ମୋହେଶ୍ଵର ସମୁଆ ବନ୍ୟା ଯୋଗୁଁ ଯେତେବେଳେ ପ୍ରଥମ ଥର ସ୍ଥାନାନ୍ତରିତ ହେଲେ ସେ କଥା ଆଜି ବି ସ୍ପଷ୍ଟ ଭାବେ ମନେ ରଖିଛନ୍ତି। ସେତେବେଳେ ତାଙ୍କୁ ମାତ୍ର ପାଞ୍ଚ ବର୍ଷ ହୋଇଥିଲା। “ପାଣି ପ୍ରଥମେ ଆମ ଘରଗୁଡ଼ିକ ମଧ୍ୟରୁ ଗୋଟିଏ ଘରକୁ ଭସେଇ ନେଲା। ଆମେ ଡଙ୍ଗାରେ ବସି ପଳେଇ ଯାଇ ଦ୍ଵୀପ ନିକଟବର୍ତ୍ତୀ ସ୍ଥାନରେ ଆଶ୍ରୟ ନେଲୁ”, ଏବେ ଷାଠିଏ ଛୁଇଁ ସାରିଥିବା ସମୁଆ କହନ୍ତି।
ସମୁଆଙ୍କ ପରି ଆସାମର ନଦୀ ଦ୍ଵୀପାଞ୍ଚଳର ମଜୁଲିରେ ରହୁଥିବା ଏକ ଲକ୍ଷ ଷାଠିଏ ହଜାର ଲୋକ ବାରମ୍ବାର ବନ୍ୟା ଓ ଚାଷଜମି ହ୍ରାସର କଷ୍ଟ ଭୋଗି ଆସୁଛନ୍ତି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁଯାୟୀ ଏହି ଦ୍ଵୀପାଞ୍ଚଳର ୧୯୫୬ ମସିହାରେ ଥିବା ପ୍ରାୟ ୧୨୪୫ ବର୍ଗ କିମି ଜମି ପରିମାଣ ୨୦୧୭ ମସିହା ବେଳକୁ ପ୍ରାୟ ୭୦୩ ବର୍ଗ କିମିକୁ ହ୍ରାସ ପାଇ ଯାଇଛି।
“ଏହା ପ୍ରକୃତ ସଲମୋରା ନୁହେଁ”, କହନ୍ତି ସମୁଆ ଓ ପୁଣି ଯୋଗ କରନ୍ତି, “ପ୍ରାୟ ୪୩ ବର୍ଷ ତଳେ ବ୍ରହ୍ମପୁତ୍ର ନଦୀ ଗର୍ଭରେ ସଲମୋରା ହଜି ଯାଇଛି”। ତା’ପରେ ବ୍ରହ୍ମପୁତ୍ର ଓ ତାହାର ଉପନଦୀ ସୁବନସିରି ଦ୍ୱାରା ନୂଆ ସଲମୋରା ସୃଷ୍ଟି ହେଇଛି, ଯେଉଁଠାରେ ସମୁଆ ତାଙ୍କ ସ୍ତ୍ରୀ, ଝିଅ ଓ ପୁଅଙ୍କୁ ନେଇ ପରିବାର ସହ ଗତ ୧୦ ବର୍ଷ ହେଲା ରହୁଛନ୍ତି।
ସିମେଣ୍ଟ ଓ କାଦୁଅ ମିଶା ଗୋଟିଏ ଅର୍ଦ୍ଧ-ସ୍ଥାୟୀ ନିର୍ମାଣ ହେଉଛି ତାଙ୍କ ନୂଆ ଘର। ବାହାରେ ଥିବା ପାଇଖାନାଟିକୁ ଗୋଟିଏ ସିଡ଼ି ପକାଇ ଯିବାକୁ ହୁଏ। “ପ୍ରତି ବର୍ଷ ଆମ କିଛି କିଛି ଜମି ବ୍ରହ୍ମପୁତ୍ର ଦ୍ଵାରା ଧୋଇ ହେଇଯାଏ”, ସେ କହନ୍ତି।
ବାରମ୍ବାର ବନ୍ୟା ଦ୍ଵାରା ଗାଁର ଚାଷ ଜମି ପ୍ରଭାବିତ ହୁଏ। “ଧାନ, ବିରି ପରି ଶସ୍ୟ କି ବାଇଗଣ, କୋବି ପରି ପରିବା ଆମେ ଚାଷ କରି ପାରୁନାହୁଁ , ଆଉ ଏବେ କାହାର ଜମି ବୋଲି କିଛି ନାହିଁ”, କହନ୍ତି ସଲମୋରା ସରପଞ୍ଚ ଜିଶ୍ଵର। ବହୁ ବାସିନ୍ଦା ଡଙ୍ଗା ତିଆରି କରିବା, ମାଟି ପାତ୍ର ଗଢ଼ିବା ଏବଂ ମାଛ ଧରିବା ପରି କାମକୁ ବୃତ୍ତି ଭାବରେ ଆଦରି ନେଇଛନ୍ତି।
‘ସଲମୋରାରେ ତିଆରି ହେଉଥିବା ଡଙ୍ଗାର ଏବେ ସାରା ଦ୍ୱୀପରେ ଏବେ ବେଶ୍ ଚାହିଦା”, କହନ୍ତି ସମୁଆ, ଯିଏ ଡଙ୍ଗା ତିଆରି କରନ୍ତି। ଚାପୋରିସି ବା ଛୋଟଛୋଟ ଦ୍ଵୀପଗୁଡ଼ିକରେ ଲୋକଙ୍କ ପାଇଁ ନଦୀ ପାରହେବା, ପିଲାଙ୍କୁ ସ୍କୁଲରେ ଛାଡିବା, ମାଛ ଧରିବା ଓ ବନ୍ୟା ସମୟରେ ଡଙ୍ଗା ଦରକାର।
ସମୁଆ ଡଙ୍ଗା ତିଆରି ଶିଖିବା ସହ ତିନି ଜଣଙ୍କ ସାଙ୍ଗେ ମିଶି ଦଳ ହୋଇ ଡଙ୍ଗା ତିଆରି କରନ୍ତି। ତାଙ୍କ ମତରେ ‘ଶକ୍ତ ଓ ଦୀର୍ଘସ୍ଥାୟୀ’ ହେବାକୁ ସହଜରେ ମିଳୁ ନଥିବା ହଜଲ ଗୁରି ପରି ଦାମିକିଆ କାଠ ବ୍ୟବହାର କରିବାକୁ ପଡ଼େ। ଏହି କାଠ କେବଳ ସଲମୋରା ଓ ଏହାର ଆଖପାଖ ଗାଁଗୁଡ଼ିକରେ ମିଳେ।
ଗୋଟିଏ ବଡ଼ ଡଙ୍ଗା ତିଆରି କରିବାକୁ ସପ୍ତାହେ ଲାଗୁଥିବା ବେଳେ ଗୋଟିଏ ଛୋଟ ଡଙ୍ଗା କରିବାକୁ ଲାଗେ ପାଞ୍ଚ ଦିନ। ଦଳ ହେଇ ତିଆରି କଲେ ମାସକୁ ୫ ରୁ ୮ ଟି ପର୍ଯ୍ୟନ୍ତ ଡଙ୍ଗା ତିଆରି କରି ହୁଏ। ଦଶ ବାର ଜଣ ଲୋକ ଓ ପ୍ରାୟ ତିନିଟି ମୋଟରସାଇକେଲ ନେଇ ପାରିବା ଭଳି ବଡ ଡଙ୍ଗାର ଦାମ୍ ୭୦,୦୦୦ ଟଙ୍କା ପଡୁଥିବା ବେଳେ ଛୋଟ ଡଙ୍ଗା ୫୦,୦୦୦ ଟଙ୍କାରେ ବିକ୍ରି ହୁଏ। ସେହି ଆୟକୁ ସେମାନେ ତିନି ଜଣଙ୍କ ଭିତରେ ଭାଗ କରି ନିଅନ୍ତି।
ବର୍ଷା ଦିନ ଓ ବନ୍ୟା ସମୟ ଆସିଲେ ହିଁ ଡଙ୍ଗା ତିଆରି କରିବା ବରାଦ ଆସୁଥିବାରୁ ଏହି ରୋଜଗାର ନିୟମିତ ମିଳେ ନାହିଁ। ତେଣୁ, ବହୁ ମାସ ଧରି ସମୁଆ କିଛି ରୋଜଗାର କରେ ନାହିଁ ଓ ମାସକୁ ମାସ ରୋଜଗାର କରିବା ଆଶା ରଖେ ନାହିଁ।
ଯେତେବେଳେ ବନ୍ୟା ହୁଏ, ଏବେ ପଚାଶ ବର୍ଷରୁ ଅଧିକ ବୟସର ରୁମି ହଜାରିକା ଯେ କି ଜଣେ ଦକ୍ଷ ଆହୁଲାକାରୀ, ନଦୀ ପାଣିରେ ଡଙ୍ଗାରେ ଜଙ୍ଗଲକୁ ଯାଆନ୍ତି ଓ ଜାଳେଣି କାଠ ଆଣି କ୍ଵିଣ୍ଟାଲ ହିସାବରେ ଗାଁ ହାଟରେ ବିକ୍ରି କରନ୍ତି ଓ ଟଙ୍କା କେଇଶହ ରୋଜଗାର କରନ୍ତି। କୋଲୋହ ବା କଳା ମାଟିରେ ସେ ହାଣ୍ଡିକୁଣ୍ଢେଇ ତିଆରି କରି ଦ୍ଵୀପର କେନ୍ଦ୍ରରେ ଥିବା ଗରାମୁର ଓ କମଳାବାରିରେ ହାଣ୍ଡି ପିଛା ୧୫ ଟଙ୍କା ଓ ମାଟିଦୀପ ପିଛା ୫ ଟଙ୍କା କରି ବିକ୍ରି ମଧ୍ୟ କରନ୍ତି।
“ଆମ ଜମି
ସହ, ଆମେ ଆମର ପାରମ୍ପରିକ ବୃତ୍ତିଗତ ଦକ୍ଷତା ମଧ୍ୟ ହରେଇବାରେ ଲାଗିଛୁ”, ସେ
କହନ୍ତି “ଆମ କୋଲୋହ ମାଟି ଏବେ ବ୍ରହ୍ମପୁତ୍ର ଦ୍ଵାରା ଧୋଇ ହେଇ ଯାଉଛି”
କୃଷ୍ଣା ପେଗିଙ୍କ ସାହା ଯ୍ୟ କ୍ରମେ ଏହି ରିପୋର୍ଟ ଲେଖା ଯାଇଥିବାରୁ ତାଙ୍କୁ ଏହି ସାମ୍ବାଦିକ ଧନ୍ୟବାଦ ଜଣାଉଛନ୍ତି।
ଅନୁବାଦ : ଓଡ଼ିଶାଲାଇଭ୍