ପେଟର ଭୋକ ମେଣ୍ଟାଇବା ପାଇଁ ଜଲାଲ ଅଲୀ ବାଉଁଶରେ ମାଛ ଜାଲ ତିଆରି ଶିଖିବାକୁ ବାଧ୍ୟ ହୋଇଥିଲେ।

ସେ ଯୁବକ ଥିବା ବେଳେ ଗୁଜୁରାଣ ମେଣ୍ଟାଇବା ପାଇଁ ଦିନ ମଜୁରିଆ ଭାବେ କାମ କରୁଥିଲେ, କିନ୍ତୁ ବର୍ଷା ଋତୁରେ ତାଙ୍କୁ ଏହି କାମ ମିଳୁନଥିଲା: ‘‘ବର୍ଷା ଋତୁରେ ମାତ୍ର କିଛି ଦିନ ଧାନ ରୋଇବା କାମକୁ ଛାଡ଼ି ଦେଲେ ବାକି ଦିନ କୌଣସି କାମ ମିଳୁନଥିଲା,’’ ସେ କୁହନ୍ତି।

କିନ୍ତୁ ସେ ରହୁଥିବା ଦରଙ୍ଗ ଜିଲ୍ଲାର ମୌସିତା-ବାଲାବାରିର ସନ୍ତସନ୍ତିଆ ସ୍ଥାନ ଓ ପୋଖରୀରେ ବର୍ଷା ଦିନେ ଖୁବ୍‌ ମାଛ ଚାଲି ଆସିଥିଲେ ଏବଂ ବାଉଁଶ ମାଛ ଜାଲର ଚାହିଦା ଅଧିକ ହୋଇଗଲା। ‘‘ବାଉଁଶ ମାଛ ଜାଲ କେମିତି ତିଆରି କରିବାକୁ ହେବ ମୁଁ ଶିଖିଲି କାରଣ ସେହି ବାଟରେ ମୁଁ ମୋ ପରିବାର ପାଇଁ ଦାନା ଯୋଗାଡ଼ କରିପାରିଥିଲି। ଭୋକରେ ଥିଲେ, ପେଟ ଭରିବା ପାଇଁ ଆପଣ ସବୁଠୁ ସହଜ ମାର୍ଗ ଖୋଜିବେ,’’ ପୁରୁଣା ଦିନ କଥା ମନେ ପକାଇ ଏହି ୬୦ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ କହିଥା’ନ୍ତି।

ଏସବୁ ଜଳାଶୟରେ ବିଭିନ୍ନ ପ୍ରକାର ମାଛ ଧରିବା ପାଇଁ ଦେଶୀ ବାଉଁଶ ଜାଲ ସେପ୍ପା , ବୋସନା ବାଏର ତିଆରି କରିବାରେ ଜଲାଲ ଏବେ ଜଣେ କୁଶଳୀ କାରିଗର ପାଲଟି ଯାଇଛନ୍ତି। ଆସାମର ଆର୍ଦ୍ରଭୂମି ମୌସିତା-ବାଲାବାରୀସ୍ଥିତ ପୁବ୍‌-ପଦୋଖାଟ ଗ୍ରାମରେ ଥିବା ତାଙ୍କ ଘରେ ସେ ଏସବୁ ତିଆରି କରନ୍ତି।

ଜଲାଲ କୁହନ୍ତି, ‘‘ଠିକ୍‌ ଦୁଇ ଦଶନ୍ଧି ପୂର୍ବରୁ ମୋ ଗାଁ ଏବଂ ପଡ଼ୋଶୀ ଗ୍ରାମର ପ୍ରାୟତଃ ପ୍ରତ୍ୟେକ ପରିବାର ମାଛ ଧରିବା ପାଇଁ (ବାଉଁଶ) ଜାଲ ବ୍ୟବହାର କରୁଥିଲେ। ସେତେବେଳେ ବାଉଁଶ ଜାଲ କିମ୍ବା ହାତ ତିଆରି ଶିବ୍ ଜାଲ ବ୍ୟବହାର କରାଯାଉଥିଲା।’’ ବାଉଁଶ କାଠି ବା ପାତିଆ ଲାଗିଥିବା ଚାରିକୋଣ ବିଶିଷ୍ଟ ବର୍ଗାକୃତି ଜାଲ ବିଷୟରେ ସେ ଉଲ୍ଲେଖ କରୁଛନ୍ତି ଯାହାକୁ ସ୍ଥାନୀୟ ଅଞ୍ଚଳରେ ଟୋଙ୍ଗି ଜାଲ ବା ଝେଟକା ଜାଲ୍ ବୋଲି କୁହାଯାଏ।

ଆକୃତି ଅନୁଯାୟୀ ସ୍ଥାନୀୟ ବାଉଁଶ ମାଛ ଧରା ଜାଲଗୁଡ଼ିକର ନାମକରଣ କରାଯାଇଥାଏ: ‘‘ ସେପ୍ପା ଜାଲର ଆକୃତି ଢୋଲ ଭଳି। ବାଏର ମଧ୍ୟ ଢୋଲ ଆକୃତିର କିନ୍ତୁ ଏହା ଲମ୍ବା ଓ ଚଉଡ଼ା। ଦାର୍କି ଦେଖିବାକୁ ଆୟତାକାର ବାକ୍ସ ଭଳି,’’ ଜଲାଲ କୁହନ୍ତି। ଦୁଏର , ଦିୟାର୍ ଏବଂ ବୈ ଷ୍ଣୋ ଜାଲକୁ ଜଳପ୍ରବାହ ସ୍ଥାନ ଯଥା ପାଣି ଜମିଥିବା ଧାନ ଓ ଝୋଟ କ୍ଷେତ, ଛୋଟ କେନାଲ, ପାଟ ଭିତରକୁ ପାଣି ବୋହୁଥିବା ସ୍ଥାନ, ଆର୍ଦ୍ରଭୂମି କିମ୍ବା ନଦୀର ସଂଗମ ସ୍ଥଳରେ ରଖି ଦିଆଯାଏ।

PHOTO • Mahibul Hoque
PHOTO • Mahibul Hoque

ବାମ : ଆସାମର ମୌସିତା - ବାଲାବାରି ଆର୍ଦ୍ରଭୂମି ଅଞ୍ଚଳରେ ଥିବା ପୁବ - ପଦୋଖାଟ୍ ଗ୍ରାମ ସ୍ଥିତ ତାଙ୍କ ଘର ଅଗଣାରେ ବସି ଜଲାଲ ମାଛ ଜାଲଗୁଡ଼ିକୁ ନିରୀକ୍ଷଣ କରୁଛନ୍ତି ଢୋଲ ଆକୃତିର ଠିଆ ହୋଇ ରହୁଥିବା ଜାଲକୁ ସେପ୍ପା କୁହାଯାଏ ଡାହାଣ : ତାଙ୍କ ହାତରେ ଯେଉଁ ଜାଲଟି ରହିଛି ତା କୁ ବାଏର କୁହାଯାଏ ଡାହାଣ : ଜାଲରେ ମାଛ ଫସାଇବା ପାଇଁ ନିଖୁଣ ଭାବେ ବୁଣା ହୋଇଥିବା ପ୍ରବେଶ ପଥକୁ ଜଲାଲ ଦେଖାଉଛନ୍ତି ପାରମ୍ପରିକ ବାଉଁଶ ମାଛ ଜାଲର ପ୍ରବେଶ ପଥକୁ ପାରା ବା ଫାରା କୁହାଯାଏ

ଆସାମର ବ୍ରହ୍ମପୁତ୍ର ଘାଟୀ ପୂର୍ବ ଦିଗରେ ସଦିୟାଠାରୁ ଆରମ୍ଭ କରି ପଶ୍ଚିମରେ ଧୁବ୍ରି ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏହି ଅଞ୍ଚଳ ନଦୀ, ନାଳ, ଆର୍ଦ୍ରଭୂମିକୁ ନଦୀ ସହ ଯୋଡ଼ୁଥିବା ତଟ, ବନ୍ୟାଞ୍ଚଳର ହ୍ରଦ ଏବଂ ସଂଖ୍ୟାଧିକ ପ୍ରାକୃତିକ ପୋଖରୀରେ ଭରି ରହିଛି। ଏହିସବୁ ଜଳାଶୟ ଉପରେ ନିର୍ଭର କରି ସ୍ଥାନୀୟ ଲୋକମାନେ ଜୀବିକା ନିର୍ବାହ କରିଥା’ନ୍ତି। ଆସାମର ମାଛ ଧରା ଉଦ୍ୟୋଗରେ ୩.୫ ନିୟୁତ ଲୋକ ନିୟୋଜିତ ଥିବା ମତ୍ସ୍ୟ ପରିସଂଖ୍ୟାନ ୨୦୨୨ ଉପରେ ଆଧାରିତ ପୁସ୍ତିକା ରୁ ଜଣାପଡ଼ିଥାଏ।

ବୈଜ୍ଞାନିକମାନେ କୁହନ୍ତି, ମସୁରୀ ଜାଲ୍ (ଛୋଟ କଣା ଥିବା ଜାଲ) ଏବଂ ଯାନ୍ତ୍ରିକ ଟଣା ଜାଲ ଅଧିକ ମହଙ୍ଗା ଏବଂ ଜଳଚର ଜୀବଙ୍କ ପାଇଁ ବିପଜ୍ଜନକ କାରଣ ଏଗୁଡ଼ିକ ସବୁଠୁ ଛୋଟ ଛୋଟ ମାଛକୁ ମଧ୍ୟ ଟାଣି ଆଣନ୍ତି ଏବଂ ପ୍ଲାଷ୍ଟିକ୍‌ ବର୍ଜ୍ୟଗୁଡ଼ିକୁ ପାଣିରେ ମିଶାନ୍ତି। କିନ୍ତୁ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ବାଉଁଶ, ବେତ ଏବଂ ଝୋଟରେ ତିଆରି ସ୍ଥାନୀୟ ପରିବେଶ ଅନୁକୂଳ ଜାଲଗୁଡ଼ିକ କେବଳ ନିର୍ଦ୍ଦିଷ୍ଟ ଆକାରର ମାଛ ଧରନ୍ତି, ତେଣୁ କୌଣସି କ୍ଷତି ହୁଏ ନାହିଁ।

ନାମ ଗୋପନ ରଖିବା ସର୍ତ୍ତରେ ଆଇସିଏଆର - କେନ୍ଦ୍ରୀୟ ଅନ୍ତର୍ଦେଶୀୟ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନର ଜଣେ ବିଶେଷଜ୍ଞ କୁହନ୍ତି, ବ୍ୟବସାୟିକ ଜାଲ ଦ୍ୱାରା ଅତ୍ୟଧିକ ମାଛ ଧରାଯାଏ ଏବଂ ଏହା ପ୍ରଜନନ ପ୍ରଣାଳୀକୁ ନଷ୍ଟ କରିଦିଏ।

ସେ କହିଥିଲେ, ବନ୍ୟା ସମୟରେ ପଟୁ ଜମିଯିବା କାରଣରୁ ପ୍ରାକୃତିକ ସନ୍ତସନ୍ତିଆ ସ୍ଥାନ ଓ ଆଦ୍ରର୍ଭୂମିର ଆକାର ମଧ୍ୟ କମିଯାଉଛି । ଏବେ ସେଥିରେ ପାଣି କମ୍‌ ରହୁଛି ଏବଂ ଅନ୍ତର୍ଦେଶୀୟ ମାଛଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ମତ୍ସ୍ୟଜୀବୀ ମୁକ୍‌ସେଦ ଅଲୀ ଦୁଃଖର ସହିତ କୁହନ୍ତି: ‘‘ପୂର୍ବରୁ ମୋ ଘରଠାରୁ ଚାରି କିଲୋମିଟର ଦୂରରେ ଥିବା ବ୍ରହ୍ମପୁତ୍ର ନଦୀକୁ ବହୁ ପରିମାଣରେ ପାଣି ବୋହି ଯାଉଥିବା ଦେଖିବାକୁ ମିଳୁଥିଲା। କ୍ଷେତରେ ବୁଡ଼ିଯାଇଥିବା ପତଳା ହିଡ଼ ଉପରେ ମାଟି ପକାଇ ସଂକୀର୍ଣ୍ଣ ନାଳ ସୃଷ୍ଟି କରି ମାଛ ଧରା ଜାଲ ବସାଉଥିଲି।’’ ୬୦ ବର୍ଷରୁ ଅଧିକ ବୟସ୍କ ଏହି ବ୍ୟକ୍ତି ଜଣଙ୍କ କୁହନ୍ତି ଯେ, ଆଧୁନିକ ଜାଲ କିଣିବାକୁ ସକ୍ଷମ ହୋଇନଥିବାରୁ ସେ ବାଏର୍ ଉପରେ ନିର୍ଭର କରୁଥିଲେ।

‘‘ଛଅ ସାତ ବର୍ଷ ପୂର୍ବରୁ ଆମେ ପ୍ରଚୁର ମାଛ ଧରୁଥିଲୁ। କିନ୍ତୁ ଏବେ ମୋର ଚାରିଟି ବାଏର ରୁ ଅଧ କିଲୋ ମାଛ ଧରିବା ମଧ୍ୟ କଷ୍ଟକର ହୋଇପଡ଼ୁଛି,’’ ମୁକସେଦ୍‌ ଅଲୀ କୁହନ୍ତି ଯିଏକି ତାଙ୍କ ପତ୍ନୀଙ୍କ ସହିତ ଦାରଙ୍ଗ ଜିଲ୍ଲାର ନଂ ୪ ଆରିମାରି ଗ୍ରାମରେ ରୁହନ୍ତି।

PHOTO • Mahibul Hoque
PHOTO • Mahibul Hoque

ବାମ : ନଂ ଆରିମାରି ଗ୍ରାମରେ ଥିବା ତାଙ୍କ ଘରେ ଦାର୍କିଗୁଡ଼ିକୁ ଦେଖାଉଛନ୍ତି ମୁକସେଦ୍ ଲୀ ସେ ମାଛ ବିକ୍ରି କରି ନିକଟସ୍ଥ ଏକ ବିଦ୍ୟାଳୟରେ ସଫେଇ କର୍ମୀ ଭାବେ କାମ କରୁଥିବା ତାଙ୍କ ପତ୍ନୀଙ୍କୁ ସହଯୋଗ କରିଥା ନ୍ତି ଡାହାଣ : ମୁକସେଦ ଅଲ୍ଲୀ ଗତ ରାତିରେ ବସାଇଥିବା ଗୋଟିଏ ବାଉଁଶ ଜାଲକୁ ଯାଞ୍ଚ କରୁଛନ୍ତି ଗତ ତିନି ବର୍ଷ ମଧ୍ୟରେ ମାଛ ପରିମାଣ ଏତେ କମିଯାଇଛନ୍ତି ଯେ ନିଜର ଚାରିଟି ଜାଲରୁ ବେଳେବେଳେ ତାଙ୍କୁ ମାତ୍ର ଅଧା କିଲୋଗ୍ରାମ ମାଛ ମିଳିଥାଏ

*****

ଆସାମରେ ପ୍ରବଳ ବର୍ଷା ହୋଇଥାଏ - ବ୍ରହ୍ମପୁତ୍ର ଉପତ୍ୟାକାରେ ୧୬୬ ସେଣ୍ଟିମିଟର ଏବଂ ବାରାକ ଉପତ୍ୟାକାରେ ୧୮୩ ସେଣ୍ଟିମିଟର। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏପ୍ରିଲ ଶେଷରେ ଆରମ୍ଭ ହୁଏ ଏବଂ ଅକ୍ଟୋବର ପର୍ଯ୍ୟନ୍ତ ରୁହେ। ଜଲାଲ୍‌ ତାଙ୍କ କାମ ଯୋଜନାକୁ ସେହି ଅନୁଯାୟୀ ନିର୍ଦ୍ଧାରଣ କରନ୍ତି। ‘‘ମୁଁ ଜୋଷ୍ଟି ମାସ୍ (ମଇ ମଧ୍ୟଭାଗ)ରେ ମାଛ ଧରା ଆରମ୍ଭ କରିଥାଏ ଏବଂ ଆସାର୍ ମାସ୍ (ଜୁନ୍‌ ମଧ୍ୟ ଭାଗ)ରୁ ଲୋକମାନେ ବାଏର୍ କିଣିବା ଆରମ୍ଭ କରନ୍ତି। କିନ୍ତୁ ଗତ ତିନି ବର୍ଷ ଧରି, କମ୍‌ ବର୍ଷା କାରଣରୁ ଲୋକମାନେ ସ୍ୱାଭାବିକ ସମୟରେ ଜାଲ କିଣୁନାହାନ୍ତି।

୨୦୨୩ରେ ପ୍ରକାଶିତ ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ, ଆଗକୁ ଆସାମରେ ତାପମାତ୍ରା ବୃଦ୍ଧି ପାଇବ, ବାର୍ଷିକ ବର୍ଷା ପରିମାଣ ହ୍ରାସ ପାଇବ ଏବଂ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ଜଳବାୟୁ ପରିବର୍ତ୍ତନ ଜଳାଶୟଗୁଡ଼ିକରେ ପଙ୍କ ପରିମାଣ ବୃଦ୍ଧି ପାଇବ - ଜଳ ସ୍ତର କମିବା ସହିତ ମାଛ ସଂଖ୍ୟା ମଧ୍ୟ କମିଯିବ।

ରାଜ୍ୟ ବିଧାନସଭାରେ ଉପସ୍ଥାପିତ ଏହି ସରକାରୀ ପ୍ରେସ ବିଜ୍ଞପ୍ତି ମୁତାବକ, ୧୯୯୦ରୁ ୨୦୧୯ ମଧ୍ୟରେ ବାର୍ଷିକ ହାରାହାରୀ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୦.୦୪୯ ଏବଂ ୦.୦୧୩ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇଛି। ଦୈନିକ ହାରାହାରୀ ତାପମାତ୍ରା ସ୍ତର ୦.୦୩୭ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି ଏବଂ ଏହି ଅବଧି ମଧ୍ୟ ପ୍ରତିବର୍ଷ ୧୦ ମିଲିମିଟରରୁ କମ୍‌ ବୃଷ୍ଟିପାତ ହେଉଛି।

‘‘ବର୍ଷା କେତେବେଳେ ହେବ ପୂର୍ବରୁ ଆମେ ଜାଣିଥିଲୁ। କିନ୍ତୁ ଏବେ ଢାଞ୍ଚା ସମ୍ପୂର୍ଣ୍ଣ ବଦଳିଯାଇଛି। ବେଳେବେଳେ ଅଳ୍ପ ସମୟ ମଧ୍ୟରେ ବହୁତ ଅଧିକ ବର୍ଷା ହେଉଛି ଏବଂ ବେଳେବେଳେ ଆଦୌ ବର୍ଷା ହେଉ ନାହିଁ,’’ ଜଲାଲ ନିର୍ଦ୍ଦିଷ୍ଟ ଭାବେ କହିଥାନ୍ତି। ସେ କୁହନ୍ତି, ତିନି ବର୍ଷ ପୂର୍ବରୁ ତାଙ୍କ ଭଳି ଜଣେ କାରୀଗର ମୌସୁମୀ ଋତୁରେ ପ୍ରାୟ ୨୦,୦୦୦ ଟଙ୍କାରୁ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାକୁ ଆଶା କରିପାରୁଥିଲା।

ଏହି ଭିଡିଓରେ ଜଲାଲ ଅଲୀ ଗୋଟିଏ ବାଉଁଶ ମାଛ ଧରା ଜାଲ ତିଆରି କରୁଥିବା ଦେଖନ୍ତୁ

ଏହି କୁଶଳୀ କାରୀଗର ଜଣଙ୍କ କୁହନ୍ତି, ଗତବର୍ଷ ସେ ଜୁନ୍‌ ମଧ୍ୟ ଭାଗରୁ ଜୁଲାଇ ମଧ୍ୟ ଭାଗ ଅବଧିରେ ପ୍ରାୟ ୧୫ଟି ବାଏର୍ ବିକ୍ରି କରିପାରିଥିଲେ, କିନ୍ତୁ ଏହା ଲୋକମାନଙ୍କର ବାଉଁଶ ଜାଲ କିଣିବାର ସ୍ୱାଭାବିକ ସମୟ ହୋଇଥିଲେ ସୁଦ୍ଧା ସେ ଚଳିତ ବର୍ଷ ମାତ୍ର ୫ଟି ବାଏର୍ ବିକ୍ରି କରିପାରିଛନ୍ତି।

ସେ ଏକମାତ୍ର କାରୀଗର ନୁହନ୍ତି ଯାହାଙ୍କ ରୋଜଗାର ହ୍ରାସ ପାଇଛି। ଉଦାଲଗୁରି ଜିଲ୍ଲାର ୭୯ ବର୍ଷ ବୟସ୍କ ଜୋବ୍ଲା ଦାଇମାରୀ ମଧ୍ୟ ଜଣେ ସେପ୍ପା କାରୀଗର। ସେ କୁହନ୍ତି, ‘‘ଗଛରେ ଆଉ ଏତେ ପଣସ ଫଳୁନାହିଁ, ଅଧିକ ଗରମ ହେଉଛି ଏବଂ ବର୍ତ୍ତମାନ ସୁଦ୍ଧା ଆଦୌ ବର୍ଷା ହୋଇନାହିଁ। ଚଳିତ ବର୍ଷ ବେଶ ଅପ୍ରତ୍ୟାଶିତ ହେବ, ତେଣୁ ଅର୍ଡର ନମିଳିବା ପର୍ଯ୍ୟନ୍ତ ମୁଁ କାମ ଆରମ୍ଭ କରିବି ନାହିଁ।’’ ଗୋଟିଏ ସେପ୍ପା କୁ ଅନ୍ତିମ ରୂପ ଦେଉଥିବା ସମୟରେ ଦାଇମାରୀ ପରୀ ସହିତ କଥା ହେଉଥିଲେ। ସେ ଆହୁରି କୁହନ୍ତି ଯେ, ବ୍ୟବସାୟୀମାନେ ତାଙ୍କ ଘରକୁ ଆସିବା ବନ୍ଦ କରି ଦେଇଛନ୍ତି ଏବଂ ମଇ ୨୦୨୪ରେ ଆମେ ତାଙ୍କୁ ଭେଟିବା ସମୟ ସୁଦ୍ଧା ସେ ମାତ୍ର ପାଞ୍ଚଟି ଜାଲ ତିଆରି କରିଥିଲେ।

ସୁରହବ୍ ଅଲୀ କିଛି ଦଶନ୍ଧି ହେବ ଆସାମର ଅନ୍ୟତମ ବଡ଼ ସାପ୍ତାହିକ ହାଟ ବାଲୁଗାଁରେ ବାଉଁଶ ସାମଗ୍ରୀ ବିକ୍ରି କରି ଆସୁଛନ୍ତି। ‘‘ଜୁଲାଇର ପ୍ରଥମ ସପ୍ତାହରେ ମୁଁ ଚଳିତ ବର୍ଷ ଗୋଟିଏ ବାଏର୍‌ ସୁଦ୍ଧା ବିକ୍ରି କରିପାରିନାହିଁ,’’ ସେ କହିଥା’ନ୍ତି।

ଜଲାଲଙ୍କ ଆଖି ସାମ୍ନାରେ ତାଙ୍କର ହସ୍ତଶିଳ୍ପ ବିଲୋପ ହୋଇଯାଉଛି: ‘‘ଏହି ପ୍ରକ୍ରିୟା ଶିଖିବା ଲାଗି ମୋ ପାଖକୁ କେହି ଆସୁନାହାନ୍ତି। ମାଛ ନଥିଲେ, ଏହି କାରୀଗରୀ ଶିଖିବାର ଆବଶ୍ୟକତା କ’ଣ?’’ ସେ ପଚାରନ୍ତି। ଏହି ସମୟରେ ସେ ତାଙ୍କ ଘର ପଛକୁ ନିଜ ଦାର୍କୀ ତିଆରି ଶେଷ କରିବାକୁ ଗଲେ, ତାହା ପ୍ରକୃତରେ ମୌସିତା ବାଲାବାରୀ ଅଣତାଲିକାଭୁକ୍ତ ବୀଲ୍ (ବଡ଼ ସନ୍ତସନ୍ତିଆ ସ୍ଥାନ) ସହିତ ଏକ ମାଟି ରାସ୍ତା ଥିଲା।

PHOTO • Mahibul Hoque
PHOTO • Mahibul Hoque

ବାମ : ଜୋବଲା ଦାଇମାରୀ ତାଙ୍କ ଘର ଅଗଣାରେ ଅଛନ୍ତି ଯେଉଁଠି ସେ ସେପ୍ପା କାମ କରନ୍ତି ଉଦାଲଗୁଡ଼ି ଜିଲ୍ଲାର ଏହି ୭୯ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ କୁହନ୍ତି , ‘ ଅତ୍ୟଧିକ ଗରମ ହେଉଛି ଏବଂ ବର୍ତ୍ତମାନ ସୁଦ୍ଧା ଆଦୌ ବର୍ଷା ହୋଇନାହିଁ ଚଳିତ ବର୍ଷ ଅପ୍ରତ୍ୟାଶିତ ହେବ , ତେଣୁ ଅର୍ଡର ନପାଇଲା ପର୍ଯ୍ୟନ୍ତ ମୁଁ କାମ ଆରମ୍ଭ କରିବି ନାହିଁ

PHOTO • Mahibul Hoque
PHOTO • Mahibul Hoque

ବାମ : ସୁରହାବ ଅଲୀ ବାଲୁଗାଁ ସାପ୍ତାହିକ ବଜାରରେ ବାଉଁଶ ଉତ୍ପାଦ ବିକ୍ରି କରନ୍ତି ସେ କୁହନ୍ତି ଯେ ତାଙ୍କୁ ଗ୍ରାହକ ମିଳୁନାହାନ୍ତି ଡାହାଣ : ସୁରହବ୍ ଅଲୀଙ୍କ ଦୋକାନରେ ପ୍ରଦର୍ଶିତ ଏକ ଦେଶୀ ବାଉଁଶ ମାଛ ଧରା ଜାଲ ଜାଲ ଭିତରୁ ମାଛ ବାହାର କରିବା ପାଇଁ ଖୋଲା ସ୍ଥାନ ଦେଖାଯାଉଛି

*****

‘‘ଏହି ଜାଲ ତିଆରି କରିବାକୁ ହେଲେ ଆପଣଙ୍କୁ ଧୈର୍ଯ୍ୟ ରଖିବାକୁ ପଡ଼ିବ ଏବଂ ନିରନ୍ତର ଧ୍ୟାନ କେନ୍ଦ୍ରିତ କରିବାକୁ ହେବ,’’ ଜଲାଲ କୁହନ୍ତି, ତାଙ୍କ କାମରେ ଆବଶ୍ୟକ ହେଉଥିବା ପୂର୍ଣ୍ଣ ଏକାଗ୍ରତା ବିଷୟରେ ସେ ସୂଚନା ଦିଅନ୍ତି। ‘‘ସବୁଠୁ ଭଲ କଥା ହେଉଛି ଆପଣ କଥାବାର୍ତ୍ତା ଶୁଣିପାରିବେ, କିନ୍ତୁ ଯଦି ଆପଣ କଥାବାର୍ତ୍ତାରେ ଭାଗ ନେବାକୁ ଚାହୁଁଥା’ନ୍ତି ତା’ହେଲେ ଆପଣଙ୍କୁ ବାଏର୍‌ ରେ ଗଣ୍ଠି ପକାଇବା ବନ୍ଦ କରିବାକୁ ହେବ।’’ ନିରନ୍ତର ଭାବେ କାମ କଲେ, ସେ ଦୁଇ ଦିନରେ ଗୋଟିଏ ଜାଲ ତିଆରି କରିପାରିବେ। ‘‘ଯଦି ମୁଁ ମଝିରେ ମଝିରେ ଅଟକି ଯାଏ, ତା’ହେଲେ ଚାରିରୁ ପାଞ୍ଚ ଦିନ ଲାଗିବ,’’ ସେ କହିଥା’ନ୍ତି।

ଏସବୁ ଜାଲ ତିଆରି କରିବାର ପ୍ରାରମ୍ଭିକ ପ୍ରକ୍ରିୟା ହେଉଛି ବାଉଁଶ ଚୟନ କରିବା। ମାଛଧରା ଜାଲ ତିଆରି କରିବାକୁ କାରୀଗରମାନେ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ଲମ୍ବା ଗଣ୍ଠି ବ୍ୟବଧାନ ଥିବା ବାଉଁଶ ବ୍ୟବହାର କରନ୍ତି। ଉଭୟ ବାଏର୍‌ ସେପ୍ପା ର ଆକାର ତିନି ଫୁଟ କିମ୍ବା ସାଢ଼େ ତିନି ଫୁଟ୍‌ ଲମ୍ବ ହୋଇଥାଏ। ତୋଲ୍ଲା ବାଶ୍‌ କିମ୍ବା ଜାତି ବାହ୍‌ (ବମ୍ବୁସା ତୁଲଦା) ଅଧିକ ନମନୀୟ ହୋଇଥିବାରୁ ଏଗୁଡ଼ିକୁ ବ୍ୟବହାର କରାଯାଏ।

‘‘ସମ୍ପୂର୍ଣ୍ଣ ଭାବେ ବଢ଼ିଥିବା ବାଉଁଶ, ସାଧାରଣତଃ ତିନି କିମ୍ବା ଚାରି ବର୍ଷ ପୁରୁଣା ହୋଇଥାଏ। ଜାଲ ତିଆରି କରିବା ଲାଗି ଏଭଳି ବାଉଁଶ ଜରୁରୀ ନହେଲେ ଜାଲ ଅଧିକ ଦିନ ତିଷ୍ଠିବ ନାହିଁ। ସାଧାରଣତଃ ୧୮ରୁ ୨୭ ଇଞ୍ଚ ମଧ୍ୟରେ ଗଣ୍ଠି ବ୍ୟବଧାନ ରହିବା ଉଚିତ୍‌। ବାଉଁଶ କିଣିବା ସମୟରେ ସେଗୁଡ଼ିକୁ ଦେଖି ମୁଁ ଠିକ୍‌ ମାପର ଅନୁମାନ ଲଗାଇବା ଆବଶ୍ୟକ ହୋଇଥାଏ।

ବାଉଁଶକୁ ଖଣ୍ଡ ଖଣ୍ଡ କରି କାଟି ଦେବା ପରେ, ଜଲାଲ ସେଥିରୁ ପତଳା ବର୍ଗାକୃତିର ପାତିଆ ବାହାର କରନ୍ତି। ଏଥିରେ ସେ ମାଛଧରା ଜାଲର କଡ଼ ଭାଗ ବୁଣିଥା’ନ୍ତି। ‘‘ପୂର୍ବରୁ ମୁଁ କାଠି (ପତଳା ବାଉଁଶ ପାତିଆ) ବୁଣିବା ଲାଗି ଝୋଟ ବ୍ୟବହାର କରୁଥିଲି କିନ୍ତୁ ଏବେ ପ୍ଲାଷ୍ଟିକ ରଶି ବ୍ୟବହାର କରୁଛି କାରଣ ଆମ ଅଞ୍ଚଳରେ ଆଉ ଝୋଟ ଚାଷ ହେଉ ନାହିଁ।’’

PHOTO • Mahibul Hoque
PHOTO • Mahibul Hoque

ବାମ: ଘରକୁ ବାଉଁଶ ଆଣିବା ପରେ ଜଲାଲ ସାବଧାନତା ପୂର୍ବକ ନିର୍ଦ୍ଦିଷ୍ଟ ଲମ୍ବର ଗଣ୍ଠି ବ୍ୟବଧାନକୁ ବାଛନ୍ତି, ଏହା ୧୮ରୁ ୨୮ ଇଞ୍ଚ ମଧ୍ୟ ହୋଇଥିଲେ ଭଲ। ଏଥିରେ ସେ ଚିକ୍କଣ ପୃଷ୍ଠ ଥିବା ପତଳା, ବର୍ଗାକୃତିର ପାତିଆ ତିଆରି କରନ୍ତି। ଏସବୁ ପାତିଆ ବେଣୀ ଭଳି ଜାଲ ବୁଣିବା ପ୍ରକ୍ରିୟାକୁ ସହଜ କରିଥାଏ ଏବଂ ବାଉଁଶ ମାଛ ଜାଲକୁ ଏକ ସୁନ୍ଦର ସମାନତାଯୁକ୍ତ ଆକାର ମିଳିଥାଏ। ଡାହାଣ: ‘ମୁଁ ନିଜ ଆଙ୍ଗୁଠିକୁ ଉପଯୋଗ କରି କାଠିଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଗଣିଥାଏ। ଲମ୍ବା ଧାର ପାଇଁ ୨୮୦ ବାଉଁଶ ପାତିଆ ଆବଶ୍ୟକ। ଦାର୍କି ର ପ୍ରସ୍ଥ ପାଖାପାଖି ଅଧ ଚାଖଣ୍ଡେ (୬ରୁ ୯ ଇଞ୍ଚ) ହୋଇଥାଏ। ଏଥିପାଇଁ ମୁଁ ୧୫ରୁ ୨୦ଟି ମୋଟା ଆୟତାକାର ବାଉଁଶ ପାତିଆ ବ୍ୟବହାର କରିଥାଏ ଯାହାଫଳରେ ଏହା ମାଟିର ଚାପକୁ ସହି ପାରିବ,’ ଜଲାଲ କୁହନ୍ତି

PHOTO • Mahibul Hoque
PHOTO • Mahibul Hoque

ବାମ: ‘ଟୋଲିରେ କଡ଼ ଭାଗଗୁଡ଼ିକୁ ବାନ୍ଧିବା ପରେ, ମୁଁ କଡ଼ ଭାଗରେ ଚାଲ୍‌ ବାନ୍ଧିଥାଏ,’ ଜଲାଲ କୁହନ୍ତି। ‘ତା’ପରେ ମୋତେ ପାରା (ଯେଉଁ ବାଟ ଦେଇ ମାଛ ଜାଲ ଭିତରକୁ ପ୍ରବେଶ କରିଥା’ନ୍ତି) ତିଆରି କରିବାକୁ ହୁଏ। ଦାର୍କିଗୁଡ଼ିକରେ ସାଧାରଣତଃ ତିନୋଟି ପାରା ଥାଏ ଏବଂ ସେପ୍ପାରେ ଦୁଇଟି ଥାଏ। ଡାହାଣ: ସବୁଠୁ ଭଲ ଆକାରର ଦାର୍କିର ଲମ୍ବ ୩୬ ଇଞ୍ଚ, ପ୍ରସ୍ଥ ୯ ଇଞ୍ଚ ଏବଂ ଉଚ୍ଚତା ୧୮ ଇଞ୍ଚ ହୋଇଥାଏ। ସେପ୍ପାର ମଝି ଭାଗ ପ୍ରାୟ ୧୨ରୁ ୧୮ ଇଞ୍ଚ ଉଚ୍ଚ ହୋଇଥାଏ

ଜଲାଲଙ୍କୁ ୧୮ କିମ୍ବା ୨୭ ଇଞ୍ଚ ଉଚ୍ଚର ୪୮୦ଟି ବର୍ଗାକୃତିର ବାଉଁଶ ପାତିଆ ତିଆରି କରିବାକୁ ହୁଏ। ‘‘ଏହା ଅତି ଶ୍ରମସାଧ୍ୟ କାର୍ଯ୍ୟ,’’ ସେ କୁହନ୍ତି। ‘‘ କାଠି ର ଆକାର ଓ ଆକୃତି ସମାନ ହେବା ଉଚିତ୍‌ ଏବଂ ତାହା ଅତି ଚିକ୍କଣ ହୋଇଥିବା ଆବଶ୍ୟକ। ନହେଲେ ବୁଣା ହୋଇଥିବା କଡ଼ ଭାଗଗୁଡ଼ିକ ସମାନ ହେବ ନାହିଁ।’’ ଏହାକୁ କରିବା ପାଇଁ ତାଙ୍କୁ ଅଧା ଦିନ ସମୟ ଲାଗେ।

ମାଛମାନେ ଯେଉଁ ବାଟ ଦେଇ ଜାଲ ଭିତରକୁ ପ୍ରବେଶ କରିଥା’ନ୍ତି ସେହି ଭାଗ ତିଆରି କରିବା ସବୁଠୁ କଷ୍ଟକର କାମ। ‘‘ପ୍ରାୟ ୮୦ ଟଙ୍କା ମୂଲ୍ୟର ଗୋଟିଏ ବାଉଁଶରୁ ମୁଁ ଚାରିଟି ବାଏର୍‌ ତିଆରି କରିପାରିବି ଏବଂ ପ୍ଲାଷ୍ଟିକ ରଶି ଦାମ୍‌ ପ୍ରାୟ ୩୦ ଟଙ୍କା,’’ ଜଲାଲ କୁହନ୍ତି। ସେ ବୁଣୁଥିବା ଦାର୍କୀ ଉପରି ଭାଗ ମୁଣ୍ଡକୁ କ୍ରମାଗତ ଭାବେ ବୁଣିବା ପାଇଁ ସେ ଦାନ୍ତରେ ଗୋଟିଏ ଆଲୁମିନିୟମ ତାରକୁ ଚାପି ଧରିଥା’ନ୍ତି।

ବାଉଁଶ ପାତିଆକୁ ବେଣୀ ଆକାରରେ ଛନ୍ଦିବା ଏବଂ ଗଣ୍ଠି ପକାଇବା ଲାଗି ଚାରି ଦିନ ପର୍ଯ୍ୟନ୍ତ କଠିନ ପରିଶ୍ରମ କରିବାକୁ ହୁଏ। ‘‘ରଶି ଏବଂ ବାଉଁଶ ପାତିଆରୁ ଆପଣ ଦୃଷ୍ଟି ହଟେଇ ପାରିବେ ନାହିଁ। ଯଦି ଆପଣ ଗୋଟିଏ ରଡ୍‌କୁ ବେଣୀ ପରି ଛନ୍ଦିବାରୁ ବିଚ୍ୟୁତ ହୁଅନ୍ତି, ତା’ହେଲେ ଦୁଇଟି ବାଉଁଶ ପାତିଆ ଗୋଟିଏ ଗଣ୍ଠିରେ ପ୍ରବେଶ କରିଯିବ ଏବଂ ଆପଣଙ୍କୁ ସେହି ସ୍ଥାନ ପର୍ଯ୍ୟନ୍ତ ପୁଣିଥରେ ଖୋଲିବାକୁ ହେବ ଏବଂ ଛନ୍ଦିବା ପ୍ରକ୍ରିୟାକୁ ପୁଣିଥରେ କରିବାକୁ ହେବ,’’ ସେ କହିଥା’ନ୍ତି। ‘‘କେବଳ ଦୃଢ଼ତା ଜରୁରୀ ନୁହେଁ ବରଂ ଠିକ୍‌ ଜାଗାରେ ନିଖୁଣ ଭାବେ ବେଣୀ ପରି ଛନ୍ଦିବା ଓ ଗଣ୍ଠି ପକାଇବା ଗୁରୁତ୍ୱପୂର୍ଣ୍ଣ। ଧ୍ୟାନ ଦେଇ ବୁଣିଲେ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଝାଳ ବୋହିଥାଏ’’।

କମ୍‌ ବର୍ଷା ଏବଂ ମାଛ ସଂଖ୍ୟା କମିବା କାରଣରୁ, ଜଲାଲ ତାଙ୍କ କାରିଗରୀକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ‘‘ଏତେ ଅଧିକ ଧୈର୍ଯ୍ୟ ଓ ଦୃଢ଼ତା ଆବଶ୍ୟକ ହେଉଥିବା କୌଶଳକୁ କିଏ ଦେଖିବ ଓ ଶିଖିବାକୁ ଚାହିଁବ?’’ ସେ ପ୍ରଶ୍ନ କରନ୍ତି।

ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନଠାରୁ ମିଳୁଥିବା ଅନୁଦାନ ସହାୟତାରେ ଏହି କାହାଣୀ ପ୍ରସ୍ତୁତ କରାଯାଇଛି।

ଅନୁବାଦ : ଓଡ଼ିଶାଲାଇଭ୍‍

Mahibul Hoque

ମାହିବୁଲ ହକ୍‌ ଆସାମରେ ରହୁଥିବା ଜଣେ ମଲ୍ଟିମିଡିଆ ସାମ୍ବାଦିକ ଏବଂ ଗବେଷକ। ସେ ୨୦୨୩ର ପରୀ-ଏମଏମଏଫ ଫେଲୋ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Mahibul Hoque
Editor : Priti David

ପ୍ରୀତି ଡେଭିଡ୍‌ ପରୀର କାର୍ଯ୍ୟନିର୍ବାହୀ ସମ୍ପାଦିକା। ସେ ଜଣେ ସାମ୍ବାଦିକା ଓ ଶିକ୍ଷୟିତ୍ରୀ, ସେ ପରୀର ଶିକ୍ଷା ବିଭାଗର ମୁଖ୍ୟ ଅଛନ୍ତି ଏବଂ ଗ୍ରାମୀଣ ପ୍ରସଙ୍ଗଗୁଡ଼ିକୁ ପାଠ୍ୟକ୍ରମ ଓ ଶ୍ରେଣୀଗୃହକୁ ଆଣିବା ଲାଗି ସ୍କୁଲ ଓ କଲେଜ ସହିତ କାର୍ଯ୍ୟ କରିଥାନ୍ତି ତଥା ଆମ ସମୟର ପ୍ରସଙ୍ଗଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଯୁବପିଢ଼ିଙ୍କ ସହ ମିଶି କାମ କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Priti David
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE