ଚାଷ ଜମିରେ କାମ କରୁଥିବା କୃଷି ଶ୍ରମିକ। କିମ୍ବା ପୁଣି ଲୁଣ କ୍ଷେତରେ କାମ କରୁଥିବା ଶ୍ରମିକଙ୍କ ଗୋଷ୍ଠୀ, କିମ୍ବା କିଛି ଖଣି ଶ୍ରମିକ ଅଥବା ନିଜ ନୌକାରେ କାମ କରୁଥିବା ମତ୍ସ୍ୟଜୀବୀ ଖୁବ୍ ଜୋରରେ ଗୀତ ଗାଇବା, କୌଣସି ଆଶ୍ଚର୍ଯ୍ୟର ବିଷୟ ନୁହେଁ। ପାରମ୍ପରିକ ସଂସ୍କୃତିରେ, କଠିନ ଶାରୀରିକ ପରିଶ୍ରମ ସହିତ ପ୍ରାୟତଃ ସ୍ୱତନ୍ତ୍ର ବେଉସା କିମ୍ବା ଶ୍ରମର ସ୍ୱରୂପ ବିଷୟରେ ଗୀତ ବୋଲାଯାଏ। ବିଭିନ୍ନ ସଂସ୍କୃତିରେ ବୃତ୍ତିଗତ ଲୋକଗୀତ ରହିଛି। ପ୍ରାୟତଃ, ଏଗୁଡ଼ିକ ଏକାଠି କାମ କରୁଥିବା ଦଳକୁ ଉତ୍ସାହିତ କରେ ଏବଂ କାମରେ ସମନ୍ୱୟ ଆଣିଥାଏ। ବେଳେବେଳେ ଏହା କଠିନ ଶାରୀରିକ ପରିଶ୍ରମ ଆଧାରିତ କାମର ବୋଝ ଓ ଥକାପଣ ଦୂର କରିଥାଏ।
୧୭୦ ମିଟର ଲମ୍ବା କଚ୍ଛ ଉପକୂଳ ସଂକୀର୍ଣ୍ଣ ନଦୀ ଧାର, ମୁହାଣ ଏବଂ ସନ୍ତସନ୍ତିଆ ସ୍ଥାନକୁ ନେଇ ଗଠିତ ଏକ ବିଶାଳ ଆନ୍ତଃଜୁଆରିଆ ଅଞ୍ଚଳ, ଯେଉଁଥିରେ ଏକ ବଡ଼ ପରିବେଶ ପରିତନ୍ତ୍ର ରହିଛି ଏବଂ ଏହା ଅନେକ ସାମୁଦ୍ରିକ ଜୀବଗୁଡ଼ିକର ପ୍ରଜନନ କ୍ଷେତ୍ର। ଉପକୂଳବର୍ତ୍ତୀ ଅଞ୍ଚଳରେ ମାଛ ଧରିବା ଅନେକ ଲୋକଙ୍କର ପାରମ୍ପରିକ ବେଉସା। ଏଠାକାର ଗୀତଗୁଡ଼ିକ ମତ୍ସ୍ୟଜୀବୀ ସମ୍ପ୍ରଦାୟ ସାମ୍ନା କରୁଥିବା ଆହ୍ୱାନ ଉପରେ ଆଲୋକପାତ କରିଥାଏ। ଉପକୂଳବର୍ତ୍ତୀ ବିକାଶ ଗତିବିଧି ଏବଂ ଢେଉ କାରଣରୁ ସେମାନଙ୍କର ଜୀବିକା କ୍ରମାଗତ ଭାବେ ବିଲୁପ୍ତ ହୋଇଚାଲିଛି।
କଚ୍ଛର ମତ୍ସ୍ୟଜୀବୀ ସଂଘ, ଶିକ୍ଷାବିତ୍ ଏବଂ ଅନ୍ୟ ଲୋକମାନେ ଏସବୁ ଗତିବିଧିର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ଅଭିଯୋଗ ଆଣିଥା’ନ୍ତି। ସେମାନେ ମୁନ୍ଦ୍ରା ତାପଜ ପ୍ଲାଣ୍ଟ (ଟାଟା) ଏବଂ ମୁନ୍ଦ୍ରା ବିଦ୍ୟୁତଶକ୍ତି ପ୍ରକଳ୍ପ (ଆଦା ନୀ ଗ୍ରୁପ୍)କୁ ସାମୁଦ୍ରିକ ବିବିଧତାର ଦ୍ରୁତ କ୍ଷୟ ପାଇଁ ଦାୟୀ କରିଥା’ନ୍ତି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀ ସମ୍ପ୍ରଦାୟ ପ୍ରଭାବିତ ହେଉଛନ୍ତି। ଏଠାରେ ପ୍ରସ୍ତୁତ ଗୀତର ଭାଷା ଅତ୍ୟନ୍ତ ସରଳ, ଯାହାକି ଏସବୁ ଆହ୍ୱାନ ଓ ସମସ୍ୟା ସମ୍ପର୍କରେ ସୂଚନା ଦେଇଥାଏ।
ମୁନ୍ଦ୍ରା ତାଲୁକାର ଜଣେ ମତ୍ସ୍ୟଜୀବୀ ଜୁମା ୱାଘେର୍ ଏହି ଗୀତକୁ ଖୁବ୍ ସୁନ୍ଦର ଭାବେ ପରିପ୍ରକାଶ କରିଛନ୍ତି। ସେ ମୁଖ୍ୟ ଗାୟକ, ଏବଂ ଏହି ଗୀତକୁ ସମବେତ ଗାନ କରାଯାଏ - (ଆରେ, ମତ୍ସ୍ୟଜୀବୀମାନେ)। ଗୀତର ମନ ମତାଣିଆ ସ୍ୱର ଆମକୁ କଚ୍ଛର ଦ୍ରୁତ ପରିବର୍ତ୍ତିତ ସୁଦୂର ତଟ ଆଡ଼କୁ ନେଇଯାଏ।



