“ପଢ଼ାପଢ଼ି କରିବାକୁ ମୋର ଧୈର୍ଯ୍ୟ ନଥିଲା,” ନଭେମ୍ବର ମାସର ଏକ ମନୋରମ ସନ୍ଧ୍ୟାରେ ମାଜୁଲିର ଏକ କ୍ଷୁଦ୍ର ସହର ଗଡ଼ମୁର ରାସ୍ତାରେ ଚାଲୁ ଚାଲୁ ପାର୍ଥ ପ୍ରତିମ ବରୁଆ ମୋତେ କହିଲେ। କଥା ଆଗକୁ ବଢ଼ାଇ ସେ କହନ୍ତି, “ମୁଁ ଜାଣିଥିଲି, ପାଠ ପଢ଼ିଲେ ବି ମୋତେ ଚାକିରିଟିଏ ମିଳିବ ନାହିଁ।” ୧୬ ବର୍ଷ ବୟସର ଏହି କିଶୋର ଜଣକ ଜିଲ୍ଲାର ଗଡ଼ମୁର ସାରୁ ସତ୍ରର ଜଣେ ଯୁବ ଗାୟନ-ବାୟନ
ସତ୍ରିୟା ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ, ଗାୟନ-ବାୟନ ହେଉଛି ଏକ ଧାର୍ମିକ ଲୋକନାଟ୍ୟ କଳା। ମୁଖ୍ୟତଃ ଆସାମର ବିଭିନ୍ନ ସତ୍ରରେ (ବୈଷ୍ଣବ ମଠରେ) ପରିବେଷିତ ହୁଏ। ଏଥିରେ ଗୀତ ଗାଉଥିବା ଗାୟକମାନଙ୍କୁ ଗାୟନ କୁହାଯାଏ ଏବଂ ସେମାନେ ମଧ୍ୟ ତାଲ (ଝାଞ୍ଜ) ବଜାନ୍ତି। ଆଉ ଯେଉଁମାନେ ଖୋଳ ଏବଂ ବଂଶୀ ଭଳି ବାଦ୍ୟଯନ୍ତ୍ର ବଜାନ୍ତି ସେମାନଙ୍କୁ ବାୟନ କୁହାଯାଏ। ମାଜୁଲିରେ ଗାୟନ କିମ୍ବା ବାୟନ ଏକ ବୃତ୍ତି ନୁହେଁ, ବରଂ ଏକ ପରମ୍ପରା, ଯାହା ସେମାନଙ୍କ ପରିଚୟର ଏକ ଅଂଶ ବୋଲି ଲୋକେ ଗର୍ବ କରନ୍ତି।
“ମୁଁ ଯଦି ସ୍କୁଲ ପଢ଼ା ଶେଷ କରି ଚାକିରିଟିଏ ପାଇପାରେ ନାହିଁ, ଯଦି ତାହା ମୋ ଭାଗ୍ୟରେ ନାହିଁ, ତେବେ ମୁଁ କ’ଣ ବା କରିବି?” ନିର୍ଲିପ୍ତ ଏବଂ ବାସ୍ତବତା ଭରା ସ୍ୱରରେ ପ୍ରଶ୍ନ କରନ୍ତି ପାର୍ଥ। ସେ ୧୨ଶ ଶ୍ରେଣୀ ପରୀକ୍ଷା ଦେବା ପରେ ସଙ୍ଗୀତରେ ବୃତ୍ତିଗତ ଭବିଷ୍ୟତ ଗଢ଼ିବାକୁ ମନ ବଳାଇଛନ୍ତି। ତାଙ୍କ ବଡ଼ ଭଊଣୀ ଉତ୍ତର ପ୍ରଦେଶର ଏକ ଗାଁରେ ସଙ୍ଗୀତ ଶିକ୍ଷୟିତ୍ରୀ ଭାବରେ କାମ କରୁଛନ୍ତି।
ସେ କହନ୍ତି, “ମୋର ଏହି ଇଚ୍ଛାକୁ (ଗୁଆହାଟୀର ଏକ ସଙ୍ଗୀତ ବିଦ୍ୟାଳୟରେ ନାମ ଲେଖାଇବାକୁ) ମୋ ବାପାମାଆ ବି ସମର୍ଥନ କରନ୍ତି। ସେହି ସମର୍ଥନ ବି ବଡ଼କଥା। ତା’ ନଥିଲେ ମୁଁ ସଙ୍ଗୀତରେ କିପରି ଆଗକୁ ବଢ଼ିବି ?” ତାଙ୍କ ବାପା ଚାଉଳ ଓ ଜାଳେଣି କାଠର ଛୋଟମୋଟ ବ୍ୟବସାୟ କରନ୍ତି ଏବଂ ସେ ପାର୍ଥଙ୍କ କଥାରେ ସଂପୂର୍ଣ୍ଣ ରାଜି ହୋଇଛନ୍ତି। ହେଲେ ତାଙ୍କ ମାଆ ଏଥିରେ ସେତେଟା ଖୁସି ନୁହଁନ୍ତି। ପଢ଼ାପଢ଼ି ପାଇଁ ପାର୍ଥ ଘର ଛାଡ଼ି ବହୁ ଦୂରକୁ ଯିବା କଥାକୁ ସେ ପସନ୍ଦ କରନ୍ତିନି।
କଳା ପରିବେଷଣ ସମୟରେ କଳାକାର ପାର୍ଥ ଧୋବ ଫରଫର କୁର୍ତ୍ତା, ଧୋତି ଓ ମୁଣ୍ଡରେ ସ୍ଥାନୀୟ ଭାଷାରେ ପାଗ ବୋଲି କୁହାଯାଉଥିବା ପଗଡ଼ି ପିନ୍ଧନ୍ତି ଏବଂ ଦେହରେ ସେଲେଙ୍ଗ କୁହାଯାଉଥିବା ଚାଦର ପକାନ୍ତି। ଏହା ସହିତ କଳାକାରମାନେ ଗଳାରେ ମୋଟାମନି ନାମକ ମାଳିର ହାର ପିନ୍ଧନ୍ତି ଏବଂ କପାଳରେ ଚନ୍ଦନର ତିଳକ ବା ଟୋପା ଲଗାନ୍ତି।
କଳା ପରିବେଷଣର ଅବ୍ୟବହିତ ପୂର୍ବରୁ ଯେଉଁ ସବୁ ଯୁବ କଳାକାରଙ୍କୁ ମୁଁ ସାକ୍ଷାତ କରିଥିଲି, ସେମାନଙ୍କ ଭିତରୁ ପାର୍ଥ ଜଣେ। ମଞ୍ଚର ପୃଷ୍ଠଭାଗରେ, ସେମାନଙ୍କ ଭିତରେ ଦୃଢ଼ ଆତ୍ମବିଶ୍ୱାସ ପରିଲକ୍ଷିତ ହୁଏ ଏବଂ ସେମାନେ ପାଗ ବାନ୍ଧିବାରେ ଏବଂ ପିନ୍ ସହାୟତାରେ ସେଲେଙ୍ଗ ଲଗାଇବାରେ ପରସ୍ପରକୁ ସାହାଯ୍ୟ କରନ୍ତି।




























