥାଏ। ‘‘ଫେରିବା ଦିନଠାରୁ ସେ ଭଲରେ ଶୋଇପାରୁନାହିଁ,’’ ତାଙ୍କ ମା’ ପ୍ରୀତି କୁହନ୍ତି। ‘‘ତା’ ପାଖରେ ଶୋଇଥିବା ପରିବାରର କେହି ସଦସ୍ୟ ନିଦରେ ବୁଲିପଡ଼ିଲେ, ଅଧା ରାତିରେ ସେ ଉଠି କାନ୍ଦେ ଓ ସାହାଯ୍ୟ ମାଗେ। ତାକୁ ଶାନ୍ତ କରିବା ପାଇଁ କିଛି ସମୟ ଲାଗିଥାଏ।’’

କାହାଣୀରେ ନାବାଳିକାଙ୍କ ପରିଚୟ ଗୋପନୀୟ ରଖିବା ପାଇଁ ସବୁ ଚରିତ୍ରଙ୍କ ଛଦ୍ମ ନାମ ବ୍ୟବହାର କରାଯାଇଛି।

ଅନୁବାଦ : ଓଡ଼ିଶାଲାଇଭ୍‍

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Parth M.N.
Illustration : Priyanka Borar

ପ୍ରିୟଙ୍କା ବୋରାର ହେଉଛନ୍ତି ଜଣେ ନ୍ୟୁ ମିଡିଆ କଳାକାର ଯିଏ ନୂତନ ଅର୍ଥ ଓ ଅଭିବ୍ୟକ୍ତି ଆବିଷ୍କାର କରିବା ପାଇଁ ବିଭିନ୍ନ ଟେକ୍ନୋଲୋଜି ପ୍ରୟୋଗ ସମ୍ବନ୍ଧିତ ପ୍ରୟୋଗ କରନ୍ତି। ସେ ଶିକ୍ଷାଲାଭ ଓ ଖେଳ ପାଇଁ ବିଭିନ୍ନ ଅନୁଭୂତି ଡିଜାଇନ୍‌ କରିବାକୁ ଭଲ ପାଆନ୍ତି। ସେ ଇଣ୍ଟରଆକ୍ଟିଭ୍‌ ମିଡିଆରେ କାମ କରିବାକୁ ଯେତେ ଭଲ ପାଆନ୍ତି ପାରମ୍ପରିକ କଲମ ଓ କାଗଜରେ ମଧ୍ୟ ସେତିକି ସହଜତା ସହିତ କାମ କରିପାରନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Priyanka Borar
Editor : PARI Desk

ପରୀ ସମ୍ପାଦକୀୟ ବିଭାଗ ଆମ ସମ୍ପାଦନା କାର୍ଯ୍ୟର ପ୍ରମୁଖ କେନ୍ଦ୍ର। ସାରା ଦେଶରେ ଥିବା ଖବରଦାତା, ଗବେଷକ, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକଙ୍କ ସହିତ ସମ୍ପାଦକୀୟ ଦଳ କାର୍ଯ୍ୟ କରିଥାଏ। ସମ୍ପାଦକୀୟ ବିଭାଗ ପରୀ ଦ୍ୱାରା ପ୍ରକାଶିତ ଲେଖା, ଭିଡିଓ, ଅଡିଓ ଏବଂ ଗବେଷଣା ରିପୋର୍ଟର ପ୍ରଯୋଜନା ଓ ପ୍ରକାଶନକୁ ପରିଚାଳନା କରିଥାଏ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ PARI Desk
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE