‘‘ଆମ ପିଢ଼ି ପାଇଁ ଭେଡ଼ବକ୍ରି ଚରାନା (ପଶୁପାଳନ) ଏକ କଷ୍ଟକର କାମ,’’ ଭୋରଥାଏନ ଗ୍ରାମର ଉପରମୁଣ୍ଡରେ ଥିବା ଏକ ଉପାନ୍ତ ବସତି ପେହଲିର ଜଣେ ବକରୱାଲ ଯୁବକ ତାଲିବ କସାନା କୁହନ୍ତି । ସେ ଦୂରସ୍ଥ ଶିକ୍ଷା ମାଧ୍ୟମରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରୁଛନ୍ତି।
ବକରୱାଲମାନେ ହେଉଛନ୍ତି ଏକ ପଶୁପାଳକ ସମୁଦାୟ, ସେମାନେ ନିଜ ଗୃହପାଳିତ ପଶୁଙ୍କ ପାଇଁ ଚାରଣ ଭୂମି ସନ୍ଧାନରେ ଦଳବଦ୍ଧ ହୋଇ ହିମାଳୟର ବିଭିନ୍ନ ସ୍ଥାନରେ ଘୂରି ବୁଲିଥାନ୍ତି। ତାଲିବ କୁହନ୍ତି, ‘‘ଥରେ ଆମର ଗାଁରେ ରହିବା ଏବଂ ମେଣ୍ଢା ଚରାଇବା ପରିବର୍ତ୍ତେ ପାଠ ପଢ଼ିବାର ଅଭ୍ୟାସ ହୋଇଯିବା ପରେ, ଆମ ଭିତରେ ଅନ୍ୟାନ୍ୟ ଆଗ୍ରହ ମଧ୍ୟ ଜନ୍ମ ନେଇଛି... ଯେମିତି କି ଆମେ ବନ୍ଦ ଶୌଚାଳୟ ଚାହୁଁଛୁ କିମ୍ବା ଗୋଟିଏ ସ୍ଥାନରେ ପାଠ ପଢ଼ିବା ଲାଗି ସକ୍ଷମ ହେଉଛୁ।’’
ଜାମ୍ମୁର କାଠୁଆ ଜିଲ୍ଲାରେ ଏକ ଛୋଟିଆ ବକରୱାଲ ବସ୍ତିରେ ତାଲିବ ରୁହନ୍ତି। ଏହା ଏକ ଅର୍ଦ୍ଧ-ସ୍ଥାୟୀ ଜନବସତି, ଏବଂ ଏଠାକାର କୌଣସି ବାସିନ୍ଦାଙ୍କ ନିକଟରେ ଜମି ଅଧିକାର ନାହିଁ ।
ଗତ ଏକ ଦଶନ୍ଧି ମଧ୍ୟରେ, ଏହି ଅର୍ଦ୍ଧ-ଯାଯାବର ସମୁଦାୟର ବହୁ ଯୁବକଯୁବତୀ ସେମାନଙ୍କର ପାରମ୍ପରିକ ପଶୁପାଳନ ଜୀବନ ଠାରୁ ଦୂରେଇ ଯାଇ ଉଚ୍ଚ ଶିକ୍ଷା ଗ୍ରହଣ କରୁଛନ୍ତି । ସେମାନେ ଡାକ୍ତରୀ କିମ୍ବା ଇଞ୍ଜିନିୟରିଂ ନଚେତ୍ ସେମାନଙ୍କ ପାଖରେ ଟଙ୍କା ଥିଲେ ରାଜନୀତି ଏବଂ ପ୍ରଶାସନିକ ସେବା ଚାକିରି କ୍ଷେତ୍ରରେ କ୍ୟାରିୟର ସନ୍ଧାନ କରୁଛନ୍ତି ।
ଗୋଟିଏ ବକରୱାଲ ପରିବାରରେ ଦୁଇ ପୁଅ ଥିଲେ, ଜଣେ ମେଣ୍ଢା ଚରାଇବେ ଏବଂ ଆଉ ଜଣେ ବାହାର କାମ କରିବେ ବୋଲି ଧରି ନିଆଯାଏ। ତାଲିବ କାସନା ନିଜର ପାଠପଢ଼ା ଜାରି ରଖିବାକୁ ଚାହୁଁଛନ୍ତି, କିନ୍ତୁ ତାଙ୍କର ସାନ ଭାଇ ମେଣ୍ଢା ଚରେଇବା ପ୍ରତି ଆଗ୍ରହୀ ନୁହନ୍ତି ଏବଂ ସେ ମଧ୍ୟ ବାହାର କାମରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି । କିନ୍ତୁ ତାଙ୍କ ଭାଇ ଚେତାଇ ଦେଇ କୁହନ୍ତି, ‘‘ଆମ ଭଳି ଲୋକଙ୍କ ପାଇଁ କୌଣସି ଚାକିରି ନାହିଁ।’’














