‘‘ଆମେ ଏ ସମ୍ପର୍କରେ ଜାଣିନାହୁଁ,’’ ବଜେଟ୍ ଉପରେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନକୁ ସ୍ପଷ୍ଟ ରୂପେ ଖଣ୍ଡନ କରି ବାବାସାହେବ କୁହନ୍ତି।
‘‘ଆମେ କ’ଣ ଚାହୁଁ ସରକାର କେବେ ଆମକୁ ପଚାରିଛି?’’ ତାଙ୍କ ପତ୍ନୀ ଦାବି କରି ଜାଣିବାକୁ ଚାହିଁଛନ୍ତି। ତାହା ନକରି ସେମାନେ ଆମ ପାଇଁ କିପରି ନିଷ୍ପତ୍ତି ନେବେ? ଆମକୁ ୩୦ ଦିନ ଯାକ କାମ ଦରକାର।’’
ପୁଣେ ଜିଲ୍ଲାର ଶିରୁର ତାଲୁକାର କୁରୁଲି ଗ୍ରାମ ଉପକଣ୍ଠରେ ଥିବା ସେମାନଙ୍କ ବଖୁରିକିଆ ଟିଣ ଘର ଆଜି ସକାଳୁ ଅସ୍ୱାଭାବିକ ଭାବେ ବ୍ୟସ୍ତ ରହିଛି। ବାବାସାହେବ କୁହନ୍ତି, ‘‘ଆମେ ୨୦୦୪ରେ ଜାଲନାରୁ ଏଠାକୁ ଆସିଥିଲୁ। ଆମର କେବେବି ନିଜସ୍ୱ ଗାଁ ନଥିଲା। ଆମ ଲୋକମାନେ ସବୁବେଳେ ଗାଁ ବାହାରେ ରହୁଥିଲେ କାରଣ ଆମେ କ୍ରମାଗତ ଭାବେ ପ୍ରବାସ କରୁଥିଲୁ।
ଭୀଲ ପାରଧୀଙ୍କୁ ବ୍ରିଟିଶ ଶାସନ କାଳରେ ‘ଅପରାଧୀକ’ ଜନଜାତି ମାନ୍ୟତା ମିଳିଥିଲା, ସେମାନେ ୭୦ ବର୍ଷ ପରେ ମଧ୍ୟ ସାମାଜିକ ଭେଦଭାବ ଏବଂ ଅପମାନର ଶିକାର ହୋଇଆସୁଛନ୍ତି, ଏକଥା ସେ କୁହନ୍ତି ନାହିଁ। ଆହୁରି ମହାରାଷ୍ଟ୍ରରେ ଅନୁସୂଚୀତ ଜନଜାତି ରୂପେ ତାଲିକାଭୁକ୍ତ ହେବା ସତ୍ତ୍ୱେ ମଧ୍ୟ ସେମାନଙ୍କର ଏପରି ସ୍ଥିତି ଲାଗି ରହିଛି। ପ୍ରବାସ କାରଣରୁ ସେମାନେ ପ୍ରାୟତଃ ନିର୍ଯାତନାର ଶିକାର ହୋଇଥା’ନ୍ତି।
ଅବଶ୍ୟ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ବଜେଟ୍ ଅଭିଭାଷଣରେ ପ୍ରବାସ ସମ୍ପର୍କରେ କରିଥିବା ଉଲ୍ଲେଖ ବିଷୟରେ ସେମାନେ ଶୁଣିନାହାନ୍ତି। ଯଦି ବା ସେମାନେ ଶୁଣିଥା’ନ୍ତେ ଏହାଦ୍ୱାରା ଆଦୌ ପ୍ରଭାବିତ ହୋଇନଥା’ନ୍ତେ। ଅର୍ଥମନ୍ତ୍ରୀ ତାଙ୍କର ବଜେଟ୍ ଅଭିଭାଷଣରେ କହିଥିଲେ, ‘‘ଗ୍ରାମାଞ୍ଚଳରେ ଅଧିକ ସୁଯୋଗ ସୃଷ୍ଟି କରିବା ଲାଗି ଲକ୍ଷ୍ୟ ରହିଛି ଯାହାଫଳରେ ପ୍ରବାସ ଗୋଟିଏ ବିକଳ୍ପ ହେବ, ବାଧ୍ୟବାଧକତା ନୁହେଁ।’’



