ଅଞ୍ଜନ ଗାଁ ନିକଟରେ ଥିବା ଏକ ପବିତ୍ର ପାହାଡ଼ ଉପରେ ଉଭୟ ଗେରୁଆ ଓ ଧଳା ରଙ୍ଗର ପତାକା ଉଡ଼ୁଥିବା ଦେଖିବାକୁ ମିଳିଥାଏ। ଝାଡ଼ଖଣ୍ଡର ଗୁମଲା ଜିଲ୍ଲାରେ ଥିବା ଏହି ପାହାଡ଼ ଉପରେ ଶୋଭା ପାଉଥିବା ଧଳା ପତାକା ପ୍ରକୃତିକୁ ପୂଜା କରୁଥିବା ସରନା ଅନୁମାଗୀ ଓରାଓଁ ଆଦିବାସୀ ସମୁଦାୟର ହୋଇଥିବା ବେଳେ ଗେରୁଆ ପତାକା ହିନ୍ଦୁମାନଙ୍କର ଯେଉଁମାନେ ୧୯୮୫ ମସିହାରେ ପାହାଡ଼ ଶିଖର ଉପରେ ଏକ ହନୁମାନ ମନ୍ଦିର ନିର୍ମାଣ କରିଥିଲେ। ଏହା ହିନ୍ଦୁ ଭଗବାନ ହନୁମାନଙ୍କ ଜନ୍ମସ୍ଥାନ ବୋଲି ସେମାନେ ଦାବି କରନ୍ତି ।

ବାଉଁଶର ଫାଟକ ଉପରେ ଦୁଇଟି ବଡ଼ ବ୍ୟାନର ଲାଗିଛି ଯେଉଁଥିରେ ଦୁଇଟି ସମିତିର ନାମ ଲେଖା ହୋଇଛି। ବନ ବିଭାଗ ଏବଂ ଅଞ୍ଜନ ଗାଁର ଲୋକଙ୍କ ଦ୍ୱାରା ମିଳିତ ଭାବେ ଗୁମଲା ବନ ପ୍ରବନ୍ଧନ ମଣ୍ଡଳ (ସଂଯୁକ୍ତ ଗ୍ରାମ ବନ ପ୍ରବନ୍ଧନ ସମିତି ଭାବେ ଏକତ୍ରିତ) ପରିଚାଳିତ ହୋଇଥାଏ ଯାହାକି ୨୦୧୬ ଠାରୁ ଏହି ପର୍ଯ୍ୟଟନ ସ୍ଥଳୀର ପରିଚାଳନା କରିଆସୁଛି। ହିନ୍ଦୁମାନଙ୍କର ଅଞ୍ଜନ ଧାମ ମନ୍ଦିର ବିକାଶ ସମିତି ୨୦୧୯ରେ ପ୍ରତିଷ୍ଠା ହୋଇଥିଲା ଏବଂ ଏହି ସଂସ୍ଥା ଏଠାରେ ଥିବା ମନ୍ଦିର ପରିଚାଳନା ଦାୟିତ୍ୱ ନିର୍ବାହ କରୁଛି।

ସ୍ୱାଗତ ଫାଟକ ଭିତରକୁ ପ୍ରବେଶ କରିବା ମାତ୍ରେ ଆମେ ଦୁଇଟି ଶିଢ଼ି ଦେଖିବାକୁ ପାଇଲୁ, ପ୍ରତ୍ୟେକ ଶିଢ଼ି ଭିନ୍ନ ଭିନ୍ନ ପୂଜାସ୍ଥଳୀ ଆଡ଼କୁ ଯାଇଥିଲା। ଗୋଟିଏ ଆପଣଙ୍କୁ ସିଧାସଳଖ ପାହାଡ଼ ଶିଖର ଉପରେ ଥିବା ହନୁମାନ ମନ୍ଦିରକୁ ନେଇଯାଇଥାଏ। ଅନ୍ୟ ଶିଢ଼ି ଦୁଇଟି ଗୁମ୍ଫା ଆଡ଼କୁ ପଡ଼ିଛି, ଯେଉଁଥିରେ ଆଦିବାସୀ ପାହନ ମାନେ ହିନ୍ଦୁ ମନ୍ଦିର ନିର୍ମାଣ ହେବାର ବହୁ ପୂର୍ବରୁ ପୂଜା କରି ଆସୁଛନ୍ତି।

ଦୁଇଟି ଭିନ୍ନ ଭିନ୍ନ ପୂଜାସ୍ଥଳୀ ନିକଟରେ, ଭିନ୍ନ ଦେବତାମାନଙ୍କର ଦୁଇଟି ଅଲଗା ଅଲଗା ଦାନ ବାକ୍ସ, ଦୁଇଟି ଭିନ୍ନ ସମୁଦାୟର ସେବା ପାଇଁ ରଖାଯାଇଛି । ଗୋଟିଏ ଗୁମ୍ଫା ପାଖରେ ଏବଂ ଆଉ ଗୋଟିଏ ମନ୍ଦିର ଭିତରେ । ପରିସରରେ ଥିବା ତୃତୀୟ ଦାନ ବାକ୍ସ ବଜରଙ୍ଗ ଦଳ ପକ୍ଷରୁ ରଖାଯାଇଛି । ଏହି ଦାନ ପେଟିରୁ ସଂଗୃହିତ ଅର୍ଥକୁ ମଙ୍ଗଳବାର ଦିନ ଭକ୍ତ, ସାଧୁସନ୍ଥଙ୍କ ପାଇଁ ଆୟୋଜିତ ହେଉଥିବା ଭୋଜି ବା ଭଣ୍ଡାରା ରେ ଉପଯୋଗ କରାଯାଇଥାଏ। ପାହାଡ଼ ପାଦଦେଶରେ ଆଉ ଗୋଟିଏ ଦାନ ପେଟି ରହିଛି, ଯେଉଁଥିରେ ଜମା ହୋଇଥିବା ଅର୍ଥରାଶିରୁ ଗାଁ ଆଦିବାସୀଙ୍କୁ ପୂଜା ସାମଗ୍ରୀ କିମ୍ବା ଭୋଗ କିଣିବାରେ ସହାୟତା ମିଳିଥାଏ।

‘‘ଏହା ସମ୍ପୂର୍ଣ୍ଣ ଆଦିବାସୀ କ୍ଷେତ୍ର। ଅଞ୍ଜନ ଗାଁରେ ପୂର୍ବରୁ କେହି ପଣ୍ଡିତ ନଥିଲେ।’’ ଏହି ଧାର୍ମିକ ସ୍ଥଳୀରେ ଏଭଳି ଅଦ୍ଭୂତ ପୂଜା ବ୍ୟବସ୍ଥା ସମ୍ପର୍କରେ ମୋ ପ୍ରଶ୍ନର ଉତ୍ତର ଦେଇ ପୂର୍ବତନ ଗାଁ ମୁଖିଆ ୪୨ ବର୍ଷ ବୟସ୍କ ରଞ୍ଜୟ ଓରାଓଁ କହିଥାନ୍ତି । ‘‘କିଛି ଦିନ ପୂର୍ବରୁ ବନାରସରୁ ପଣ୍ଡିତମାନେ ଏହି କ୍ଷେତ୍ରକୁ ଆସିଛନ୍ତି। ଏଠାକାର ଓରାଓଁ ଆଦିବାସୀମାନେ ବହୁ ଦିନ ହେବ ଅଞ୍ଜନୀ ଦେବୀଙ୍କୁ ପୂଜା କରି ଆସୁଛନ୍ତି, କିନ୍ତୁ ହନୁମାନଙ୍କ ସହିତ ଅଞ୍ଜନୀ ଦେବୀଙ୍କ ସମ୍ପର୍କ ରହିଛି ବୋଲି ଆମେ କେବେ ଜାଣିନଥିଲୁ,’’ ସେ କୁହନ୍ତି।

ରଞ୍ଜୟ କୁହନ୍ତି, ‘‘ପଣ୍ଡିତମାନେ ଆସି ଏଠାରେ ପୂଜା ପାଉଥିବା ଅଞ୍ଜନୀ ଦେବୀ ହନୁମାନଙ୍କ ମା’ ବୋଲି ପ୍ରଚାର କରାଇଛନ୍ତି। ଅଞ୍ଜନକୁ ହନୁମାନଙ୍କ ପବିତ୍ର ଜନ୍ମସ୍ଥାନ ଭାବେ ଘୋଷଣା କରାଗଲା। କେହି କିଛି ବୁଝିବା ପୂର୍ବରୁ ପାହାଡ଼ ଶିଖର ଉପରେ ହନୁମାନ ମନ୍ଦିର ନିର୍ମାଣ କରାଗଲା ଏବଂ ଏହି ସ୍ଥାନକୁ ଅଞ୍ଜନ ଧାମ ନାମରେ ଘୋଷଣା କରାଗଲା।’’

Left: The main entrance of Anjan Dham from where two staircases, one on the right and the other on the left, lead one to two different worship places up the mountain.
PHOTO • Jacinta Kerketta
Right: White flags on the mountain belong to the nature worshipping Sarna tribals. The saffron flag represents the Hindus, who also have a temple on the top of the hill
PHOTO • Jacinta Kerketta

ବାମ : ଅଞ୍ଜନ ଧାମର ମୁଖ୍ୟ ପ୍ରବେଶ ଦ୍ୱାର ଯେଉଁଠି ଦୁଇଟି ଶିଢ଼ି ଅଛି, ଗୋଟିଏ ଡାହାଣ ପଟେ ଏବଂ ଅନ୍ୟଟି ବାମ ପଟେ, ଦୁଇଟି ଶିଢ଼ି ପାହାଡ଼ ଉପରେ ଥିବା ଦୁଇଟି ଭିନ୍ନ ଭିନ୍ନ ପୂଜାସ୍ଥଳୀକୁ ଯାଇଛି । ଡାହାଣ : ପାହାଡ଼ ଉପରେ ଥିବା ଧଳା ପତାକା ପ୍ରକୃତିକୁ ପୂଜା କରୁଥିବା ସରନା ଆଦିବାସୀ ସମ୍ପ୍ରଦାୟର। ଗେରୁଆ ପତାକା ହିନ୍ଦୁମାନଙ୍କର ଯେଉଁମାନେ ପାହାଡ଼ ଉପରେ ଏକ ମନ୍ଦିର ତିଆରି କରିଛନ୍ତି

ଆଦିବାସୀମାନେ ମନ୍ଦିର ପାଇଁ କହିନଥିଲେ। ତତ୍କାଳୀନ ଉପଖଣ୍ଡ ଅଧିକାରୀ ଏହି ପ୍ରୟାସ ଆରମ୍ଭ କରିଥିବା ସେ ମୋତେ ସୂଚନା ଦିଅନ୍ତି। ଝାଡ଼ଖଣ୍ଡ ସେତେବେଳେ ବିହାରଠାରୁ ଅଲଗା ହୋଇନଥିଲା।

ଅଞ୍ଜନ ହନୁମାନ ମନ୍ଦିରର ପଣ୍ଡିତ କେଦାରନାଥ ପାଣ୍ଡେ ଏଠାରେ ମନ୍ଦିର ନିର୍ମାଣ ସହ ଜଡ଼ିତ ଏକ ରୋଚକ କାହାଣୀ କହିଥାନ୍ତି। ମନ୍ଦିର ପରିଚାଳନାରେ ସମ୍ପୃକ୍ତ ରହିଥିବା ଗାଁର ଦୁଇଟି ପଣ୍ଡିତ ପରିବାର ମଧ୍ୟରୁ ୪୬ ବର୍ଷ ବୟସ୍କ କେଦାରନାଥଙ୍କ ପରିବାର ଗୋଟିଏ। ସେ କୁହନ୍ତି, ‘‘ମୋର ଜେଜେବାପା ମାଣିକନାଥ ପାଣ୍ଡେ ଥରେ ସ୍ୱପ୍ନ ଦେଖିଥିଲେ ଯେ ଏହି ପାହାଡ଼ ଗୁମ୍ଫାରେ ହନୁମାନଙ୍କର ଜନ୍ମ ହୋଇଛି।’’

ସେ କୁହନ୍ତି ଯେ, ସେହି ସ୍ୱପ୍ନ ଦେଖିବା ପରେ ତାଙ୍କର ଜେଜେବାପା ପାହାଡ଼ ଉପରକୁ ଯିବା, ସେଠାରେ ପ୍ରାର୍ଥନା କରିବା ଏବଂ ରାମାୟଣ ପଢ଼ିବା ଆରମ୍ଭ କରିଦେଲେ। ‘‘ଋଷି ଗୌତମ ଏବଂ ତାଙ୍କ ପତ୍ନୀ ଅହଲ୍ୟାଙ୍କ ଝିଅ ଥିଲେ ଅଞ୍ଜନା।’’ ତାଙ୍କ ଜେଜେବାପାଙ୍କଠାରୁ ସେ ଶୁଣିଥିବା କାହାଣୀ ଆମକୁ ଶୁଣାଇଥା’ନ୍ତି। ‘‘ଅଞ୍ଜନା ଶାପଗ୍ରସ୍ତ ଥିଲେ ଏବଂ ଏହି ଅଜ୍ଞାତ ପର୍ବତକୁ ଆସିଥିଲେ। ତାଙ୍କର ନାମାନୁସାରେ ଏ ପାହାଡ଼ର ନାମ ଅଞ୍ଜନା ହେଲା। ସେ ଶିବଙ୍କ ଭକ୍ତ ଥିଲେ। ଦିନେ ଶିବ ତାଙ୍କ ଆଗରେ ଭିକ୍ଷୁକ ରୂପରେ ପ୍ରକଟ ହେଲେ ଏବଂ ତାଙ୍କୁ ଅଭିଶାପରୁ ମୁକ୍ତି ଦେବା ପାଇଁ ତାଙ୍କ କାନରେ ଗୋଟିଏ ମନ୍ତ୍ର କହିଥିଲେ। ମନ୍ତ୍ର ଶକ୍ତି କାରଣରୁ ତାଙ୍କ ଗର୍ଭରୁ ନୁହେଁ, ବରଂ ତାଙ୍କ ଜଙ୍ଘରୁ ହନୁମାନଙ୍କ ଜନ୍ମ  ହୋଇଥିଲା।’’

‘‘ତତ୍କାଳୀନ ଗୁମଲା ଏସଡିଓ ରଘୁନାଥ ସିଂ ମୋ ବାପାଙ୍କର ଭଲ ବନ୍ଧୁ ଥିଲେ। ପାହାଡ଼ ଉପରେ ଏକ ହନୁମାନ ମନ୍ଦିର ନିର୍ମାଣ ପାଇଁ ଉଭୟ ନିଷ୍ପତ୍ତି ନେଲେ। ପ୍ରଥମେ ଆଦିବାସୀମାନେ ବିରୋଧ କରିଥିଲେ ଏବଂ ଏକ ଛେଳି ବଳି ଦେଇଥିଲେ। କିନ୍ତୁ ତା’ପରେ ମନ୍ଦିର ତିଆରି ହେଲା ଏବଂ ଏହି ସ୍ଥାନକୁ ଅଞ୍ଜନ ଧାମ ନାମରେ ଘୋଷଣା କରାଗଲା,’’ ସେ ଅନର୍ଗଳ ଭାବେ ଏସବୁ କଥା କହିଥାନ୍ତି।

ଆଦିବାସୀ ଦେବୀ ଅଞ୍ଜନୀ ମା’ଙ୍କ ନାମାନୁସାରେ ଅଞ୍ଜନ ଗାଁର ନାମକରଣ ହୋଇଛି । ଗାଁ ଲୋକଙ୍କ ବିଶ୍ୱାସ ଅନୁଯାୟୀ ଦେବୀ ହେଉଛନ୍ତି ପ୍ରକୃତିର ଶକ୍ତି ଏବଂ ସେ ଗାଁ ଚାରିପାଖରେ ଥିବା ପାହାଡ଼ ଉପରେ ବାସ କରନ୍ତି। ଶହ ଶହ ବର୍ଷ ଧରି, ସେମାନେ ଗୁମ୍ଫାରେ ଦେବୀଙ୍କୁ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରି ଆସୁଛନ୍ତି।

ଅନ୍ୟ ଜଣେ ଗ୍ରାମବାସୀ ମହେଶ୍ୱର ଓରାଓଁ (୫୦) କୁହନ୍ତି, ‘‘ବହୁ ବର୍ଷ ଧରି ଲୋକମାନେ ପାହାଡ଼ ଉପରେ ଥିବା ପଥରକୁ ପୂଜା କରି ଆସୁଥିଲେ। ଆଉ ଏହା ପ୍ରକୃତିର ପୂଜା ଥିଲା। ପରବର୍ତ୍ତୀ ସମୟରେ ଏହି ପର୍ବତ ଉପରେ ହନୁମାନ ଜନ୍ମ ନେବାର କାହାଣୀ ପ୍ରଚାରିତ କରାଯାଇଥିଲା।’’

The cave on the mountain where pahans, traditional priests of the Adivasis, from Anjan village perform puja
PHOTO • Jacinta Kerketta

ପାହାଡ଼ ଉପରେ ଥିବା ସେହି ଗୁମ୍ଫା ଯେଉଁଠି ଅଞ୍ଜନ ଗାଁର ଆଦିବାସୀଙ୍କ ପାରମ୍ପରିକ ପୂଜକ ପାହନମାନେ ପୂଜା କରିଥାନ୍ତି

The Hanuman temple on the mountain that is now called Anjan Dham
PHOTO • Jacinta Kerketta

ପାହାଡ଼ ଉପରେ ନିର୍ମିତ ହନୁମାନ ମନ୍ଦିର ଯାହାକୁ ଏବେ ଅଞ୍ଜନ ଧାମ କୁହାଯାଉଛି

ବିର୍ସା ଓରାଓଁ ଗାଁର ମୁଖିଆ। ପ୍ରାୟ ୬୦ ବର୍ଷ ବୟସ୍କ ଏହି ବ୍ୟକ୍ତି ଜଣଙ୍କ ତାଙ୍କ ଜୀବନକାଳ ସମୟରେ ହନୁମାନ ମନ୍ଦିର ନିର୍ମାଣ ଦେଖିଛନ୍ତି। ସେ ସ୍ପଷ୍ଟ ଭାବେ କହିଥାନ୍ତି, ‘‘ଆଦିବାସୀମାନେ ହିନ୍ଦୁ ନୁହନ୍ତି। ଅଞ୍ଜନ ଗାଁରେ ଓରାଓଁ ଆଦିବାସୀଙ୍କ ସଂଖ୍ୟା ଅଧିକ। ସେମାନେ ସରନା ଧର୍ମ ପାଳନ କରନ୍ତି। ସରନା ଧର୍ମରେ ପ୍ରକୃତିକୁ ପୂଜା କରାଯାଏ। ଗଛଲତା, ପାହାଡ଼, ନଦୀ, ଝରଣା ସବୁକିଛିକୁ ପୂଜା କରାଯାଏ। ଆମକୁ ବଞ୍ଚିବା ପାଇଁ ସହାୟତା କରୁଥିବା ସବୁକିଛିକୁ ଆମେ ପୂଜା କରିଥାଉ।’’

ଅଞ୍ଜନ ଗାଁର ଆଉ ଜଣେ ବାସିନ୍ଦା ରମଣୀ ଓରାଓଁ (୩୨) କୁହନ୍ତି, ଗାଁର ଲୋକମାନେ ମୂଳତଃ ସରନା ଅନୁଗାମୀ, ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ପ୍ରକୃତିର ପୂଜା କରିଥାନ୍ତି। ‘‘ଆମ ଲୋକମାନେ ଆଜି ମଧ୍ୟ ପ୍ରକୃତି ସହ ଜଡ଼ିତ ପର୍ବ ଯଥା ସରହୁଲ (ବସନ୍ତ ଉତ୍ସବ) ଏବଂ କରମ (ଫସଲ ଅମଳ ସହ ଜଡ଼ିତ ଉତ୍ସବ) ଧୂମଧାମରେ ପାଳନ କରିଥାନ୍ତି। ମନ୍ଦିର ନିର୍ମାଣ ହେବା ପୂର୍ବରୁ ଆମେ ହନୁମାନଙ୍କ ବିଷୟରେ ଶୁଣିନଥିଲୁ। ଆମେ ପାହାଡ଼କୁ ପୂଜା କରୁଥିଲୁ। ଗୋଟିଏ ଗୁମ୍ଫା ଭିତରେ କିଛି ପଥର ଥିଲା। ଆମେ ସେସବୁ ପୂଜା କରୁଥିଲୁ,’’ ସେ କହିଥାନ୍ତି। ‘‘ପରେ, ହନୁମାନ ଲୋକପ୍ରିୟ ହେଲେ, ଏହି ମନ୍ଦିର ନିର୍ମାଣ ହେଲା। ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ପୂଜାପାଠ ପାଇଁ ଆସିଲେ। ତା’ପରେ ଯାଇ କିଛି ଆଦିବାସୀ ହନୁମାନଙ୍କୁ ପୂଜା କରିବା ଆରମ୍ଭ କଲେ,’’ ସେ ଆହୁରି କହିଥାନ୍ତି।

ଝାଡ଼ଖଣ୍ଡର ବିଶିଷ୍ଟ ଔପନ୍ୟାସିକ ଏବଂ କଥାକାର ରଣେନ୍ଦ୍ର କୁମାର (୬୩) କୁହନ୍ତି, ଅଞ୍ଜନରେ ଆଦିବାସୀ ପୂଜା ସ୍ଥଳ ଉପରେ ଏକ ହିନ୍ଦୁ ମନ୍ଦିର କବ୍‌ଜା କରିବା କିଛି ନୂଆ କଥା ନୁହେଁ କିମ୍ବା ଆଶ୍ଚର୍ଯ୍ୟଜନକ ମଧ୍ୟ ନୁହେଁ। ଉଦାହରଣ ସ୍ୱରୂପ, ସେ କହିଥାନ୍ତି, ‘‘ଅନେକ ଆଦିବାସୀ ଦେବୀଙ୍କୁ ପୂର୍ବରୁ ବୈଦିକ ସମାଜର ଅଂଶବିଶେଷ କରି ଦିଆଯାଇଥିଲା।’’

‘‘ପ୍ରଥମେ ବୌଦ୍ଧମାନେ ଆଦିବାସୀ ଦେବୀମାନଙ୍କୁ ଆପଣେଇ ନେଇଥିଲେ ଏବଂ ପରବର୍ତ୍ତୀ କାଳରେ ସେମାନେ ହିନ୍ଦୁ ଧର୍ମର ଅଂଶବିଶେଷ ପାଲଟିଗଲେ। ତାରା, ବଜ୍ର ଡାକିନୀ, ଛତିଶଗଡ଼ର ଦନ୍ତେଶ୍ୱରୀ ଆଦି ଦେବୀମାନେ ଆଦିବାସୀଙ୍କ ଦ୍ୱାରା ପୂଜା ପାଉଥିଲେ,’’ ସେ ଯୁକ୍ତି ଦର୍ଶାଇଥାନ୍ତି। ‘‘ମିଥ୍ୟା ସମାନତା ପ୍ରଚାର ମାଧ୍ୟମରେ ଆଦିବାସୀମାନଙ୍କୁ ଏବେ ହିନ୍ଦୁ ଧର୍ମରେ ସାମିଲ କରାଯାଉଛି।’’

ଝାଡ଼ଖଣ୍ଡରେ କୁଡ଼ୁଖ ଭାଷାର ପ୍ରାଧ୍ୟାପକ ଡକ୍ଟର ନାରାୟଣ ଓରାଓଁ କୁହନ୍ତି, ବଳପୂର୍ବକ ଅନ୍ତର୍ଭୂକ୍ତୀକରଣ ବା ସାଂସ୍କୃତିକ ସମାବେଶନ ପ୍ରକ୍ରିୟା ଆଜି ମଧ୍ୟ ଜାରି ରହିଛି । ସେ କୁହନ୍ତି, ‘‘ଛୋଟ ମାଟି ମୂର୍ତ୍ତି ଏବଂ ଧାର୍ମିକ ପାର୍ବଣ ପାଇଁ ମୁକ୍ତାକାଶ ସ୍ଥାନ ମଡ଼ଇ କୁ ଏବେ ଦେବୀ ମଣ୍ଡପ କିମ୍ବା ହିନ୍ଦୁମାନଙ୍କ ମନ୍ଦିରରେ ପରିଣତ କରି ଦିଆଯାଇଛି।’’ ଥରେ ମନ୍ଦିର ନିର୍ମାଣ ହେବା ପରେ, ଭକ୍ତଙ୍କ ଭିଡ଼ ବଢ଼ି ଚାଲିଥାଏ ଏବଂ ଆଦିବାସୀଙ୍କ ପାଇଁ ସେମାନଙ୍କର ଧାର୍ମିକ ପ୍ରଥାକୁ ବଜାୟ ରଖିବା ଅସମ୍ଭବ ହୋଇପଡ଼ିଥାଏ।

‘‘ରାଞ୍ଚି ପାହାଡ଼ି ମନ୍ଦିର, ହର୍ମୁ ମନ୍ଦିର, ଅର୍ଗୋଡ଼ା ମନ୍ଦିର, କାଙ୍କେ ମନ୍ଦିର, ମୋରାବାଦୀ ମନ୍ଦିର ଏହାର ଉଦାହରଣ,’’ ସେ କହିଥାନ୍ତି। ‘‘ଆଜି ମଧ୍ୟ ଏସବୁ ମନ୍ଦିର ପାଖରେ ଆଦିବାସୀ ପୂଜା ସ୍ଥଳୀର ଅବଶେଷ ଦେଖିବାକୁ ମିଳିଥାଏ। ଆଦିବାସୀଙ୍କ ଦ୍ୱାରା ସାମାଜିକ ଉତ୍ସବ ଏବଂ ପ୍ରାର୍ଥନା କରାଯାଉଥିବା ସ୍ଥାନର ଉପଯୋଗ ଏବେ ଦୁର୍ଗା ପୂଜା କିମ୍ବା ମେଳା ବଜାର ପାଇଁ କରାଯାଉଛି। ଉଦାହରଣ ସ୍ୱରୂପ ରାଞ୍ଚିରେ ଅର୍ଗୋଡ଼ା ନିକଟରେ ଥିବା ପଡ଼ିଆ, ପୂର୍ବରୁ ଏଠାରେ ଓରାଓଁ ମୁଣ୍ଡା ଲୋକମାନେ ପୂଜା କରୁଥିଲେ ଏବଂ ପର୍ବପର୍ବାଣୀ ପାଳନ କରୁଥିଲେ।’’

ଗୁଞ୍ଜଲ ଇକିର ମୁଣ୍ଡା ଆମକୁ ରାଞ୍ଚି ନିକଟବର୍ତ୍ତୀ ବୁଣ୍ଡୁରେ ଥିବା ଏକ ଦେଓଡ଼ି ମନ୍ଦିର ବିଷୟରେ କହିଥାନ୍ତି, ଯେଉଁଠାରେ ପୂର୍ବରୁ କୌଣସି ମନ୍ଦିର ନଥିଲା। କିନ୍ତୁ ତାଙ୍କର ସମ୍ପର୍କୀୟ ପାହନମାନେ ଦୀର୍ଘ ସମୟ ଧରି ଏଠାରେ ଆଦିବାସୀଙ୍କ ପାଇଁ ପୂଜା କରୁଥିଲେ। ‘‘ସେଠାରେ ପୂର୍ବରୁ ଏକ ପଥର ଥିଲା ଏବଂ ବହୁ ବର୍ଷ ଧରି ମୁଣ୍ଡା ଆଦିବାସୀ ସେଠାରେ ପୂଜା କରୁଥିଲେ। ମନ୍ଦିର ତିଆରି ହେବା ପରେ ବହୁ ସଂଖ୍ୟାରେ ହିନ୍ଦୁ ଧର୍ମାବଲମ୍ବୀ ପୂଜା କରିବାକୁ ଆସିଲେ ଏବଂ ସେହି ସ୍ଥାନକୁ ଅକ୍ତିଆର କରିବାକୁ ଦାବି କଲେ। ଏହାପରେ ମାମଲା କୋର୍ଟକୁ ଗଲା ଏବଂ ଏବେ କୋର୍ଟଙ୍କ ଆଦେଶ ମୁତାବକ, ଦୁଇ ପକ୍ଷ ସେହି ସ୍ଥାନରେ ପୂଜାପାଠ କରି ଆସୁଛନ୍ତି। ସପ୍ତାହକୁ କିଛି ଦିନ ଆଦିବାସୀଙ୍କ ପାଇଁ ପାହନମାନେ ପୂଜା କରିଥାନ୍ତି ଏବଂ ଅନ୍ୟ ଦିନରେ ହିନ୍ଦୁମାନଙ୍କ ପାଇଁ ପଣ୍ଡିତମାନେ ପୂଜା କରିଥାନ୍ତି।’’

PHOTO • Manita Kumari Oraon


ପାହାଡ଼ ଉପରେ ଦୁଇଟି ଭିନ୍ନ ଭିନ୍ନ ପୂଜାସ୍ଥଳୀ ରହିଛି । ଆଦିବାସୀ ପାହନମାନେ ଦୁଇଟି ଗୁମ୍ଫାରେ ପୂଜା କରୁଛନ୍ତି ଏବଂ ପାହାଡ଼ ଉପର ମନ୍ଦିରରେ ହିନ୍ଦୁ ପଣ୍ଡିତମାନେ ପୂଜା କରିଥାନ୍ତି

ତେବେ ଆମକୁ ଯାହା ଦେଖାଯାଉଛି ଏଠାରେ ତା’ଠାରୁ ଅଧିକ କିଛି ରହିଛି।

ଆଦିବାସୀମାନଙ୍କୁ ମୁଖ୍ୟ ହିନ୍ଦୁ ସମୂହ ମଧ୍ୟକୁ ଆଣିବାର ପ୍ରକ୍ରିୟା ବହୁତ ଗୋପନୀୟ ଢଙ୍ଗରେ ଜାରି ରହିଛି । ଦେବୀ ପ୍ରସାଦ ଚଟ୍ଟୋପାଧ୍ୟାୟ ତାଙ୍କ ପୁସ୍ତକ ଲୋକାୟତ ରେ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟିଏ ପଚାରିଛନ୍ତି - ଯଦି ୧୮୭୪ରେ ବୈଦିକ ଧର୍ମକୁ ପାଳନ କରୁଥିବା ଲୋକଙ୍କ ସଂଖ୍ୟା ମାତ୍ର ୧୦% ଥିଲା, ତା’ହେଲେ ଏ ଦେଶରେ ହିନ୍ଦୁ ବହୁସଂଖ୍ୟକ ହେଲେ କିପରି? ତେବେ ଏହାର ଉତ୍ତର ହୁଏତ’ ଜନଗଣନାରେ ଲୁଚି ରହିଥାଇପାରେ ।

୧୮୭୧ରୁ ୧୯୪୧ ମଧ୍ୟରେ ଭାରତରେ ହୋଇଥିବା ଜନଗଣନାରେ ଆଦିବାସୀଙ୍କ ଧର୍ମକୁ ବିଭିନ୍ନ ଶୀର୍ଷକରେ ଚିହ୍ନିତ କରାଯାଇଥିଲା। ଉଦାହରଣ ସ୍ୱରୂପ, ଆବୋରିଜିନାଲ (ଆଦିବାସୀ), ଇଣ୍ଡିଜେନସ (ମୂଳ ନିବାସୀ), ଟ୍ରାଇବାଲ (ଜନଜାତି) ଏବଂ ଏନିମିଷ୍ଟ (ଜୀବବାଦୀ)। କିନ୍ତୁ ୧୯୫୧ରେ ହୋଇଥିବା ସ୍ୱାଧୀନ ଭାରତର ପ୍ରଥମ ଜନଗଣନା ଅନୁଯାୟୀ, ସବୁ ବିବିଧ ପରମ୍ପରାକୁ ଟ୍ରାଇବାଲ ଧର୍ମ ନାମକ ଗୋଟିଏ ଶ୍ରେଣୀରେ ବର୍ଗୀକୃତ କରିଦିଆଗଲା। ୧୯୬୧ ମସିହାରେ ଏହାକୁ ମଧ୍ୟ ଉଚ୍ଛେଦ କରି ଦିଆଗଲା ଏବଂ ହିନ୍ଦୁ, ଖ୍ରୀଷ୍ଟିଆନ, ଜୈନ, ଶିଖ, ମୁସଲିମ ଏବଂ ବୌଦ୍ଧ ସହିତ ‘ଅନ୍ୟ’ ବର୍ଗକୁ ସାମିଲ କରି ଦିଆଗଲା।

ଏହାର ପରିଣାମସ୍ୱରୂପ, ୨୦୧୧ ଜନଗଣନାରେ, ୦.୭ ପ୍ରତିଶତ ଭାରତୀୟ ନିଜକୁ ‘ଅନ୍ୟ ଧର୍ମ ଓ ମତ’ ବର୍ଗ ଅଧୀନରେ ଘୋଷଣା କରିଥିଲେ, ଯାହା ଦେଶରେ ଶ୍ରେଣୀଭୂକ୍ତ ଅନୁସୂଚିତ ଜନଜାତି ଜନସଂଖ୍ୟା ଅନୁପାତ ୮.୬% ଠାରୁ ବହୁତ କମ୍‌।

ବହୁ ବର୍ଷ ପୂର୍ବରୁ ୧୯୩୧ ଜନଗଣନା ରିପୋର୍ଟରେ ଭାରତର ଜନଗଣନା ଆୟୁକ୍ତ ଜେ. ଏଚ. ହଟନ ଆଦିବାସୀ ଧର୍ମ ଅଧୀନରେ ଦିଆଯାଇଥିବା ତଥ୍ୟକୁ ନେଇ ଚିନ୍ତାବ୍ୟକ୍ତ କରି ଲେଖିଥିଲେ। ସେ ଲେଖିଥିଲେ, ‘‘ଯେତେବେଳେ କୌଣସି ବ୍ୟକ୍ତି ନିର୍ଦ୍ଦିଷ୍ଟ ମାନ୍ୟତାପ୍ରାପ୍ତ ଧର୍ମର ସଦସ୍ୟତା ଗ୍ରହଣ କରିବାକୁ ମନା କରିଥାନ୍ତି, ତା’ପରେ ବିନା କୌଣସି ପଚରାଉଚରାରେ ତାଙ୍କୁ ‘ହିନ୍ଦୁ’ ଧର୍ମରେ ପ୍ରବେଶ କରାଇବାର ପ୍ରବୃତ୍ତି ବଢ଼ିଯାଇଥାଏ।’’ ଏହା ପଛରେ ଥିବା ବିଚାରଟି ହେଉଛି:- ଏହି ଭୂଖଣ୍ଡକୁ ହିନ୍ଦୁସ୍ତାନ କୁହାଯାଏ ଏବଂ ଏହା ହିନ୍ଦୁମାନଙ୍କର ଦେଶ। ଆଉ ଏଠାରେ ରହୁଥିବା ସବୁ ଲୋକ ଯେପର୍ଯ୍ୟନ୍ତ ଅନ୍ୟ କୌଣସି ମାନ୍ୟତାପ୍ରାପ୍ତ ଧର୍ମର ଅନୁଗାମୀ ବୋଲି ଦାବି କରିନାହାନ୍ତି ସେମାନେ ହିନ୍ଦୁ ବୋଲି ଗ୍ରହଣ କରାଯିବା ଉଚିତ।

*****

One of the caves called ' Chand gufa'. In the caves sacred stones are being worshipped by the Adivasis for centuries before the temple came into existence
PHOTO • Jacinta Kerketta

ଦୁଇଟି ଗୁମ୍ଫା ମଧ୍ୟରୁ ଗୋଟିଏକୁ ‘ଚାନ୍ଦ ଗୁଫା’ କୁହାଯାଏ। ମନ୍ଦିର ନିର୍ମାଣ ହେବା ପୂର୍ବରୁ ଆଦିବାସୀମାନେ ଶହ ଶହ ବର୍ଷ ଧରି ଗୁମ୍ଫାର ପବିତ୍ର ପଥରକୁ ପୂଜା କରି ଆସୁଛନ୍ତି

‘‘ଜନଗଣନାରେ ଆମେ ଆଦିବାସୀମାନେ ନିଜକୁ କେମିତି ପଞ୍ଜିକୃତ କରାଇବୁ?’’

ଅଞ୍ଜନ ଗାଁର ପ୍ରମୋଦ ଓରାଓଁ ଏହି ପ୍ରଶ୍ନ ପଚାରିଥାନ୍ତି । ‘‘ସେମିତି କୌଣସି କୋଠରୀ ନାହିଁ,’’ ସେ କହିଥାନ୍ତି। ‘‘ଆମ ଭିତରୁ ଅନେକ ଅଜାଣତରେ ନିଜକୁ ହିନ୍ଦୁ ବୋଲି ଦର୍ଶାଇଥାନ୍ତି। କିନ୍ତୁ ଆମେ ହିନ୍ଦୁ ନୋହୁଁ । ହିନ୍ଦୁ ଧର୍ମରେ ଜାତିପ୍ରଥାକୁ ପ୍ରାଥମିକତା ଦିଆଯାଇଛି, କିନ୍ତୁ ଆମେ ତାହାକୁ ଗ୍ରହଣ କରିନଥାଉ।’’

୪୦ ବର୍ଷ ବୟସ୍କ ପ୍ରମୋଦ ଆହୁରି କୁହନ୍ତି, ‘‘ଆମେ ପ୍ରକୃତିର ଉପାସକ। ଦୁନିଆ ପ୍ରତି ଆମର ଦୃଷ୍ଟିକୋଣ ଅଧିକ ମୁକ୍ତ ଓ ଗ୍ରହଣଯୋଗ୍ୟ। ଏଥିରେ କଠୋରତାର କୌଣସି ସ୍ଥାନ ନାହିଁ । ଏହି କାରଣରୁ ଆମ ଭିତରୁ କିଛି ଲୋକ ହିନ୍ଦୁ, ଇସଲାମ କିମ୍ବା ଖ୍ରୀଷ୍ଟ ଧର୍ମ ଆପଣାଇ ନେଲେ ସୁଦ୍ଧା, ଆମେ ଧର୍ମ ନାଁରେ ହତ୍ୟା କରିନଥାଉ। ଆମ ଲୋକମାନେ ପାହାଡ଼ ଉପରକୁ ଯାଇ ହନୁମାନଙ୍କୁ ପୂଜା କଲେ ସୁଦ୍ଧା, ଆମେ ସେମାନଙ୍କୁ ହିନ୍ଦୁ ବୋଲି କହିନଥାଉ।’’

ଅଞ୍ଜନ ଗାଁର ବିର୍ସା ଓରାଓଁ କୁହନ୍ତି ଯେ, ‘‘ଆଦିବାସୀମାନେ ଅଧିକ ଉଦାର ଏବଂ ମୁକ୍ତବିଚାର ପୋଷଣ କରିଥାନ୍ତି। ସେମାନଙ୍କ ମାନ୍ୟତା ଓ ଦର୍ଶନକୁ କେହି ଛଡ଼ାଇ ନେବାକୁ ଚାହିଁଲେ, ସେମାନଙ୍କର କିଛି ଅସୁବିଧା ନାହିଁ । ଏହା ସହ କେହି ଯୋଡ଼ି ହୋଇ ରହିଲେ କୌଣସି ଆପତ୍ତି ନାହିଁ। ସେମାନେ କେବଳ ଅନ୍ୟମାନଙ୍କୁ ସମ୍ମାନ କରିଥାନ୍ତି। ଏବେ ଅନେକ ହିନ୍ଦୁ ଲୋକମାନେ ହନୁମାନଙ୍କୁ ପୂଜା କରିବା ପାଇଁ ଅଞ୍ଜନ ଧାମକୁ ଆସୁଛନ୍ତି। ମୁସଲମାନମାନେ ମଧ୍ୟ ଏହି ଧାମକୁ ଦର୍ଶନ ପାଇଁ ଆସୁଛନ୍ତି, ସମସ୍ତଙ୍କ ପାଇଁ ଦ୍ୱାର ଖୋଲା ରହିଛି। ଅନେକ ଆଦିବାସୀ ଏବେ ଉଭୟଙ୍କୁ ପୂଜା କରୁଛନ୍ତି - ପାହାଡ଼ ଉପରେ ଥିବା ଗୁମ୍ଫା ଏବଂ ମନ୍ଦିରରେ ଥିବା ହନୁମାନଙ୍କ ମୂର୍ତ୍ତି । କିନ୍ତୁ ସେମାନେ ଏବେ ବି ନିଜକୁ ହିନ୍ଦୁ ନୁହେଁ, ବରଂ ଆଦିବାସୀ ବୋଲି ଗ୍ରହଣ କରିଥାନ୍ତି।’’

ହନୁମାନଙ୍କ ପୂଜାର ପ୍ରଶ୍ନ ଅତି ଜଟିଳ।

ସେହି ଗାଁର ମହେଶ୍ୱର ଓରାଓଁ କୁହନ୍ତି, ‘‘ଆଦିବାସୀମାନେ ଏଠାରେ ରାମ ଓ ଲକ୍ଷ୍ମଣଙ୍କୁ ପୂଜା କରନ୍ତି ନାହିଁ, କିନ୍ତୁ ଲୋକମାନଙ୍କ ବିଶ୍ୱାସ ହେଉଛି ହନୁମାନ ସବର୍ଣ୍ଣ ସମୁଦାୟର ନଥିଲେ। ସେ ଆଦିବାସୀ ସମୁଦାୟର ପ୍ରତିନିଧିତ୍ୱ କରୁଥିଲେ। ତାଙ୍କୁ ଏକ ପ୍ରକାରରେ ମାନବୀୟ ରୂପ ପ୍ରଦାନ କରିବା ସହିତ ପଶୁ ଭଳି ଦର୍ଶାଇ, ସବର୍ଣ୍ଣ ସମ୍ପ୍ରଦାୟ ଆଦିବାସୀଙ୍କୁ ଉପହାସ କରୁଥିଲେ, ଯେମିତି ସେମାନେ ହନୁମାନଙ୍କର ମଧ୍ୟ ଉପହାସ କରିଥିଲେ।’’

Left: Hills near Anjan village where people believe Anjani Ma, an Adivasi goddess, resides.
PHOTO • Jacinta Kerketta
Right: After the Hanuman temple came up the place was declared Anjan Dham
PHOTO • Jacinta Kerketta

ବାମ : ଅଞ୍ଜନ ଗାଁ ନିକଟରେ ଥିବା ପାହାଡ଼ ଯେଉଁଠାରେ ଆଦିବାସୀ ଦେବୀ ଅଞ୍ଜନୀ ମା’ ରୁହନ୍ତି ବୋଲି ସ୍ଥାନୀୟ ଲୋକମାନେ ବିଶ୍ୱାସ କରିଥାନ୍ତି। ଡାହାଣ : ଏଠାରେ ହନୁମାନ ମନ୍ଦିର ନିର୍ମାଣ ହେବା ପରେ ଏହି ସ୍ଥାନକୁ ଅଞ୍ଜନ ଧାମ ରୂପରେ ଘୋଷଣା କରାଗଲା

ରଞ୍ଜୟ ଓରାଓଁ କୁହନ୍ତି, ହନୁମାନ ସବର୍ଣ୍ଣ ସମାଜର ନୁହନ୍ତି ବୋଲି ଆଦିବାସୀମାନେ ବିଶ୍ୱାସ କରିଥାନ୍ତି। ଏହି କାରଣରୁ ସେମାନେ ପଣ୍ଡିତଙ୍କ ଦାବିକୁ ମାନି ନେଇଥିଲେ। ସେ କୁହନ୍ତି, ‘‘ଯଦି ସେ ସେମାନଙ୍କ ମଧ୍ୟରୁ ଜଣେ ହୋଇଥା’ନ୍ତେ, ତା’ହେଲେ ତାଙ୍କର ଲାଞ୍ଜ ନଥା’ନ୍ତା। ସେ ଜଣେ ଆଦିବାସୀ ହୋଇଥିବାରୁ ତାଙ୍କୁ ଠିକ୍‌ ଏକ ପଶୁ ଭାବେ ଚିତ୍ରିତ କରାଯାଇଛି । ସେଥିପାଇଁ ଅଞ୍ଜନୀ ମା’ଙ୍କର ହନୁମାନଙ୍କ ସହ ସମ୍ପର୍କ ଥିଲା ବୋଲି ଯେତେବେଳେ ସେମାନେ ଦାବି କଲେ, ଏଠାକାର ଲୋକମାନେ ସେମାନଙ୍କ କଥାକୁ ସ୍ୱୀକାର କରି ନେଇଥିଲେ।’’

ଗାଁର ୩୮ ବର୍ଷ ବୟସ୍କା ମୁଖିଆ କର୍ମୀ ଓରାଓଁ ସେହି ଦିନ କଥା ମନେ ପକାଇଥାନ୍ତି ଯେତେବେଳେ ବାର୍ଷିକ ପୂଜା ପାଇଁ ସାରା ଗାଁ ପାହାଡ଼ ଉପରକୁ ଯାଉଥିଲା। ‘‘ସେହି ସମୟରେ ସେଠାରେ କେବଳ ଗୁମ୍ଫା ଥିଲା। ଲୋକମାନେ ସେଠାକୁ ଯାଉଥିଲେ ଏବଂ ବର୍ଷା ପାଇଁ ପ୍ରାର୍ଥନା କରୁଥିଲେ। ଏପରିକି ଆଜି ମଧ୍ୟ ଆମେ ସମାନ ପରମ୍ପରା ପାଳନ କରିଥାଉ। ଆମେ ଏକ ସାମୁଦାୟିକ ପୂଜା କରିବା ପରେ ଏହି କ୍ଷେତ୍ରରେ କିଭଳି ବର୍ଷା ହୋଇଥାଏ ଆପଣ ଦେଖୁଥିବେ।

‘‘ଆଜିକାଲି ଲୋକମାନେ ମନ୍ଦିର ପରିକ୍ରମା କରୁଛନ୍ତି କାରଣ ତାହା ସେହି ପାହାଡ଼ ଉପରେ ଅଛି। କିଛି ଆଦିବାସୀମାନେ ମଧ୍ୟ ମନ୍ଦିର ଭିତରେ ପୂଜା କରୁଛନ୍ତି। ସମସ୍ତେ ମୁକ୍ତ ଭାବେ ସେଠାକୁ ଯାଇପାରିବେ ଯେଉଁଠି ସେମାନଙ୍କୁ ଶାନ୍ତି ମିଳୁଛି,’’ କର୍ମୀ କୁହନ୍ତି।

ଗାଁର ଅନ୍ୟ ମହିଳାମାନେ ମଧ୍ୟ ନିଜକୁ ହିନ୍ଦୁ ବୋଲି ମାନନ୍ତି ନାହିଁ। କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଲୋକ ମନ୍ଦିର ଭିତରେ ଭଗବାନଙ୍କୁ ପୂଜା କରିଥାନ୍ତି। ‘‘ପାହାଡ଼ ଉପରେ ଥିବା ମନ୍ଦିର ସେହି ପାହାଡ଼ର ଏକ ଅଂଶବିଶେଷ ପାଲଟି ଯାଇଥାଏ। ପାହାଡ଼କୁ ପୂଜା କରୁଥିବା ଲୋକମାନେ ହନୁମାନଙ୍କୁ କିଭଳି ଉପେକ୍ଷା କରିବେ? ଯଦି ଦୁଇ ଦେବତା ମିଶି କାମ କରିବେ, ଆମ ପାଇଁ ଭଲ ବର୍ଷା ଆଣିବେ, ସେଥିରେ କ୍ଷତି କ’ଣ?’’

ଅନୁବାଦ: ଓଡ଼ିଶାଲାଇଭ୍‍

Jacinta Kerketta

ଓରାଓଁ ଆଦିବାସୀ ସମୁଦାୟର ଜେସିଣ୍ଟା କେରକେଟ୍ଟା ଜଣେ ନିରପେକ୍ଷ ଲେଖିକା ଏବଂ ଗ୍ରାମୀଣ ଝାଡ଼ଖଣ୍ଡର ଖବରଦାତା। ତାଙ୍କ କବିତାରେ ଆଦିବାସୀ ସମୁଦାୟଙ୍କ ସଂଘର୍ଷ ଏବଂ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟର ବର୍ଣ୍ଣନା ଦେଖିବାକୁ ମିଳିଥାଏ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Jacinta Kerketta
Illustration : Manita Kumari Oraon

ମନିତା କୁମାରୀ ଓରାଓଁ ଝାଡ଼ଖଣ୍ଡରେ ରହୁଥିବା ଜଣେ କଳାକାର। ସେ ଆଦିବାସୀ ସମୁଦାୟ ପାଇଁ ସାମାଜିକ ଓ ସାଂସ୍କୃତିକ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗ ଉପରେ ମୂର୍ତ୍ତି ଓ ଚିତ୍ର ଆଙ୍କିଥାନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Manita Kumari Oraon
Editor : Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ପରୀରେ କାର୍ଯ୍ୟରତ ଜଣେ ବରିଷ୍ଠ ସମ୍ପାଦିକା ଯେଉଁଠି ସେ ପରୀର ସୃଜନଶୀଳ ଲେଖା ବିଭାଗର ନେତୃତ୍ୱ ନେଇଥାନ୍ତି। ସେ ମଧ୍ୟ ପରୀ ଭାଷା ଦଳର ଜଣେ ସଦସ୍ୟ ଏବଂ ଗୁଜରାଟୀ ଭାଷାରେ କାହାଣୀ ଅନୁବାଦ କରିଥାନ୍ତି ଓ ଲେଖିଥାନ୍ତି। ସେ ଜଣେ କବି ଏବଂ ଗୁଜରାଟୀ ଓ ଇଂରାଜୀ ଭାଷାରେ ତାଙ୍କର କବିତା ପ୍ରକାଶ ପାଇଛି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Pratishtha Pandya
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE