ଲିମ୍ବଡ଼ି ରାଜପଥ କଡ଼ରୁ କେନା ମେଲି ଆଗକୁ ବଢ଼ିଥିବା ରାସ୍ତାଟି ଲମ୍ବିଯାଇଛି ପ୍ରାୟ ୧୦-୧୨ କିଲୋମିଟର ଦୂର ମୋଟା ଟିମ୍ବଲା ଗାଁ ପର୍ଯ୍ୟନ୍ତ। ଗାଁ ମୁଣ୍ଡରେ ରହିଛି ବଙ୍କରବାସ - ଏହା ସେହି ସ୍ଥାନ, ଯେଉଁଠି ଘର କରି ରହନ୍ତି ଦଳିତ ବୁଣାକାର ସଂପ୍ରଦାୟର ଲୋକେ। ଖଟ୍ ଖଟ୍... ଖଟ୍ ଖଟ୍... ଅଣଓସାରିଆ ରାସ୍ତା ଦୁଇ କଡ଼ରେ ରହିଥିବା ପୁରୁଣାକାଳିଆ ଟାଇଲ୍ ଛାତ, ଏବଂ କେତେକ ଚାଳ ଛପର ଘର ଭିତରୁ ଭାସି ଆସି ପ୍ରତିଧ୍ୱନିତ ହେଉଥାଏ ଶଟଲ୍ ତନ୍ତର ଛନ୍ଦବନ୍ଧା ସ୍ୱର, ଏବଂ ମଝିରେ ମଝିରେ ଶୁଭୁଥାଏ ତନ୍ତ ଧ୍ୱନିର ତାଳରେ ବାଧା ଦେଉଥିବା ମଣିଷର କଣ୍ଠସ୍ୱର। କାନ ଡେରି ଶୁଣନ୍ତୁ, ଆପଣ ଏଠାରୁ ଖଟଣିର ଶବ୍ଦ ବି ଶୁଣିପାରିବେ। ଆଉ ଟିକେ ପାଖରୁ ଶୁଣନ୍ତୁ, ଏବଂ ହୁଏତ ଆପଣ ଏକ ସୂକ୍ଷ୍ମ ଓ ଜଟିଳ ବୁଣାକାମର ଆଢୁଆଳରେ ଛପି ରହିଥିବା ଦୁଃଖ ଓ ଅନୁତାପରେ ଭରା ସେହି ସ୍ୱରକୁ ବି ଶୁଣିପାରିବେ.. ରାପ୍..ଟ୍ରାପ୍..ରାପ୍... ଯାହାକି, ରେଖା ବେନ୍ ବାଘେଲାଙ୍କ ଜୀବନ କାହାଣୀର ଉପକ୍ରମ ଭଳି।
“ଅଷ୍ଟମ ଶ୍ରେଣୀରେ ମୋର ଅତି ବେଶିରେ ତିନି ମାସ ହୋଇଥାଏ। ମୁଁ ଲିମ୍ବଡ଼ିର ଗୋଟିଏ ଛାତ୍ରୀ ନିବାସରେ ରହୁଥିଲି ଏବଂ ପ୍ରଥମ ସ୍କୁଲ ପରୀକ୍ଷା ଦେଇ ଘରକୁ ଆସିଥିଲି। ସେହି ସମୟରେ ମୋ ମାଆ କହିଲେ କି ମୁଁ ଆଉ ଆଗକୁ ପଢ଼ିବା ଲାଗି ଯିବି ନାହିଁ। ମୋ ବଡ଼ଭାଇ, ଗୋପାଲ ଭାଇଙ୍କୁ ସାହାଯ୍ୟ କରିବା ଦରକାର। ଜୀବିକା ଅର୍ଜନ ଲାଗି ପୂର୍ବରୁ ସେ ସ୍ନାତକ ପଢ଼ା ଶେଷ ନ କରି କଲେଜ ଛାଡ଼ି ସାରିଥିଲେ। ମୋ ଦୁଇ ଭାଇଙ୍କ (ପାଠପଢ଼ା ବାବଦ) ଖର୍ଚ୍ଚ ତୁଲାଇବା ଲାଗି ଆମ ପରିବାର ପାଖରେ ପଇସା ନଥିଲା। ଏମିତି ଭାବରେ ମୁଁ ପାଟୋଲା କାମ ଆରମ୍ଭ କଲି।” ରେଖା ବେନ୍ଙ୍କ ଶବ୍ଦ ସବୁ ସ୍ପଷ୍ଟ, ଅଥଚ ଶାଣିତ, ଦାରିଦ୍ର୍ୟର ପଥରରେ ଶାଣଦିଆ ଅନ୍ୟ ସବୁ କଥା ଭଳି। ଏବେ, ବୟସର ୪୦ ଦଶକରେ, ସେ ହିଁ ଗୁଜରାଟର ସୁରେନ୍ଦ୍ରନଗର ଜିଲ୍ଲା ଅନ୍ତର୍ଗତ ମୋଟା ଟିମ୍ବଲା ଗାଁର ପ୍ରବୀଣ ବୁଣାକାର।
“ମୋ ସ୍ୱାମୀ ମଦ, ଜୁଆ, ପାନ ମସଲା, ଟବାକୋ ନିଶାରେ ବୁଡ଼ି ରହୁଥିଲେ,” ତାଙ୍କ ବିବାହ ପରବର୍ତ୍ତୀ ଜୀବନର ଅଡୁଆ ସୂତାରୁ ଆଉ ଗୋଟିଏ ଖିଅ ଧରି ସେ କହନ୍ତି। ସେହି ଦୁଃଖଭରା ଜୀବନ। ଅନେକ ସମୟରେ ସେ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ବାପାମାଆଙ୍କ ଘରକୁ ପଳାଇ ଯାଆନ୍ତି, ହେଲେ ପୁଣି ତାଙ୍କୁ ଫେରିବା ପାଇଁ ମନେଇ ଦିଆଯାଏ। ଦୟନୀୟ ଅବସ୍ଥାରେ ଦିନ କଟୁଥିଲା। ତଥାପି, ସେ ସବୁକୁ ସେ ସହିଛନ୍ତି। “ସେ ଭଲ ଚରିତ୍ରର ମଣିଷ ନଥିଲେ,” ଏବେ ସେ କହନ୍ତି।
“ବେଳେବେଳେ ସେ ମୋତେ ମାଡ଼ ମାରୁଥିଲେ, ଏମିତି କି ମୁଁ ଗର୍ଭବତୀ ଥିବା ବେଳେ ବି,” ସେ କହନ୍ତି। ତାଙ୍କ କଣ୍ଠସ୍ୱରରୁ ବାରି ହୋଇପଡ଼େ ସେହି କ୍ଷତର ଯନ୍ତ୍ରଣା, ଯାହା ଏବେ ବି ତାଙ୍କ ମନରେ ସତେଜ ହୋଇ ରହିଛି। “ମୋ ଝିଅ ଜନ୍ମ ହେବା ପରେ ଅନ୍ୟ ଜଣେ ସ୍ତ୍ରୀ ସହିତ ତାଙ୍କ ସଂପର୍କ କଥା ମୁଁ ଜାଣିଲି। ସେମିତି ଅବସ୍ଥାରେ ମୁଁ ବର୍ଷଟିଏ ବିତାଇ ଦେଲି। ସେହି ସମୟରେ (୨୦୧୦ରେ) ଗୋପାଲ ଭାଇ ଦୁର୍ଘଟଣାରେ ପ୍ରାଣ ହରାଇଲେ। ତାଙ୍କର ପାଟୋଲା କାମ ସବୁ ଅଧାରେ ରହିଥିଲା। କାମ ପାଇଁ ଗୋପାଲ ଭାଇଙ୍କୁ ଜିନିଷପତ୍ର ଦେଇଥିବା ବ୍ୟବସାୟୀମାନଙ୍କର ବାକି ଶୁଝିବାର ଥିଲା। ତେଣୁ, ମୁଁ ତା’ ପରର ପାଞ୍ଚ ମାସ ପାଇଁ ସେଠାରେ (ମାଆବାପାଙ୍କ ଘରେ) ଅଟକି ଗଲି ଏବଂ ତାଙ୍କର ବାକି କାମ ଶେଷ କଲି। ତା’ପରେ ମୋ ସ୍ୱାମୀ ମୋତେ ନେଇଯିବାକୁ ଆସିଲେ,” ସେ କହନ୍ତି।
ଖୁସିରେ ଅଛନ୍ତି ବୋଲି ଭାବି ନିଜକୁ ନିଜେ ଠକିବାରେ, ଛୋଟ ଝିଅଟିର ଯତ୍ନ ନେବାରେ ଏବଂ ଅନ୍ତରର ଯନ୍ତ୍ରଣାକୁ ଅନ୍ତରରେ ଲୁଚାଇ ରଖି ସହି ନେବାରେ ତାଙ୍କର ଆଉ କିଛି ବର୍ଷ ବିତିଗଲା। “ଶେଷରେ, ମୋ ଝିଅକୁ ସାଢ଼େ ଚାରି ବର୍ଷ ହେବା ବେଳକୁ ଆଉ ମୁଁ ସେ ଅତ୍ୟାଚାର ସହି ପାରିଲିନି, ଛାଡ଼ି ପଳାଇଲି,’ ରେଖା ବେନ୍ କହନ୍ତି। ପିଲାଦିନେ ସ୍କୁଲପଢ଼ା ଛାଡ଼ି ପାଟୋଲା ବୁଣାକାମରେ ସେ ଯେଉଁ ଦକ୍ଷତା ହାସଲ କରିଥିଲେ, ତାହା ଶାଶୁଘର ଛାଡ଼ି ଯିବା ପରେ ତାଙ୍କ କାମରେ ଲାଗିଲା। ଦାରିଦ୍ର୍ୟର ତାଡ଼ନାରେ ଅସ୍ତବ୍ୟସ୍ତ ଜୀବନର ତିକ୍ତ ଓ ତୀକ୍ଷ୍ଣ ଅନୁଭୂତିକୁ ଦୂର କରିବାରେ ଏହା ସହାୟକ ହେଲା ଏବଂ ତାହାରି ବଳରେ ସେ ଏକ ନୂଆ ଜୀବନ ଆରମ୍ଭ କଲେ। ଏଥର ସଶକ୍ତ ଜୀବନଟିଏ।


















