ସୁକୁମାର ବିଶ୍ୱାସ ଜଣେ ସାଧାରଣ ପଇଡ଼ ବିକାଳି ନୁହଁନ୍ତି। ତୃଷାର୍ତ୍ତ ଗ୍ରାହକଙ୍କ ପାଇଁ ପଇଡ଼ କାଟିବା ବେଳେ ବି ସଙ୍ଗୀତ ପ୍ରତି ତାଙ୍କର ଅନୁରାଗ ଥମି ଯାଏ ନାହିଁ- “ମୁଁ ଖାଦ୍ୟ ବିନା ବଞ୍ଚି ପାରିବି ସତ, ହେଲେ ଗୀତ ଗାଇବା ବିନା ନୁହେଁ”। ଶାନ୍ତିପୁରର ଲଙ୍କାପାଡ଼ା ଏବଂ ଆଖପାଖ ଅଞ୍ଚଳରେ ‘ଡାବଦାଦୁ’ (ପଇଡ଼ ଜେଜେ) ନାଁରେ ସେ ସୁପରିଚିତ।
ଏହି ୭୦ ବର୍ଷୀୟ ବ୍ୟକ୍ତି ଜଣଙ୍କ ଆପଣଙ୍କ ପାଇଁ ପଇଡ଼ କାଟି ଦିଅନ୍ତି, ସେଥିରେ ଷ୍ଟ୍ର ପୂରାଇ ହାତକୁ ବଢ଼ାଇ ଦିଅନ୍ତି, ଆଉ ଆପଣ ପିଇ ସାରିବା ପରେ, ପଇଡ଼ର ଖୋଳକୁ କାଟି, ତା ଭିତରୁ କୋମଳ ନାଳି ବାହାର କରି ଆପଣଙ୍କୁ ଦିଅନ୍ତି ଏବଂ ଏ ସବୁ କରିବା ସମୟରେ ସେ ଲୋକଗୀତ ଗାଇ ଚାଲିଥାଆନ୍ତି। ସେ ଗାଆନ୍ତି, ରହସ୍ୟବାଦୀ ଲାଲୁନ ଫକୀର, ସଙ୍ଗୀତଜ୍ଞ ଶାହ ଅବଦୁଲ କରିମ, ଭବା ଖ୍ୟାପା ଏବଂ ଅନ୍ୟମାନଙ୍କ ଦ୍ୱାରା ସଂଯୋଜିତ ଗୀତ। ସେ କହନ୍ତି ଯେ ଏହି ସବୁ ଗୀତ ଭିତରୁ ହିଁ ସେ ନିଜ ଜୀବନର ଅର୍ଥ ଖୋଜି ପାଆନ୍ତି। ‘ପରୀ’ ପାଇଁ ଏହି ସବୁ ଗୀତରୁ ଗୋଟିଏ ଉଦ୍ଧୃତ ପଦର ସଂକ୍ଷିପ୍ତ ବ୍ୟାଖ୍ୟା କରନ୍ତି ସେ: “ସତ୍ୟ କ’ଣ ବୋଲି ଜାଣିପାରିଲେ ହିଁ ଆମେ ସତ୍ୟ ନିକଟରେ ପହଞ୍ଚି ପାରିବା। ସତ୍ୟକୁ ଜାଣିବା ଲାଗି ଆମକୁ ନିଜ ମନ ଭିତରେ ସାଧୁତା ଧାରଣ କରିବାକୁ ହେବ। ଅସାଧୁତା କବଳରୁ ମୁକ୍ତି ପାଇଲେ ହିଁ ଆମେ ଅନ୍ୟମାନଙ୍କୁ ଭଲ ପାଇବାରେ ସକ୍ଷମ ହେବା।”
ତାଙ୍କ ଟୋଲି (ତିନିଚକିଆ ସାଇକେଲରେ ଲାଗିଥିବା ଡାଲା) ଚଲାଇ ସେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ସମୟରେ ବି ଗାଇ ଚାଲିଥାଆନ୍ତି। ତାଙ୍କ ଗୀତ ଶୁଣିଲେ ହିଁ ସେ ସେହି ଅଞ୍ଚଳକୁ ଆସିଗଲେ ବୋଲି ଲୋକେ ଜାଣିଯାଆନ୍ତି।
ଗ୍ରାହକମାନଙ୍କ ସହିତ ତାଙ୍କ କାରବାର ଅବ୍ୟାହତ ରଖି ସେ କହନ୍ତି, “ଏମିତି ଲୋକ ବି ଅଛନ୍ତି ଯେଉଁମାନେ ପଇଡ଼ କିଣନ୍ତି ନାହିଁ, କେବଳ ମୋ ଗୀତ ଶୁଣିବା ଲାଗି କିଛି ସମୟ ଠିଆ ହୋଇଯାଆନ୍ତି। ସେମାନଙ୍କୁ କିଣିବାକୁ ପଡ଼େ ନାହିଁ। ବେଶୀ ବିକ୍ରି ହେଉ ବୋଲି ମୁଁ ଆଶା କରେନି। ସେତିକିରେ ମୁଁ ଖୁସି।”
ସୁକୁମାରଙ୍କ ଜନ୍ମ ବାଂଲାଦେଶର କୁଷ୍ଟିୟା ଜିଲ୍ଲାରେ। ସେଠାରେ ତାଙ୍କ ବାପା ମାଛ ଧରୁଥିଲେ ଏବଂ ମାଛ ପଡୁ ନଥିବା ଋତୁରେ ଦିନ ମଜୁରିଆ ଭାବେ କାମ କରି ଜୀବିକା ନିର୍ବାହ କରୁଥିଲେ। ୧୯୭୧ରେ ବାଂଲାଦେଶରେ (ସେ ସମୟରେ ପୂର୍ବ ପାକିସ୍ତାନ ନାମରେ ପରିଚିତ) ଯୁଦ୍ଧ ସମୟରେ ବହୁସଂଖ୍ୟକ ଲୋକ ଭାରତରେ ଶରଣାର୍ଥୀ ଭାବରେ ଆଶ୍ରୟ ନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ସୁକୁମାର। ସେ କହନ୍ତି, “ଏ ଦେଶକୁ ଆସିବା ସମୟରେ ଆମେ ସମସ୍ତଙ୍କ ପାଇଁ ଶରଣାର୍ଥୀ ଥିଲୁ। ଅଧିକାଂଶ ଲୋକ ଆମକୁ ଦୟାଭାବ ସହିତ ଦେଖୁଥିଲେ।” ସେମାନେ ଭାରତକୁ ଆସିବା ବେଳେ ସାଙ୍ଗରେ କେବଳ ଗୋଟିଏ ମାଛଧରା ଜାଲ ଆଣିପାରିଥିଲେ।
ପ୍ରଥମେ ସୁକୁମାରଙ୍କ ପରିବାର ପଶ୍ଚିମ ବଙ୍ଗର ଶିକାରପୁରରେ ପହଞ୍ଚିଲେ। କିଛି ମାସ ପାଇଁ କ୍ରିଷ୍ଣନଗରରେ ରହିବା ପରେ ଶେଷରେ ସେମାନେ ମୁର୍ଶିଦାବାଦ ଜିଲ୍ଲାର ଜିଆଗଞ୍ଜ-ଅଜୀମଗଞ୍ଜରେ ବସବାସ କଲେ। ଗଙ୍ଗା ନଦୀରେ ତାଙ୍କ ବାପାଙ୍କ ମାଛଧରା ସମୟର କଥା କହିବା ବେଳେ ସୁକୁମାରଙ୍କ ଆଖିରେ ଚମକ ଭରିଯାଉଥିଲା। ମାଛ ଧରିବା ପରେ, “ସେ ସେଠାକାର ବଜାରକୁ ଯାଇ ମାଛ ବିକି ଭଲ ଦି ପଇସା ପାଉଥିଲେ। ଥରେ ସେ ଘରକୁ ଫେରି ଆମକୁ କହିଲେ, ଆମେ ଆଉ ଚିନ୍ତା କରିବା ଦରକାର ନାହିଁ। ସତେ ଯେମିତି ଆମର ଲଟେରି ଉଠିଥିଲା। ମାଛ ବିକ୍ରି କରି ପ୍ରଥମ ଥର ପାଇଁ ଆମକୁ ୧୨୫ ଟଙ୍କା ମିଳିଥିଲା। ସେତେବେଳେ ଏହା ବାସ୍ତବରେ ବହୁତ ଅଧିକ ଥିଲା।”
ବୟସ ବଢ଼ିବା ସହିତ ଅନେକ ଭିନ୍ନ ଭିନ୍ନ ପେସାରେ ସୁକୁମାର କାମ କରିଥିଲେ: ରେଳଗାଡ଼ିରେ ବୁଲାବିକାଳି, ନଈରେ ନାଉରିଆ, ଦିନ ମଜୁରିଆ ଏବଂ ବଂଶୀ ଓ ଦୋତାରା ଭଳି ବାଦ୍ୟଯନ୍ତ୍ର ବି ସେ ତିଆରି କରୁଥିଲେ। ସେ ଯାହା କରନ୍ତୁ ନା କାହିଁକି, କେବେ ବି ଗୀତ ଗାଇବା ବନ୍ଦ କରି ନଥିଲେ। ବାଂଲାଦେଶର ନଦୀକୂଳ ଏବଂ ସବୁଜ କ୍ଷେତରେ ସେ ଶିଖିଥିବା ସବୁ ଗୀତକୁ ଆଜି ମଧ୍ୟ ମନେ ରଖିଛନ୍ତି।
ପଶ୍ଚିମ ବଙ୍ଗର ନଦିଆ ଜିଲ୍ଲା ଅନ୍ତର୍ଗତ ଶାନ୍ତିପୁର ଗାଁରେ ସୁକୁମାର ତାଙ୍କ ପତ୍ନୀଙ୍କ ସହିତ ରହୁଛନ୍ତି। ସେମାନଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଝିଅମାନେ ବାହା ହୋଇସାରିଛନ୍ତି ଏବଂ ପୁଅ ମହାରାଷ୍ଟ୍ରରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି। “ମୁଁ ଯାହା କଲେ ବି ସେମାନେ ସହଜରେ ଗ୍ରହଣ କରିନିଅନ୍ତି, ମୁଁ ଯାହା ମୋତେ ତାହା ହିଁ ରହିବାକୁ ଦିଅନ୍ତି। ସେମାନେ ସବୁବେଳେ ମୋ ସହିତ ସହଯୋଗ କରନ୍ତି। ମୁଁ ମୋର ଦିନକର ରୋଜଗାରକୁ ନେଇ ଆଦୌ ଚିନ୍ତା କରେନି। ମୁଁ ଜନ୍ମ ନେବାର ବହୁ କାଳ ବିତିଗଲାଣି। ମୋର ବିଶ୍ୱାସ ଯେ, ଅବଶିଷ୍ଟ ଜୀବନ ବି ମୁଁ ଏମିତି ବିତାଇ ଦେଇପାରିବି।”
ଅନୁବାଦ: ଓଡ଼ିଶାଲାଇଭ୍