ପିଲାଦିନେ ତାଙ୍କର ବାପା ଓ ଜେଜେବାପା ପୁଅମାନଙ୍କୁ ତାଲିମ ଦେଉଥିବାର ରଜିତା ଝରକା ଫାଙ୍କରେ ଥାଇ ଦେଖୁଥିଲେ। ସେ କାହିଁକି ପୁଅଙ୍କ ଭଳି ତାଲିମ ନେଇପାରିବେ ନାହିଁ ବୋଲି ଭାବୁଥିଲେ। ବିଶେଷ କରି କଣ୍ଢେଇଗୁଡ଼ିକ ଝିଅଟିକୁ ବେଶୀ ଆକର୍ଷିତ କରୁଥିଲା ଏବଂ ପଦଗୁଡ଼ିକର ଅଭିନବ ଲୟ ଶୁଣିବାକୁ ତାଙ୍କୁ ବହୁତ ଭଲ ଲାଗୁଥିଲା।
‘‘କଣ୍ଢେଇ ନାଚ ପ୍ରତି ମୋର ଏପରି ଆଗ୍ରହକୁ ମୋ ଜେଜେବାପା ଦେଖିପାରିଥିଲେ,’’ ୩୩ ବର୍ଷ ବୟସ୍କା ରଜିତା କୁହନ୍ତି, ‘‘ଆଉ ସେ ମୋତେ ଶ୍ଳୋକ ଶିଖାଇବାକୁ ପ୍ରସ୍ତାବ ଦେଲେ।’’
ରଜିତା ପୁଲାୱର ଶୋରନୌରରେ ନିଜ ପାରିବାରିକ ଷ୍ଟୁଡିଓରେ କାଠ ବେଞ୍ଚ ଉପରେ ବସି ତୋଲପାୱାକୁତୁ ସଖୀ କଣ୍ଢେଇର ମୁହଁ ଆକୃତି ଖୋଦେଇ କରୁଛନ୍ତି। ତାଙ୍କ ସାମ୍ନାରେ ଗୋଟିଏ ଡେସ୍କ ଉପରେ ଫୋଡ଼ଣୀ, ନିହାଣ ଓ ହାତୁଡ଼ି ଆଦି ଲୌହ ଉପକରଣ ଥୁଆ ହୋଇଛି।
ମଧ୍ୟାହ୍ନ ସମୟ ଏବଂ ଷ୍ଟୁଡିଓରେ ନିରବତା ବିରାଜମାନ କରିଛି। କେବଳ ପଙ୍ଖା ଚାଲିବାର ଶବ୍ଦ ଶୁଭୁଛି, ଯାହାକି ରଞ୍ଜିତାଙ୍କ ପାଖରେ ଥିବା କଣ୍ଢେଇ ତିଆରି ହେଉଥିବା ଶେଡ୍ରେ ଘୂରୁଛି। ବାହାରେ ଏକ ଖୋଲା ଅଗଣାରେ ଚମଡ଼ା ସବୁ ଶୁଖା ହୋଇଛି। ପରେ ସେଗୁଡ଼ିକୁ କଣ୍ଢେଇ ରୂପେ କାଟି ଆକାର ଦିଆଯିବ।
‘‘ଏସବୁ କଣ୍ଢେଇ ଆଧୁନିକ ବିଷୟବସ୍ତୁ ଉପରେ ଆମେ ପରିବେଷଣ କରିବାକୁ ଥିବା କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ,’’ ନିଜେ ତିଆରି କରୁଥିବା କଣ୍ଢେଇ ଆଡ଼କୁ ଇଙ୍ଗିତ କରି ରଜିତା କୁହନ୍ତି। ତୋଲପାୱାକୁତୁ ସଖୀ କଣ୍ଢେଇ ନାଚ ଭାରତର ମାଲାବାର ଉପକୂଳର ଏକ ପାରମ୍ପରିକ କଳା ରୂପ । ମୁଳତଃ ଦେବୀ ଭଦ୍ରକାଳୀଙ୍କ ବାର୍ଷିକ ପର୍ବ ସମୟରେ ମନ୍ଦିର ପରିସରରେ ଏଗୁଡ଼ିକୁ ପରିବେଷଣ କରାଯାଏ।














