‘‘ଏ ହାତ ସବୁ ସଙ୍ଗୀତ ପରିବେଷଣ ପାଇଁ ସୃଷ୍ଟି ହୋଇଛନ୍ତି,’’ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କୁହନ୍ତି । ଏକଥା କହିବା ସମୟରେ ସେ ପୁରୁଣା ଦିନ କଥା ମନେ ପକାଇ ଖୁସି ଅନୁଭବ କରିଥାନ୍ତି - ଯେତେବେଳେ ସେ ଭୁଖା ଚଳଚ୍ଚିତ୍ର ଦେଖିଥିଲେ। ସମ୍ବଲପୁରର ପୃଷ୍ଠଭୂମିରେ ପ୍ରସ୍ତୁତ ଏ ଚଳଚ୍ଚିତ୍ରରେ ଆଦିବାସୀ ଓ ସଙ୍ଗୀତ ଉପକରଣ ଉପରେ ସଂଳାପ ସବୁ ରହିଥିଲା ଯାହା ତାଙ୍କ ଭିତରେ କଳାକାର ସହ କଥା ହୋଇଥିଲା।
ବହୁ ଦଶନ୍ଧି ପରେ, କୃଷ୍ଣ ନିଃସଙ୍କୋଚରେ ଚଳଚ୍ଚିତ୍ରର ଏକ ସଂଳାପକୁ ଅନର୍ଗଳ ଭାବେ ଆବୃତ୍ତି କରିଥାନ୍ତି : ‘‘ଆମର ଏହି ଶହ ଶହ ବର୍ଷ ପୁରୁଣା ପେସା (ଦୁଲଦୁଲି)କୁ ମୁଁ ଛାଡ଼ି ପାରିବି ନାହିଁ । ମୋ ବାପା କେବେ ମଜୁରି ଖଟିନାହାନ୍ତି । ତାଙ୍କ ବାପା ମଧ୍ୟ କେବେ ଏ କାମ କରିନାହାନ୍ତି।’’
ଦୁଲଦୁଲି ଏକ ସମ୍ବଲପୁରୀ ଲୋକ ପରମ୍ପରା। ଏହାକୁ ପରିବେଷଣ କରିବା ସମୟରେ ପାଞ୍ଚଟି ଢୋଲ ଓ ମହୁରୀ ଉପଯୋଗ କରାଯାଇଥାଏ। କେବଳ ଉଚ୍ଚ କୁଶଳୀ କଳାକାରମାନେ ଏଥିରେ ଭାଗ ନେଇପାରିବେ।
କୃଷ୍ଣ କୁହନ୍ତି, ଭୂଖା ସେହି ପ୍ରଥମ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ ଥିଲା ଯାହାକି ତାଙ୍କ ଭଳି ଦୁଲଦୁଲୀ ସଙ୍ଗୀତକାରଙ୍କୁ ପରଦାରେ ଦେଖାଇଥିଲା। ପଶ୍ଚିମ ଓଡ଼ିଶାର ସମ୍ବଲପୁର ସହର ନିବାସୀ ସେ ନିଜର ୫୦ ବର୍ଷ ବୟସ୍କା ପତ୍ନୀ ସୁକାନ୍ତି ବାଗ ଏବଂ ନିଜ ପୁଅ କ୍ଷିତୀଶ ବାଗଙ୍କ ସହିତ ରୁହନ୍ତି। ସେ ଦଳିତ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିଥାନ୍ତି ।
‘‘ଘାସିଆ (ଘାସି) ସମାଜର ଲୋକମାନେ ବାଦ୍ୟଯନ୍ତ୍ର ତିଆରି କରିଥାନ୍ତି ଏବଂ ଗଣ୍ଡା ସମାଜର ଲୋକମାନେ ସେଗୁଡ଼ିକୁ ବଜାଇଥାନ୍ତି। ଏହି ଦୁଇ ସମାଜ ଚମଡ଼ା କାମ କରିଥାନ୍ତି, ସେଥିପାଇଁ ସେମାନଙ୍କୁ ଅପବିତ୍ର ବୋଲି ବିବେଚନା କରାଯାଉଥିଲା,’’ କୃଷ୍ଣ କୁହନ୍ତି। ‘‘ସେମାନଙ୍କ ପାଇଁ କାମ ଖୋଜିବା କଷ୍ଟକର ଥିଲା, ସେଥିପାଇଁ ସେମାନେ ନୃତ୍ୟ ଓ ବାଦ୍ୟଯନ୍ତ୍ର ବଜାଇବା ଭଳି ଗତିବିଧିରେ ନିୟୋଜିତ ରହିଥିଲେ।’’ ଘାସି ଓ ଗଣ୍ଡା ସମାଜ ଉଭୟ ଓଡ଼ିଶାରେ (ଜନଗଣନା ୨୦୧୧) ଅନୁସୂଚିତ ଜାତି (ଏସସି) ଭାବେ ତାଲିକାଭୁକ୍ତ ।
ସଙ୍ଗୀତରେ ବ୍ୟବହାର କରାଯାଉଥିବା ପାଞ୍ଚଟି ଉପକରଣ ମଧ୍ୟରୁ, ଏହି ଦୁଇ ସମାଜ ଢୋଲ ଏବଂ ନିଶାନ ତିଆରି କରିଥାନ୍ତି ଯେଉଁଥିରେ ପଶୁଙ୍କ ଚମଡ଼ାରେ ବାଜାର ଦୁଇ ମୁଣ୍ଡ ତିଆରି ହୋଇଥାଏ। ନିଶାନ ଦୁଇ ପଟରେ ହରିଣ ଶିଂଘ ଲଗାଇ ସଜା ହୋଇଥାଏ। ପଶୁଙ୍କ ଚମଡ଼ା ଓ ଶିଂଘ ସହିତ ଖୁବ ନିଖୁଣ ଭାବେ ଏହି ସଙ୍ଗୀତ ଉପକରଣଗୁଡ଼ିକୁ ତିଆରି କରାଯାଇଥାଏ। ପାରମ୍ପରିକ ଭାବେ ଏହି କାମ ଦଳିତ ସମ୍ପ୍ରଦାୟଙ୍କୁ ଦିଆଯାଇଛି ।












