ମୋହେଶ୍ଵର ସମୁଆ ବନ୍ୟା ଯୋଗୁଁ ଯେତେବେଳେ ପ୍ରଥମ ଥର ସ୍ଥାନାନ୍ତରିତ ହେଲେ ସେ କଥା ଆଜି ବି ସ୍ପଷ୍ଟ ଭାବେ ମନେ ରଖିଛନ୍ତି। ସେତେବେଳେ ତାଙ୍କୁ ମାତ୍ର ପାଞ୍ଚ ବର୍ଷ ହୋଇଥିଲା। “ପାଣି ପ୍ରଥମେ ଆମ ଘରଗୁଡ଼ିକ ମଧ୍ୟରୁ ଗୋଟିଏ ଘରକୁ ଭସେଇ ନେଲା। ଆମେ ଡଙ୍ଗାରେ ବସି ପଳେଇ ଯାଇ ଦ୍ଵୀପ ନିକଟବର୍ତ୍ତୀ ସ୍ଥାନରେ ଆଶ୍ରୟ ନେଲୁ”, ଏବେ ଷାଠିଏ ଛୁଇଁ ସାରିଥିବା ସମୁଆ କହନ୍ତି।
ସମୁଆଙ୍କ ପରି ଆସାମର ନଦୀ ଦ୍ଵୀପାଞ୍ଚଳର ମଜୁଲିରେ ରହୁଥିବା ଏକ ଲକ୍ଷ ଷାଠିଏ ହଜାର ଲୋକ ବାରମ୍ବାର ବନ୍ୟା ଓ ଚାଷଜମି ହ୍ରାସର କଷ୍ଟ ଭୋଗି ଆସୁଛନ୍ତି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁଯାୟୀ ଏହି ଦ୍ଵୀପାଞ୍ଚଳର ୧୯୫୬ ମସିହାରେ ଥିବା ପ୍ରାୟ ୧୨୪୫ ବର୍ଗ କିମି ଜମି ପରିମାଣ ୨୦୧୭ ମସିହା ବେଳକୁ ପ୍ରାୟ ୭୦୩ ବର୍ଗ କିମିକୁ ହ୍ରାସ ପାଇ ଯାଇଛି।
“ଏହା ପ୍ରକୃତ ସଲମୋରା ନୁହେଁ”, କହନ୍ତି ସମୁଆ ଓ ପୁଣି ଯୋଗ କରନ୍ତି, “ପ୍ରାୟ ୪୩ ବର୍ଷ ତଳେ ବ୍ରହ୍ମପୁତ୍ର ନଦୀ ଗର୍ଭରେ ସଲମୋରା ହଜି ଯାଇଛି”। ତା’ପରେ ବ୍ରହ୍ମପୁତ୍ର ଓ ତାହାର ଉପନଦୀ ସୁବନସିରି ଦ୍ୱାରା ନୂଆ ସଲମୋରା ସୃଷ୍ଟି ହେଇଛି, ଯେଉଁଠାରେ ସମୁଆ ତାଙ୍କ ସ୍ତ୍ରୀ, ଝିଅ ଓ ପୁଅଙ୍କୁ ନେଇ ପରିବାର ସହ ଗତ ୧୦ ବର୍ଷ ହେଲା ରହୁଛନ୍ତି।
ସିମେଣ୍ଟ ଓ କାଦୁଅ ମିଶା ଗୋଟିଏ ଅର୍ଦ୍ଧ-ସ୍ଥାୟୀ ନିର୍ମାଣ ହେଉଛି ତାଙ୍କ ନୂଆ ଘର। ବାହାରେ ଥିବା ପାଇଖାନାଟିକୁ ଗୋଟିଏ ସିଡ଼ି ପକାଇ ଯିବାକୁ ହୁଏ। “ପ୍ରତି ବର୍ଷ ଆମ କିଛି କିଛି ଜମି ବ୍ରହ୍ମପୁତ୍ର ଦ୍ଵାରା ଧୋଇ ହେଇଯାଏ”, ସେ କହନ୍ତି।








