ସୁନୀତା ଭୁରକୁଟେଙ୍କ ମାତୃଭାଷା ହେଉଛି କୋଲାମୀ, କିନ୍ତୁ ଏହି କପା ଚାଷୀ ଜଣଙ୍କ ଅଧିକାଂଶ ଦିନ ମରାଠୀରେ କଥା ହୁଅନ୍ତି। ‘‘ଆମ କପା ବିକ୍ରି କରିବାକୁ ହେଲେ ଆମକୁ ବଜାର ଭାଷା ଜାଣିବାକୁ ହେବ,’’ ସେ କହିଥାନ୍ତି।
ମହାରାଷ୍ଟ୍ରର ୟବତମାଲ ଜିଲ୍ଲାରେ ରହୁଥିବା ତାଙ୍କର କୋଲାମ ଆଦିବାସୀ ପରିବାର ଘରେ ନିଜ ମାତୃଭାଷା କୋଲାମୀରେ କଥା ହୋଇଥା’ନ୍ତି। ସୁର୍ ଦେବୀ ପୋଡ଼ (ପଡ଼ା)ରେ ତାଙ୍କ ମାହେର (ବାପଘର)ରେ ତାଙ୍କର ଜେଜେବାପା ଓ ଜେଜେମା’ଙ୍କୁ କିଭଳି ସ୍ଥାନୀୟ ଭାଷା ମରାଠୀରେ କଥା ହେବାରେ ସମସ୍ୟା ହେଉଥିଲା ତାହା ସେ କହିଥା’ନ୍ତି। ‘‘ସେମାନେ କେବେ ସ୍କୁଲ ଯାଇନଥିଲେ, ସେମାନେ (ମରାଠୀରେ) ଖଣ୍ଡ ଖଣ୍ଡ ବାକ୍ୟରେ କଥା ହେବା ବେଳେ ଝୁଣ୍ଟୁଥିଲେ,’’ ସେ କୁହନ୍ତି।
କିନ୍ତୁ ପରିବାରର ଅଧିକରୁ ଅଧିକ ସଦସ୍ୟ କପା ବିକ୍ରି କରିବା ଲାଗି ସ୍ଥାନୀୟ ବଜାରକୁ ଯିବା ଆରମ୍ଭ କରିବା ପରେ ସେମାନେ ଭାଷା ଶିଖିନେଲେ। ଆଜି ଭୁଲଗଡ଼ ଗ୍ରାମରେ ଥିବା ଏହି ପଡ଼ରେ ସମସ୍ତେ କୋଲାମ ଆଦିବାସୀ ହୋଇଥିଲେ ହେଁ ବହୁଭାଷୀ ପାଲଟିଯାଇଛନ୍ତି ଏବଂ ମରାଠୀ, ହିନ୍ଦୀରେ କିଛି ଭାଷା ଏବଂ ନିଶ୍ଚିତ ଭାବେ କୋଲାମୀରେ କଥା ହେଉଛନ୍ତି।
କୋଲାମୀ ଏକ ଦ୍ରାବିଡ଼ୀୟ ଭାଷା ଯାହା ମୁଖ୍ୟତଃ ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଓ ଛତିଶଗଡ଼ରେ କଥିତ ହୋଇଥାଏ। ୟୁନେସ୍କୋର ଆଟଲାସ ଅଫ୍ ଦ ୱାଲ୍ଡସ୍ ଲାଙ୍ଗୁଏଜ୍ ଇନ୍ ଡେଞ୍ଜର୍ ମୁତାବକ, ଏହାକୁ ‘ନିଶ୍ଚିତ ଭାବେ ବିଲୁପ୍ତପ୍ରାୟ’ ଭାଷା ରୂପେ ବର୍ଗୀକରଣ କରାଯାଇଛି - ଏହା ଏପରି ଏକ ବର୍ଗୀକରଣ ଯାହା ଦର୍ଶାଇଥାଏ ଯେ ଏହାକୁ ଏବେ ପିଲାମାନଙ୍କୁ ମାତୃଭାଷା ରୂପେ କୁହାଯାଉ ନାହିଁ ।
‘‘ପନ୍ ଆମଚି ଭାଷା କମି ହୋତ୍ ନାହି । ଆମହି ୱାପରତାତ (କିନ୍ତୁ ଆମ ଭାଷା ଲୋପ ପାଇଯାଉନାହିଁ, ଆମେ ଏହାକୁ ବ୍ୟବହାର କରୁଛୁ)!’’ ୪୦ ବର୍ଷ ବୟସ୍କା ସୁନୀତା ଯୁକ୍ତି ଦର୍ଶାଇଥା’ନ୍ତି।














