କରଚୁଙ୍ଗ ଯେତେବେଳେ ମୋନ୍ପା ବିବାହ ସମାରୋହରେ ଗୀତ ଗାଇଥା’ନ୍ତି, ସେ ନିଜର ସେବା ପାଇଁ ରନ୍ଧା ହୋଇଥିବା ଛୁଆ ମେଣ୍ଢା ମାଂସର ଗୋଟିଏ ଭାଗ ନେଇଥା’ନ୍ତି। ତାଙ୍କର ସଙ୍ଗୀତ ବିବାହ ସମାରୋହ ପାଇଁ ସମ୍ମାନଜନକ ହୋଇଥାଏ, ତେଣୁ କନ୍ୟା ପରିବାର ଲୋକ ତାଙ୍କୁ ଆମନ୍ତ୍ରଣ କରିଥା’ନ୍ତି।
ମୋନପା ସମାଜର ଦୁଇ ଜଣ ସଦସ୍ୟ ବିବାହ କରିବାକୁ ସହମତ ହେବା ପରେ, ଦୁଇ ଦିନିଆ ରୀତିନୀତି ପାଳନ କରାଯାଏ। ଏଥିରେ ବର କନ୍ୟାର ଘରକୁ ଯାଆନ୍ତି ଏବଂ ସେଠାରେ ଏକ ଭବ୍ୟ ଭୋଜିର ଆୟୋଜନ କରାଯାଏ। ପରିବାରର ସବୁ ସଦସ୍ୟ ସେଥିରେ ଯୋଗଦେଇ ସ୍ଥାନୀୟ ମଦ ଆରା ପିଇ ନୃତ୍ୟ କରନ୍ତି । ଏହି ଅବସରରେ କରଚୁଙ୍ଗ କୌଣସି ବାଦ୍ୟଯନ୍ତ୍ର ସହାୟତା ବିନା ଗୀତ ଗାଆନ୍ତି। ପରଦିନ ସାଥୀରେ ନବବଧୂକୁ ନେଇ ବର ଫେରି ଆସନ୍ତି।
କରଚୁଙ୍ଗଙ୍କ ପ୍ରକୃତ ନାମ ରିନଚିନ୍ ତାଶି ଥିଲା, କିନ୍ତୁ ସମୟକ୍ରମେ ସେ ‘କରଚୁଙ୍ଗ’ ନାମରେ ସମ୍ବୋଧିତ ହେଲେ। ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାସ୍ଥିତ ଚାଙ୍ଗପା ରୋଡ୍ ରେ ତାଙ୍କର ଗୋଟିଏ ଛୋଟ ତେଜରାତି ଦୋକାନ ଅଛି। କାମ କରୁଥିବା ସମୟରେ ସେ ରେଡିଓରେ ଲୋକପ୍ରିୟ ଗୀତ ଶୁଣନ୍ତି, ଏଥିରୁ ସଙ୍ଗୀତ ପ୍ରତି ତାଙ୍କର ଆଗ୍ରହ ସ୍ପଷ୍ଟ ରୂପେ ବାରି ହୋଇପଡ଼ିଥାଏ। କରଚୁଙ୍ଗ ମଧ୍ୟ ଆରାକୁ ନେଇ ଗୀତ ଗାଇ ପାରିବେ। ‘‘ମୁଁ ଏହାକୁ ଚାଷ କାମ କରିବା ସମୟରେ କିମ୍ବା ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା କରିବା ବେଳେ ଗାଇଥାଏ।’’
୫୩ ବର୍ଷ ବୟସ୍କ ଏହି ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀ, ପ୍ରେମ୍ ଜୋମ୍ବାଙ୍କ ସହ ରୁହନ୍ତି, ଯାହାଙ୍କୁ ସେ ପରିବାରର ‘ବସ୍’ (ମୂରବୀ) ବୋଲି କୁହନ୍ତି। ଏହି ଉର୍ବର ଉପତ୍ୟାକାରେ ସେମାନଙ୍କର ପ୍ରାୟ ଗୋଟିଏ ଏକର ଜମି ଅଛି ଯେଉଁଥିରେ ପ୍ରେମ୍ ହିଁ ଚାଷ କାମ କରନ୍ତି। ‘‘ଆମେ ଧାନ, ମକା, ବାଇଗଣ, କଣ୍ଟା ବାଇଗଣ, ଲାଇ ସାଗ୍ (ସୋରିଷ ଶାଗ), ପିଆଜ, ଫୁଲକୋବି ଚାଷ କରିଥାଉ।’’ ପରିବାର ଲୋକମାନେ ମୁଖ୍ୟତଃ ଭାତ, ମିଲେଟ୍ ବା ଖଦଡ଼ ଶସ୍ୟ ଓ ପନିପରିବା ଖାଆନ୍ତି, ଏବଂ ବେଳେବେଳେ ଦିରାଙ୍ଗ ବ୍ଲକ ରାମା କ୍ୟାମ୍ପରେ ଥିବା ସାପ୍ତାହିକ ବଜାରରେ ବଳକା ଉତ୍ପାଦ ବିକ୍ରି କରିଥା’ନ୍ତି।





