“ତୁମରି ପାଖରୁ ପାଇଛି ମା’ଗୋ
ଏଇ ଜୀବନଟି ମୋର
ପ୍ରଥମେ ଯେବେ ମୁଁ କହିଲି କଥା
ତୁମରି ତୁଣ୍ଡରେ କହିଲି
ତୁମରି ସ୍ନେହର ହାତ ଧରି ମା’
ପ୍ରଥମ ଥର ମୁଁ ଚାଲିଲି
ତୁମରି ହାତ ଧରି ଗୋ ମା’
ଚାଲିବା ମୁଁ ଶିଖିଲି
ତୁମରି ହାତଟି ଧରି ଧରି ମା’
ଲେଖିବା ଶିଖି ମୁଁ ଲେଖିଲି”


Kolkata, West Bengal
|TUE, JUN 20, 2023
ଗଡ଼ିଆହାଟର ବହି ବିକାଳି କବି
ରାସ୍ତାକଡ଼ର ବୁଲାବିକାଳିଙ୍କ ଉପରେ ସରକାରୀ କଳର ବାରମ୍ବାର ଉଚ୍ଛେଦ ଅଭିଯାନ ସତ୍ତ୍ୱେ ଅକ୍ଷର ପ୍ରତି ତାଙ୍କର ଅନାବିଳ ପ୍ରେମ କାରଣରୁ ହିଁ ଦଶନ୍ଧି ପରେ ଦଶନ୍ଧି ଧରି ମୁଣ୍ଡ ଟେକି ଠିଆ ହୋଇଛି ମୋହନ ଦାସଙ୍କ ବହି ଦୋକାନ
Student Reporter
Editor
Translator
ଏହି କବିତାଟି ସଜା ହୋଇଛି କୋଲକାତାର ଗଡ଼ିଆହାଟ ବଜାରରେ ମୋହନ ଦାସଙ୍କର ଛୋଟ ବହି ଦୋକାନରେ। ଏହାର ରଚୟିତା ସେ ନିଜେ। ଏହା ସହିତ ଆହୁରି ଅନେକ କବିତା ଲେଖିଛନ୍ତି କବି ମୋହନ ଦାସ।
ଏହି ୫୨ ବର୍ଷୀୟ କବି କହନ୍ତି,“ନିଜେର କାଜ୍କେ ଭାଲୋବାସା ଖୁବ୍ଇ ଜରୁରି ଆର୍ ଆମାର ଜନ୍ୟେ ଆମାର ପ୍ରଥୋମ ଭାଲୋବାସା ହଚ୍ଛେ ଆମାର ବୋଇ” (ନିଜ କାମକୁ ନିଜେ ଭଲ ପାଇବା ନିହାତି ଗୁରୁତ୍ୱପୂର୍ଣ୍ଣ କଥା ଏବଂ ମୋ ବହିଗୁଡ଼ିକ ହିଁ ମୋର ପ୍ରଥମ ପ୍ରେମ)।” ମନି ମୋହନ ଦାସ ଛଦ୍ମନାମରେ ସେ କବିତା ଲେଖନ୍ତି।
ହେରମ୍ବ ଚନ୍ଦ୍ର କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ହେଁ କୌଣସି ନିତିଦିନିଆ ଚାକିରି ତାଙ୍କୁ ମିଳି ନଥିଲା। ଫଳରେ, ପ୍ରାୟ ତିନି ଦଶନ୍ଧି ତଳେ ଗଡ଼ିଆହାଟର ଫୁଟ୍ପାଥ ଉପରେ ବହି ଓ ପତ୍ରିକା ବିକ୍ରି ଆରମ୍ଭ କରିବାକୁ ସେ ବାଧ୍ୟ ହୋଇଥିୁଲେ।
ଆକସ୍ମିକ ଭାବେ ଏହି ପେସାକୁ ଆପଣେଇ ନେଇଥିଲେ ମଧ୍ୟ ଏଥିରୁ ଓହରି ଯିବା କଥା ସେ କେବେ ବି ଚିନ୍ତା କରିନାହାନ୍ତି। ସେ କହନ୍ତି, “ଏଇଟା (ବହି ବିକିବା) କେବଳ ପଇସା ରୋଜଗାର କରିବାର ବାଟ ନୁହେଁ। ଏଥିରେ ଆହୁରି ଅନେକ କିଛି ରହିଛି। ମୋ ପାଇଁ ବହିର ମାନେ ଏକ ଆବେଗ।”

Diya Majumdar

Diya Majumdar
ଦକ୍ଷିଣ କୋଲକାତାର ବ୍ୟସ୍ତବହୁଳ ଗୋଲ୍ପାର୍କ ଅଞ୍ଚଳ ନିକଟ ଏକ ଛକରେ ମୋହନ ଦାସଙ୍କ ବହି ଦୋକାନ ଭଳି ଗଡ଼ିଆହାଟ ବଜାରରେ ପ୍ରାୟ ୩୦୦ ଛୋଟ ଛୋଟ ଦୋକାନ ରହିଛି। ଏହି ସବୁ ଦୋକାନରେ ଜଳଖିଆ, ଫଳ ଏବଂ ପନିପରିବା, ମାଛ, ଲୁଗାପଟା, ବହି ଏବଂ ଖେଳଣା ଭଳି ଅନେକ ସାମଗ୍ରୀ ବିକ୍ରି ହୁଏ। ବଜାରରେ ରହିଛି ଉଭୟ ସ୍ଥାୟୀ ଓ ଅସ୍ଥାୟୀ ଦୋକାନ ଘର।
ମୋହନ କହନ୍ତି ଯେ, ତାଙ୍କ ଭଳି ଅସ୍ଥାୟୀ ଦୋକାନ ଘରେ ବିକାକିଣା କରୁଥିବା ବ୍ୟକ୍ତିମାନେ ଏବଂ ଦୋକାନ ଘର ମାଲିକମାନେ, ଏ ବଜାରରେ ସମସ୍ତେ ଗୋଟିଏ ପରିବାର ଭଳି ରହନ୍ତି। “ଲୋକଙ୍କର ଏକ ଭୁଲ ଧାରଣା ରହିଛି ଯେ ଏଠାକାର ସ୍ଥାୟୀ ଦୋକାନ ମାଲିକମାନେ ଆମମାନଙ୍କୁ (ଅସ୍ଥାୟୀ ବିକାଳିମାନଙ୍କୁ) ପସନ୍ଦ କରନ୍ତି ନାହିଁ। କିନ୍ତୁ ତାହା ସବୁ କ୍ଷେତ୍ରରେ ସତ ନୁହେଁ,” ବୋଲି ସେ କହନ୍ତି। ସେମାନେ ଭାଗ ବାଣ୍ଟି ଖିଆପିଆ କରନ୍ତି ଏବଂ ବନ୍ଧୁତାର ଏହି ସଂପର୍କ ଅବ୍ୟାହତ ରହିଛି।
ମୋହନଙ୍କ ଦିନଗୁଡ଼ିକ ସତେ ଯେମିତି ସରେ ନାହିଁ। ସକାଳ ୧୦ଟାରେ ସେ ଦୋକାନ ଖୋଲନ୍ତି ଏବଂ ରାତି ୯ଟାରେ ବନ୍ଦ କରନ୍ତି। ଅର୍ଥାତ୍ ସପ୍ତାହର ସାତ ଦିନ ଯାକ ଦିନକୁ ୧୧ ଘଣ୍ଟା ହିସାବରେ ପରିଶ୍ରମ। ତାଙ୍କ କାମକୁ ସେ ଉପଭୋଗ କରନ୍ତି ସତ, ହେଲେ ଉପାର୍ଜନ ଖୁବ୍ କମ୍ ହୁଏ ଏବଂ ଏଥିରେ ପରିବାର ଚଳାଇବା କଷ୍ଟକର ହେଉଥିବାରୁ ସେ ଅସୁଖୀ। ମୋହନ କହନ୍ତି,“କୋଖନୋ ଟାକା ପାଇ, କୋଖନୋ ଆବାର ଏକ୍ ବେଲା ଖାବାରେର ମୋତନ ଟାକା ପାଇନା” (କେବେ କେମିତି ରୋଜଗାର ହୁଏ ଆଉ କେବେ ବେଳାଏ ଖାଇବାକୁ ବି ପଇସା ମିଳେନା)।” ତାଙ୍କ କାନ୍ଧରେ ପାଞ୍ଚ ଜଣିଆ ପରିବାର ଚଳାଇବାର ବୋଝ।
କୋଲକାତା ବିଶ୍ଵବିଦ୍ୟାଳୟର ସ୍ନାତକ ଶ୍ରେଣୀରେ ରାଜନୀତି ବିଜ୍ଞାନ ଛାତ୍ରୀ ତାଙ୍କ ଝିଅ ପୌଲମୀର ସୁନେଲି ଭବିଷ୍ୟତକୁ ନେଇ ଅନେକ ସ୍ଵପ୍ନ ଦେଖନ୍ତି ଏହି ବହି ବିକାଳି କବି ଜଣକ। ସେ କହନ୍ତି ଯେ, ତାଙ୍କର ଦୁଇ ସାନ ଭଉଣୀ, ପ୍ରତିମା ଓ ପୁଷ୍ପାଙ୍କ ବିବାହ ଲାଗି ଯୋଗାଡ଼ ସହିତ ତାଙ୍କୁ ହିଁ ସବୁ ଖର୍ଚ୍ଚ ବହନ କରିବାକୁ ପଡ଼ିବ।

Diya Majumdar

Diya Majumdar
ସଂପୂର୍ଣ୍ଣ ଅନିଶ୍ଚିତତା ଘେରରେ ତାଙ୍କ ଜୀବିକା ଥିବା ସତ୍ତ୍ୱେ ସେ ହତାଶ ହୋଇପଡ଼ିନାହାନ୍ତି। କହନ୍ତି, “ଏଠାରୁ ଆମକୁ କେହି ଉଠାଇ ଦେବାର ଆଶଙ୍କା ନାହିଁ। ଆମ (ବୁଲାବିକାଳିମାନେ) ସଂଖ୍ୟା ବହୁତ ଅଧିକ ଏବଂ ଏହି ରାସ୍ତାକଡ଼ରୁ ହିଁ ଆମେ ଆମ ଜୀବିକା ଅର୍ଜନ କରୁ। ଏଠାରୁ ଆମକୁ ହଟାଇ ଦେବା ଏତେ ସହଜ ନୁହଁ।” ହେଲେ ଏ ଦିଗରେ ଅନେକ ଥର ଉଦ୍ୟମ ହୋଇସାରିଲାଣି।
ସହରର କେତେକ ଭାଗରୁ ଫୁଟ୍ପାଥ୍ରୁ ବୁଲାବିକାଳିମାନଙ୍କୁ ହଟାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଓ ପୌର କର୍ତ୍ତୃପକ୍ଷଙ୍କ ଦ୍ୱାରା ୧୯୯୬ ମସିହାରେ ଆରମ୍ଭ ହୋଇଥିବା ‘ଅପରେସନ୍ ସନ୍ସାଇନ୍’ କଥା ମନେ ପକାଇ ମୋହନ କହନ୍ତି, “ସେତେବଳେ କ’ଣ କରିବି ବୋଲି ମୁଁ ଚିନ୍ତା କରି ନଥିଲି।”
ସେହି ସମୟରେ ମୋହନ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ)ର ସଦସ୍ୟ ଥିଲେ ଏବଂ ତାହା ବାମ ସାମ୍ମୁଖ୍ୟର ସଦସ୍ୟ ଦଳ ଭାବରେ ପଶ୍ଚିମ ବଙ୍ଗରେ ଶାସନ କ୍ଷମତାରେ ଥିଲା। ସେ ସମୟର କଥା ମନେ ପକାଇ ସେ କହନ୍ତି ଯେ ସେତେବେଳେ ସେ ପାର୍ଟି ଅଫିସ୍କୁ ଯାଇ ଏଭଳି ଯୋଜନାରୁ ବିରତ ରହିବା ପାଇଁ ଦଳର କର୍ମକର୍ତ୍ତାମାନଙ୍କୁ ଅନୁରୋଧ କରିଥିଲେ। ହେଲେ, ସରକାର ଓ ପୌର କର୍ତ୍ତୃପକ୍ଷ ବୁଝାମଣା କରିବାକୁ ରାଜି ହୋଇ ନଥିଲେ। ସରକାର ଓ ପୌର କର୍ତ୍ତୃପକ୍ଷ ସେହି ଅଞ୍ଚଳରେ ଅଧିକାଂଶ ଅସ୍ଥାୟୀ ଦୋକାନ ଉଚ୍ଛେଦ କରିଥିଲେ। କିନ୍ତୁ ସୌଭାଗ୍ୟବଶତଃ ସେ ଓ ତାଙ୍କ ଭଳି ଅନ୍ୟ କେତେକ ଦୋକାନୀ ସେମାନଙ୍କ ଦୋକାନର ସବୁ ଜିନିଷପତ୍ର ଆଗରୁ ବାହାର କରିନେଇଥିଲେ।
ସେ କହନ୍ତି, “ସରକାର ଅପ୍ରତ୍ୟାଶିତ ଭାବରେ ଏହି ନିଷ୍ପତ୍ତି ନେଇଥିଲେ। ସେମାନେ ଏକଥା ବୁଝିଲେ ନାହିଁ ଯେ ସେଇ ଗୋଟିଏ ରାତିରେ ଅନେକ ଲୋକ ସବୁ କିଛି ହରାଇ ବସିଲେ।” ମାସ ମାସ ଧରି ପ୍ରତିବାଦ କରିବା ସହିତ କଲିକତା ହାଇକୋର୍ଟରେ ଆବେଦନ କରିବା ପରେ ହିଁ ମୋହନ ଓ ଅନ୍ୟ କେତେକ ଦୋକାନୀ ପୁଣି ନିଜ ନିଜର ଦୋକାନ ଖୋଲିବାରେ ସମର୍ଥ ହେଲେ। ସେତେବେଳେ ମୋହନ ହକର ସଂଗ୍ରାମ କମିଟିର ସଦସ୍ୟ ଥିଲେ ଏବଂ ଏହାର ଅଂଶୀଦାର ସଂଘ ଦକ୍ଷିଣ କୋଲକାତା ହକର ସଂଘ ପକ୍ଷରୁ ୧୯୯୬ମସିହା ଡିସେମ୍ବର ୩ ତାରିଖ ଦିନ ଏହି ଆବେଦନ କରାଯାଇଥିଲା। ସେ ଆହୁରି କହନ୍ତି ଯେ, ସେହି ଘଟଣା ପରଠାରୁ ସେ ଦଳ ଛାଡ଼ି ଦେଲେ ଏବଂ ତା’ପରଠାରୁ ଆଉ କୌଣସି ରାଜନୈତିକ କାର୍ଯ୍ୟକଳାପରେ ସଂପୃକ୍ତ ହୋଇନାହାନ୍ତି।

Diya Majumdar

Diya Majumdar
*****
“ଆଜ୍କଲ୍ ଆର କେଉ ବଇ ପଡ଼େନା (ଆଜିକାଲି ଆଉ କେହି ବହି ପଢୁନାହାନ୍ତି)।” ମୋହନଙ୍କ କହିବା ଅନୁସାରେ ଗୁଗ୍ଲ ପାଇଁ ସେ ବହୁସଂଖ୍ୟକ ଗ୍ରାହକ ହରାଇଛନ୍ତି। “ଏବେ ଆମ ପାଖରେ ଏଇ ଗୁଗ୍ଲ ନାମକ ଜିନିଷଟି ଅଛି। ଲୋକେ ଏଥିରୁ ସେମାନେ ଦରକାର କରୁଥିବା ନିର୍ଦ୍ଦିଷ୍ଟ ତଥ୍ୟ ଖୋଜନ୍ତି ଏବଂ ପାଇଯାଆନ୍ତି ବି।” ବିଶ୍ଵ ମହାମାରୀ କୋଭିଡ୍-୧୯ ସମୟରେ ସ୍ଥିତି ଆହୁରି ଖରାପ ହୋଇଗଲା।
“ଏହା ପୂର୍ବରୁ ମୁଁ ନିଜ ଇଚ୍ଛାରେ କେବେହେଲେ ଦୋକାନ ବନ୍ଦ କରି ନଥିଲି। କିନ୍ତୁ କୋଭିଡ୍ ସମୟରେ କେବଳ ଘରେ ବସି ରହିବା ଛଡ଼ା ମୋ ପାଖରେ ଆଉ କିଛି ଉପାୟ ନଥିଲା।” ଏହି ବିଶ୍ଵ ମହାମାରୀ ସମୟରେ ମୋହନ ତାଙ୍କର ସବୁ ସଞ୍ଚିତ ଅର୍ଥ ଖର୍ଚ୍ଚ କରିଦେଲେ। ୨୦୨୩ ଜାନୁଆରୀରେ PARI ସହ କଥାବାର୍ତ୍ତା ସମୟରେ ସେ କହିଲେ,“ଏବେ ବେପାର ପୂରା ମାନ୍ଦା ଅବସ୍ଥାରେ ରହିଛି।”
ବିକ୍ରିବଟା ପାଇଁ ସରକାରୀ ଲାଇସେନ୍ସଟିଏ ମିଳିଲେ ତାଙ୍କ ବ୍ୟବସାୟରେ ଲାଗି ରହିଥିବା ଅନିଶ୍ଚିତତା କିଛିଟା ହ୍ରାସ ପାଇବ ବୋଲି ମୋହନ ବିଶ୍ୱାସ କରନ୍ତି। ହେଲେ ପାଞ୍ଚ ବର୍ଷ ତଳେ ସେ ଯେଉଁ ଲାଇସେନ୍ସ ପାଇଁ ଆବେଦନ କରିଥିଲେ, ତାହା ଏ ପର୍ଯ୍ୟନ୍ତ ମିଳିନାହିଁ। ଏଭଳି ସ୍ଥିତିରେ କେବଳ ଯାହା ହକର ସଂଘର ସଦସ୍ୟତା ହିଁ ତାଙ୍କୁ ସୁରକ୍ଷିତ ରଖିଛି ବୋଲି ମୋହନ ଅନୁଭବ କରନ୍ତି। ଏଥିପାଇଁ ସେ ପ୍ରତି ସପ୍ତାହରେ ୫୦ ଟଙ୍କା ଦିଅନ୍ତି। ଏଥିରୁ ବଜାରରେ ଦୋକାନ ଖୋଲିବାକୁ ତାଙ୍କୁ ଜାଗାଟିଏ ମଧ୍ୟ ମିଳିଯାଇଛି।
ମୋହନ କହିଲେ ଯେ, ୨୦୨୨ମସିହା ଶେଷ ଭାଗରେ ପଶ୍ଚିମ ବଙ୍ଗ ସହରାଞ୍ଚଳ ଫେରିବାଲା (ଜୀବିକା ସୁରକ୍ଷା ଏବଂ ରାସ୍ତାଘାଟରେ ବିକ୍ରି ନିୟନ୍ତ୍ରଣ) ଆଇନ, ୨୦୧୮ ଲାଗୁ କରିବାକୁ କୋଲକାତା ପୌର ନିଗମ ସ୍ଥିର କଲେ। ସେମାନଙ୍କ ଦୋକାନ ଉପରୁ ପ୍ଲାଷ୍ଟିକ୍ ଚାଦର ହଟାଇ ନେବା ପାଇଁ ସବୁ ଅସ୍ଥାୟୀ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆଗଲା। ମୋହନ କହନ୍ତି, “ଏବେ (ଶୀତଦିନରେ) ଏହା ଠିକ୍ ଅଛି। କିନ୍ତୁ ବର୍ଷା ଆସିଲେ ଆମେ କ’ଣ କରିବୁ?”
মা আমার মা
সবচে কাছের তুমিই মাগো
আমার যে আপন
তোমার তরেই পেয়েছি মা
আমার এ জীবন
প্রথম কথা বলি যখন
তোমার বোলেই বলি
তোমার স্নেহের হাত ধরে মা
প্রথম আমি চলি
হাতটি তোমার ধরেই মাগো
চলতে আমার শেখা
হাতটি তোমার ধরেই আমার
লিখতে শেখা লেখা
করতে মানুষ রাত জেগেছ
স্তন করেছ দান
ঘুম পাড়াতে গেয়েছে মা
ঘুম পাড়ানি গান
রাত জেগেছ কত শত
চুম দিয়েছ তত
করবে আমায় মানুষ, তোমার
এই ছিল যে ব্রত
তুমি যে মা সেই ব্রততী
যার ধৈয্য অসীম বল
সত্যি করে বলো না মা কী
হল তার ফল
আমার ব্রতের ফসল যেরে
সোনার খুকু তুই
তুই যে আমার চোখের মনি
সদ্য ফোটা জুঁই ।
ମା’ ମୋର ମା’
ତୁମ ଭଳି ଆଉ କେହି ନୁହେଁ ମାଆ
ତୁମେ ହିଁ ମୋ ନିଜର
ତୁମରି ପାଖରୁ ପାଇଛି ମା’ଗୋ
ଏଇ ଜୀବନଟି ମୋର।
ପ୍ରଥମେ ଯେବେ ମୁଁ କହିଲି କଥା
ତୁମରି ତୁଣ୍ଡରେ କହିଲି।
ତୁମରି ସ୍ନେହର ହାତ ଧରି ମା’
ପ୍ରଥମ ଥର ମୁଁ ଚାଲିଲି।
ତୁମରି ହାତ ଧରି ଗୋ ମା’
ଚାଲିବା ମୁଁ ଶିଖିଲି।
ତୁମରି ହାତଟି ଧରି ଧରି ମା’
ଲେଖିବା ଶିଖି ମୁଁ ଲେଖିଲି।
ମୋ ଲାଗି କାଟିଛ ତୁମେ କେତେ ବିନିଦ୍ର ରଜନୀ
ସ୍ତନ୍ୟପାନ ମୋତେ କରାଇଛ।
ଶୁଆଇବା ଦେବାକୁ ମୋତେ ଗୋ ମାଆ
କେତେ ନାନାବାୟା ଗୀତ ଶୁଣାଇଛ।
ଅନିଦ୍ରାରେ କାଟିଛ ଅଗଣିତ ରାତି
ଆଉ ଦେଇଛ ଅସୀମିତ ଚୁମ୍ବନ।
ମଣିଷ କରି ମୋତେ ଗଢ଼ିବା ଲାଗି
ସତେ କି ଶପଥ ନେଇଛ।
ତୁମେ ତ ସେହି ମାଆ, ଯିଏ ବ୍ରତ କରିଥିଲା
ଧୈର୍ଯ୍ୟ ଧରିବାକୁ ଚିରକାଳ।
ମାଆ ଗୋ,ଏବେ ମୋତେ ସତ କହ
ଏଥିରୁ ବା କ’ଣ ପାଇଲ ?
ତୁ ମୋର ସେହି ବ୍ରତର ସୁଫଳ
ଆଲୋ ସୁନା ଝିଅ ମୋର
ତୁ ମୋ ଆଖିର ଆଲୋକ
ସଜଫୁଟା ମଲ୍ଲୀଫୁଲ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/the-poet-and-bookseller-of-gariahat-or

