ସନ୍ତୋଷି କୋରି ମାଲିକାନା ସତ୍ତ୍ଵର ନୂଆ ଅନୁଭୂତିକୁ ଉପଭୋଗ କରୁଛନ୍ତି। “ଆମେ ମହିଳାମାନେ କୃଷକ ସମବାୟ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ। ବର୍ତ୍ତମାନ ଗାଁର ପୁରୁଷମାନେ ଏହାକୁ ଏକ ଭଲ ବିଚାର ବୋଲି ମାନୁଛନ୍ତି”, ହସିହସି ସେ କହନ୍ତି।
ସେ ଭୈରାହା ପଞ୍ଚାୟତ ଅନ୍ତର୍ଗତ ଗୁଚରା ପଡ଼ାର ଜଣେ ଦଳିତ ଚାଷୀ, ଯେ କି ପାନ୍ନା ଜିଲ୍ଲାର ୩୦୦ ଆଦିବାସୀ, ଦଳିତ ଓ ଅନ୍ୟ ପଛୁଆ ବର୍ଗର ମହିଳାମାନଙ୍କ ମଧ୍ୟରୁ ଜଣେ – ୨୦୨୪ରେ ଆରମ୍ଭ ହୋଇଥିବା ରୁଞ୍ଜ ମହିଳା ଫାର୍ମର ପ୍ରଡ଼୍ୟୁସର କୋପରେଟିଭ ଲିମିଟେଡ(ଏମଏଫପିଓ) କୁ ଗଢ଼ିବା ପାଇଁ ସଭ୍ୟ ଚାନ୍ଦା ୧,୦୦୦ ଟଙ୍କା ଦେଇଥିଲେ। ରୁଞ୍ଜର ପାଞ୍ଚ ଜଣ ମହିଳା ବୋର୍ଡ ମେମ୍ବରମାନଙ୍କ ମଧ୍ୟରୁ ସନ୍ତୋଷି ହେଉଛନ୍ତି ଜଣେ ଓ ସଭାସମିତିରେ କହିବା ପାଇଁ ଓ ଏ ସମ୍ପର୍କରେ କଥା ପ୍ରସାର କରିବା ପାଇଁ ତାଙ୍କୁ ଡକାଯାଏ।
“ପୂର୍ବରୁ ବିଚୋଲିୟା [ବ୍ୟବସାୟୀ] ଆସି ମିଲ୍ରେ ପ୍ରକ୍ରିୟାକରଣ ହୋଇନଥିବା ଯୋଗୁଁ ଆମ ହରଡ଼ ଡାଲିକୁ କମ୍ ଦାମ୍ରେ ନେଇ ଯାଉଥିଲେ। ପୁଣି ସେ ଠିକ୍ ସମୟରେ ଆସୁ ନଥିଲେ କି ଆମେ କେବେ ବି ଠିକ୍ ସମୟରେ ଆମ ପଇସା ପାଉ ନଥିଲୁ”, ସେ ‘ପରୀ’କୁ କହନ୍ତି। ୪୫-ବର୍ଷୀୟା ସେହି ତିନିଟି ପିଲାଙ୍କ ମା’ ତାଙ୍କ ପରିବାରର ବର୍ଷା-ଜଳ-ନିର୍ଭର ଦୁଇ ଏକର ଜମିରେ ହରଡ଼ ଡାଲି ଚାଷ କରନ୍ତି ଓ ସେ ମଧ୍ୟ ଆଉ ଗୋଟିଏ ଏକର ଭାଗ-ଚାଷ କରିବାକୁ ଠିକାରେ ନେଇଛନ୍ତି। ଆମ ଦେଶର ମାତ୍ର ୧୧ ପ୍ରତିଶତ ମହିଳାଙ୍କ ନିକଟରେ ଜମିର ମାଲିକାନା ସତ୍ତ୍ଵ ରହିଛି ଓ ମଧ୍ୟପ୍ରଦେଶ ସେଥିରୁ କିଛି ଅଲଗା ନୁହେଁ।
ଯମୁନା ନଦୀରେ ପଡ଼ିଥିବା ବାଘେନର ଉପନଦୀ ରୁଞ୍ଜ ନାମରେ ନାମିତ ରୁଞ୍ଜ (ଏମଏଫପିଓ) ହେଉଛି ଅଜୟଗଡ଼ ଓ ପାନ୍ନା ବ୍ଲକ ଅନ୍ତର୍ଗତ ୨୮ଟି ଗାଁର ମହିଳାମାନଙ୍କର ଗୋଟିଏ ସମୁଦାୟ। ମାତ୍ର ଛ’ ମାସ ହେଲା ଗଢ଼ା ହେଇଛି, ତେବେ ୪୦ ଲକ୍ଷ ଟଙ୍କାର ବ୍ୟବସାୟ କଲାଣି ଏବଂ ଆସନ୍ତା ବର୍ଷ ଏହାକୁ ଦୁଇ ଗୁଣା କରିବା ଲକ୍ଷ୍ୟ ରଖିଛି।










